ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୁକୁଡାର ନାଲିଚୁଳ

         ଏପଟେ କୁକୁଡା ତା’ର ଛୁଆକୁ ନପାଇ ତା’ର ଭାଇମାନଙ୍କୁ ଡାକି ତା’ର ଝିଅ ହଜି ଯାଇଥିବା କଥା କହିଲା । ଏହି ଘଟଣାରେ ସମସ୍ତଙ୍କର ବିଲୁଆ ଉପରେ ସନ୍ଦେହ ଜାତ ହେଲା । କୁକୁଡା ଯେଉଁ ଜାଗାରେ ତା’ର ଛୁଆମାନଙ୍କୁ ଧରି ଚରାବୁଲା କରୁଥିଲା ସେ କଥା ବୁଝି କୁକୁର ସେଠାରେ ଯାଇ ପହଁଚି ତା’ର ଆଘ୍ରାଣ ଶକ୍ତି ବଳରେ ବିଲୁଆ ଗାତ ପାଖରେ ଯାଇ ପହଁଚିଲା । କୁକୁର ବିଲୁଆର ଗାତ ପାଖରେ ପହଁଚିଲା ବେଳକୁ ବହୁତ ଡେରି ହୋଇ ଯାଇଥିଲା । ସେତେବେଳକୁ ବିଲୁଆ କୁକୁଡା ଛୁଆକୁ ଖାଇ ଦେଇ ତା’ ଗୋଡ ପର ଇତ୍ୟାଦି ଗାତ ଭିତରେ ପୋତି ଦେଇ କେଉଁଆଡେ ପଳାଇ ଯାଇଥିଲା ।

         ତିନି ଭାଇ ଭଉଣୀ ବସି ବିଚାର କଲେ, ଆମେ ଖୋଜିଲେ ତ ବିଲୁଆକୁ ପାଇବା ନାହିଁ । ସେ ବହୁତ ଚାଲାକ୍, କେଉଁଠି ନା କେଉଁଠି ବଣବୁଦା ଭିତରେ ଲୁଚି ରହିଥିବ । ଚାଲ! ରାଜା ସିଂହ ପାଖକୁ ଯାଇ ନ୍ୟାୟ ଭିକ୍ଷା କରିବା । ଆଗରେ କୁକୁର ତା’ ପଛକୁ କୁକୁଡା ଛୁଆ, କୁକୁଡା, ତା’ ପଛକୁ ବାଛୁରୀ ସମସ୍ତେ ଯାଇ ରାଜା ସିଂହର ଦରବାରରେ ପହଁଚିଲେ । ସିଂହ ରାଜା ମନ୍ତ୍ରୀ ମାଙ୍କଡ ଠାରୁ ସମ୍ବାଦ ପାଇ ସେମାନଙ୍କୁ ଆସିବାର କାରଣ ପଚାରିଲେ ।

         କୁକୁଡା କହିଲା – “ହଜୁର ! ମୋର ସାତଟି ପୁଅଝିଅ । ସେଥି ମଧ୍ୟରୁ ମୋର ଗୋଟିଏ ଛୁଆକୁ ବିଶ୍ୱାସଘାତକ ବିଲୁଆ ଆମ୍ଭମାନଙ୍କୁ ସ୍ନେହ ଡୋରିରେ ବାନ୍ଧିବାର ଛଳନା କରି ମୋର ଗୋଟିଏ ଛୁଆକୁ ଖାଇ ଦେଇଛି । ସେହି ଚତୁର ବିଲୁଆକୁ ଧରି ଆଣି ତାକୁ କଠିନ ଶାସ୍ତି ପ୍ରଦାନ କରିବା ପାଇଁ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି ।”

         ସିଂହ ରାଜା କହିଲା – “ପ୍ରଜାମାନଙ୍କୁ ନ୍ୟାୟ ପ୍ରଦାନ କରିବା ରାଜାର ଧର୍ମ । ସେଥିପାଇଁ ମୋର ଉଚିତ୍ ପ୍ରମାଣ ଦରକାର । ତୁମ୍ଭେ ସାକ୍ଷୀ ପ୍ରମାଣ ଦେଇ ପାରିବ ତ? କୁକୁଡା କହିଲା – “ହଁ ଆଜ୍ଞା ! ମୋ ପାଖରେ ଯଥେଷ୍ଟ ସାକ୍ଷୀ ପ୍ରମାଣ ଅଛି କହି କୁକୁର ଓ ବାଛୁରୀକୁ ସିଂହ ରାଜାଙ୍କ ସମ୍ମୁଖରେ ହାଜର କରାଇଲା । କୁକୁର ବିଲୁଆ ଗାତରୁ କୁକୁଡାର ଗୋଡ ଓ ପର ଜବତ କରିଥିବାର ପ୍ରମାଣ ଦେଖାଇଲା । ଏଥିରେ ରାଜା ସିଂହ ସନ୍ତୁଷ୍ଟ ହୋଇ ମହାମନ୍ତ୍ରୀ ମହାବଳ ବାଘକୁ ଆଦେଶ କଲେ ଯେ ବିଲୁଆ ନାଁରେ ଗିରଫ୍ ପରୱାନା ଜାରୀକରି ତାକୁ ଅବିଳମ୍ବେ ରାଜ ଦରବାରରେ ହାଜର କର ।”

         ମହାବଳ ବାଘ ଜଙ୍ଗଲର ଅନ୍ୟ ସମସ୍ତ ପଶୁଙ୍କୁ ନିର୍ଦେଶ ଦେଲାଯେ ବିଲୁଆକୁ ତୁରନ୍ତ ଧରିଆଣି ରାଜ ଦରବାରରେ ହାଜର କର । ବଣର ପ୍ରାଣୀମାନେ ବିଲୁଆକୁ ଖୋଜିବାରେ ଲାଗି ପଡିଲେ । କିନ୍ତୁ ତା’ର ସନ୍ଧାନ ପାଇଲେ ନାହିଁ କିନ୍ତୁ ମୂଷାଟି ଗୋଟିଏ ଗାତ ଭିତରେ ପଶିବା ବେଳକୁ ଦେଖିଲା ବିଲୁଆ ସେଠାରେ ଲୁଚିଛି । ମୂଷା ତାକୁ ଧରି ନେଇ ରାଜ ଦରବାରରେ ହାଜର କରାଇଲା । ରାଜ ଦରବାରରେ ବିଲୁଆର ବିଚାର ହୋଇ ସମସ୍ତ ସାକ୍ଷୀ ପ୍ରମାଣକୁ ବିଚାରକୁ ନେଇ ସେ ବିଶ୍ୱାସ ଘାତକତା ଦୋଷରେ ଦୋଷି ସାବ୍ୟସ୍ତ ହେଲା ଓ ରାଜା ସିଂହ ବିଲୁଆକୁ ଫାଶୀ ଦଣ୍ଡ ଆଦେଶ ପ୍ରଦାନ କଲେ ।

         କୁକୁଡା ହାତଯୋଡି କହିଲା – “ମଣିମା ! ବିଲୁଆକୁ ଫାଶି ଦଣ୍ଡ ଆଦେଶ ଦେଲେତ ମୋ ଝିଅ ଆଉ ଫେରି ଆସିବନି ବରଂ ସେ କରିଥିବା ଶପଥ ପାଳନ କଲେ ଆମର ଭବିଷ୍ୟତ ସୁରକ୍ଷିତ ରହିବ ।” ରାଜା ସେହି ଶପଥ କ’ଣ ବୋଲି ବିଲୁଆକୁ ପଚାରିଲେ । ବିଲୁଆ କହିଲା – “ହଜୁର! ରାତ୍ରିର ସନ୍ଧ୍ୟା ପ୍ରହର ଓ ପାହାନ୍ତି ପ୍ରହର ବେଳକୁ ଆମର ବଂଶଧର ବିଲୁଆ ଜଣଙ୍କର କାନ୍ଦ ଶୁଣି ଅନ୍ୟ ସମସ୍ତେ ଏକ ସଙ୍ଗେ ହୁକେହୋ… ହୁକେହୋ… ହୋଇ କାନ୍ଦିବୁ । ଏହା ଦ୍ୱାରା ରାତ୍ରିରେ ନିଦ୍ରାଯାଇ ଥିବା ଜୀବଜନ୍ତୁମାନେ ସତର୍କ ହୋଇଯିବେ ଓ ରାତ୍ରିରେ ହେଉଥିବା ଶତ୍ରୁ ଆକ୍ରମଣରୁ ରକ୍ଷା ପାଇ ପାରିବେ । ବଣର ସମସ୍ତ ପଶୁମାନେ କୁକୁଡାକୁ ଧନ୍ୟ ଧନ୍ୟ କହିଲେ । ସିଂହ ରାଜା ଖୁସିହୋଇ କୁକୁଡା ମୁଣ୍ଡରେ ଗୋଟିଏ ନାଲି ମୁକୁଟ ପିନ୍ଧାଇ ଦେଲେ । ସେଇଦିନ ଠାରୁ କୁକୁଡା ମୁଣ୍ଡରେ ନାଲିଚୁଳ ରହିଲା ଓ ବିଲୁଆମାନେ ସେମାନଙ୍କର ଶପଥ ଅନୁଯାୟୀ ସନ୍ଧ୍ୟା ପ୍ରହର ଓ ରାତ୍ରିର ଶେଷ ପାହାନ୍ତି ପ୍ରହର ବେଳକୁ ଏବେ ମଧ୍ୟ ଭୁକିବାରେ ଲାଗନ୍ତି ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍।


ଗପ ସାରଣୀ

ତାଲିକାଭୁକ୍ତ ଗପ