ଗୋଟିଏ ଗ୍ରାମର ଶେଷ ମୁଣ୍ଡରେ ଧୋବାଟିଏ ବାସ କରୁଥିଲା । ଗ୍ରାମବାସୀମାନଙ୍କର ଲୁଗାପଟା ସଫା କରି ଦି’ପଇସା ରୋଜଗାର କରି ନିଜର ଗୁଜୁରାଣ ମେଂଟାଏ । ଧୋବା ତା’ର ଘରେ ଗୋଟେ କୁକୁର ଏବଂ ଗୋଟିଏ ଗଧ ପାଳିଥାଏ । ଜୀବ ଦୁଇଟି ମଧ୍ୟ ଧୋବାଟିକୁ ବେଶ୍ ମାନିଥାଆନ୍ତି । ଗଧ ଧୋବାର ଲୁଗାପଟା ନେବା ଆଣିବାରେ ସାହାଯ୍ୟ କରୁଥିଲାବେଳେ କୁକୁର ରାତିରେ ଚୋର ଜଗିବାପାଇଁ ନିୟୋଜିତ ହୋଇଥାଏ । କେଉଁଠାରେ ଟିକେ ଶବ୍ଦ ହେଲା ମାତ୍ରକେ କୁକୁର ଭୁକିବାକୁ ଆରମ୍ଭ କରେ । ଅନ୍ୟ ଅର୍ଥରେ କହିଲେ, କୁକୁର ତା’ର ମୁନିବକୁ ସତର୍କ କରାଇଦିଏ ।
ଦିନେ ଧୋବାଟି ଗାଢ ନିଦରେ ଶୋଇଯାଇଛି । ସେହି ସମୟରେ ଏକ ଚୋର ଆସି ଧୋବାର ଘରକୁ ପଶିବାକୁ ଉଦ୍ୟତ ଉଦ୍ୟତ ହେଉଥାଏ । ଗଧଟି ପ୍ରଥମେ ଯେମିତି ଚୋରକୁ ଦେଖିଲା, ସେ କୁକରକୁ ଡାକି କହିଲା, “ଭାଇ! ତୁମେ କ’ଣ ଜାଣିପାରୁନ କି? ଗୋଟେ ଚୋର କେମିତି ମୁନିବର ଘରକୁ ପ୍ରବେଶ କରିବାପାଇଁ ଚେଷ୍ଟା କରୁଛି । ତୁମେ ଭୁକିବାକୁ ଆରମ୍ଭ କର । ଯାହାଦ୍ୱାରାକି ମୁନିବର ନିଦ୍ରା ଭଙ୍ଗ ହେବ ।” ଗଧଟିର କଥା କୁକୁର ଶୁଣିଲା କିନ୍ତୁ ନଶୁଣିଲା ଭଳି ହୋଇ ପୁଣି ଶୋଇପଡିଲା । କିଛି ସମୟପରେ ଗଧଟି ପୁଣି ସେହି କଥା କହିଲା । କୁକୁର ବିରକ୍ତ ହୋଇ କହିଲା, “ଗଧଭାଇ! ମୁଁ ମୋ ମାଲିକର ଏକାନ୍ତ ବିଶ୍ୱସ୍ତ ଓ ଅନୁରକ୍ତ ଥିଲି । ତାର ଘରକୁ ଦିନ ନାହିଁ, ରାତି ନାହିଁ ଜଗି ବସୁଛି । ସେ ନିରାପଦରେ ରହୁଥିବାରୁ ମୋତେ ସେ ସଂପୂର୍ଣ୍ଣ ଅବହେଳା କରୁଛି । କିନ୍ତୁ ମୁନିବ ଜାଣିପାରୁନାହିଁ ମୁଁ ତା’ ପାଇଁ କେତେ ଉପକାରୀ । ସେ ମୋତେ ପେଟପୂରା ଖାଇବାକୁ ମଧ୍ୟ ଦେଉନାହିଁ । ତେଣୁ ତା’ର ଘରେ ଚୋର ପଶି ଚୋରି କଲେ ମଧ୍ୟ ମୁଁ ଭୁକିବି ନାହିଁ । ଏହାପରେ ମୁନିବ ମୋର ଆବଶ୍ୟକତା ଅନୁଭବ କରିପାରିବ ।”