ଏକଥା ଶୁଣି ବୋଧିସତ୍ୱ ଭାବିଲେ – “ରାଜାଙ୍କ ନଅରକୁ ସିପାହୀମାନେ ଦିନରାତି ଜଗିରହିଚନ୍ତି । ତେଣୁ ବାହାରୁ ଗୋଟିଏ ହେଲେ କୁକୁର ନଅର ଭିତରକୁ ଯାଇପାରିନଥିବ । ରାଜାଙ୍କ ନଅରର ପୋଷା କୁକୁରମାନେ ନିଶ୍ଚୟ ଏ କାଣ୍ଡ କରିଛନ୍ତି । କିନ୍ତୁ ରାଜା ଏହା ନବୁଝି ସହରର ବୁଲାକୁକୁରମାନଙ୍କୁ ବିନା ଦୋଷରେ ଦଣ୍ଡଦେଇଛନ୍ତି । ଦୋଷୀ ଦଣ୍ଡ ନପାଇ ନିର୍ଦୋଷକୁ ଦଣ୍ଡ ଦିଆଯାଉଚି । ରାଜାଙ୍କର ଏହା ବଡ ଅନ୍ୟାୟ କାମ । ପ୍ରକୃତରେ ଦୋଷୀ କିଏ, ତାହା ଜାଣିବା ଓ ଜାତିଭାଇମାନଙ୍କୁ ବଂଚାଇବା ମୋର କର୍ତ୍ତବ୍ୟ ।”
ଏହା ବିଚାରି ବୋଧିସତ୍ୱ କୁକୁରମାନଙ୍କୁ କହିଲେ – “ତୁମେସବୁ ଏଇ ମଶାଣିରେ ଥାଅ । ମୁଁ ଏକୁଟିଆ ରାଜାଙ୍କ ନଅରକୁ ଯାଉଚି ।” ଏହା କହି ସେ ନଅର ଆଡକୁ ଗଲେ । ତାଙ୍କ ମନରେ କାହା ପ୍ରତି ରାଗ ବା ହିଂସା ଭାବ ନଥିଲା । ସେ ସହରର ରାସ୍ତାରେ ଗଲାବେଳେ ସମସ୍ତଙ୍କୁ କହୁଥିଲେ – “ମୁଁ ରାଜାଙ୍କୁ ଦେଖାକରିବାକୁ ଯାଉଚି । ମତେ କେହି ମାରନାହିଁ । ଧର୍ମର ଜୟହେଉ ।” ବୋଧିସତ୍ୱଙ୍କର କଥା ଶୁଣି କେହି ତାଙ୍କୁ ମାରିଲେ ନାହିଁ । ସମସ୍ତେ ତାଙ୍କୁ ବାଟ ଛାଡିଦେଲେ ।
ସେତେବେଳେ ରାଜା ସିଂହାସନରେ ବସିଥିଲେ । ମନ୍ତ୍ରୀ ମାନେ ତାଙ୍କ ପାଖରେ ଥିଲେ । ବୋଧିସତ୍ୱ କାହାରି ଆଡକୁ ଚାହିଁଲେ ନାହିଁ । ସେ ସିଧା ଯାଇ ରାଜାଙ୍କ ସିଂହାସନ ପାଖରେ ପହଁଚିଲେ । ସେ ରାଜାଙ୍କୁ ପ୍ରଣାମ କରି କହିଲେ – “ମଣିମା! ଆପଣ ରାଜଗାଦିରେ ବସି ଦୋଷୀକୁ ଦଣ୍ଡ ଦେବାକଥା । ମୋର ଗୁହାରି ଜଣାଇବାକୁ ମୁଁ ଏଠାକୁ ଆସିଚି । ଆପଣ କ’ଣ ସହରର ସବୁ କୁକୁରଙ୍କୁ ମାରିଦେବା ପାଇଁ ଆଦେଶ ଦେଇଛନ୍ତି?”
ରାଜା କହିଲେ “ହଁ, ମୁଁ ମୋର ଚାକରମାନଙ୍କୁ ସେଭଳି ଆଦେଶ ଦେଇଚି । ଏଥିରେ କ’ଣ ଭୁଲ୍ ହେଲା? ଦୁଷ୍ଟ କୁକୁରଗୁଡାକ ମୋ ଘୋଡାଙ୍କର ଲଗାମ୍ଗୁଡିକୁ କାମୁଡି ନଷ୍ଟକରିଦେଇଛନ୍ତି । ସେମାନେ ଦୋଷ କରିଚନ୍ତି । ମୁଁ ସେମାନଙ୍କୁ ଦଣ୍ଡ ଦେଇଚି ।”