ବୋଧିସତ୍ୱ କହିଲେ – “ମଣିମା! କେଉଁ କୁକୁରମାନେ ଲଗାମ୍ ନଷ୍ଟ କରିଛନ୍ତି, ତାହା ଆପଣ ଜାଣନ୍ତି କି?”
ରାଜା ଉତ୍ତର ଦେଲେ – “ମୋର ତାହା ଜାଣିବା କି ଦରକାର?”
ବୋଧିସତ୍ୱ କହିଲେ – “ମଣିମା! ଆପଣ ରାଜା । ରାଜା ନ୍ୟାୟ ବିଚାର କରିବା ଉଚିତ୍ । ଅସଲ ଦୋଷୀକୁ ଠାବକରି ସିନା ଦଣ୍ଡ ଦେଇଥାନ୍ତେ ତାହା ନକରି ସବୁ କୁକୁରଙ୍କୁ ମାରିବାକୁ ଆଦେଶ ଦେଲେ ।”
ରାଜା ଉତ୍ତର ଦେଲେ – “ସବୁ କୁକୁରଙ୍କୁ ମରାଯାଉନି । ନଅର ଭିତରର ଜାତିଆ କୁକୁରମାନେ ଛାଡପାଇଛନ୍ତି ।”
ବୋଧିସତ୍ୱ କହିଲେ – “ଆପଣ ଯାହା କଲେ ଠିକ୍ କଲେନାହିଁ । ଆପଣ ରାଜାହୋଇ ତିନିଟି ବଡ ପାପ କରୁଚନ୍ତି । ପ୍ରଥମରେ ଆପଣ ପାତରଅନ୍ତର ବିଚାର କରୁଥିବାରୁ ଦୋଷୀ । କାରଣ ନଅରର କୁକୁରଙ୍କୁ ଛାଡିଦେଇ ଆପଣ ପକ୍ଷପାତ ଦୋଷ କରିଚନ୍ତି । ଦୁର୍ବଳମାନଙ୍କୁ ହତ୍ୟାକରି ସବଳମାନଙ୍କୁ ଛାଡିଦେବା ବି ଏକପ୍ରକାର ପାପ । ଦ୍ୱିତୀୟରେ ରାଜା ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିବା ଉଚିତ୍ । ଆପଣ କେତେକଙ୍କୁ ଘୃଣା କରୁଚନ୍ତି ଓ କେତେକଙ୍କୁ ସ୍ନେହ କରୁଚନ୍ତି । ଆପଣ ନଅର ବାହାରେ ବୁଲୁଥିବା କୁକୁରଙ୍କୁ ଘୃଣାକରୁଚନ୍ତି । ଏହା ମଧ୍ୟ ଗୋଟିଏ ପାପ । ତୃତୀୟରେ ଆପଣ ବିଚାରହୀନ କାମ କରୁଚନ୍ତି । ଦୋଷ କାହାର, ତାହା ଆପଣ ବୁଝିନାହାଁନ୍ତି । ତେଣୁ ଆପଣ ଆଉ ଏକ ପାପ କରିଚନ୍ତି ।”