ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୁଜାର ଅଦ୍ଭୁତ ଭେଳିକି

ବୀର ଯୁବକଟି ସେମିତି ରାଗରେ ଫଣଫଣ ହୋଇ ଉଆସ ଭିତିରି ଦୁଆର ଆଡକୁ ମୁହଁକରି ଡାକ ପକାଇଲା – “ଆଗୋ  ହେ… ଶୁଣୁଛ… ଶୁଣୁଛ… କୁଆଡେ ଗଲ? … ହେ ଗୌରୀ…ହେ ଗୌରୀ ।” ଉଆସ ଭିତରୁ ଦିବ୍ୟ ବେଶ ଭୁଷାରେ ସଜ ହେଇ ଅପୂର୍ବ ସୁନ୍ଦରୀ ଭୁଆସୁଣୀଟିଏ ବାହାରି ଆସିଲା । ସବୁଆଡୁ ସମସ୍ତେ ଅପଲକ ଆଖିରେ ତାଟକା ହୋଇ ଚାହିଁ ରହିଛନ୍ତି । ସବା ଆଗରେ ଦେଖିଥିଲେ, ବୀର ପୁରୁଷର ଯେଉଁ ତିରିଲାଟି ଘୋଡାରୁ ଓହ୍ଲାଇ ଖୁବ୍ ସାଣ୍ଠଣାରେ ମହାରାଜାଙ୍କୁ ଓଳିକି ହୋଇଥିଲା ଇୟେତ ଅବିକଳ ସେହି ମାଇପୀଟି । କିଛି ସମୟ ଆଗରୁ ସେ ପରା ତାହାର ମଲା ଗେରସ୍ତ ସାଙ୍ଗରେ ଚିତା ନିଆଁରେ ଜଳି ମରିବ ବୋଲି ଯିଦି କରି ମଶାଣୀକୁ ଯାଇଥିଲା । ପାଇକମାନେ ସଙ୍ଘାଡି ସଜାଡି ଦୁହିଁଙ୍କୁ ପାଉଁଶ କରିଦେଇ ଆସିଥିଲେ । ସେ ପୁଣି ଜୀଇଁକି ଉଆସ ଭିତରୁ କେମିତି ବାହାରିଲା? ଆଉ ସେହି କ୍ଷତ୍ରୀ ଭେଣ୍ଡିଆ ଜଣକ ବି ଖଣ୍ଡ ଖଣ୍ଡ ହୋଇ ରକତରେ ସାଲୁବାଲୁ ହୋଇ ଆକାଶରୁ ପଡିବା ଦେଖଣାହାରୀ ସମସ୍ତେ ଦେଖିଛନ୍ତି, ଭଲ କରି ଚିହ୍ନିଛନ୍ତି । ସେ ବି କେମିତି ଗୋଟାସୁଦ୍ଧା ଜୀଅନ୍ତା ନିଖୁଣ ହୋଇ କୁଆଡୁ ଆସିଲା । ଭା’ରି ଆଚମ୍ବିତ କଥା, ଇୟେ କ’ଣ, କିଛି ବି ଜଣାପଡୁ ନାହିଁ । ସେତେବେଳେ ଆଉ କେହି କାହାର ଆଖିକୁ ବିଶ୍ୱାସ କରିପାରୁ ନ ଥାଆନ୍ତି । ନିଜ ନିଜ ଆଖିକୁ ମଳି ମଳି ପୁଣିଥରେ ପୁଣିଥରେ ଅନାଉ ଥାଆନ୍ତି ।

ତେଣେ ଉଆସ ଭିତରୁ ସେହି ଭୁଆସୁଣୀ ତିରିଲାଟି ବାହାରି ଆସି ବୀର ଯୁବା ଗୋଡତଳେ ମୁଣ୍ଡିଆ ମାରି ଲାଜ ଲାଜ କରି ଆଡ ହୋଇ ଛିଡା ହେଲା । ଯୁବକ କହିଲା – “ଦେଖ ହେ, ଏହି ମହାରାଜା ନିଜେ ଆଉ ତାଙ୍କର ଏହି କଜଳପାତିଆ ଭଦର ଲୋକ ଯାକ “ତୁମେ ଉଆସରେ ନାହଁ ବୋଲି” କହି ମତେ ତୁଆକୁ ତୁଆ ଧୁତ୍କାରୀ ଘଉଡାଇ ଦେଉଥିଲେ । ଶାସ୍ତ୍ରରେ କହିଛି ପରା – ନଈମାନଙ୍କୁ, ନଖଥିବା ଜନ୍ତୁମାନଙ୍କୁ, ଶିଙ୍ଘ ଥିବା ପ୍ରାଣୀମାନଙ୍କୁ, ହାତରେ ଅସ୍ତ୍ରଶସ୍ତ୍ର ଧରିଥିବା ଲୋକମାନଙ୍କୁ, ମାଇପୀ ଲୋକଙ୍କୁ ଆଉ ରଜା ବଅଂଶକୁ କେବେ ହେଲେ ବି ବିଶ୍ୱାସ କରିବା କର୍ତ୍ତବ୍ୟ ନୁହେଁ । ହଉ ଚାଲ, ଏବେ ଆମ ଘରକୁ ଯିବା ।” ଏହା କହି ସେହି ବୀର ଯୁବକ ନିଜ ତିରିଲାର ହାତ ଧରି ଚଂଚଳ ବାହାରି ଯାଉଥିବା ବେଳେ ମହାରାଜାଙ୍କ ଠାର ଇସାରା (ସଙ୍କେତ)ରେ ସେନାପତି ଆସି ସେମାନଙ୍କ ବାଟ ଓଗାଳି କହିଲେ – “ଛିଡା ହୁଅ – ତୁମେ ଦି’ଜଣ ଯାକ କିଏ? ତୁମର ପ୍ରକୃତ ପରିଚୟ ଦିଅ । ପରିଚୟ ନ ଦେଲେ ତୁମେ ଆଜି ଯେମିତିକା ଆମର ମହାରାଜା ଆଉ ତାଙ୍କର ନବରତ୍ନ ପଣ୍ଡିତେ, ସଭାସଦମାନଙ୍କୁ ହଜାର ହଜାର ଲୋକଙ୍କ ଆଗରେ ଧୁତ୍କାର କରି ଯେଉଁ ଦାରୁଣ ଅପମାନ ଦେଇଛ, ସେଥିକି ଅପରାଧୀ ଭାବରେ ତୁମେ ବନ୍ଦୀଶାଳରେ ରହିବ ।

ତା’ପରେ ତୁମ ଦିହିଁଙ୍କର ବିଚାର ହେଲେ ଦୋଷକୁ ଚାହିଁ ଦଣ୍ଡ ପାଇବ । କୁହ… କୁହ… ତୁମେ ଦିହେଁ କିଏ? ଆଗ ତୁମର ଅସଲ ପରିଚୟ ଦିଅ?” ସେନାପତିର ଧମକ ଦିଆ କଥା ଶୁଣି ସେହି ଗେରସ୍ତ, ଭାର୍ଯ୍ୟା ଦିହେଁ ମୁରୁକି ମୁରୁକି ହସି ପୁଣି ମହାରାଜାଙ୍କ ଆଡକୁ ବୁଲିପଡି ଠିଆ ହେଲେ ।

ୟା ଭିତରେ କୁଜା ତାହାର ସମସ୍ତ ଭେଳିକି ଉଡାଇ ନେଲା । କଳା ମୁଚୁମୁଚୁ ସେଇ ଘୋଡା କୁଆଡେ ଗଲା, ସେଇ ବୀର ପୁରୁଷ ଆଉ ତାହାର ଭାର୍ଯ୍ୟା କୁଆଡେ ଗଲେ । ସପନ ପରି କିଏ କୁଆଡେ ଉଭାଇ ଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ