ଦେଖିଲା ବେଳକୁ ମହାରାଜାଙ୍କ ଆଗରେ ଠିକ୍ ସେହି ଜାଗାରେ ସେମିତି ହାତ ଧରାଧରି ହୋଇ ଛିଡା ହୋଇ ହସୁଛନ୍ତି କୁଜା କୁଜୀ । ମହାରାଜା ଅନାଇ ଦେଇ ହସି ହସି କହିଲେ – “ଆରେ ଆମର କୁଜା କୁଜୀ ଯେ -”
କୁଜା କୁଜୀ ଦିହେଁ ମଣିମାଙ୍କ ପାଦତଳେ ଓଳିକି ହୋଇ ପାଦଧୂଳି ମୁଣ୍ଡରେ ମାରିଲେ । କୁଜା କହିଲା – ହେ ଗୁଣ ଚିହ୍ନା ରାଜାଧିରାଜ, ଛାମୁ ଏଇ ଅଧୀନକୁ ଗୋଟିଏ ବଢିଆ ଭେଳିକି ଦେଖାଇବାକୁ ଆଜ୍ଞା ଦେଇଥିଲେ । ଚରଣାଶ୍ରିତ ଅଧମ ତାହା ଦେଖାଇଛି । ଏଥିରେ ମୋର ଯାହା ଦୋଷ ଅପରାଧ ହୋଇଛି, ଛାମୁ ଦୟା କରି ସେ ସମସ୍ତ କ୍ଷମା କରିବେ । ସେଠଉଁ ଭଲ କୁହୁକ ବିଦ୍ୟାର ଲକ୍ଷଣ ହେଲା, ଦେଖଣାହାରୀ ଲୋକ ପାଂଚଶ, ହଜାରେ କି ଲକ୍ଷେ ହୁଅନ୍ତୁ, ଭେଳିକି ଦେଖିଲା ବେଳେ ସମସ୍ତେ ଏକାବେଳେ ନିଜକୁ ଭୁଲିଯାଇ ଜଡ ପାଲଟି ତନ୍ମୟ ହୋଇଯାଆନ୍ତି । କେଉଁଠି ଅଛନ୍ତି, କେଉଁଠି ଅଛନ୍ତି, ସତ କି ସପନ କିଛି ବି ଠଉରାଇ ପାରନ୍ତି ନାହିଁ । ଭେଳିକା ହୋଇଯାଆନ୍ତି । ମଣିମା ସେଇ ହେଲା ଅସଲ ଭେଳିକି ।” ସବୁଶୁଣି ମହାରାଜା ହସି ହସି କହିଲେ – “ଯାହା ହେଉ, ଆମେ ସମସ୍ତେ ତୁମ ଦୁହିଁଙ୍କୁ ଦେଖି ଯେତେ ହସିଥିଲୁ, ଯେତେ ଟାହୁଲି ଟାପରା, ଥଟାମଜା, ରଙ୍ଗରହସ୍ୟ କରିଥିଲୁ ତୁମେ ଖୁବ୍ ଚାଲାଖିରେ ତୁମର ଭେଳିକି ମାଧ୍ୟମରେ ସେହି ସବୁର ପ୍ରତିଶୋଧ ନେଇପାରିଛ । ସେଥିପାଇଁ ତୁମଦିହଁଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।” ଏବେ ତୁମର ଆମର ସବୁ ପାଉଣା ସମାନ ହୋଇଗଲା କହି କହି ମହାରାଜା ଆଉ ସଭାସଦମାନେ ହସି ହସି ଗଡି ଯାଇଥିଲେ ।
ଏହାପରେ ମହାରାଜା କୁଜାର ଅଦ୍ଭୁତ କୁହୁକ ବିଦ୍ୟା ଦେଖାଇଥିବା ପାଇଁ ତାକୁ ଅନେକ ଧନରତ୍ନ ପୁରସ୍କାର ଦେଇଥିଲେ ଆଉ କୁଜୀକୁ ବି କେତେଗୁଡିଏ ସୁନ୍ଦର ସୁନ୍ଦର ଅଳଙ୍କାର ଉପହାର ଦେଇଥିଲେ । କୁଜାକୁଜୀ ସେ ସବୁ ରାଜାଙ୍କଠୁଁ ନେଇ ପୁଣି ତାହାଙ୍କ ପାଦତଳେ ମୁଣ୍ଡିଆ ମାରି, ନବରତ୍ନ ବିଦ୍ୱାନମାନଙ୍କୁ ଓଳିକି ହୋଇ ଆଉ ସଭାସଦମାନଙ୍କୁ ଜୁହାର ହୋଇ ସେ ଉଆସର ଅନ୍ଦର ମହଲକୁ ଗଲେ ।
ତା’ପରେ ମହାରାଜାଙ୍କ ଆଜ୍ଞାରେ ସେଦିନର ସଭା ଭଙ୍ଗହେଲା ।