ସେ ଆଗରୁ ସେଠେଇଁ ପହଁଚି ଇମିତି ଅଦ୍ଭୁତ କୁହୁକ କଲା ଯେ ଶତ୍ରୁ ରାଜାର ସଇନ ବଳଠଉଁ ପଚାଶଗୁଣ ଅଧିକ ସଇନ, ସାମନ୍ତ ରଥୀ, ପଦାତି, ମଲ୍ଲ ଆମ ପାଖ ନଈ କୂଳରେ ଯନ୍ତାଯନ୍ତି ହୋଇ ଗର୍ଜନ, ତର୍ଜନ, ହୁଙ୍କାର, ବାହାସ୍ଫୋଟ, କୁହାଟରେ ଚଉଦିଗ କମ୍ପାଇଲେ । ଏମାନଙ୍କର ଭୟଙ୍କର ଚେହେରା ଆଉ ଅସ୍ତ୍ରଶସ୍ତ୍ରର ମାତବରୀ ଦେଖି ସେ ପାରିର ଶତ୍ରୁ ସଇନମାନେ ତାଙ୍କର ସେନାପତି ସମେତ ପ୍ରାଣ ବିକଳରେ କିଏ କୁଆଡେ ପଳାଇଲେ ଯେ ସେଇଛୁଣିକା ନଈକୂଳ ପୁରାପୁରି ନିଶୂନ ହୋଇଗଲା । ଯାହା ଦ୍ୱାରା କି ଆମ ରାଇଜ, ଏଇ ଉଆସ, ଆମର ଧନଜୀବନ ସବୁ ଏକ ବଡ ବିପଦରୁ ଅତି ସହଜରେ ରକ୍ଷା ପାଇଗଲା ଛାମୁ । ଇମିତି ଆଚମ୍ବିତ କଥା ଶୁଣି ରାଜା ବି ସ୍ତମ୍ଭୀଭୂତ ହୋଇଗଲେ । ରାଜା ମନେ ମନେ କୁଜା ଉପରେ ଭା’ରି ସନ୍ତୁଷ୍ଟ ହୋଇ ସଙ୍ଗେ ସଙ୍ଗେ କୁଜାକୁ ରାଜସଭାକୁ ଡକାଇଲେ । କୁଜା ସଭାରେ ପହଁଚି ରଜା ଗୋଡତଳେ ମୁଣ୍ଡିଆ ମାରି ହାତଯୋଡି ଛିଡା ହେଲା । ରାଜା କହିଲେ – “ହେ କୁହୁକ ବିଦ୍ୟାର ନିପୁଣ, ତୁମର ବିଦ୍ୟାବଳରେ ତୁମେ ଦେଶର ଗୋଟାଏ ବହୁତ ବଡ ଉପକାର କରିଛ ।
ମୁଁ ରାଇଜରେ ନଥିଲା ବେଳେ ତୁମେ ସତସାହସ କରି ତୁମର ବିଦ୍ୟାବଳରେ ଶତ୍ରୁଥାଟକୁ ଯେମିତି ଭୟଭୀତ କରାଇ ଲେଉଟାଇ ଦେଇଛ, ସେ କିଛି କମ୍ ବାହାଦୁରୀ କଥା ନୁହେଁ । ତୁମ ଉପରେ ମୁଁ ଖୁବ୍ ସନ୍ତୁଷ୍ଟ ହୋଇଛି । ରାଇଜର ବିପତ୍ତି ବେଳେ ତୁମେ ଯେଉଁ ମହତ ଉପକାର କରିଛ, ସେଥିପାଇଁ ତୁମକୁ ମୋ ଗଳାର ଏହି ରତ୍ନମାଳାଟି ପୁରସ୍କାର ଦେଲି, ନିଅ ।” ଏହା କହି ରାଜା ନିଜ ଗଳାରୁ କାଢି ରତ୍ନମାଳାଟି କୁଜା ହାତରେ ଦେଲେ । ପୁଣି କହିଲେ – “ଆଜିଠଉଁ ଏ ରାଜସଭାରେ ତୁମ ପାଇଁ ଗୋଟିଏ ଆସନ ଦିଆଗଲା । ଏବେ ମଧ୍ୟ ତୁମେ ଯାଇ ସେଥିରେ ବସିପାର ।” ଏତିକି କଥା ଶୁଣି କୁଜା ଅତ୍ୟନ୍ତ ଆନନ୍ଦରେ ଉଛୁଳି ଉଠି ରାଜାଙ୍କ ପାଦତଳେ ନିଜ ମୁଣ୍ଡ ଲଗାଇ ଓଳିକି ହୋଇ ବିନୟରେ କହିଲା – “ହେ ସର୍ବବିଦ୍ୟାର ଅଧିକାରୀ, ଗୁଣଚିହ୍ନରା, ଗୁଣିକ ମହାରାଜ, ଛାମୁଙ୍କର ଏହି ଅପୂର୍ବ ଦୟା ଏହି ଗରିବର ସବୁଦିନେ ମନେ ରହିବ ।” ତା’ପରେ ସଭା ପାଛୋଟିଆ କୁଜାକୁ ଅତି ଆଦରରେ ଗୋଟିଏ ଆସନରେ ବସାଇ ଦେଲା ।
ସେହି ଦିନଠଉଁ ସେ ରାଜାଙ୍କ ସଭାସଦମାନଙ୍କ ଭିତରେ କୁଜାର ନାଁ ତାଲିକାରେ ରହିଲା । ସେ ତାହାର କାମଧନ୍ଦା ସାରି ନିଇତି ସଭାକୁ ଯାଇ ଅନ୍ୟ ପାଂଚ, ପଚିଶଙ୍କ ସାଙ୍ଗରେ ସମାନ ହୋଇ ବସେ । ଏଣେ ଅନ୍ଦର ମହଲରେ କୁଜୀର ବି ସୁଖିଆନ୍ତି ବଢିଗଲା । କୁଜା ରାଜସଭାରେ ଆସନ ପାଇଛି ବୋଲି ତା’ ଗୋଡ ବି ଆଉ ତଳେ ଲାଗୁ ନଥାଏ । ତାହାର ଆନନ୍ଦ ପୁଣି ଦେଖେ କିଏ! ମହାରାଜା ବି କୁଜା କୁଜୀଙ୍କ ପାଇଁ ଅଲଗା ଘର, ଅଲଗା ପୋଖରୀ ଖଞ୍ଜି ଦେଲେ । ଭା’ରି ସୁଖ ଶାନ୍ତିରେ କୁଜା କୁଜୀଙ୍କର ଦିନ କଟୁଥାଏ ।
ୟା ଭିତରେ ଦିନେ ମହାରାଜା ବିକ୍ରମାଦିତ୍ୟ ତାଙ୍କର ସଭାସଦମାନଙ୍କର ଥରକୁ ଥର ଖୋସାମତରେ ସଭାରେ କୁଜାକୁ ଡାକି କହିଲେ – “ହଇହୋ କୁହୁକ ନିପୁଣ, ତୁମେ ଦିନେ ରାଜସଭାରେ ଆମ ସଭାସଦମାନଙ୍କୁ ତୁମର ଅଦ୍ଭୁତ କୁହୁକ ବିଦ୍ୟା କିଛି ଦେଖାଇବଟି । ସେମାନେ ଅନେକ ଦିନ ହେଲା ମୋ ସାଙ୍ଗରେ ଲାଗିଛନ୍ତି, ତୁମର ବିଦ୍ୟାର କରାମତି ନିଜେ ନିଜ ଆଖି ଆଗରେ ଦେଖିବେ ବୋଲି । ତାଛଡା ମୋର ବି ଗୋଟାଏ ପ୍ରବଳ ଇଚ୍ଛା ରହିଆସିଛି, ତୁମକୁ ପାଖରେ ରଖି ତୁମର କୁହୁକବିଦ୍ୟା ଉପଭୋଗ କରିବି ।” ଏକଥା ଶୁଣି କୁଜା କହିଲା – “ମଣିମା, କ୍ଷମା କରିବେ । ଅଧୀନର ଗୋଟିଏ ନିବେଦନ ମୋର ଏତିକି ନେହୁରା ଯେ ଏହି ସଭାମଣ୍ଡପ ଆଗରେ ଯେଉଁ ବଡ ଅଗଣା ଅଛି, ସେଇଠି ଖୋଲା ଆକାଶ ତଳେ ଛାମୁ ରାଜସଭା କରିବେ । ଛାମୁଙ୍କୁ ଘେରି ସଭାସଦମାନେ ଯେ ଯାହାର ଆସନରେ ବସିଥିବେ । ଉଆସ ଭିତରର ଆଉ ସବୁ ଦେଖଣାହାରୀ ଚାରିପାଖରେ ଘେରି ରୁଣ୍ଡ ହୋଇଥିବେ । ଠିକ୍ ସେତିକିବେଳେ ଏହି ଗରିବ ତା’ କୁହୁକବିଦ୍ୟା ଅତି ସୁବିଧାରେ ଦେଖାଇପାରିବ । କୁହୁକବିଦ୍ୟା ଦେଖାଇବାକୁ ଟିକିଏ ମେଲା ଖୋଲାଜାଗା ଦରକାର ଛାମୁ ।” ରାଜା କହିଲେ – “ହଉ, ହଉ…. ତୁମର ସୁବିଧା ପାଇଁ ମୁଁ ସବୁପ୍ରକାର ବ୍ୟବସ୍ଥା କରିଦେବି । ସେ ବିଷୟରେ ତୁମେ ଆଦୌ କିଛି ବି ଚିନ୍ତା କରନାହିଁ ।