କୁଜାର ଢୋଲକ ବଜାଇବା ଆରମ୍ଭ ହୋଇଗଲା । ସେମିତି ଡେଇଁ ଡେଇଁ ଘେରା ଖାଇଖାଇ ଜୋର୍ରେ ଜୋର୍ରେ ସେ ଢୋଲକ ପିଟିବାକୁ ଲାଗିଲା । ମଝିରେ ମଝିରେ କୁହାଟ ମାରି “ଯା’ଲାଗିଯା’ … ଯା’ଲାଗିଯା’ କହି ସେ ଧୂଳି ଉଡାଉଥାଏ । ସାମନାରେ ବସିଥିବା ସାନସାନ ଚଗଲା ଟୋକାଗୁଡାକ ତା’ ଗଳାକୁ ନକଲ କରି କୁହାଟ ମାରି ଯା’ଲାଗିଯା’ … ଯା’ଲାଗିଯା’ କହି ପାଟିକରି ଉଠୁଥାନ୍ତି । ପାହାରୀ ପାଇକମାନେ ବେତ ଖଣ୍ଡେ ଧରି “ଚୋଅପ୍…ଚୋଅପ୍” କହି ସେ ଚଗଲା ଟୋକାମାନଙ୍କୁ ଚୁପ୍ ଦେଉଥାନ୍ତି ।
କୁଜା ଆହୁରି ଘେରାଖାଇ ସେମିତି ଡେଇଁ ଡେଇଁ କୁହାଟମାରି ‘ଯା’ଲାଗିଯା’ ଯା’ଲାଗିଯା’ କହି ଧୂଳି ଉଡାଉଥାଏ ।
ଏତିକିବେଳେ ସିଂହଦୁଆର କବାଟ କିଏ ଖୁବ୍ ଜୋର୍ରେ ଖଡଖଡ କଲା । ଆହୁରି ଗୁଡାଏ ବାହାରଲୋକ ପଶିଆସି ହୋ’ ହା’ ହୋଇ ଗୋଳମାଳ କରିବେ ବୋଲି ସିଂହଦୁଆର ଜଗୁଆଳୀ ବଡ କବାଟ ବନ୍ଦ କରିଦେଇ ମଉଜରେ ବସି ଅଗଣାରେ ଭେଳିକି ଦେଖୁଥାଏ । ଥରକୁ ଥର ଲାଗେଲାଗେ କବାଟ ଖଡଖଡ ହେଲାରୁ ବିରକ୍ତ ହୋଇ ସିଂହଦୁଆରୀ ଉଠିଯାଇ କିଳିଣୀ ଖୋଲି କବାଟ ମେଲାଇ ଦେଲା । ଦେଖିଲା ବେଳକୁ ଅନ୍ୟ ଦେଶର ଜଣେ ଅଚିହ୍ନା କ୍ଷତ୍ରୀୟ ଯୁବାଟିଏ । ବୀର ପୋଷାକ ପିନ୍ଧିଛି । ମୁଣ୍ଡରେ ପାଗପଟୁକା, ପିଠିରେ ଢାଲ ଆଉ ଅଂଟାରେ ଖଣ୍ଡା ଝୁଲାଇଛି । ଗୋଟିଏ କଳା ମୁଚ୍ମୁଚ୍ ଘୋଡାର ଲଗାମ ସେ ଭିଡି ଧରିଛି । ଘୋଡା ଉପରେ ଗୋଟିଏ ଦିବ୍ୟ ସୁନ୍ଦରୀ ଯୁବତୀ ମାଇପି ଲୋକ ବସିଛି । ଭା’ରି ଉଚ୍ଛନ୍ନ ଥିଲାପରି ସେ କହିଲା – “ମୁଁ ଖୁବ୍ ବିପଦରେ ପଡିଛି । ମହାରାଜାଙ୍କ ସାଙ୍ଗରେ ଟିକିଏ ସାକ୍ଷାତ କରିବାକୁ ଚାହେଁ ।” ଦରୁଆନ୍ “ନାହିଁ… ନାହିଁ” କରୁଛି ମାତ୍ର ସେ ବୀର ପୁରୁଷଟି ଜବରଦସ୍ତି ତା’ ଘୋଡା ସହିତେ ଭିତରେ ପଶି ସିଧା ସିଧା ମହାରାଜାଙ୍କ ପାଖରେ ପହଁଚିଲା । ସେହି ମାଇପୀ ଲୋକଟିକୁ ଘୋଡାରୁ ଓହ୍ଲାଇ ଦେଇ ମହାରାଜଙ୍କ ଛାମୁରେ ଜୁହାର ହୋଇ ସେ ବୀର ଜଣାଇଲା – “ମହାରାଜ ମୁଁ ଘୋର ବିପଦରେ ପଡିଛି । ଇ’ଛୁଣିକା ଦେବରାଜ ଇନ୍ଦ୍ର ମୋର ଶତ୍ରୁ । ମୋର ଏଇ ଭାରିଯାକୁ ଜବରଦସ୍ତି ହରଣ କରି ନେବେ ବୋଲି ଇନ୍ଦ୍ର ପଠାଇଥିବା ସଇନମାନେ ମୁଁ ନଥିଲା ବେଳେ ଆମ ଘରପୋଡି ସବୁ ପାଉଁଶ କରି ଦେଇଛନ୍ତି । ଫଳରେ ଏବେ ଆମ ଘରେ ଆଉ କେହି ବି ନାହାଁନ୍ତି । ଆମେ ଗେରସ୍ତ ଭାରିଯା ଦି’ ପ୍ରାଣୀ । ମୋର ଏହି ଭାରିଯା ରୂପବତୀ ଯେମିତି ଗୁଣବତୀ ମଧ୍ୟ ଠିକ୍ ସେମିତି । ମୋ ଛଡା ପର ପୁରୁଷ ମୁହଁ ଚାହିଁବାକୁ ସେ କଦାପି ବି ଚାହେଁ ନାହିଁ । ମତେ ନ ଦେଖିଲେ ଦଣ୍ଡକ ତାହାକୁ ଯେପରି ଯୁଗକ ପରି ଲାଗେ । ମୋର କିଛି ଅଶୁଭ କଥା ଶୁଣିଲେ ସେ ଆଉ ଦଣ୍ଡେ ବଂଚିପାରିବ ନାହିଁ । ମୁଁ ଜଣେ ବୀର କ୍ଷତ୍ରୀୟ ପୁରୁଷ । ହେଲେ ମଧ୍ୟ ଏଇ ମର୍ତ୍ୟପୁରର ଜଣେ ଛାର ମଣିଷ । ସେ ସ୍ୱର୍ଗର ଦେବତାମାନଙ୍କ ରାଜା ହୋଇ ମୋ ସାଙ୍ଗରେ ଇମିତି ଅହନ୍ତା କରୁଛନ୍ତି? ମୁଁ ଇ’ଛୁଣିକା ଯାଉଛି ଇନ୍ଦ୍ର ଦେବତା ସାଙ୍ଗରେ ଯୁଦ୍ଧ କରିବାକୁ । ମୋ ଭାରିଯାଟିକୁ କାହା ପାଖରେ ରଖି ଦେଇ ଯିବି ବୋଲି ମୋର କେଉଁଠି ବିଶ୍ୱାସ ପାଉନି । ମୋର ଅନେକ ବନ୍ଧୁ, ବାନ୍ଧବ, ଜାତି ଲୋକଙ୍କୁ ମୁଁ ମନେ ପକାଇଲିଣି କିନ୍ତୁ ସେମାନଙ୍କର ଉପରେ ମୋର ଆଦୌ ଆସ୍ଥା ନାହିଁ କି ସେମାନଙ୍କର ପାଖରେ ମୋ ଭାରିଯାକୁ ରଖି ଯିବାକୁ ମୋର ଆତ୍ମା ବି ଚାହୁଁନାହିଁ । ଇମିତି ବହୁତ ଭାବି ଭାବି ଶେଷକୁ ମଣିମା ମନେ ପଡିବାରୁ ଖୁବ୍ ଆଶାକରି ଏଠାକୁ ମୁଁ ଆସିଛି । ଛାମୁ ମତେ ହତାଶ କରିବେ ନାହିଁ ଏତିକି ହେଉଛି ମୋର ବିନୀତ ପ୍ରାର୍ଥନା ।