ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୁଜାର ଅଦ୍ଭୁତ ଭେଳିକି

ମୁଁ ମଣିମାଙ୍କର ସୁନାମ ଅନେକ ସ୍ଥାନରେ ଅନେକ ଥର ଶୁଣିଛି । ମଣିମାଙ୍କୁ ପୁଣି ଏହି ଦୁନିଆରେ କିଏ ବା ନ ଜାଣେ! ଛାମୁ ଦୁଃଖି ରଙ୍କୀଙ୍କର ମା’ବାପ, ବିପଦରେ ପଡିଥିବା ଲୋକଙ୍କର ପରମ ବନ୍ଧୁ । ପରର ଉପକାର କରିବା, ନିଆଶ୍ରୀ ଲୋକଙ୍କୁ ସାହା ହେବା, ନିଜ ଜୀବନକୁ ପାଣିଛଡାଇ ଅନ୍ୟର ସେବା କରିବା, ଇମିତି ଆହୁରି ଅନେକ ସଦ୍ଗୁଣରେ ଛାମୁଙ୍କୁ ବଳିଯିବା ଭଳି ସୁପୁରୁଷ ଆଉ ଏହି ସୃଷ୍ଟିରେ ଜନମ ବି ହୋଇ ନାହାଁନ୍ତି । ସେଥିପାଇଁ ମୁଁ ଗୋଡହାତ ଯୋଡି ହୋଇ ଏତିକି ନେହୁରା କରୁଛି ଯେ ଏହି ହତଭାଗା ତା’ର ଭାରିଯାକୁ ଛାମୁଙ୍କ ଉଆସରେ ଛାଡିଦେଇ ଯିବ । ଛାମୁ ଦୟାକରି ନିଆଶ୍ରୀ ଏଇ ଯୁବତୀଟିକୁ ଅଳପ କିଛି ଦିନ ପାଇଁ ଛାମୁଙ୍କ ପୂରାପୂରି ଦାୟିତ୍ୱରେ ଆଶ୍ରା ଦିଅନ୍ତୁ । ଯୁଦ୍ଧରୁ ଫେରି ଆସି ମୁଁ ପୁଣି ମୋର ଭାରିଯାକୁ ଏଠଉଁ ଘେନିଯିବି । ଏତିକି ଦୟା ଛାମୁଙ୍କର ଏହି ଅଭାଗା ପ୍ରତି ହୁକୁମ୍ ହେଉ ।”

ସବୁ ଶୁଣି ମହାରାଜା ପ୍ରସନ୍ନ ମୁଖରେ ହସ ହସ ହୋଇ କହିଲେ – “ୟେ ଇମିତି କି ବଡ କଥାଟା କି? ଅରକ୍ଷିତକୁ ରକ୍ଷା କରିବା, ନିଆଶ୍ରୀକୁ ଆଶ୍ରା ଦେବା, ଅସହାୟକୁ ସାହା ହେବା, ଇୟେତ ରାଜାମାନଙ୍କର ସବୁଠଉଁ ବଡ କର୍ତ୍ତବ୍ୟ । ତୁମର ବିଶ୍ୱାସ ପାଉଛି ଯେବେ, ତୁମର ସ୍ତ୍ରୀକୁ ଆମ ରାଜନଅରରେ ଛାଡି ଦେଇ ନିଶ୍ଚିନ୍ତ ହୋଇ ତୁମେ ଯୁଦ୍ଧ କରିବାକୁ ଯାଅ । ଖୁବ୍ ନିରାପଦରେ ସେ ରହିବ, କାହିଁକିନା ଏଠେଇଁ କୌଣସି ପ୍ରକାର ଭୟର କାରଣ ହିଁ ନାହିଁ । ପରର ସ୍ତ୍ରୀକୁ ମା’ ପରି ମନେ କରିବା । ରାଜା ଅନୁଗତ ଧର୍ମ । ଆମର ଏଇ ଉଆସରେ କୌଣସି ଅସତ୍ ଲୋକ, ଅସଭ୍ୟ ଲୋକ, ବ୍ୟଭିଚାରୀ, ଦୁରାଚାରୀ ଲୋକର ସ୍ଥାନ ନାହିଁ ।” ଏତିକି କହି ରାଜା ବିଶ୍ୱାସୀ ମୁଦୁସୁଲୀକୁ ଡକାଇ କହିଲେ “ଏହି ଝିଅଟିକୁ ଅନ୍ଦର ମହଲକୁ ନେଇ ଖୁବ୍ ଆଦର ଯତନରେ ତୋ ନଜର ଉପରେ ରଖିବୁ । ଉଆସରେ ସମସ୍ତେ ଯେମିତି ୟାକୁ ମା’ର ସମ୍ମାନ ଦିଅନ୍ତି, ସେଥିପାଇଁ ସବୁବେଳେ ଦୃଷ୍ଟି ଦେବୁ ।” ତା’ପରେ ସେ ବୋହୂଟିକୁ ସାଙ୍ଗରେ ନେଇ ମୁଦୁସୁଲୀ ବୁଢୀ ଉଆସ ଭିତରକୁ ଚାଲିଗଲା ।

ଏଣେ ସେହି କ୍ଷତ୍ରୀୟ ଭେଣ୍ଡିଆଟି ସନ୍ତୁଷ୍ଟ ହୋଇ ପୁଣି ମହାରାଜାଙ୍କୁ ଜୁହାର ହୋଇ ବୀରଦର୍ପରେ ସେ ଘୋଡାରେ ଚଢିଲା । ଆଶ୍ଚର୍ଯ୍ୟର କଥା, ଘୋଡାରେ ଚକର ମାରି ମାରି ସେ ଆକାଶ ଆଡକୁ ଉଠିଗଲା । ସେ ଉପରକୁ ଉପରକୁ ଯାଇ ଏକାବେଳକେ ଅଦୃଶ୍ୟ ହୋଇଯିବା ପରିଯନ୍ତେ ଦେଖଣାହାରୀ ଯାକ ସମସ୍ତେ ଉପରକୁ ହାଁ’ କରି ଅନାଇ ରହିଥିଲେ । ତା’ପରେ ଆକାଶ ଭିତରୁ ବହୁତ ଲୋକ ଗହଳି ପାଟି ଗୋଳ, ଉଚ୍ଚବାଟ, ଧର ପଗଡ ଶବଦ ଶୁଭିଲା । ଅସ୍ତ୍ରଶସ୍ତ୍ରର ଝଣତ୍କାର ମଧ୍ୟ ଶୁଭିଲା । ମାରମାର ଧରଧର ଶବଦରେ କାନ ଅତଡା ପଡିଗଲା । ସେଇଠୁ ଝିପିଝିପି ବରଷା ହେଲା ପରି ରକତ ବୁନ୍ଦା ସବୁ ସିଂଚିହୋଇ ପଡିଲା । ଦେଖଣାହାରୀମାନେ ଜାଣିଲେ ଯେ ସରଗରେ ଖୁବ୍ ଘମାଘୋଟ ଲଢେଇ ଚାଲିଛି । ତା’ପରେ ହାୟ… ହାୟ… ଇୟେ କ’ଣ! ଖଣ୍ଡିଆ ହାତ ଦି’ଟା ରକତ ସାଲୁବାଲୁ ହୋଇ ସେଇଠି ପଡିଲା । ଟିକକ ପରେ ସେମିତି ଗୋଡ ଦି’ଟା ପଡିଲା । ପୁଣି କିଛିକ୍ଷଣ ପରେ ମୁଣ୍ଡଲଗା ଥୁଂଟା ଗଣ୍ଡିଟା ଯେତେବେଳେ ସେଇ ଅଗଣାରେ ପଡିଲା ସମସ୍ତେ ଦେଖି କହିଲେ – “ଆରେ ଇୟେତ ସେଇ ବୀର ଭେଣ୍ଡିଆ ଯେକି ଉଆସରେ ନିଜ ତିରିଲାକୁ ଛାଡି ଏଇଠଉଁ ଘୋଡା ଚଢି ସରଗକୁ ଯୁଦ୍ଧ କରିବାକୁ ଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ