ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୁଜାର ଅଦ୍ଭୁତ ଭେଳିକି

କଥା କ’ଣ କି, ଘଡିଏ ହୋଇଛି କି ନାହିଁ, ଆକାଶରୁ ସେହି କଳା ମୁଚୁମୁଚୁ ଘୋଡାଟି ଚକର ମାରି ମାରି ସେହି ଅଗଣାରେ ଓହ୍ଲାଇଲା । ତା’ ଉପରେ ବୀରପୁରୁଷ ସେହି କ୍ଷତ୍ରୀୟ ଯୁବା । ମୁହଁ ପ୍ରଫୁଲ, ଆଖି ଉଜ୍ଜ୍ୱଳ, ଦିହରେ ବିଜେ ତାର ଚଂଚଳତା । ଘୋଡାରୁ ଓହ୍ଲାଇ ସିଧା ସିଧା ମହାରାଜାଙ୍କ ସିଂହାସନ ପାଖକୁ ଚାଲିଲା । ସବୁଆଡେ ଦେଖଣାହାରୀ ସମସ୍ତେ ଜଳକା ହୋଇ ଡଗ ଡଗ ଚାହିଁଛନ୍ତି । ଇୟେ କଣ ସପନ ନା ସତ! ଏଠେଇଁ ସମସ୍ତେ ଦି’ଘଡି ଆଗରେ ଇମିତି ଅନାଇଛନ୍ତି, ଆକାଶରୁ ରକତ ସାଲୁବାଲୁ ଖଣ୍ଡିଆ ହାତ ଦି’ଟା, କଟା ଗୋଡ ଦି’ଟା, ଶେଷକୁ ମୁଣ୍ଡଲଗା ଗଣ୍ଡିଟା ପଡିଲା । ସମସ୍ତେ ଭଲ କରି ଦେଖିଲେ, ଚିହ୍ନିଲେ, କାନ୍ଦିଲେ । ତା’ର ନିଜର ହାତ ଧରିଲା ତିରିଲା ସେହି ମୁର୍ଦ୍ଦାରର ଛାତି ଉପରେ ମୁଣ୍ଡପିଟି କାନ୍ଦି ବୋବେଇ ଏକା ଯିଦି କରି କହିଲା – “ସଙ୍ଘାଡି ସଜକର । ମୁଁ ମୋର ଗେରସ୍ତ ସହିତ ଚିତା ନିଆଁରେ ଜୀବନ ଝାସ ଦେବି । ରାଜାଙ୍କ ଆଜ୍ଞାରେ ପାତ୍ର ସାଆନ୍ତେ ଦିହିଁଙ୍କୁ ମଶାଣିରେ ପୋଡିକି ଇ’ଛୁଣିକା ଆସିଲେ । ଏତେ ଗୁଡାଏ କଥା, ପୁଣି ହଜାର ହଜାର ଦେଖଣାହାରୀଙ୍କ ଆଖି ଆଗରେ ଆଜି ଘଟିଥିବା କଥା, କଣ ସବୁ ଗୁଡାକ ମିଛ! ଇୟେ ପୁଣି ନିଖୁଣ, ଜୀଅନ୍ତା ଭେଣ୍ଡିଆ ହୋଇ କୁଆଡୁ ଆସିଗଲା ବାବା । ଇୟେ ଆଉ ତାହାରି ପ୍ରେତ ନୁହେଁ ତ?

ସେହି ବୀର ପୁରୁଷଟି ସିଂହାସନ ସାମନାରେ ଛିଡା ହୋଇ ମହାରାଜାଙ୍କୁ ଖୁବ୍ ସମ୍ମାନ ସହିତ ଜୁହାର ଜଣାଇଲା ଆଉ ନେହୁରା ହୋଇ କହିଲା – “ମଣିମାଙ୍କର ଏଇ ଦୟା, ଏଇ ମହତ ଉପକାର, ପର ଦୁଃଖରେ ସାହା ହେବାର ଏହି ଉଦାର ହୃଦୟ ପାଇଁ ମୁଁ ଖୁବ୍ କୃତଜ୍ଞ ହୋଇଛି ଛାମୁ । ମହାରାଜାଙ୍କ କଇଲାଣରେ ମୁଁ ସ୍ୱର୍ଗକୁ ଯାଇ, ମୋର ଘରପୋଡା ସେହି ଶତ୍ରୁ ସଇନମାନଙ୍କ ସାଙ୍ଗରେ ଯୁଦ୍ଧ କରି ସେମାନଙ୍କୁ ମାରି ଆସିଛି । ଇନ୍ଦ୍ର ରାଜା ମତେ ଆଡ ହୋଇ ଅଦୃଶ୍ୟରେ ରହିଲା । ଯାହାହେଉ, ଏବେ ମୁଁ ମୋ ଘରକୁ ଯାଉଛି । ଦୟା କରି ମୋ ଭାରିଯା ପାଖକୁ ଖବର ଦେଇ ତାକୁ ଡକାନ୍ତୁ, ସେ ମୋ ସାଙ୍ଗରେ ଆମ ଘରକୁ ଯିବ ।”କ୍ଷତ୍ରୀ ଯୁବାର ଏହି କଥା ଶୁଣି କାହାରି ମୁହଁରୁ ଆଉ ପଦେ ମାତ୍ର କଥା ବି ବାହାରୁ ନାହିଁ । ବୋକାଙ୍କ ପରି ରାଜା, ମନ୍ତ୍ରୀଙ୍କ ମୁହଁକୁ ଚାହୁଁ ଥାଆନ୍ତି । ମନ୍ତ୍ରୀ ସଭାସଦ୍ମାନଙ୍କୁ ଚାହୁଁ ଥାଆନ୍ତି, ସଭାସଦମାନେ ବି ନବରତ୍ନ ବିଦ୍ୱାନମାନଙ୍କୁ ଚାହୁଁ ଥାଆନ୍ତି । ବିଦ୍ୱାନ ଯାକ ତଳକୁ ମୁଣ୍ଡପୋତି ଆପଣା ମୁହଁ ଶୁଖାଇ ଥାଆନ୍ତି । କାହିଁକିନା ମାମଲାଟା ତ ଏକା ବେଳକେ ବିଷମ ଅଡୁଆ ହୋଇଯାଇଛି ।

ସଭାରେ ଯେତେ ଯେଉଁଠି ପାରିଷଦ, ସଭାସଦ, ରଜା ନଅର ଲୋକ ଆଉ ବାହାରର ପାଖ ପଡୋଶୀ ଦେଖଣାହାରୀ, ସମସ୍ତଙ୍କ ଆଗରେ ରଜାଙ୍କ ପାଖରେ କେତେ ନେହୁରା ହୋଇ କେତେ କୁହା ବୋଲା କରି ନିଜ ଭାରିଯାଟି ଶାନ୍ତିରେ ଆଉ ନିରାପଦରେ ରହିବ ବୋଲି ଆଜି ରଖିଦେଇ ଯାଇଥିଲା, କିଏ ନ ଦେଖିଛି କିଏ ନଜାଣେ । କିଏ ନ କହିବ । ଅସଲ ଘଟଣା ବି ସମସ୍ତେ ଦେଖିଛନ୍ତି । କାହିଁକି ମହାରାଜା ଏତେ ତରବର ହୋଇ ଦିହିଁଙ୍କର ଶବ ସଂସ୍କାର କରିଦେଲେ, ଏ କଥା କାହାରିକୁ ଅଜଣା ନୁହେଁ । କିନ୍ତୁ ଏବେ କଣ କରାଯିବ! ତିରିଲାଟିର ଗେରସ୍ତ ନିଜେ ଜୀଅନ୍ତା ଆସି, ତା ଭାରିଯାକୁ ଘରକୁ ନେବା ପାଇଁ ମାଗୁଛି, ଏବେ ତାହାକୁ ଦିଆଯିବ କେମିତି? ତେଣୁ ରଜାଙ୍କ ବୁଦ୍ଧି ବଣା, ସଭାସଦ୍ମାନଙ୍କର ଅକଲ ଗୁଡୁମ୍ ଆଉ ବିଦ୍ୱାନମାନଙ୍କର ମଧ୍ୟ ସବୁ ବିଦ୍ୟା ଫସର ଫାଟିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ