ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୁଜାର ଅଦ୍ଭୁତ ଭେଳିକି

କ୍ଷତ୍ରୀୟ ଭେଣ୍ଡିଆଟିକୁ ଆଦର କରି ମନ୍ତ୍ରୀ କହିଲେ – “ବୀର ଯୁବକ, ତୁମର ବୀରତ୍ୱକୁ ଖୁବ୍ ଧନ୍ୟବାଦ । କିନ୍ତୁ ଭା’ରି ଆଶ୍ଚର୍ଯ୍ୟ ବିଷୟ ଯେ ତୁମେ ଆମ ମହାରାଜାଙ୍କୁ କହି ଯୁଦ୍ଧକୁ ଗଲାପରେ ଆକାଶରୁ ଘମା ଘୋଟିଆ ଯୁଦ୍ଧର ପାଟିଗୋଳ ଶବଦ ଶୁଭିଲା । ଝିରି ଝିରି ହୋଇ କିଛି ରକତ ବି ବରଷା ହେଲା । ତା’ପରେ ଥପ ଥପ ରକତ ବୋହି ପଡୁଥିବା ଯୋଡିଏ ତଟକା ହଣା ହୋଇଥିବା ହାତ ପଡିଲା । ପୁଣି ଟିକକ ପରେ ସେମିତି ଯୋଡିଏ କଟା ଗୋଡ ପଡିଲା । ଦେଖଣାହାରୀମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଅନାଇଛନ୍ତି । ସବା ଶେଷକୁ ମୁଣ୍ଡ ସାଙ୍ଗରେ ଲାଗିଥିବା ଗୋଟିଏ ଥୁଂଟା ଗଣ୍ଡି ରକତରେ ସାଲୁବାଲୁ ହୋଇପଡିଲା । ଅନେକ ଦେଖଣାହାରୀ ଦୌଡିଗଲେ ସେହି ଖଣ୍ଡିଆ ମାଦଳ ଶବଟାକୁ ଦେଖିବା ପାଇଁ ଅଗଣା ଭିତରକୁ । ସମସ୍ତେ ସେଇଟାକୁ ମୁର୍ଦ୍ଦାର ବୋଲି ଭଲ ଭାବରେ ଚିହ୍ନି ହାୟ ହାୟ କରି ଉଠିଲେ । ଏଇ ଦୁଃଖର କଥାଟା ଉଆସ ଅନ୍ଦର ମହଲଯାଏଁ ପହଁଚିବାରୁ ୟା ଶୁଣି ତୁମର ଗୁଣବତୀ ଭାରିଯା କଚାଡି ବାଡେଇ ହୋଇ କାନ୍ଦି ବୋବେଇ ଦଉଡି ଆସିଲା ସେହି ମୁର୍ଦ୍ଦାର ପାଖକୁ । ସେ ବି ତୁମରି ଶବ ବୋଲି ନିଶ୍ଚିତ ରୂପେ ଚିହ୍ନିପାରି ତା’ ଛାତି ଉପରେ ମଥା ପିଟିପିଟି ଥରକୁ ଥର ବେହୋସ ହୋଇଗଲା । ତୁମର ଗୁଣ ସୁମରି କଇଁ କଇଁ ହୋଇ ବାହୁନିଲା ଆଉ ମହାରାଜାଙ୍କ ପାଦତଳେ ଲୋଟି କାନ୍ଦି କାନ୍ଦି ସେ ନେହୁରା କଲା – “ମଣିମା, ମୋର ପ୍ରାଣର ଦେବତା ଗେରସ୍ତଙ୍କ ଦେହାନ୍ତ ପରେ ରାଣ୍ଡ ବୋଲାଇ ମୁଁ ଆଉ ଦଣ୍ଡେ ମଧ୍ୟ ଏଇ ଜୀବନ ରଖିପାରିବି ନାହିଁ ।

ଛାମୁ ଚଂଚଳ ତାହାଙ୍କର ଶବ ସଂସ୍କାର କରିବା ପାଇଁ ସଙ୍ଘାଡି ସଜାଡି ଦିଅନ୍ତୁ । ମୁଁ ବି ସେହି ଚିତା ନିଆଁରେ ତାଙ୍କରି ସାଙ୍ଗରେ ମୋ ଜୀବନ ଝାସ ଦେବି । ଏଥିରେ ହେଳା କଲେ ଛାମୁଙ୍କର ଅଧର୍ମ ଆଉ ପାପ ହେବ ।” ତୁମର ତିରିଲାର ଇମିତି ବିକଳ ନେହୁରାରେ ମହାରାଜା ଆଉ ଧୈର୍ଯ୍ୟ ଧରି ପାରିଲେ ନାହିଁ । ତେଣୁ ସେ ସାଙ୍ଗେ ସାଙ୍ଗେ ପାତ୍ରଙ୍କୁ ଆଜ୍ଞା ଦେଲେ “ଏହି ଗେରସ୍ତ ଭାରିଯାଙ୍କୁ ଚଂଚଳ ମଶାଣି ପଦାକୁ ନେଇ ଚନ୍ଦନ କାଠରେ ଶବ ସଂସ୍କାର କରିଦିଅ । ଅଭାଗିନୀର ବିକଳ ନିଶ୍ୱାସରେ ଆମେ କାହିଁକି ପାପରେ ଭାଗୀ ହେବୁ ।” ଆଜ୍ଞା ପାଇ ପାତ୍ର ମଶାଣି ପଦାକୁ ଯାଇ ଘଡିକ ଭିତରେ ଶବ ସଂସ୍କାର କରି ଫେରିଆସିଲା ପରେ ପରେ ଏହିକ୍ଷଣି ତୁମକୁ ପୂର୍ବପରି ଜୀବନ୍ତ ରୂପରେ ଦେଖି ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଥର ପାଲଟି ଯାଇଛୁଁ । କଅଣ କହିବୁ ବୋଲି କାହାରି ମୁହଁରୁ ପଦେ ହେଲେ ବି ଉତ୍ତର ବାହାରୁନାହିଁ । ବୀର, ତୁମେ ବିଶ୍ୱାସ କର ଆମ କଥାରେ ତିଳେ ହେଲେ ମଧ୍ୟ ମିଛ ନାହିଁ କି କପଟ ବି ନାହିଁ । ତୁମର ସ୍ତ୍ରୀର ବିକଳ ଜିଗରରେ ଆମର ମହାରାଜା ସିନା ତରତର ହୋଇ ଶବ ସଂସ୍କାର କରାଇ ଦେଲେ, ନୋହିଲେ ତ ସେହି ଶବ ଏଇ ପରିଯନ୍ତେ ଏଠେଇଁ ପଡି ରହିଥାଆନ୍ତା । ତୁମେ ଯେ ସମସ୍ତଙ୍କୁ ତାଟକା କରି ଇମିତିକା ଅବସ୍ଥାରେ ଜୀଅନ୍ତା ରୂପ ଧରି ପୁଣି ଏଠେଇଁ ଆସି ହାଜର ହେବ, ଏକଥା କେହି ସପନରେ ବି ଧାରଣା କରିନଥିବେ । ୟେ ସବୁ କି ଲୀଳା ଲଗାଇଛ । ଏହାର ଭିତିରି ରହସ୍ୟ ତ କାହିଁ କିଛି ବୁଝା ପଡୁନାହିଁ । ଆମର ମହାରାଜାଙ୍କୁ କାହିଁକି ତୁମେ ଏଇ ତୁଚ୍ଛା ଗୋଲକ ଧନ୍ଦାରେ ପୂରାଇ ଘାଂଟୁଛ ।” ସବୁଶୁଣି ସେ କ୍ଷତ୍ରୀୟ ଯୁବାଟି କହିଲା – “ମନ୍ତ୍ରୀ ମହାଶୟ, ତୁମେ ହେଲ ଦାନାଖିଆ ରାଜକର୍ମଚାରୀ । ସବୁ କଥାରେ ମହାରାଜାଙ୍କୁ ଖୁସି କରିବା ହେଲା ତୁମର ଧର୍ମ । ଖୋସାମତିଆ ଭାବରେ ଗୋଟାପଣେ ମହାରାଜାଙ୍କର ହୋଇ ତୁମେ ଯାହା କହିବ, ତାହା ମାନିନେବାକୁ ବା ବିଶ୍ୱାସ କରିବାକୁ ମୁଁ ଆଦୌ ରାଜି ନୁହେଁ । ସିଧାସଳଖ ମୁଁ ମହାରାଜାଙ୍କର ଶ୍ରୀମୁଖରୁ ଶୁଣିବାକୁ ଚାହେଁ ଯେ ମଣିମାଙ୍କୁ ସମସ୍ତଙ୍କଠଉଁ ସତ୍ୟବନ୍ତ, ବିଶ୍ୱାସୀ ଆଉ ଦୟାଳୁ ମନେକରି ସମସ୍ତଙ୍କ ସାମନାରେ ମୋ ଭାରିଯାକୁ ଆଶ୍ରା ଦେବାପାଇଁ ନେହୁରା ହୋଇ ଉଆସରେ ଛାଡି ଦେଇଗଲି । ଅଥଚ ମୁଁ ଫେରିଆସି ନିଜର ଭାରିଯାକୁ ନେବାପାଇଁ କହନ୍ତେ ମତେ ଏଣୁତେଣୁ ନାନାପ୍ରକାର ବାହାନାର କଥାକହି କାହିଁକି ଠକୁଛନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ