ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୁଜାର ଅଦ୍ଭୁତ ଭେଳିକି

ତହୁଁ ମହାରାଜା ବିକ୍ରମାଦିତ୍ୟ କହିଲେ – “ବୀର, ତୁମେ ମୋ କଥାକୁ ବିଶ୍ୱାସ କର । ମୁଁ ଧର୍ମ ସଭାରେ ବସିଛି । ଅଷ୍ଟଦିଗପାଳଙ୍କୁ ସାକ୍ଷୀ ରଖି କହୁଛି, ତୁମର ଭାର୍ଯ୍ୟା ତାହାର ପ୍ରବଳ ଇଚ୍ଛାରେ ତୁମରି ଶବ ସହିତ ଚିତାନିଆଁରେ ନିଜ ଜୀବନ ଝାସଦେଇଛି । ସେ ଆଉ ଆମର ଉଆସରେ ନାହିଁ । ତୁମେ ଇଚ୍ଛାକଲେ, ଆମର ଉଆସ ଗୋଟାକ ଯାକ ଟିକିନିଖି କରି ସବୁଆଡ ଖୋଜି ଆସିପାରିବ, ମୋର କିଛି ବି ଆପତ୍ତି ନାହିଁ । କ୍ଷତ୍ରୀୟ ଯୁବାଟି ମୁହଁ ଶୁଖାଇ କହିଲା – “ମହାରାଜ, ଛାମୁଙ୍କଠଉଁ ଏଇ ଉତ୍ତର ପାଇବି ବୋଲି ମୁଁ କେବେବି ଆଶା କରି ନଥିଲି । ଛାମୁ ମୋର ସବୁ ଆଶା ଭରସା ବୁଡାଇଦେଲେ । ସବୁ ମୋର ଦୁର୍ଭାଗ୍ୟ । ଯେବେ କିଛି ନ ଭାବନ୍ତି, ମୋ ସ୍ତ୍ରୀର ଅଳଙ୍କାରଗୁଡିକ ମତେ ଦିଅନ୍ତୁ, ସେତିକି ମୋର ଶେଷ ସମ୍ବଳ ।” କ୍ଷତ୍ରୀୟ ଯୁବକର ଏହି କଥା ନବରତ୍ନ ବିଦ୍ୱାନଙ୍କ ସହିତ ସଭାସଦ୍ମାନେ ମଧ୍ୟ ଶୁଣୁଥିଲେ । ଟିକିଏ ବିରକ୍ତ ହେଲାପରି ଜଣେ ମନ୍ତ୍ରୀଂପାରିଷାଦର ବିଦ୍ୱାନ କହିଲେ – “କିହୋ, ଆମର ମହାରାଜାଙ୍କୁ କେଉଁ ଜିନିଷ ଅପୂରୁବ ଯେ ତୁମର ଭାରିଯାର ସାମାନ୍ୟ କେଇଟା ଗହଣାକୁ ଲୋଭକରି ରଖିବେ । ତୁମେ ତ ପହିଲେ ଆସିଲାବେଳୁ ଜଣାଇ ଦେଇଛ ଯେ, ତୁମର ଆଉ କେହି ବି ନାହାଁନ୍ତି । ତୁମେ ତ ଗେରସ୍ତ ଭାରିଯା ଦି’ ପ୍ରାଣୀ । ଘର ଖଣ୍ଡିକ ଶତ୍ରୁମାନେ ପୋଡିଦେଲେ ବୋଲି ନିଜ ଗାଁରେ କେଉଁଠି ତା’ ମୁଣ୍ଡ ଗୁଞ୍ଜି ପାରିଲ ନାହିଁ ଯେ ଚାରିଆଡେ ବୁଲିବୁଲି ଶେଷକୁ ଏଇ ଉଆସରେ ଭାରିଯାକୁ ରଖାଇ ଦେଇ ଯୁଦ୍ଧକୁ ଗଲ । ଯୁଦ୍ଧରୁ ଖଣ୍ଡଖଣ୍ଡ ହୋଇ ହାତ ଗୋଡ, ଗଣ୍ଡି, ମୁଣ୍ଡ ସବୁ ଏଇ ଅଗଣାରେ ପଡିଲା । ହଜାର ହଜାର ଏହି ଦେଖଣାହାରୀ ଦେଖିଛନ୍ତି ଆଉ ତାହା ତୁମର ଶବ ବୋଲି ମଧ୍ୟ ଚିହ୍ନିଛନ୍ତି । ଖବର ପାଇ ତୁମର ଭାରିଯା ଉଆସ ଭିତରୁ ଦୌଡି ଆସି କାନ୍ଦି କାନ୍ଦି ସେ ବି ତୁମକୁ ଚିହ୍ନିଲା ଆଉ ସଙ୍ଘାଡିରେ ତୁମ ସହିତ ଚିତା ଅଗ୍ନିରେ ଜୀବନ ଦେବ ବୋଲି ମହାରାଜାଙ୍କ ପାଖରେ ଜିଗର କଲା । ତାହାର ଯାହା ଅଳଙ୍କାର ପତର, ସେତେବେଳେ ତ ସେ ସବୁ ତା’ ଦିହରେ ହିଁ ଥିଲା । ତା’ର ଆଉ କିଏ ଅଛି ଯେ ମହାରାଜା କାହାପାଇଁ ତା’ ଅଳଙ୍କାର ରଖିବେ । ସେ ବି ତ ରଖିବା ପାଇଁ ତା’ ଅଳଙ୍କାର କାଢିଦେଇ ନାହିଁ । ସେ ମରିବ ବୋଲି କ’ଣ ତାର ଅଳଙ୍କାର ମହାରାଜା କାଢି ରଖିଥାଆନ୍ତେ? ଏହି ଉଆସରେ ଥିବା ମୁଦୁସୁଲୀ, ପୋଇଲୀମାନଙ୍କ ଦିହରେ ତା’ର ଚାରିଗୁଣ ଗହଣା ମିଳିପାରିବ । ମହାରାଜ ବିକ୍ରମାଦିତ୍ୟଙ୍କୁ ଇମିତି ଇତର ଭାବରେ ପ୍ରଶ୍ନ କରିବା ତୁମର ଆଦୌ ଉଚିତ୍ ହେଉନାହିଁ ।”

ଏକଥା ଶୁଣି ସେ ବୀର ପୁରୁଷଟି ହଠାତ୍ ରାଗିଯାଇ କହିଲା – “ଏହି କ’ଣ ତୁମର ବିଚାର? ଏଇଥିପାଇଁ ରାଜଭଣ୍ଡାରର ଧନ ତୋଷରପାତ କରି ରାଜାଙ୍କୁ ଆବୋରି ପଡିରହିଛ । ତୁମ ଭିତରେ ଗୋଟାଏ ମାର୍ପେଂଚ୍ କରି ରାଜାଙ୍କୁ ମୋର ତିରିଲାଟିକୁ ଆଉ ତାହାର ଅଳଙ୍କାରଗୁଡିକ ତୁମେମାନେ ସମସ୍ତେ ବାଂଟି କୁଂଟି ନେଇଛ । ଏହି ଧର୍ମ, ନ୍ୟାୟ, ବିଚାର କରି ଧରାଟାକୁ ସରା ଜ୍ଞାନ କରିଛ । ଦୁନିଆର ମଣିଷଗୁଡାକ ତୁମ ଆଖିରେ ପୋକ ମାଛିଠେଉଁ ଯେମିତି ଆହୁରି ହୀନ ଆହୁରି ନିକୁଛିଆ ।” ନବରତ୍ନ ବିଦ୍ୱାନଯାକ ଆଉ ସଭାସଦମାନେ ସେହି କ୍ଷତ୍ରୀ ଯୁବାଟିର ମୁହଁକୁ କଟ୍ମଟ୍ କରି ଅନାଇଲେ । ପୁଣି ସେହି ବୀର ପୁରୁଷ ବିଦ୍ୱାନଙ୍କୁ ଦେଖାଇ କହିଲା – “ହଇହୋ, ତୁମେପରା ସଭିଙ୍କ ତରଫରୁ ସର୍ଦ୍ଦାରୀ କରି ମୋ ସାଙ୍ଗରେ ଯୁକ୍ତି କରୁଥିଲ, ଦେଖିଲ, ତୁମର ଅଂଟାରେ ଯେଉଁ ଗହଣାଟି ବେଢେଇ ଦେଇ ବସିଛ, ସେଇଟି କାହାର?” ଏପରି କଥା ଶୁଣି ବିଦ୍ୱାନ ନିଜ ଅଂଟାକୁ ଚାହିଁଲେ । ଅନ୍ୟ ସମସ୍ତେ ବି ଦେଖିଲେ ଯେ ବିଦ୍ୱାନଙ୍କ ଅଂଟାରେ ଗୋଟିଏ ମାଇପି ଗହଣା ‘ଅଂଟ ବେଶୀ’ ଗୁଡା ହୋଇଛି । ବିଦ୍ୱାନ ଆଉ ଅନ୍ୟ ସବୁ ସଭାସଦମାନେ ଆଶ୍ଚର୍ଯ୍ୟ ହୋଇ ଅପମାନ ପାଇ ଯେ ଯାହାର ମୁଣ୍ଡକୁ ତଳକୁ ପୋତିଦେଲେ । କଥା ପଦେ କହିବାକୁ ଆଉ କାହାର ବି କରାମତି ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ