ଉଆସ ଭିତରେ ଅନ୍ୟ ରାଣୀମାନେ ଆଉ ମୁଦୁସୁଲୀ, ପୋଇଲୀମାନେ କୁଜାକୁଜୀଙ୍କୁ ଦେଖିଲେ ଖାଲି ଠୋ’ ଠୋ’ ହୋଇ ହସନ୍ତି, ଥଟ୍ଟା କରନ୍ତି, ବେଳେବେଳେ ଗଛକୁ, ବାଡିକୁ ଦେଖାଇ ଢଗ ବୋଲନ୍ତି । ତେଣୁ ସେ କୁଜାକୁଜୀ ଦୁହେଁ କେବେବି କାହା ସହିତ ମଧ୍ୟ ମନ ମିଳାଇ ଦି’ପଦ ହସଖୁସିରେ କଥାବାର୍ତ୍ତା ହୁଅନ୍ତି ନାହିଁ । ସେଦିହେଁ ସବୁବେଳେ ଖାଲି ତାଙ୍କରି ଭୋଜ ରାଇଜ ଜେମା ଭାନୁମତୀଙ୍କ ପାଖରେ ଖଟଣିଆ ହୋଇ ଚଳୁଥାଆନ୍ତି । ନୂଆରାଣୀଙ୍କର ବୋଲହାକ କରନ୍ତି । ରାଣୀ ଭାନୁମତୀ ବି ସେ ଦିହିଁଙ୍କର କୌଣସି ପ୍ରକାର ଅଭାବ ଅସୁବିଧା ରଖିଦିଅନ୍ତି ନାହିଁ । ସେମାନେ ମୁହଁ ଶୁଖାଇଥିଲେ ତାଙ୍କର ମନଜାଣି ସବୁ ଖବର ବୁଝନ୍ତି । ସେଥିପାଇଁ ସେ ଦିହେଁ ମନମୋଟକରି ଉଆସରେ ଖୁସିରେ ଚଳୁଥାଆନ୍ତି । ଯେଉଁମାନେ ତାଙ୍କ ସାଙ୍ଗରେ ଥଟ୍ଟାମଜା କରନ୍ତି, ସେମାନେ ତାହାଙ୍କୁ କିଛି ବି ନ କହି କାମରେ ହରବର କରିଦିଅନ୍ତି । କାହାର ପିଠା ସିଝେ ନାହିଁ, କାହାର ତିଅଣ ପୋଡିଯାଏ, କାହାର ଭାତ ଦରଫୁଟା ଚାଉଳିଆ ପାଲଟିଯାଏ । କାହାର କାଠ ଜଳେ ନାହିଁ, କାହାର ଲୁଗା ଶୁଖେ ନାହିଁ । କିଏ ତୋରାଣି ପିଉ ପିଉ ସେଥିରୁ ଅସରପା ବାହାରେ । କିଏ ଭାତ ଖାଉଥିଲେ, ଗୁଣ୍ଡାକରେ ପୁଞ୍ଜାଏ ଗୋଡି ବାହାରେ । ଡାଲିହାଣ୍ଡିରୁ ମଲା ଝିଟିପିଟି ବାହାରେ । ଇମିତି କେତେ କ’ଣ! କୁଜାକୁଜୀ ଭେଳିକି ଜରିଆରେ ସେମାନଙ୍କୁ ଖୁବ୍ ହଇରାଣ କରନ୍ତି । ମାତ୍ର ପୋଇଲୀ ପରିବାରୀ ଏଭଳି ହଇରାଣର ଅସଲ କାରଣ ବୁଝିପାରନ୍ତି ନାହିଁ । ଏଣେ କୁଜାକୁଜୀ ଜାଣିପାରି ହସିହସି ଲୋଟିଯାଆନ୍ତି । ରାଣୀ ଭାନୁମତୀଙ୍କୁ ବି ଏସବୁ ଦେଖି ଭାରି ହସ ମାଡେ ।
ଦିନେ ନୂଆରାଣୀ ମହଲରେ ଆଉ ସବୁ ରାଣୀମାନେ, ପୋଇଲୀ, ମୁଦୁସୁଲୀ, ଟହଲିଆ, ଖଟଣିଆମାନେ ଜମାହୋଇ ଭାନୁମତୀଙ୍କ ବାପ ରାଇଜକଥା ଶୁଣୁଛନ୍ତି, ଠିକ୍ ସେତିକିବେଳେ କୁଜାକୁଜୀ ଦିହେଁ ଆସିଲେ । ରାଣୀ ଭାନୁମତୀ ହସିହସି କହିଲେ- “ଆହେ କୁଜା ଆଉ କୁଜୀ, ତୁମେ ଦିହେଁ ତ ଆମ ବାପରାଇଜର ଲୋକ । ବାପାଙ୍କ ପାଖରେ ଅଳିକରି ରାଜା ତୁମଦିହିଁଙ୍କୁ ଯଉତୁକ ରୂପେ ସାଙ୍ଗରେ ଆଣିଛନ୍ତି । ତୁମଠିଁ ଯେଉଁ ଅଦ୍ଭୁତ ଗୁଣଅଛି, ସମସ୍ତଙ୍କୁ ଦେଖାଇଲେ ସିନା ତୁମର କରାମତି ସେମାନେ ଜାଣନ୍ତେ । ହେଇଟିପରା, ତୁମର ଗୁଣ ଜାଣିବାପାଇଁ ଆଜି ସମସ୍ତେ ଏଠେଇଁ ରୁଣ୍ଡହୋଇ ତୁମଦିହିଁଙ୍କୁ ଚାହିଁ ରହିଛନ୍ତି । ସେମାନଙ୍କୁ କିଛି ଦେଖାଇଦେବଟି ।” ଏକଥା ଶୁଣି ଖୁବ୍ ଅଭିମାନିଆ ଗଳାରେ ସେ କୁଜୀ କହିଲା “ଜେମା, ଆମେ ତ କୁଜାକୁଜୀ ଦି’ଟା ସମସ୍ତଙ୍କୁ କଂଟା ହୋଇଛୁଁ । କିଏ ଆମକୁ ଦେଖିଲେ ମୁହଁ ମୋଡୁଛି, କିଏ ଛେପ ପକାଉଛି, କିଏ ହସ, କିଏ ଥଟ୍ଟାମଜାକରି ଆମକୁ ମଣିଷପଣରେ ଗଣନ୍ତି ନାହିଁ । ଆମଠିଁ କି ଗୁଣଅଛି ଯେ ସମସ୍ତଙ୍କୁ ରସେଇବୁ । ଆମ ରୂପ ଇମିତି ଅସୁନ୍ଦର ଯେ ଲୋକେ ଦେଖିଲେ ନାକ ଟେକୁଛନ୍ତି । ଦୁନିଆରେ ଆମେ ଯେମିତି ଅତି ଅଦରକାରୀ ଅକର୍ମଶିଳା ।” ଏହା ଶୁଣି ରାଣୀ ଭାନୁମତୀ କହିଲେ- “ଆଲୋ କୁଜୀ, ରୂପ ନଥିଲେ କ’ଣ ହେଲା, ଗୁଣ ଯାହାର ଅଛି, ସେଇତ ତାର ସୁନ୍ଦରପଣ । ତାହାକୁ ସବୁଠିଁ ସମସ୍ତେ ପରଶଂସା କରନ୍ତି । ତୁମ ଦିହିଁଙ୍କଠେଇଁ ଯେଉଁ ଗୁଣ ତାହାକୁ ସମସ୍ତେ ଜାଣିଲେ କାହାରି ଆଉ ମୁହଁ ଫିଟିବ ନାହିଁ ପରା ।” କୁଜା କହିଲା – “ଜେମାଦେଈ, ଆମକୁ ଚିହ୍ନିଥିଲେ ତୁମର ବାପାସା’ନ୍ତେ । ଆଉପୁଣି ଚିହ୍ନିବ କିଏ? ସହସା କହିଲା – ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ । ଆହା-ସେମିତି ଗୁଣ ଚିହ୍ନରା ରାଜା ଆଉ ଏଇ ଦୁନିଆରେ କେହିବି ନଥିବେ ।