ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୁଜାର ଭେଳିକି କାରସାଦି

ଚାରିପାଖରେ ଘେରିକି ଯେତେ ଲୋକ ଦେଖଣାହାରୀ ଛିଡା ହୋଇ ଅପଲକ ଆଖିରେ ଘଟଣାଟା ଦେଖୁଥିଲେ, ସେମାନେ କଥାଟାକୁ ସତ କି ସପନ ବୋଲି କିଛି ବି ସ୍ଥିର କରିପାରୁ ନଥାନ୍ତି । କାହାରି ମୁହଁରେ ହେଲେ ବି ପଦେ କଥା ନାହିଁ । ସମସ୍ତେ ଅବାକ୍ ହୋଇ କାଠଭୂତ ପାଲଟି ଯାଇଥାନ୍ତି । ନ ହେବେ ବା କେମିତି! ନିଜ ଆଖିରେ ତ ଏତେସବୁ ଦେଖିଛନ୍ତି, କୁଜୀଟାକୁ ଗୋଡରୁ ବେକ ପରିଯନ୍ତେ ମାଉଁସ ମେଦପରି ବାନ୍ଧି ଗୋଟାଏ ବେତ ପେଡି ଭିତରେ ଖୁନ୍ଦିଖାନ୍ଦି ପୂରାଇ ସେହି ପେଡିଟାକୁ ସାତ ପରସ୍ତ ଦଉଡାରେ ବାନ୍ଧି ଦିଆଯାଇ ସେଥିରେ କୋଲପ ଦିଆଗଲା । ପେଡିଟା ପୁଣି ଗୋଟାଏ ଘର ଭିତରେ ରହିଥିଲା । ସେ ଘରେ ପୁଣି ଝିଞ୍ଜିର କିଳିଣୀ ଦିଆଗଲା । ଏ ତ ବଡ ଅଦ୍ଭୁତ କଥା । କୁଜୀ ଆପଣାଛାଏଁ ଫିଟିଲା କେମିତି? କେଉଁ ବାଟରେ ଗଲା? ଏତେ ସଜବାଜ ହେଲା ସେ କେତେବେଳେ? ଭା’ରି ଅଲୌକିକ କଥା ଇୟେ । ସଭିଁଙ୍କ ବୁଦ୍ଧିବଣା ହୋଇଗଲା, ମୁଣ୍ଡ ଗୋଳମାଳ ମଧ୍ୟ ହୋଇଗଲା ।

ଏସବୁ ଦେଖି ସେ ପୁରୁଣା ରାଣୀଙ୍କ ଭିତରୁ ଜଣେ କହିଲେ – ଆଚ୍ଛା ଗଲ, ସେଇ ବେତ ପେଡିଟା ଏଠେଇଁକି ଘେନି ଆସିବ । ତହୁଁ ଦି’ଜଣ ପୋଇଲୀ ଉଠି ଯାଇ ସେ ଘର ଝିଞ୍ଜିର କିଳିଣୀ ଫିଟାଇ ପେଡିଟାକୁ ଟେକି ଆଣିଲେ । ସେତେବେଳେ ସେ ପେଡିଟା ଖୁବ୍ ହାଲୁକା ଲାଗୁଥାଏ । ହେଲେ, ସେମିତି ଭିଡା ହୋଇ ସେଥିରେ କୋଲପ ପଡିଛି । କୁଜା ନିଜର କୁଂଚିକାଠିରେ ସେ କୋଲପ ଫିଟାଇ ସମସ୍ତଙ୍କୁ ଦେଖାଇଦେଲା । ତା’ ଭିତର ଖାଲି ।

ରାଣୀ ଭାନୁମତୀ କୁଜୀକୁ ପାଖକୁ ଡାକି ତାଙ୍କର ଗଳାରୁ କାଢି ଗୋଟିଏ ହରଡ ଫାଳ ମାଳ ତାହାକୁ ଉପହାର ଦେଲେ । ତାଙ୍କର ଦେଖାଦେଖି ଆଉ ସବୁ ରାଣୀ ଯେ ଯାହାର ଛୋଟ ଅଳଙ୍କାରରୁ ଗୋଟିଏ ଗୋଟିଏ କୁଜୀକୁ ଦେଲେ । ସମସ୍ତଙ୍କ ମୁହଁରେ ଖାଲି ଗୋଟାଏ କଥା – “କୁଜାକୁଜୀଙ୍କଠିଁ ପୁଣି ଇମିତିକା ଗୁଣ ଅଛି ।”

ଏତିକିବେଳେ ସେ କୁଜା ହାତ ଯୋଡି କହିଲା – ଜେମାମଣୀ, ଆଜି ଯେଉଁ କୁହୁକବିଦ୍ୟା ମୁଁ ଦେଖାଇଲି । କାଳକାଳକୁ ୟେ ତୁମରି ନାମରେ ଜଗତସାରା ପରକାଶ ହେବ । ଏଇ ଭେଳିକି ବିଦ୍ୟାର ଆଜିଠଉଁ ନାଁ ହେଲା “ଭାନୁମତୀ ଭେଳିକି” ଆଉ ଏଇ ପେଡିର ନାଁ ହେବ “ଭାନୁମତୀ କୁହୁକ ପେଡି ।” ଏତିକି ମଞ୍ଜୁର ହେଉ ।” ଏକଥା ଶୁଣି ରାଣୀ ଭାନୁମତୀ ହସି ହସି କହିଲେ – ହଉ ହଉ, ତୁମେ ଦିହେଁ ଗଲ ଆଗେ ଖିଆପିଆ କରିବ ।”

ସେଇ ଦିନଠଉଁ ସେ ଉଆସ ଭିତରେ ସମସ୍ତେ କୁଜାକୁଜୀଙ୍କୁ ଭା’ରି ଆଦର କଲେ । ହସିକରି କଥା ମଧ୍ୟ କହିଲେ । ଭଲରେ ମନ୍ଦରେ ପଚାରିଲେ ।

ଫଳରେ କୁଜାକୁଜୀଙ୍କ ମନରେ ଯେତେ କଷ୍ଟଥିଲା, ସେହି ଦିନଠୁଁ ସବୁ କୁଆଡେ ଉଭାଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ