ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୁଜିର ଭେଳିକି କରାମତି

ଦିନେ ରାଜା ବିକ୍ରମାଦିତ୍ୟ ସଭାମଣ୍ଡପରେ ବିଜେ କରିଥିଲାବେଳେ ଯଉତୁକରେ ଆଣିଥିବା କୁଜୀଟି କିଛି କାମରେ ସଭା ଭିତର ଦେଇ ଚାଲିଗଲାବେଳେ ତାହାକୁ ଦେଖି ସଭାସଦ୍ମାନେ ହସି ଉଠିଲେ । ତା’ପରେ ସେହି କୁଜୀକୁ କେନ୍ଦ୍ରକରି ସେମାନଙ୍କ ଭିତରେ ନାନାପ୍ରକାର ରହସିଆ କଥାବାର୍ତ୍ତା ଚାଲିଲା । କୁଜୀ ଏଭଳି ଅପମାନ ପାଇ ଲାଜ ବାହାନାରେ ତରବର ହୋଇ ସେମାନଙ୍କର ଆଗକୁ ଚାଲିଆସି ଗୋଟାଏ ପାହିୟା ଆଡୁଆଳରେ ଲୁଚିରହି ସେମାନଙ୍କର ସବୁକଥା କାନେଇଲା । ତାହାରି ବିଷୟରେ ହସଗୋଳ କରି କିଏ କହିଲା – “ଆମ ରାଜା ମଣିମାଙ୍କର କି ପସନ୍ଦ ଯେ ତାଙ୍କ ଶଶୁର ଘରେ ଏତେ ଅମୂଲ୍ୟ ଦରବ ଆଉ ଏତେ ସୁନ୍ଦରୀ ସୁନ୍ଦରୀ ଦାସୀ, ପରିବାରୀ ଥାଉଁ ଥାଉଁ ଏହି ଅସୁନ୍ଦରୀ କୁଜୀଟାକୁ ଯଉତୁକରେ ଆଣିଲେମ ।” ଆଉ ଜଣେ କହିଲା – “ଆହେ, ବଡ ଲୋକଙ୍କର ବଡକଥା ।” କଥାରେ ଅଛି, “ଏ ପରା ବଡ ଲୋକଙ୍କର ମତ, ଅଳପ ଲୋକେ ବିପରୀତ ।” ଆମେ ତାହା ଭିତରେ ପଶିପାରିବୁ ନାହିଁ ।” ଇମିତି କାନକୁହା କଥାଟା କୁହୁଳି କୁହୁଳି ଯାଇ ରାଜାଙ୍କ ପାଖରେ ଜଳିଉଠିଲା । ରାଜା ବି ଟିକିଏ ବିରସ ହୋଇ କହିଲେ – “ମୁଁ କ’ଣ କରିବି, ଆମ ରାଣୀଙ୍କର ବୋଲରେ ପଡି ସେହି କୁଜାକୁଜୀ ଦିହିଁଙ୍କୁ ଆଣିବାକୁ ଶେଷରେ ମୁଁ ବାଧ୍ୟହେଲି । ସେମାନଙ୍କଠେଇଁ କୁଆଡେ ଇମିତି ଅଦ୍ଭୁତ ଗୁଣସବୁ ଅଛି ଯେ ସେମାନେ ସମସ୍ତଙ୍କୁ ତାଟକା କରିଦେଇ ପାରନ୍ତି । ରାଜାଙ୍କ କଥାରେ ପୁଣିଥରେ ସମସ୍ତେ ହୋ ହୋ ହୋଇ ହସିଉଠିଲେ । ତା’ପରେ ଅନ୍ୟାନ୍ୟ ଅନେକ କଥା ପଡିଲା । ଆଗାମୀକାଲି ରାଜା ପାରିଧି କରିବାକୁ ଯିବେ ବୋଲି କହିଲେ । କୁଜୀ ସବୁକଥା ଶୁଣିଶୁଣି ମନେମନେ ବିରସ ହୋଇ କହିଲା – “ହଉ, ହଉ ଏଇ କୁଜୀର ଗୁଣ କାଲି ପାରିଧିକୁ ବିଜେ କଲାବେଳେ ରାଜା ଆଉ ତାଙ୍କର ଏହି ଖୋସାମତିଆ ଦଳ ଠିକ୍ ଜାଣିବେ ଯେ ।” ମନେ ମନେ ଏତିକି କହି କୁଜୀ ତା’ କାମରେ ବାହାରିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ