ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୁଜିର ଭେଳିକି କରାମତି

ତହିଁଆରଦିନ ପାଗଯୋଗଦେଖି ବାଣୁଆମାନେ, ଢୋଲପିଟା ଦଳ, ଘଉଡିଆ ପାଇକମାନେ ଆଉ ସଭାସଦ୍ମାନଙ୍କୁ ନେଇ ରାଜା ପାରିଧିକୁ ବିଜେକଲେ । ସମସ୍ତଙ୍କ ବାହାରିବା ଆଗରୁ କୁଜୀ କିଛି ଦୂର ଯାଇ ଗୋଟାଏ କଂଟାବଣ ଦେଖି ସେଇଠି ତା’ର କୁହୁକ ବିଦ୍ୟାବଳରେ ଅପୂର୍ବ ସୁନ୍ଦର ଦେଉଳଟିଏ କଲା । ତା’ ଭିତରେ ଶଙ୍ଖମଲମଲ ପଥରର ଗମ୍ଭୀରାରେ ସ୍ଫଟିକ ଲିଙ୍ଗ ଶୋଭା ପାଉଛନ୍ତି । ସୁନାର ସାପଟିଏ ତା’ ଫଣାମେଲାଇ ଲିଙ୍ଗ ଉପରେ ଛାଇ କରିଛି । ଶିବଲିଙ୍ଗଙ୍କ ମଥାରୁ ପୁଆରାପରି ଗୋଟିଏ ଧାର ପାଣିଝରି ସେହି ଶକ୍ତି ଗରଭରେ ପଡୁଛି । ଚାନ୍ଦ୍ରାଭିଷେକ ପାଇଁ ଉପରେ ସୁନାହାଣ୍ଡି ଝୁଲୁଛି । ଗମ୍ଭୀରା ବାହାରେ ଭୋଗମଣ୍ଡପ, ନାଟଶାଳା, ଜଗମୋହନ ସ୍ଥାନଗୁଡିକ କୋଟିକମ ହୋଇ କେତେ ଜାତିର ଚିତ୍ରବିଚିତ୍ର ହୋଇଛି । ଦେଉଳ ପାଖରେ ଲମ୍ବବାଗରେ ଅତିଥିଶାଳା, ରୋଷେଇଘର, ପୂଜାରୀଘର, ଦେଉଳ ପଛରେ ପଦୁଅଁ ପୋଖରୀଟିଏ । ଆଉ ସେହି ପୋଖରୀ ଚାରିପଟରେ ସୁନ୍ଦର ବଗିଚାଟିଏ । ଗଇଶ, ଧୁତୁରା ଫୁଲଠାରୁ ଆରମ୍ଭ କରି ନାନା ଜାତିର ବାସନା ଫୁଲ ଗଛରେ ଭର୍ତ୍ତି ହୋଇଛି । ବଗିଚା ଭିତରେ ଦୁଇଚାରିଟି ବେଲଗଛ । ତା’ଛଡା ପିଜୁଳୀ, ଡାଳିମ୍ବ ଠାରୁ ଆରମ୍ଭ କରି କେନ୍ଦୁ, କଇଁଥ ପର୍ଯ୍ୟନ୍ତ ଅନେକ ଜାତିର ଫଳଗଛ ସେଠାରେ ଲାଗିଛି । ବାଟ ମୁହଁରେ ଦି’ ପାଖରେ ଯୋଡିଏ କଂଟାଭରା ଶିମୁଳୀଗଛ ନେନ୍ଥି ଫୁଲରେ ଖୁନ୍ଦିହୋଇ ଛିଡାହୋଇଛନ୍ତି । ଦୂରରୁ ସେହି ଦେଉଳ ଆଡର ଦୃଶ୍ୟଟି ଭାରି ସୁନ୍ଦର ଦିଶୁଥାଏ । ସେ ବାଟରେ ଚାଲିଗଲା ବାଟୋଇ ବି ଲୋଭେଇଯିବ ସେହି ଦେଉଳଆଡେ ବୁଲି ଟିକିଏ ଶିବଦର୍ଶନ କରିବାକୁ ।

ଦୂରରୁ ବାଜା ଶୁଭିଲା । ବାଜାବାଲାମାନେ ନାଚିନାଚି ଢୋଲ୍ ପିଟିପିଟି ଗମାତ କରି ଆସୁଥାଆନ୍ତି । ଢୋଲିଆଙ୍କ ନାଟରେ ଯୋଗ ଦେଇଥାଆନ୍ତି ବାଣୁଆମାନେ । ଧନୁ, ତୀର, ବର୍ଚ୍ଛା ଧରି ସେମାନଙ୍କୁ ଘେରି ମଉଜ କରୁଥାଆନ୍ତି ଘଉଡିଆ ପାଇକମାନେ । ସବା ଶେଷକୁ ରାଜା ହାତୀରେ ଚଢି ତାଙ୍କର ପାରିଷଦମାନଙ୍କ ଗହଣରେ ହଲିହଲି ଆସୁଥାଆନ୍ତି ।

ବାଟରେ ସୁନ୍ଦର ମହାଦେବଙ୍କର ଦେଉଳଟି ଦେଖି ରାଜା ବିକ୍ରମାଦିତ୍ୟଙ୍କ ମନହେଲା ସେଠେଇଁ ସିନାନ ଶଉଚ ସାରି ଶିବ ଦର୍ଶନ କରିବାକୁ । ରାଜାଙ୍କର ଇଚ୍ଛା ଜାଣି ସମସ୍ତେ ବି ପୁଣ୍ୟ ଅର୍ଜନ କରିବାକୁ ମନ ବଳାଇଲେ । ପାରିଧି ପଟୁଆର ଦେଉଳ ଆଡକୁ ମୁହାଁଇଲେ । ସମସ୍ତେ ସେହି ଶିମୁଳୀଗଛ ପାଖରୁ ଯେ ଯାହାର ଯାନବାହାନରୁ ଓହ୍ଲାଇ ରାଜାଙ୍କ ପଛେ ପଛେ ଦେଉଳ ବେଢା ଭିତରକୁ ପଶିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ