କୁଜୀର ଅଦ୍ଭୁତ ମାୟା ବଳରେ ରାଜା ଯାଉ ଯାଉ ବାଟରେ ମଇଳା ଉପରେ ହଠାତ୍ ତାଙ୍କ ଗୋଡ ପଡିଗଲା । ସେ ଘିନେଇକି ଆଗ ପୋଖରୀକୁ ଶଉଚ ଦେବା ପାଇଁ ଗଲେ । ତାଙ୍କର ଦେଖାଦେଖି ଆଉ ସମସ୍ତେ ଅନ୍ୟତୁଠରେ ଗାଧୋଇବା ପାଇଁ ପାଣିରେ ପଶିଲେ । କିନ୍ତୁ ଆଶ୍ଚର୍ଯ୍ୟ କଥା ପୋଖରୀରେ ଯେତେ ଡୁବିଲେବି କାହାରି ଲୁଗା ମୋଟେ ଓଦା ହେଲାନାହିଁ, ବରଂ କଂଟାରେ ସମସ୍ତଙ୍କ ଦିହ ସାରା ଆଂଚୁଡି, ଆମ୍ପୁଡି ହୋଇ ଥାକେ ଥାକେ ଖଣ୍ଡିଆ ଖାବରା ଆଉ ରକତବୁହା ହୋଇଗଲା । ଏସବୁ ଦେଖି ରାଜା କହିଲେ ପୋଖରୀରୁ ମାଛଧରି ନେଉଥିଲେ ବୋଲି କେହି ବୋଧେ କଂଟାଗଛ ଗୁଡାକ ପୋଖରୀ ଭିତରେ ଖୁନ୍ଦି ଦେଇଛି । ରାଜା ଦେଖିଲେ ତାଙ୍କର ଲୁଗା କେଉଁଠି ହେଲେ ପାଣିରେ ବୁଡିବି ତିନ୍ତି ନାହିଁ । ଯାହାହେଉ, ଆଉ ଖଣ୍ଡିଏ ଲୁଗା ପାଲଟି ପକାଇ ଦିଅଁ ଦର୍ଶନ କରିବାକୁ ଗମ୍ଭୀରା ଭିତରେ ପଶିଲେ ସେ ରାଜା । ସୁନ୍ଦର ସ୍ଫଟିକ ଲିଙ୍ଗଟିଏ ଦେଖି ମୁଣ୍ଡିଆ ମାରୁଛନ୍ତି । ସେହି ଲିଙ୍ଗଙ୍କର ମଥାରୁ ବାହାରୁଥିବା ସେହି ପୁଆରାରୁ ପିଛକାରୀ ଭଳି ଇମିତି ପାଣି ଛିଟିକିଲା ଯେ ରାଜାଙ୍କ ମୁଣ୍ଡ, ଦିହ, ପୋଷାକ ସବୁ ଓଦାରେ ଜୁଡୁବୁଡୁ ହୋଇଗଲା । ସେତେବେଳେ କୁଜୀ ସାମନାରେ ଠିଆହୋଇ ହସି ହସି ଲେଞ୍ଜରା କୋତରା ହୋଇଯାଉଥାଏ । ସମସ୍ତେ ବି ଦେଖିଲେ ସେହି କୁଜୀଟି ହସି ହସି ଗଡିଯାଉଛି । ତା’ପରେ ଆଖିର ପଲକରେ ସେଇ ଦେଉଳ, ବଗିଚା, ପୋଖରୀ ହେରିକା କୁଆଡେ ଉଭାଇଗଲା । ଦେଖିଲା ବେଳକୁ ତୁଚ୍ଛା କଂଟାବଣଟା । ତା’ ଭିତରୁ ସେଇ କୁଜୀଟି ବାହାରି ଟୁଙ୍ଗୁଟୁଙ୍ଗୁ ହୋଇ ବାହାରିଯାଉଛି । ରାଜା କହିଲେ, “ଦେଖିଲ, କୁଜୀର କରାମତି । କେମିତି ସେ ଘଡିଏ ଭୁଆଁ ବୁଲାଇ ପଟାଏ ଦେଲା । ସଭାରେ ସେଦିନ ତାହାକୁ ଦେଖି ତୁମେମାନେ ଯେତିକି ହସିଥିଲ । କୁଜୀ ତାହାର ଦଶଗୁଣ ହସି ଆଜି ଆମ ସମସ୍ତଙ୍କୁ କାନ୍ଦ କାନ୍ଦ କରାଇଦେଲା । ହେଲେ ଅଦ୍ଭୁତ ତାହାର କୁହୁକବିଦ୍ୟା । ସମସ୍ତଙ୍କ ଆଖିକୁ ଧନ୍ଦାଳି ବୋକା ବନାଇ ଚାଲିଗଲା । ସମସ୍ତେ କହିଲେ – “ମଣିମା ସତ କହିଲେ
“କୁଜୀଟିଏ ଜାଣେ ପୁଣି ଇମିତି ଭେଳିକି ।
ଦୁଇଖୁରାକୁ ତାହାର ହଜାରେ ଓଳିକି ।”
ସେହି କୁଜୀ ବିଷୟରେ ଗପସପ ହୋଇ ସେହି ପାରିଧି ପଟୁଆର ପୁଣି ବଣ ଆଡକୁ ବାଜା ବଜାଇ ବଜାଇ ଚାଲିଲେ ।