ରାଇଜର ଗୋଟିଏ ସୀମାରେ ପାହାଡ ଧାଡି ତଳକୁ ଥାଏ ସେହି ବଣ । ବଣରେ ମହାବଳ ବାଘ ଠାରୁ ଆରମ୍ଭ କରି ଠେକୁଆ, ପାହାଡିଆ ମୂଷା ପର୍ଯ୍ୟନ୍ତ ସବୁ ପ୍ରକାର ଜନ୍ତୁ ରହିଥାଆନ୍ତି । ଆଗରୁ ଯୋଡାଏ ଉଚ୍ଚ ଉଚ୍ଚ ମଂଚ ତିଆରି ହୋଇଥିଲା । ଗୋଟାକରେ ରାଜା ଆଉ କେତେକ ବାଣୁଆ, ଆଉ ଗୋଟାକରେ ପାରିଷଦ ଯାକ ଚଢି କରି ରହିଲେ । ଖଉଡିଆ ପାଇକମାନେ ବାଜାବାଲାଙ୍କୁ ସାଙ୍ଗରେ ନେଇ ଚାରିଆଡୁ ଘେରିଯାଇ ଜନ୍ତୁମାନଙ୍କୁ ଖେଦି ଆଣିଲେ । ବାଣୁଆମାନେ ସେମାନଙ୍କର ତାକ ତରକରେ ମିରିଗ, ସମ୍ବର, କୁରୁଙ୍ଗ, କୁଟୁରା କେତୋଟି ମାରିଲେ । ରାଜା ଖାଲି ଠିଆ ଠାକୁର ହୋଇ ସବୁ ଦେଖୁଥାଆନ୍ତି ସିନା, କିନ୍ତୁ ଗୋଟିଏ କେଉଁ ଜୀବକୁ ହେଲେ ମାରିବାକୁ ତାଙ୍କୁ ତାଙ୍କ ଆତ୍ମା ଡାକିଲା ନାହିଁ । ସେ ପାରିଧିରୁ ବାହୁଡିବାକୁ କହିଲାରୁ ସମସ୍ତେ ମଂଚରୁ ଓହ୍ଲାଇ ଲେଉଟାଣି ବାଟ ଧରିଲେ । ଆଗେ ଆଗେ ବାଜାବାଲା ଦଳ, ତା’ ପଛକୁ ଶିକାର ଭାର କାନ୍ଧେଇ ବଣୁଆଯାକ, ତା’ପଛକୁ ଘଉଡିଆ ପାଇକପଲ, ସବା ଶେଷରେ ସେମିତି ରାଜା ଆଉ ପାରିଷଦମାନେ ହାତୀରେ ବସି ପଟୁଆର କରି ଦିନ ରତରତ ହେଲା ବେଳକୁ ଉଆସକୁ ଫେରିଲେ ।
ରାଜାଘର ଖନ୍ଦାଶାଳରେ ରୋଷେୟାମାନେ ଯେଝା କାମରେ ଯିଏ ଲାଗିଗଲେ । ସେହି କ୍ଷଣି ଜନ୍ତୁମାନଙ୍କର ଚମଡା ଛେଲି, ଆଚ୍ଛା କରି କାଟିକୁଟି ତାକୁ ଚୁଲୀରେ ସିଝାଇଦେଲେ । ତେଲ ମସଲା ଦେଇ ବେଶ୍ ସୁଆଦିଆ ମାଉଁସ ତିଅଣଟି କଲେ । ତା’ସାଙ୍ଗକୁ କଳାଜିରା ଧାନ ଚାଉଳର ଭାତ ହେଲା । ସମସ୍ତେ ଆନନ୍ଦରେ ପେଟେ ପେଟେ ଖାଇ ହରିବୋଲ ଦେଇ, ମହାରାଜାଙ୍କର ଜୟ ଜୟ କରି ଯେଝା ଘରକୁ ଗଲେ ।