ଦିନେ ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ଚୋରଟିଏ ଜେଲ୍ ର ପାଚେରି ଡେଇଁ ବାହାରକୁ ଚାଲିଆସିଲା । ହେଲେ ଜେଲ୍ ଜଗୁଆଳିମାନେ କିଛି ଜାଣି ପାରିଲେ ନାହିଁ । ପରେ ଖୋଜାଖୋଜି କରି ବି ପାଇଲେ ନାହିଁ ।
ଏଣେ ଚୋରଟି କ’ଣ କଲାନା, ଧରାପଡିଯିବା ଭୟରେ ଦୌଡିବାକୁ ଲାଗିଲା । ସେ ଦୌଡି ଦୌଡି ହାଲିଆ ହୋଇ ଗଲାଣି, ଚାଲିବାକୁ ଆଉ ବଳ ନାହିଁ । ପୁଣି ଭୋକରେ ପେଟ ଜଳିଲାଣି । ଏକାବେଳକେ ସବୁ ଅସୁବିଧା ମାଡି ଆସିବାରୁ ଉପାୟ ଶୂନ୍ୟ ହୋଇଗଲା ।
ଠିକ୍ ଏତିକିବେଳେ ରାସ୍ତାକଡରେ ଥିବା ଏକ ଗୋଟିକିଆ ଘରଦେଖି ଚୋରଟି ପଶିଗଲା ଭିତରକୁ । ପ୍ରକୃତରେ ସେଇ ଘରଟି ଥିଲା ଜଣେ ଋଷିଙ୍କର ଆଶ୍ରମ ।
ଏବେ ସନ୍ନ୍ୟାସୀ ମହାଶୟ ଲୋକଟିକୁ ଦେଖି ଜଣେ ଖଳ ପ୍ରକୃତିର ଲୋକ ବୋଲି ଠଉରାଇ ନେଲେ । ତଥାପି ସେ ତାଙ୍କର ଆଶ୍ରମରେ ଯେହେତୁ ପହଁଚିଛି ତାଙ୍କୁ ଅତିଥିଭାବରେ ସତ୍କାର କଲେ । ସେ ଭୋକିଲା ଥିବା ଜାଣି ଭୁରି ଭୋଜନ ଦେଲେ । ଖାଇସାରିବା ପରେ ଶେଯ ପାରି ଦେଲେ । ଶୀତ ଦିନ ହୋଇଥିବାରୁ ତାଙ୍କୁ ଜଣେ ଦାତା ଦେଇଥିବା ନୂଆ ଚଦରଟିକୁ ମଧ୍ୟ ଘୋଡେଇ ଦେଲେ । ଏହିଭଳି ଅତିଥି ସେବାକରି ଶେଷରେ ସନ୍ନ୍ୟାସୀ ଶୋଇବାକୁ ଗଲେ ।
ଚୋରର ନିଦ ରାତିର ଶେଷ ପ୍ରହରରେ ଭାଙ୍ଗିଗଲା । ସେ କି ତା’ର ପ୍ରକୃତି ଛାଡେ । ଦେଖିଲା ଆଶ୍ରମରେ ଚୋରି କରିବା ଭଳି କିଛି ଜିନିଷ ନାହିଁ । ସୁତରାଂ ସେ ନୂଆ ଚଦର ଖଣ୍ଡିକ ଧରି ଆଶ୍ରମରୁ ଚମ୍ପଟ ମାରିଲା ।