ମାଳତୀ ନାମରେ ସୁନ୍ଦର ଝିଅଟିଏ ଶିବପୁରୀରେ ରହୁଥାଏ । ଦିନେ ସେ ବଗିଚାକୁ ଫୁଲ ତୋଳିବାକୁ ଯାଇଛି । ହଠାତ୍ ଗୋଟିଏ ଚୋର ଆସି ତାକୁ ଛୁରା ଦେଖାଇ କହିଲା, “ସବୁ ଗହଣା ଖୋଲି ଶୀଘ୍ର ଦେଇଦେ, ନହେଲେ ଛୁରା ମାରିଦେବି ।”
ମାଳତୀର ବେକରେ ହାରଟିଏ ଥିଲା, ହାତରେ ଚାରିପଟ ଚୁଡି ଓ ପାଦରେ ରୂପା ପାଉଞ୍ଜି । ଜୀବନସାରା ପରିଶ୍ରମ କରି ସେତକ ଅଳଙ୍କାର ସେ କରିଛି । କ’ଣ କରିବ କିଛି ଭାବି ପାରିଲା ନାହିଁ । ଠିକ୍ ସେହି ସମୟରେ ଜଣେ ଯୁବକ କେଉଁଠୁ ଆସି ଚୋର ସହିତ ଲଢାଇ କରି ତାକୁ ହଟାଇ ଦେଲା । ମାଳତୀ ଯୁବକର ସାହସ ଦେଖି ବହୁତ ଆଶ୍ଚର୍ଯ୍ୟ ହେଲା । ତା’ପରେ ସେ ଯୁବକକୁ ପ୍ରଶଂସା କରି କହିଲା, “ତମେ କିଏ? ହଠାତ୍ ଏହି ବିପଦ ବେଳେ ମୋତେ ସାହାଯ୍ୟ କରି ମୋର ଜୀବନ ରକ୍ଷା କରିଛ; ମୁଁ ତୁମ ପାଖରେ ବହୁତ କୃତଜ୍ଞ ।”
ଯୁବକଟି କହିଲା, “ମୋ ନାମ କୁମୁଦକାନ୍ତ । ମୁଁ ବହୁପ୍ରକାର ବିଦ୍ୟାରେ ପ୍ରବୀଣ । ମୋ ବାପା ବୃଦ୍ଧ ହେବାରୁ ଘରେ ବସି ରହିଥା’ନ୍ତି ଓ ସେ ମୋତେ ମଧ୍ୟ ଘରେ ରହିବାକୁ କୁହନ୍ତି । ମୁଁ କିନ୍ତୁ ବାହାରେ ନାନା ପ୍ରକାର କାମ କରି ବହୁତ ପଇସା ରୋଜଗାର କରେ । ବାପାଙ୍କର ମଧ୍ୟ ଯତ୍ନ ନିଏ ଆମ ଦୁଇଜଣଙ୍କ ବ୍ୟତୀତ ଏ ସଂସାରରେ ଆମର ଆଉ କେହିବି ନାହିଁ । ମୁଁ ନିକଟସ୍ଥ ଗ୍ରାମ ମାଧବପୁରରେ ଥାଏ । ତମେ ଝିଅପିଲା ଏକୁଟିଆ ଫୁଲ ତୋଳିବାକୁ କାହିଁକି ଆସିଛ?”
“ମୋ ନାମ ମାଳତୀ । ମୋର ମଧ୍ୟ ବାପାଙ୍କ ବ୍ୟତୀତ ଦୁନିଆରେ ଆଉ କେହି ମଧ୍ୟ ନାହାଁନ୍ତି । ତାଙ୍କର ଟଙ୍କା ରୋଜଗାର କରିବାରେ ବହୁତ ଆନନ୍ଦ । ସେ ବିଭିନ୍ନ ପ୍ରକାରର ଅତର ବନାଇ ବିକ୍ରି କରନ୍ତି । ସେ ନିଜେ ବେଶି ବୁଲି ପାରନ୍ତି ନାହିଁ ବୋଲି ମୋତେହିଁ ବିକ୍ରି କରିବାକୁ ହୁଏ । ମୁଁ ମଧ୍ୟ ଏତେ ଯିବା ଆସିବା କରିବାକୁ ପାରେ ନାହିଁ । ମୁଁ ନିଜର ଅସୁବିଧା କହିବା ପରେ ମଧ୍ୟ ସେ ମୋଟେ କିଛି ଶୁଣୁ ନାହାଁନ୍ତି । ମୁଁ କହିଲି ବରଂ ପାମ୍ପଡ ବନାଇ ମୁଁ ବିକ୍ରି କରିବି । କିନ୍ତୁ ସେ କୁହନ୍ତି ସେଥିରୁ ବେଶି ପଇସା ମିଳିବ ନାହିଁ । ମୁଁ କହିଲି ଏତେ ପଇସା ରୋଜଗାର କରିବାର କ’ଣ ବା ଆବଶ୍ୟକତା?” ସେ କୁହନ୍ତି “ତୋର ବିବାହ ପାଇଁ ଦରକାର ହେବ ।” କିନ୍ତୁ ସେ ଠିକ୍ କଥା କହୁ ନାହାଁନ୍ତି । କାରଣ ମୋର ବିବାହ ହୋଇଗଲେ ତାଙ୍କ ବ୍ୟବସାୟ ବନ୍ଦ ହୋଇଯିବ । ସେଥି ପାଇଁ ମୋ ବିବାହ ପାଇଁ ସେ ମୋଟେ ଚେଷ୍ଟା କରୁ ନାହାଁନ୍ତି । ତମେ ମୋତେ ସେହି ଡାକୁଠାରୁ ରକ୍ଷା ନକରିଥିଲେ ସବୁ ଗହଣା ସେ ନେଇଥା’ନ୍ତା ଓ ମୁଁ ବାପାଙ୍କଠାରୁ ଗାଳି ଖାଇଥା’ନ୍ତି ଏହିପରି ଭାବେ ମାଳତୀ ନିଜ ବିଷୟରେ କହିଲା ।
କୁମୁଦ, ମାଳତୀର ଦୁଃଖଭରା କାହାଣୀ ଶୁଣି ବହୁତ ଦୁଃଖୀ ହେଲା । ସେ କହିଲା, “ପିତା ଭଗବାନଙ୍କ ସମାନ ତାଙ୍କ ବିଷୟରେ ଏପରି କଥା କହିବା ଅନୁଚିତ୍ । ତୁମ ପିତା ତୁମର ବିବାହ ପାଇଁ ଚେଷ୍ଟା ନକଲେ ମଧ୍ୟ ତୁମର ବିବାହ ନିଶ୍ଚୟ ହେବ ଏବଂ ନିର୍ବିଘ୍ନରେ ହେବ । ତୁମକୁ ସ୍ତ୍ରୀ ଭାବରେ ପାଇବାକୁ କିଏ ବା ନ ଚାହିଁବ? ତୁମର ଆପତ୍ତି ନଥିଲେ ତୁମର ବର ତୁମ ସମ୍ମୁଖରେ ହିଁ ଦଣ୍ଡାୟମାନ । ମୁଁ ଏପରି ବ୍ୟବସ୍ଥା କରିଦେବି ଯେପରି ତୁମକୁ ଘରୁ ବାହାରକୁ ଆଉ ଆସିବାକୁ ପଡିବ ନାହିଁ ।”
“ଗୋଟିଏ ହାତରେ କେବେବି ତାଳି ବାଜେ ନାହିଁ । ଦୁଇପଟରୁ ପସନ୍ଦ ହେଲେ ତ ଯାଇ ବିବାହ ହୁଏ । ମୁଁ କିନ୍ତୁ ଏପରି ବିବାହ ଚାହେଁ ନାହିଁ ।” ଏହା କହି ମାଳତୀ ସେଠାରୁ ଚାଲିଗଲା । ସେହି ଦିନଠାରୁ ମାଳତୀ ପାଇଁ କୁମୁଦ ସେହି ଗାଁକୁ ଯିବା ଆସିବା କରେ । ମାଳତୀର ଭଲ ମନ୍ଦ ସେ ପଚାରେ । ତା’ପାଇଁ ସେ ଉଚ୍ଚ ଗଛରେ ଚଢି ଫୁଲ ତୋଳି ଦିଏ । ତା’ପାଇଁ ସେ ଛୋଟ ଛୋଟ ଜିନିଷ ନେଇ ଆସେ । ତଥାପି ମଧ୍ୟ ମାଳତୀ ତାକୁ ବିବାହ କରିବାକୁ ସମ୍ମତି ଦେଲା ନାହିଁ ।
ଥରେ ଥରେ ଜଣେ ବୁଢୀ ମାଳତୀ ସହିତ ଆସେ ସେ ମାଳତୀକୁ ପିଲାବେଳୁ ଜାଣେ । ତା’ ସାଥିରେ ସେ ଥାଏ । କୁମୁଦର ମନକଥା ଜାଣି ପାରି ସେ ବୁଢୀ ଦିନେ ବିବାହ ବିଷୟରେ ମାଳତୀକୁ ପଚାରିଲା । ମାଳତୀ ସ୍ପଷ୍ଟ ମନା କରିଦେଲା । ତେଣୁ ବୁଢୀ ଆସି କୁମୁଦକୁ କହିଲା, “କିରେ ନାତିଟୋକା ବ୍ୟର୍ଥରେ କାହିଁକି ମାଳତୀ ପଛରେ ଲାଗିଛୁ? ସେ ତ ବିବାହ କରିବାକୁ ଚାହେଁନି । ତେଣୁ ଭଲ ହେବ ତୁ ଯଦି ଏଗାଁକୁ ଆଉ ଆସିବୁ ନାହିଁ ।”
“ଆଇ, ତମେ ବୟସରେ କେତେ ବଡ, କେତେ ଅଭିଜ୍ଞତା ଜୀବନରେ ହୋଇଛି । ତେବେ ମୋତେ କୁହତ ମାଳତୀର ମନ ନେବାକୁ ହେଲେ ମୁଁ କ’ଣ କରିପାରିବି?”