ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୁମୁଦର ସଦ୍ଗୁଣ

                “ତୁ ତା’ର ପ୍ରାଣ ରକ୍ଷା କଲୁ, କେତେ ଜିନିଷ ଦେଉଛୁ ତଥାପି ତୁ ନିଜେ ଦେଖୁଛୁ ଯେ ସେ ମଙ୍ଗୁନି, ମୁଁ ଆଉ କ’ଣ କରିବି? ଏବେ କେବଳ ଗୋଟିଏ ଉପାୟ ଅଛି । ଶୁଣ ଦୟା ଯୋଗୁଁ ମଧ୍ୟ ପ୍ରେମ ଜାଗ୍ରତ ହୋଇପାରେ । ଏମିତି କିଛି ଉପାୟ ଦେଖ ଯଦ୍ୱାରା ସେ ତୁମ ପ୍ରତି ଦୟା କରିବ ।” ଏତିକି କହି ବୁଢୀ ଚାଲିଗଲା ।

                ପରଦିନ ଫୁଲ ତୋଳିବା ପାଇଁ ଏକ ବଡ ଗଛରେ କୁମୁଦ ଚଢିଲା ଓ ଜାଣିଶୁଣି ପଡିଗଲା । ମାଳତୀ ଦୟା ଦେଖାଇବା ପରିବର୍ତ୍ତେ କହିଲା, “ଯଦି ଗଛ ଚଢି ଜାଣିନାହଁ ତେବେ ବାହାଦୁରୀ ଦେଖାଇ କାହିଁକି ଚଢିଥିଲ?”

                କିଛି ଦିନ ପରେ ମାଳତୀ ଫୁଲ ତୋଳିବା ବେଳେ ଗଛରୁ ଗୋଟାଏ ସାପ ଆସି ତାକୁ ମାରିବାକୁ ଯାଉଥିଲା । କୁମୁଦ ପଛରୁ ଆସି ସେ ସାପର ଲାଙ୍ଗୁଡ ଧରି ତାକୁ ଟାଣି ନେବାରୁ ମାଳତୀ ରକ୍ଷା ପାଇଗଲା । କିନ୍ତୁ ସାପ କୁମୁଦକୁ କାମୁଡି ଦେଲା । ଏବେ ମାଳତୀ ଯାଇ ବୈଦ୍ୟକୁ ଡାକି ତା’ର ପ୍ରାଣ ବଞ୍ଚାଇଲା । କୁମୁଦ ଆଖି ଖୋଲିବା ମାତ୍ରେ ମାଳତୀ କହିଲା, “ମୋତେ ସାପ କାମୁଡି ଥିଲେ ଖୁବ୍ ଭଲହୋଇ ଥା’ନ୍ତା । ଏବେ ତୁଚ୍ଛାରେ ବୈଦ୍ୟକୁ ଡାକିବା ପାଇଁ ଦୌଡାଦୌଡିରୁ ମୋତେ ମୁକ୍ତି ମିଳିଥା’ନ୍ତା । ମୁଁ ମରି ଯାଇଥା’ନ୍ତି ।”

                ବୁଢୀ ମାଳତୀର କଥା ଶୁଣି ତାକୁ ଦୂରକୁ ନେଇଯାଇ ସେ କହିଲା, “ପୁଅଟି ବଡ ଭଲ ସ୍ୱଭାବର । ଦେଖିବାକୁ ମଧ୍ୟ ସୁନ୍ଦର ସେ ତୋତେ ବହୁତ ଭଲ ପାଏ । ନିଜ ପ୍ରାଣକୁ ଉତ୍ସର୍ଗ କରି ସେ ତୋତେ ମୃତ୍ୟୁ ମୁଖରୁ ଉଦ୍ଧାର କଲା । ମୋ କଥା ଶୁଣ । ତୁ ତାକୁ ବିବାହ କଲେ ବଡ ସୁଖରେ ରହିବୁ ।”

                ମାଳତୀ କହିଲା “ମୁଁ ଚାହିଁଲେ ସିନା, ହେଲେ ମୁଁ ବିବାହ କରିବାକୁ ଆଦୌ ଚାହୁଁନାହିଁ ।”

                ବୁଢୀ ପଚାରିଲା “ତା’ର କାରଣ କ’ଣ?”

                ମାଳତୀ ଚିଡିକରି କହିଲା “ମୋ ବାପାକୁ ଦେଖତ, ମୁଁ ଝିଅପଲାଟା, ସେ ମୋ ଦ୍ୱାରା ସବୁ ପ୍ରକାରର କାମ କରାଉଛି । ତା’ ବାପା ଘରେ ବୁଢା ହୋଇ ପଡିଛି, ଆଉ ଇଏ ଏ ଗାଁ ସେଗାଁ ଘୁରି ବୁଲୁଛି । ଏମିତିଆ ଅବିବେକିକୁ ମୁଁ କ’ଣ ପାଇଁ ବାହା ହେବି?”

                ବୁଢୀ ହସି ହସି କହିଲା, “ତୁ ତୋ ବାପା ବିଷୟରେ ଭୁଲ୍ ଭାବୁଛୁ । ସେ ଯାହା ବି କିଛି ରୋଜଗାର କରନ୍ତି ସବୁ ତୋରି ପାଇଁ ରଖି ଦିଅନ୍ତି, ତୋ ଗହଣା ଓ ଯୌତୁକ କରିବା ପାଇଁ । ଆଉ ତୁ ଯଦି ଘରେ ବନ୍ଦ ହୋଇ ଥା’ନ୍ତୁ ତ ଏତେ ଧନ କିପରି ସଂଗ୍ରହ ହୋଇ ପାରନ୍ତା? ତା’ପରେ ତୁ କାମ ନ କଲେ ଘର କିପରି ବା ଚଳନ୍ତା? ସେଥିପାଇଁ ତୋ ବାପା ଚାହେଁ ତୋର ବିବାହ କୌଣସି ଧନୀଘରର ପୁଅ ସହିତ ହେଉ ।”

                ମାଳତୀ କହିଲା, “ଠିକ୍ ଅଛି ମାନୁଛି ତୁମେ ଯାହା କହୁଛ ସେସବୁ ଠିକ୍ କଥା । କିନ୍ତୁ କୁମୁଦ ପରି ଜଣେ ବାରବୁଲା ଗରିବ ପିଲାକୁ ବାହା ହେଲେ ବାପା କ’ଣ ସନ୍ତୁଷ୍ଟ ହେବେ?”

                ପରଦିନ ବୁଢୀ ସବୁକଥା କୁମୁଦକୁ କହିଲା । କୁମୁଦ ମାଳତୀ ପାଖକୁ ଯାଇ କହିଲା, “ତୁମ ମନରେ ଭ୍ରମ ହୋଇଛି ଯେ ମୁଁ ମୋ ବାପାଙ୍କର କୌଣସି ସେବାଯତ୍ନ କରେ ନାହିଁ ବୋଲି । ଏବେ ତମେ ନିଜେ ଯାଇ ମୋ ବାପାଙ୍କ ସହିତ କଥାବାର୍ତ୍ତା କର । ତେବେ ଯାଇ ତୁମର ସନ୍ଦେହ ଦୂର ହେବ ।”

                ମାଳତୀ କିଛି ସମୟ ଭାବିବା ପରେ କହିଲା, “ମୁଁ କାଲି ତୁମ ଗ୍ରାମକୁ ଯିବି । କିନ୍ତୁ ତୁମେ ସେତେବେଳେ ସେଠାରେ ରହିବ ନାହିଁ । ଠିକ୍ ଅଛି?”

                କୁମୁଦ ମାଳତୀର ସର୍ତ୍ତ ସ୍ୱୀକାର କଲା । ପରଦିନ ମାଳତୀ ବୁଢିକୁ ଧରି କୁମୁଦର ଗ୍ରାମକୁ ଗଲା । ଦୁହେଁ କୁମୁଦର ଘରକୁ ଯାଇ ଦେଖିଲେ ତାହା ଇନ୍ଦ୍ରଭବନ ପରି ଘର । କୁମୁଦର ବାପା ସେଠାରେ ରାଜାଙ୍କ ପରି ବସିଛନ୍ତି । ସେ ବହୁତ ଧନୀ ଲୋକ । ସେ ଘରର କାମଦାମ ରନ୍ଧାବଢା କରିବାକୁ ଚାକର, ପୁଝାରୀ ମଧ୍ୟ ରହିଛନ୍ତି । ମାଳତୀ ଏପରି ବୈଭବକୁ ଦେଖି ଚକିତ ହୋଇଗଲା । ସେ କୁମୁଦର ବାପାଙ୍କୁ ଅତର ବିଷୟରେ କହିଲା ଓ ପଚାରିଲା “ଘରେ ଆଉ କ’ଣ କେହି ନାହାଁନ୍ତି କି?” ବୃଦ୍ଧ ନିରାସ ଭାବରେ ଉତ୍ତର ଦେଲେ, “ହଁ ମୋର ଏକମାତ୍ର ପୁତ୍ର କୁମୁଦ ଅଛି । ତା’ର ପ୍ରକୃତି ବଡ ଚଂଚଳ । ମୁଁ ତାକୁ ବହୁତ ଥର କହିଲି ଘରେ ରହ । ଘରେ କିଛି କାମ କର । ହେଲେ ମୋ କଥା ସେ ଯମାରୁ ଶୁଣୁନାହିଁ । ସର୍ବଦା ବୁଲୁଥାଏ ମୋ କଥାକୁ ଖାତିର କରୁନାହିଁ ।” ବୁଢୀ କହିଲା, “ମନେହୁଏ ଆପଣ ଧନୀ । ତେବେ ପୁଅ କାହିଁକି ଘରେ ରହି କାମ କରିବ? ସମ୍ପତ୍ତି ଦେଖାଶୁଣା କରିବା ଖୁସିରେ ରହିପାରେ ।”

                ଏକଥା ଶୁଣି ସେ ବୁଢା ବ୍ୟଙ୍ଗ ଭାବରେ ହସି କହିଲେ, “ଭଲକଥା ତ କହୁଛ? ସେମିତି କରି ମୁଁ ମୋର ପୂର୍ବପୁରୁଷଙ୍କର ଧନ ଉଡାଇ ଦେଲି, ମୋ ପୁଅ ଯେତେବେଳେ ପନ୍ଦର ବର୍ଷର ସେତେବେଳେ ଆମେ କୁଟୀରଟିରେ ରହୁଥିଲୁ । ଚିକିତ୍ସା ପାଇଁ ପଇସା ନଥିବାରୁ କୁମୁଦର ମା’ଙ୍କର ଅକାଳ ମୃତ୍ୟୁ ହେଲା ସେହି ଚିନ୍ତାରେ ମୁଁ ମଧ୍ୟ ବେମାରରେ ପଡିଲି । ସେହି ଦିନଠାରୁ କୁମୁଦ କାମ କରି ଟଙ୍କା ରୋଜଗାର କଲା ଓ ପାଂଚବର୍ଷ ମଧ୍ୟରେ ଏହି ଘର ଓ ଅନ୍ୟସବୁ ସେହିଁ କିଣିଛି । ସେ ମୋତେ ବଡ ଆରାମ୍ରେ ରଖିଛି । ହେଲେ ଘରେ ନ ରହିବାରୁ ମୋର ଦୁଃଖ ।”

                ବୁଢୀ ପଚାରିଲା “ଆପଣଙ୍କ ପୁଅ ଆମ ଗାଁକୁ ମଧ୍ୟ ଯିବା ଆସିବା କରେ । ଦେଖିଲେ ଦରିଦ୍ର ପିଲା ପରି ସେ ଲାଗେ । ଇଏ କିପରି ପାଗଳାମୀ?”

                ଏକଥା ଶୁଣି ବୃଦ୍ଧ ଜଣକ ଜୋର୍ରେ ହସି ହସି କହିଲେ, “ଏଇଟା ତା’ର ପାଗଳାମୀ ନୁହେଁ, ବରଂ ମୁଁ ତାକୁ ସେପରି କରିବାକୁ କହିଛି । ପିଲା ଦିନରୁ ଆରାମ୍ କଲେ କାଳେ ତାକୁ ମୋ ଭଳି ପୁଣି କଷ୍ଟ କରିବାକୁ ହେବ, ସେଥିପାଇଁ ଏପରି କରାଯାଇଛି । ତା’ର ଭାଗ୍ୟ ଭଲ ଥିଲେ ମୋର ସମ୍ପତ୍ତି କେବେବି ନଷ୍ଟ ହୋଇ ଯାଇ ନଥା’ନ୍ତା । ସେ ଯାହା ପାଏ ଆଣି ମୋତେ ଦିଏ । ନିଜେ ବାରବୁଲା ପରି ବୁଲୁଥାଏ ।”

                ମାଳତୀ ତାଙ୍କୁ ଅତର ଦେଖାଇବାରୁ ସେ ସମସ୍ତ ଅତର କିଣିନେଲେ । ସେ କହିଲେ, “ତୁମ ଭାଗ୍ୟ ଭଲ ସେ ନଥିବା ବେଳେ ତୁମେ ଆସିଛ । ସେ ଥିଲେ ମୋତେ ଗୋଟିଏ ଅତର ମଧ୍ୟ କିଣିବାକୁ ଦେଇ ନଥା’ନ୍ତା ସେ କହନ୍ତା ଏଗୁଡା ସବୁ ଅଯଥା ଖର୍ଚ୍ଚ, ଟିକିଏ ସୁରା ଯଦି ମଗାଇ ପିଇଲିତ ସେ କୁହେ ଏସବୁ ଖାଇ କାହିଁକି ନିଜ ସ୍ୱାସ୍ଥ୍ୟ ନଷ୍ଟ କରୁଛ? ମୁଁ କୁହେ ସ୍ୱାସ୍ଥ୍ୟ ନଷ୍ଟ ହେଲେ ସିନା ମୁଁ ଶୀଘ୍ର ମରିଯିବି । ମୋ ପାଇଁ ହେଉଥିବା ଖର୍ଚ୍ଚ ମଧ୍ୟ ବନ୍ଦ ହେବ ତୁ ମଧ୍ୟ ଶାନ୍ତିରେ ରହିବୁ । ହେଲେ ସେ କ’ଣ କିଛି ଶୁଣେ ।”

                ବୃଦ୍ଧଙ୍କ ପାଖରୁ ସବୁକଥା ଶୁଣିବାପରେ ବୁଢୀ ଓ ମାଳତୀ ନିଜ ଗ୍ରାମକୁ ଫେରିଲେ । ବୁଢୀ ମାଳତୀକୁ କହିଲା, “କୁମୁଦ ବୋଧେ ଆଶାକରିଥିଲା ଯେ ବୁଢା ତାକୁ ପ୍ରଶଂସା କରିବେ । ଏବେ ତ ମନେ ହେଉଛି ବିବାହ ହେବ ନାହିଁ ।” ବୁଢୀକୁ କିଛି ଉତ୍ତର ନ ଦେଇ ମାଳତୀ ସେମିତି ଚାଲୁଥାଏ । ସମ୍ମୁଖରେ କୁମୁଦକୁ ଦେଖି ମାଳତୀ କହିଲା “ଆମେ ତୁମ ବାପାଙ୍କ ସହିତ ଦେଖାକରି ଆସିଲୁ ।”

                କୁମୁଦ ହସି ହସି କହିଲା, “ମୁଁ ମଧ୍ୟ ତୁମ ବାପାଙ୍କ ସହିତ ଦେଖାକରି ଆସିଲି ସେ ଆମ ବିବାହ ପାଇଁ ରାଜି ହୋଇଗଲେ ।”

                ମାଳତୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା “ତୁମେ କିପରି ଭାବିଲ ଯେ ବିବାହ ପାଇଁ ମୁଁ ରାଜି ହୋଇଯିବି ବୋଲି?”

                କୁମୁଦ କହିଲା “କହିବି? ଶୁଣ ତେବେ । ବୁଢୀ ଯେତେ ପର୍ଯ୍ୟନ୍ତ ଉପାୟ ନ କହି ଥିଲା, ସେ ପର୍ଯ୍ୟନ୍ତ ମୁଁ ସନ୍ଦେହରେ ଥିଲି । ମୋ ବାପାଙ୍କୁ ମୋର ଶତ୍ରୁ ଦେଖିଲେ ତା’ର ମଧ୍ୟ ତାଙ୍କ ଉପରେ ଦୟା ଆସିବ । ତେବେ ମୋ ଉପରେ ତୁମର ଦୟା କାହିଁକି ନହେବ?”

                ବାପା ହୋଇ ମଧ୍ୟ ପୁଅ ବିଷୟରେ ସେ କେବେହେଲେବି ଗର୍ବ କରନ୍ତି ନାହିଁ । ତଥାପି ମଧ୍ୟ କୁମୁଦ ତାଙ୍କର ଯତ୍ନ ନେଉଥାଏ । ଏବେ ମାଳତୀ କୁମୁଦର ସଦ୍ଗୁଣମାନଙ୍କ ବିଷୟରେ ପୁରା ଜାଣିପାରିଥିଲା । ବିବାହ ବିଷୟରେ ତା’ନିଜ ବାପା କେତେ ଯେ ଚିନ୍ତା କରୁଥିଲେ । ତାହା ମଧ୍ୟ ସେ ବୁଝିପାରିଲା । ଏବେ କୁମୁଦ ପ୍ରତି ମାଳତୀର ଦୟା ଓ ସହାନୁଭୂତିର ଭାବ ଆସିଲା ।

                କିଛିଦିନ ପରେ ବଡ ଆନନ୍ଦରେ ସେ ଦୁହିଁଙ୍କର ବିବାହ ସମ୍ପନ୍ନ ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ