ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୁମ୍ଭୀର, ମାଙ୍କଡ କଥା

       ସ୍ତ୍ରୀର କଥାଶୁଣି କରାଳମୁଖ କହିଲା, ପ୍ରିୟେ! ତୁମେ ସେପରି କଥା କୁହନାହିଁ । ମୁଁ ମୋର ବନ୍ଧୁଙ୍କୁ ପ୍ରାଣଭରି ଭଲପାଏ ଏବଂ ଆଜି ପର୍ଯ୍ୟନ୍ତ ତାଙ୍କୁ ଏକ ଭାଇ ଦୃଷ୍ଟିରେ ଦେଖି ଆସିଛି । ସେ ମୋ ପ୍ରତି ଅତ୍ୟନ୍ତ ଦୟାବାନ୍ । ପ୍ରତିଦିନ ସେ ମୋତେ ସ୍ୱାଦିଷ୍ଟ କୋଳି ଖାଇବାକୁ ଦିଅନ୍ତି । ଆମ ଦୁଇଜଣଙ୍କ ମଧ୍ୟରେ ଭାତୃତ୍ୱ ଭାବ ଏତେ ବଢିଯାଇଛି ଯେ ମା’ ପେଟର ଭାଇଠାରୁ ମଧ୍ୟ ଆମ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ନିବିଡ । ତେଣୁ ତୁମେ ଦୟାକରି ଏପରି କଥା କୁହ ନାହିଁ । କୁମ୍ଭୀରର କଥା ଶୁଣି ତା’ର ସ୍ତ୍ରୀ ଭୀଷଣ ରାଗିଗଲା ଓ ତା’କୁ ନାନାଦି କଟୁକଥା କହି ଭର୍ସିନା କଲା । କୁମ୍ଭୀର ତା’ର ସ୍ତ୍ରୀକୁ ଯେତେ ବୁଝାଇଲେ ମଧ୍ୟ ସେ ବୁଝିବାକୁ ନାରାଜ । ତା’ର ଏକାଜିଦ୍ ଯେ ସେ ମାଙ୍କଡ କଲିଜା ଖାଇବ ହିଁ ଖାଇବ । ଯଦି ସେ ମାଙ୍କଡ କଲିଜା ନଖାଏ, ତା’ହେଲେ ସେ ବଂଚିବ ନାହିଁ ।

       ବିଚରା କୁମ୍ଭୀର କରିବ କ’ଣ? ଏପଟେ ବନ୍ଧୁର ବନ୍ଧୁତ୍ୱକୁ ଚାହିଁବ ନା’, ସେପଟେ ପତ୍ନୀର ସ୍ନେହ ପ୍ରେମକୁ ଚାହିଁବ । ତହିଁଆରଦିନ ମୁହଁ ଶୁଖାଇ ମାଙ୍କଡ ନିକଟରେ ଯାଇ ପହଁଚିଲା । ବନ୍ଧୁର ଡେରି ହେବାର ଦେଖି ମାଙ୍କଡ ଡେରିର କାରଣ ଜାଣିବାକୁ ଚାହିଁଲା । କୁମ୍ଭୀର କହିଲା, ‘ବନ୍ଧୁ’! କ’ଣ କହିବି ତୁମ ଭାଉଜଙ୍କୁ, ସେ ମୋ ସହିତ ଲଗାଇଛନ୍ତି ତୁମ କଲିଜା ଯେମିତିହେଲେ ସେ ଖାଇବେ । ତେଣୁ ଆଜି ତୁମକୁ ମୋ ସହିତ ଘରକୁ ଯିବାକୁ ପଡିବ । କୁମ୍ଭୀରର କଥାଶୁଣି ମାଙ୍କଡ ଆନନ୍ଦ ପ୍ରକାଶ କରି କହିଲା, ‘ବନ୍ଧୁ’! ତୁମେ କହୁଛ ଯେତେବେଳେ ମୁଁ ନଯାଇ କ’ଣ ରହିପାରିବି । ମୋର ଭଉଣୀ ତା’ହେଲେ ଠିକ୍ କଥା କହୁଥିଲା । ବନ୍ଧୁତ୍ୱ ସଂପର୍କରେ ଛଅ ପ୍ରକାରର କଥା ରହିଛି । ବନ୍ଧୁଠାରୁ ସବୁ ସମୟରେ କିଛି ଆଣିହୁଏ ନାହିଁ । ବନ୍ଧୁଙ୍କୁ ମଧ୍ୟ କିଛି ଦେବାକୁ ପଡିଥାଏ । ବନ୍ଧୁଙ୍କୁ ଯାହା ଶୁଣାଇବା କଥା ତାହା ଶୁଣାଇବ ଏବଂ ଯାହା ଗୁପ୍ତ ରଖିବା କଥା ତାହା ଗୁପ୍ତ ରଖିବ । ଆବଶ୍ୟକ ସମୟରେ ବନ୍ଧୁଙ୍କୁ ମଧ୍ୟ ଖୁସି କରିବା ପାଇଁ ଚେଷ୍ଟା କରିବ ।

       ଏହା କହିସାରି ମାଙ୍କଡଟି କହିଲା, ‘ବନ୍ଧୁ’! ମୁଁ ତ’ ହେଲି ଗୋଟିଏ ଜଙ୍ଗଲୀ ପଶୁ । ତୁମର ଘରତ ପାଣି ମଝିରେ । ମୁଁ ସେଠାକୁ ଯିବି କିପରି? ମାଙ୍କଡର ଉତ୍ତର ଶୁଣି କୁମ୍ଭୀର କହିଲା, ‘ସମୁଦ୍ର ମଝିରେ ଏକ ଦ୍ୱୀପ ଅଛି । ସେହି ଦ୍ୱୀପ କୂଳରେ ମୁଁ ବସାକରି ରହୁଛି । ତେଣୁ ତୁମେ ଚିନ୍ତାନକରି ମୋ ପିଠି ଉପରେ ବସିପଡ । ମୁଁ ପହଁରି ପହଁରି ତୁମକୁ ନେଇ ସେଠାରେ ପହଁଚିବି । ଆଦୌ ଭୟ ନକରି ମୋ ପିଠି ଉପରେ ବସିପଡ । କୁମ୍ଭୀରର କଥା ଶୁଣି ମାଙ୍କଡଟି କହିଲା, “ଯଦି ଏହି କଥା, ତା’ ହେଲେ ଆଉ ଡେରି କାହିଁକି? ମୁଁ ସଂଗେ ସଂଗେ ବାହାରୁଛି । ଏହା କହି ମାଙ୍କଡ ସଂଗେ ସଂଗେ ଯାଇ କୁମ୍ଭୀରର ପିଠି ଉପରେ ବସିପଡିଲା ।

       ଏହାପରେ କୁମ୍ଭୀର ମାଙ୍କଡକୁ ଧରି ପହଁରିବାକୁ ଲାଗିଲା । ମାଙ୍କଡଟି କିନ୍ତୁ ଭୟଭୀତ ହୋଇଯାଉଥାଏ । ସେ କୁମ୍ଭୀରକୁ କହିଲା, ‘ଭାଇ ତୁମେ ଏତେ ଶୀଘ୍ର ଯାଅ ନାହିଁ । ମୋତେ ଭୀଷଣ ଭୟ ଲାଗୁଛି । ସମୁଦ୍ରରେ ଲହରୀ ମୋ ଦେହକୁ ପୂରା ଓଦାକରି ସାରିଲାଣି ।

       ମାଙ୍କଡ ଯେତେବେଳେ ମଝି ଦରିଆରେ, ସେତେବେଳେ କୁମ୍ଭୀର ଭାବିଲା, ଆଉ ଚିନ୍ତା କରିବାର କିଛି ନାହିଁ । ବର୍ତ୍ତମାନ ମାଙ୍କଡ ପୂରା ମୋ କବ୍ଜାରେ । ଘରେ ପହଁଚିବା ପରେ ପତ୍ନୀ ଦେଖି କେତେ ଯେ ଖୁସି ନ ହେବ? ମାଙ୍କଡଟି ବର୍ତ୍ତମାନ ଆଉ କେଉଁଆଡେ ଯାଇ ପାରିବ ନାହିଁ । ତେଣୁ ମୋର ଉଦ୍ଧେଶ୍ୟ କଥା ବନ୍ଧୁଙ୍କୁ ଜଣାଇଦେବା ଉଚିତ୍ ହେବ । ଏହା ଚିନ୍ତା କରି, କୁମ୍ଭୀରଟି କହିଲା, ‘ବନ୍ଧୁ’! ମୁଁ ଏଠାକୁ ତୁମକୁ କାହିଁକି ଆଣିଛି ଜାଣିଛ ତ? ମୁଁ ମୋର ଘରେ ତୁମକୁ ମାରି ତୁମର କଲିଜା ମୋର ପତ୍ନୀଙ୍କୁ ଖାଇବାକୁ ଦେବି । ତେଣୁ ବର୍ତ୍ତମାନ ତୁମେ ଶେଷଥର ପାଇଁ ଭଗବାନଙ୍କୁ ପ୍ରାର୍ଥନା କର ।

       କମ୍ଭୀରର କଥା ଶୁଣି ମାଙ୍କଡଟି କହିଲା, ‘ବନ୍ଧୁ’! ତୁମ ମନରେ ଏତେ କଥା ଅଛି ବୋଲି ମୋର ଧାରଣା ନଥିଲା । ତୁମେ ଯଦି ମୋତେ ସବୁ କଥା ଜାମୁଗଛ ମୂଳରେ କହିଥାଆନ୍ତ, ମୁଁ ଭାଉଜଙ୍କ ପାଇଁ କଲିଜାଟା ଆଣି ପାରିଥାନ୍ତି । କାରଣ କଲିଜାଟା ମୋ ଦେହରେ ନଥାଇ ଗଛର କୋରଡରେ ରହିଛି । ଏହାଶୁଣି କୁମ୍ଭୀର କହିଲା, ‘ତା’ହେଲେ ମୁଁ ତୁମକୁ ସଂଗେ ସଂଗେ ଜାମୁ ଗଛ ନିକଟକୁ ନେଇଯିବି । ଏହା କହି କୁମ୍ଭୀର ଜାମୁ ଗଛ ଅଭିମୁଖେ ଚାଲିଲା । ମାଙ୍କଡ ଯେତେବେଳେ ଜାମୁଗଛ ନିକଟରେ ପହଁଚିଲା, ମନେ ମନେ ଭଗବାନଙ୍କୁ ଧନ୍ୟବାଦ ଦେଲା । ସଂଗେ ସଂଗେ କୁମ୍ଭୀର ପିଠିରୁ ଓହ୍ଲାଇଯାଇ ଜାମୁଗଛ ଉପରେ ଚଢିଗଲା ।

       ଏହାପରେ କୁମ୍ଭୀର କହିଲା, “ବନ୍ଧୁ”! ଡେରି କାହିଁକି କରୁଛ? ଦୟାକରି ତୁମେ କଲିଜାଟା ମୋତେ ଦିଅ । କୁମ୍ଭୀରର କଥା ଶୁଣି ମାଙ୍କଡ ପ୍ରଥମେ ଜୋର୍ରେ ହସିଲା । କୁମ୍ଭୀରକୁ କହିଲା, “ବୋକା”, ବିଶ୍ୱାସଘାତକ, କାହାର କଲିଜା କେବେ ଶରୀରଠାରୁ ଅଲଗା ହେଲାଣି? ମୋ ସହିତ କଥାବାର୍ତ୍ତା ନକରି ତୁରନ୍ତ ଏଠାରୁ ଚାଲିଯାଅ । କଦାପି ଏଠାକୁ ଆସିବାକୁ ଚେଷ୍ଟା କରିବନି । କୁମ୍ଭୀରଟି ଯେତେବେଳେ ଏହା ଶୁଣିଲା ମନେ ମନେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲା । ମାଙ୍କଡପରି ବନ୍ଧୁକୁ ହରାଇବା ଫଳରେ ମନେ ମନେ ଅନୁତାପ କଲା । ପୁଣିଥରେ କିପରି ମାଙ୍କଡର ବିଶ୍ୱାସଭାଜନ ହୋଇପାରିବ, ସେ ସଂପର୍କରେ ଚିନ୍ତାକଲା । ତେଣୁ ମାଙ୍କଡକୁ ପୁଣିଥରେ କହିଲା, ‘ବନ୍ଧୁ’! ମୁଁ ତୁମ ସହିତ ପରିହାସ କରୁଥିଲି । ତୁମ ଭଳି ବଂଧୁ ପାଇ ମୁଁ ନିଜକୁ ଗର୍ବିତ ମନେ କରୁଛି । ଭାଉଜ କ’ଣ କେବେ ଦିଅରର କଲିଜା ଖାଇବାକୁ ଚାହିଁବ? ତେଣୁ ମୋ ସହିତ ଆମ ଘରକୁ ଚାଲ । ମୋର ପତ୍ନୀ ତୁମ ବାଟକୁ ଚାହିଁ ବସଥିବ । ମାଙ୍କଡ କି ଆଉ କୁମ୍ଭୀରର କଥାରେ ବିଶ୍ୱାସ କରେ । ସେ କୁମ୍ଭୀରକୁ ଆଉ କେବେ ତା’ ସହିତ ଯିବ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଲା, ଏବଂ କୁମ୍ଭୀରକୁ ଏକ ନୀତିଶିକ୍ଷା ପ୍ରଦତ୍ତ କାହାଣୀ କହିବାକୁ ଆରମ୍ଭ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ