ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୁରାଢ଼ୀ ଓ ଜଳ ଦେବତା

ଶରଧାପୁର ଗାଁରେ ହରି ବୋଲି ଗୋଟିଏ ଗରିବ ଲୋକଥାଏ । ବିଚରାର ଜମିବାଡି କିଛି ବି ନାହିଁ । ଖାଇବାକୁ ଘରେ ଦୁଇ ପ୍ରାଣୀ ସିଏ ଏବଂ ତା ସ୍ତ୍ରୀ । ସେ ପ୍ରତିଦିନ ଜଙ୍ଗଲକୁ ଯାଇ କାଠ ହାଣିକରି ଆଣେ, ସେତକ ନେଇ ସେ ସହରରେ ବିକ୍ରି କରେ । ସେଇ ପଇସାରେ ତେଲ, ଲୁଣ, ଚାଉଳ କିଣି ସେ ନିଜ ସଂସାର ଚଳାଏ । ଦିନେ ସେ ଜଙ୍ଗଲକୁ ଯାଇଛି କାଠ ହାଣିବାକୁ । ନଈକୂଳରେ ଗୋଟିଏ ଗଛ ଡାଳରେ ଛିଡା ହୋଇ ଆଉ ଗୋଟିଏ ଡାଳକୁ ହାଣୁଛି ଠିକ୍ ଏହି ସମୟରେ ତା ହାତରୁ ଲୁହାକୁରାଢିଟି ନଈପାଣିରେ ଖସି ପଡିଲା । ନଈ ଭିତରେ ତ ଅକାତ କାତ ପାଣି । ସେଥିରେ ସେ ବୁଡି କାଢିବ ବା କିପରି? ଆଉ ପୁଣି କୁରାଢି ନ ହେଲେ ସେ କାଠ ହାଣିବ କିପରି? ଏହିପରି ନାନା କଥା ଭାବି ଶେଷରେ ସେ ଦୁଃଖରେ କାନ୍ଦିବାକୁ ଲାଗିଲା ।

ଏହି ସମୟରେ ପାଣି ଭିତରୁ ଜଳ ଦେବତା ବାହାରି ସେ କାଠୁରିଆକୁ ପଚାରିଲେ, ତୁ କାନ୍ଦୁଛୁ କାହିଁକି? ତହୁଁ ସେ ହରି କହିଲା, ମୋ କୁରାଢିଟି ନଈପାଣିରେ ଖସି ପଡିଲା, ମୁଁ ତାକୁ ବାହାର କରିପାରୁନାହିଁ । କୁରାଢି ନ ହେଲେ ମୋ ଜୀବିକା ଅଚଳ ହୋଇଯିବ । ସବୁକଥା ଶୁଣି ଦେବତା କହିଲେ, ହଉ ତୁ କାନ୍ଦନା ମୁଁ ତୋ କୁରାଢି ଖୋଜି ଆଣି ଦେଉଛି । ପ୍ରଥମେ ଦେବମୂର୍ତ୍ତି ହାତରେ ଗୋଟିଏ ସୁନାକୁରାଢି ଦେଖାଇ କହିଲେ, ହେଇ ନିଅ ତୁମ କୁରାଢି ପାଣିରୁ ମୁଁ ବହାର କରିଦେଲି । ହରି ଦେଖିଲା ଜଳଦେବତାଙ୍କ ହାତରେ ସୁନା କୁରାଢିଟିଏ ଜକ୍ ଜକ୍ କରୁଛି । ହରି ହାତଯୋଡି କହିଲା, ଠାକୁରେ ଏ ତ ମୋ କୁରାଢି ନୁହେଁ । ତାପରେ ଦେବତା ପୁଣି ନଈ ପାଣିରେ ବୁଡିଗଲେ ଓ କିଛି ସମୟ ପରେ ହାତରେ ଗୋଟିଏ ରୂପା କୁରାଢି ଧରି ଉପରକୁ ଉଠି କହିଲେ, ଏଇ ନିଅ ତୁମ କୁରାଢି ମିଳିଗଲା । ହରି କହିଲା, ନା-ନା- ଏ କୁରାଢି ବି ମୋର ନୁହେଁ । ଦେବତା ପୁଣି ଥରେ ନଈ ପାଣିରେ ବୁଡିଗଲେ ମୁହୂର୍ତ୍ତକ ପରେ ଲୁହା କୁରାଢିଟି ଧରି ଉଠି ଆସିଲେ ଓ କହିଲେ, ଏଇ କୁରାଢିଟି ଦେଖିଲ? ହରି ସେ ଲୁହା କୁରାଢିଟି ଦେଖି କହିଲା, ହଁ ଏଇ କୁରାଢିଟି ମୋର । ଜଳଦେବତା ହରିର ଏପ୍ରକାର ସତ୍ୟନିଷ୍ଠା ଦେଖି ଭାରି ଖୁସି ହେଲେ । ଲୁହା କୁରାଢି ସାଙ୍ଗରେ ସୁନା ଓ ରୂପା ଦୁଇଟିଯାକ ତାକୁ ଦେଇ କହିଲେ, ଯେତେବେଳେ ତୋର ଅଭାବ ପଡିବ ଏହାକୁ ବିକ୍ରି କରି ପରିବାର ଚଳେଇବ । ତୁମେ ସତ କଥା କହିଥିବାରୁ ତୁମକୁ ଏହି ପୁରସ୍କାର ଦେଲି । ଏତକ କହି ଜଳଦେବତା ନଦୀ ପାଣିରେ ଅଦୃଶ୍ୟ ହୋଇଗଲେ ।

ତା’ପରେ ସେ ହରି ୩ଟିଯାକ କୁରାଢିକୁ ସାଙ୍ଗରେ ଧରି ମନ ଖୁସିରେ ଘରକୁ ଫେରିଲା । ସୁନା କୁରାଢି ଆଉ ରୂପା କୁରାଢିକୁ ବିକ୍ରି କରି ସେ ହରି ବହୁତ ଟଙ୍କା ପାଇଲା । ସେହି ଟଙ୍କାରେ ସେ ଜମିବାଡି କିଣିଲା, ନୂଆଘର ବି ତିଆରି କଲା । ତଥା ବେଶ୍ ସୁଖ ଶାନ୍ତିରେ ରହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ