ରାଜାଙ୍କ ଏଭଳି କଥା ଶୁଣି ତାଙ୍କ ଛାତି ଥରିଲା । ନିଜକୁ ସମ୍ଭାଳି ନେଇ ସେ କହିଲେ, “ପ୍ରଭୁ, ମୁଁ ନିଜେ ଯାଇ ତାକୁ ବୁଝାଇ ଦେଇ ଆସିବି ।” ଏତିକି କହି ସେ ଚନ୍ଦନପୁରକୁ ଚାଲିଗଲେ ।
କୁଶଳଙ୍କ ଘରେ ପହଁଚି ସେ କହିଲେ, “ତୁମର ମହାନତା ଏବେ ମୁଁ ଠିକ୍ ବୁଝୁଛି । ତୁମର ପାଣ୍ଡିତ୍ୟ ଦେଖି ରାଜା ତୁମ ପ୍ରତି ଏତେ ଅନୁରାଗୀ ହୋଇପଡିଲେ ଯେ ତୁମପ୍ରତି ମୋର ଈର୍ଷା ହେଲା । ତେଣୁ ମୁଁ ଗୋଟିଏ ଭୁଲ୍ କାମ କରି ବସିଲି ।” ତା’ପରେ ଯାହା ଯାହା ସବୁ ଘଟିଥିଲା ସେ କିଛିବି ନ ଲୁଚାଇ ସମସ୍ତ ଘଟଣା କହିଦେଲେ ।
ଚତୁର ବ୍ୟସ୍ତ ହୋଇ କହିଲେ “ରାଜା ଯଦି ସତ କଥା ଜାଣନ୍ତି, ତେବେ ମୋର ଚାକିରୀ ଯିବ ଓ ମୁଁ ଯାଇ କାରାଗାରରେ ରହିବି । ଏବେ କେବଳ ତୁମେହିଁ ମୋତେ ରକ୍ଷାକର ।” କୁଶଳ ପରାମର୍ଶ ଦେଲେ “ତୁମେ ଯାଇ ରାଜାଙ୍କୁ କୁହ ଯେ ମୁଁ ତାଙ୍କ ପାଖକୁ ଯିବାକୁ ଚାହେଁନାହିଁ । ତେବେ ଯାଇ ତୁମ କଥାର ସତ୍ୟତା ରହିବ ।”
ଚତୁର ଏଥର କୁଶଳଙ୍କ କଥା ବୁଝିଗଲେ ଓ ସେ ତାଙ୍କୁ ବାରମ୍ବାର ପ୍ରଶଂସା କରି ଓ ବାରମ୍ବାର କ୍ଷମା ମାଗିବା ପରେ ସେଠାରୁ ଫେରିଲେ । କିନ୍ତୁ ସେ ଗ୍ରାମର ସୀମାରେ ପହଁଚି ଦେଖିଲେ ଦୂରରୁ ରାଜାଙ୍କ ରଥ ଆସୁଛି । ଚତୁର ଯାଇ ରାଜାଙ୍କୁ କହିଲେ, “ପ୍ରଭୁ! କୁଶଳ କହିଲା କି ଆପଣଙ୍କୁ ଦେଖା କରିବାକୁ ଏବେ ତା’ହାତରେ ମୋଟେ ସମୟ ନାହିଁ ।”
ଚତୁରଙ୍କ ଏପ୍ରକାର କଥା ଶୁଣି ରାଜା ହସି ଦେଲେ । ତା’ପରେ ସେ କହିଲେ, “ତୁମର ମିତ୍ର ଅଭିମାନୀ ନୁହଁନ୍ତି । ମୁଁ ତାଙ୍କୁ ଯେଉଁ କାମ ଦେଇଛି ତାହା ସେ ମନପ୍ରାଣ ଦେଇ ଲାଗିଲାଗି କରୁଛନ୍ତି ।”
ତା’ପରେ ରାଜା ଯାଇ କୁଶଳଙ୍କୁ ଦେଖାକଲେ ଓ ଚନ୍ଦନପୁରରେ କିଛିଦିନ ରହିଲେ । ସବୁଦିନେ ସେ ତାଙ୍କ ସହ ଶାସ୍ତ୍ର ଆଲୋଚନା କରନ୍ତି । ସେ କିଛିଦିନ ପରେ ସନ୍ତୁଷ୍ଟ ହୋଇ ରାଜଧାନୀ ଫେରି ଆସିଲେ ।
ଏସବୁ ଘଟଣା ଦେଖି ଚନ୍ଦନପୁର ଲୋକେ କହିଲେ, “ଦଶବର୍ଷକାଳ ଚତୁର ରହି କିଛି ଲାଭ ହେଲାନାହିଁ । କିନ୍ତୁ କୁଶଳ ଥରେ ରାଜାଙ୍କୁ ଦେଖିବା ପରେ ରାଜାହିଁ ଏଠାକୁ ଟାଣିହୋଇ ଆସିଲେ ।” ଏବେ ଗ୍ରାମବାସୀମାନେ କୁଶଳଙ୍କୁ ଖୁବ୍ ଆଦର ସମ୍ମାନ ଦେଖାଇଲେ । ସମସ୍ତେ ନିଶ୍ଚିତ ହୋଇଗଲେ ଯେ ପାଣ୍ଡିତ୍ୟ ପାଇଁ ରାଜା ସମସ୍ତିଙ୍କୁ ଉତ୍ସାହ ଦିଅନ୍ତି ।