ପ୍ରତ୍ୟେକ ମଣିଷର ସାଧାରଣ ଜୀବନ କଟାଇବା ପାଇଁ ଯଥେଷ୍ଟ ବୁଦ୍ଧି ଅଛି । କିନ୍ତୁ କୁଶଳ ବୁଦ୍ଧି ଅନ୍ୟ ଏକ ବିଭାଗ ଯାହାକି ଖୁବ୍ କମ୍ ବ୍ୟକ୍ତିଙ୍କର ଥାଏ । ଏହି କୁଶଳ ବୁଦ୍ଧି ସାହାଯ୍ୟରେ ମଣିଷ ଅଳ୍ପ ସମୟରେ, ଅଳ୍ପ ପରିଶ୍ରମରେ ଓ ଅନାୟାସରେ ଅନେକ କିଛି ହାସଲ କରିପାରେ । ସେହିପରି ଜଣେ ବ୍ୟକ୍ତି ହେଲେ ରାଜପୁର ଗ୍ରାମର ରାମପ୍ରସାଦ । ସେ ବିବେକ୍ବାନ୍, ସ୍ଥିରବୁଦ୍ଧି ସମ୍ପନ୍ନ ଓ ସଂସାରର ସମସ୍ୟା ସମାଧାନ କରିବାରେ ବିଚକ୍ଷଣ । ତେଣୁ ଗ୍ରାମରେ କାହାର କିଛି ସମସ୍ୟା ହେଲେ ସେମାନେ ତାଙ୍କ ପାଖକୁହିଁ ଆସନ୍ତି ।
ସେଇ ଗାଁରେ ଭୋଳା ନାମରେ ଜଣେ ଗରିବ ଚାଷୀ ଥାଏ । ଦିନେ ସେ ରାମପ୍ରସାଦଙ୍କ ପାଖକୁ ଆସି କହିଲା, “ମହାଶୟ, ଆମ ଘରଟି ଚଳିବାକୁ ଛୋଟ, ପରିବାରର ସଂଖ୍ୟା କ୍ରମେ ବଢୁଛି । ଶୋଇବା ରହିବା ପାଇଁ ବଖରାଏ ମାତ୍ର ଘର । ହାତରେ ପଇସା ନାହିଁ ଯେ ମୁଁ ନୂଆ ଘରଟିଏ କରିବି । ଏ କ୍ଷେତ୍ରରେ କ’ଣ କରାଯାଇ ପାରେ ଆପଣ ମୋତେ ବୁଦ୍ଧି ଦିଅନ୍ତୁ ।”
ରାମବାବୁ ପଚାରିଲେ, “ଭୋଳା, ତୁମ ଘରେ ତୁମେ ଛେଳି ଓ କୁକୁଡା ବି ରଖିଛ ନା?”
ଭୋଳା କହିଲା “ଆଜ୍ଞା, ବହୁତ ଅଛନ୍ତି, ବତକ, କୁକୁର, ବିଲେଇ, ଗାଈ ମଧ୍ୟ ଅଛନ୍ତି ।”
ରାମପ୍ରସାଦ କହିଲେ “ଦେଖ ଭୋଳା, ଆଜିଠାରୁ ଗୋଟିଏ ଛେଳି ଓ ତା’ର ଛୁଆଙ୍କୁ ତୁମ
ଶୋଇବା ଘରେ ନେଇ ବାନ୍ଧିବ । ଚାରିଦିନ ପରେ ମୋତେ ଆସି ଖବର ଦେବ ।”
ଭୋଳା ଖୁସି ହୋଇ ଘରକୁ ଯାଇ ସେଇଆ କଲା । ତଦ୍ୱାରା ଘର ଭିତରେ ଜାଗା ଆହୁରି କମ୍ ହୋଇଗଲା । ଚାରିଦିନ କଷ୍ଟ କରି ଚଳିଲା ପରେ ଯାଇ ରାମପ୍ରସାଦଙ୍କୁ ଦେଖା କରି ସେ ତା’ର କଷ୍ଟ କହିଲା । ରାମବାବୁ କହିଲେ, “ପ୍ରଥମେ ପ୍ରଥମେ କଷ୍ଟ ହେବ, ମାତ୍ର ପରେ ସବୁ କିଛି ଠିକ୍ ହୋଇଯିବ । ଏବେ ଆଉ ଦୁଇହଳ ଛେଳି ଘର ଭିତରେ ରଖିବ । ପାଂଚଦିନ ପରେ ଆସି ମୋତେ ଜଣାଇବ ।”
ପାଂଚଦିନ ପରେ ଭୋଳା ରାମପ୍ରସାଦଙ୍କୁ ପୁଣି ଦେଖା କରି କହିଲା, “ମହାଶୟ, ଆପଣଙ୍କ କଥା ଅନୁସାରେ ତ ମୁଁ ଚଳୁଛି ହେଲେ ଏବେ ଶୋଇବା ବଖରାଟିରେ ଆଉ ହଲ୍ଚଲ୍ ହେବାକୁ ବି ଜାଗା ନାହିଁ ।”