ରାମପ୍ରସାଦ ଅଳ୍ପ ଅଳ୍ପ ହସି କହିଲେ, “ଭୋଳା, ଏବେ ଆଜିଠାରୁ ଘରେ ଥିବା ଛେଳିମାନଙ୍କ ଭିତରୁ ଦୁଇଟିଙ୍କୁ ବାହାରେ ବାନ୍ଧିବ ଓ କାଲି ଆସି ମୋତେ କହିବ କ’ଣ ହେଲା ।”
ଦୁଇଦିନ ପରେ ଭୋଳା ଖୁସି ହୋଇ ଆସିବାର ଦେଖି ରାମପ୍ରସାଦ କହିଲେ, “ଭୋଳା, ଏବେ ତୁମ ଘର ଟିକିଏ ବଡ ଲାଗୁଛି ନା?”
ଭୋଳା କହିଲା “ଆଜ୍ଞା, ହଁ, ମଝିରେ ତ ନିଶ୍ୱାସ ମାରିବାକୁ ବଡ କଷ୍ଟ ହେଉଥିଲା । କିନ୍ତୁ ଏବେ ଟିକିଏ ଖୋଲା ଲାଗୁଛି ।”
ରାମପ୍ରସାଦ କହିଲେ “ତେବେ, ଆଜିଠାରୁ ଛୋଟ ଛୋଟ ଛେଳି ଓ ତାଙ୍କ ମା’କୁ ମଧ୍ୟ ବାହାରେ ବାନ୍ଧିବ । ଦୁଇଦିନ ପରେ ଆସି ମୋତେ ଖବର ଦେବ ବୁଝିଲ?”
ଦୁଇଦିନ ପରେ ଭୋଳାର ହସଖୁସିରେ ଭରା ଚେହେରା ଦେଖି ରାମପ୍ରସାଦ ତାକୁ ପଚାରିଲେ, “ଏବେ ତୁମ ଘରର ଅବସ୍ଥା କିପରି?”
“ବାବୁ ମହାଶୟ, ଆପଣ ମୋର ବହୁତ ଉପକାର କରିଛନ୍ତି । ଏବେ ମୋ ଘର ବହୁତ ଖୋଲା ଓ ବଡ ଲାଗୁଛି । ମୋ ଘରର ଲୋକମାନେ ମଧ୍ୟ ଖୁସି ।” ଭେଳା ଏତକ କହିଲା ଓ ତାଙ୍କୁ ନମସ୍କାର କରି ସେଠାରୁ ଚାଲିଗଲା ।
କିଛିଦିନ ଆଗରୁ କୈଳାସ ନାମକ ଏକ ବୁଦ୍ଧିମାନ୍ ଯୁବକ ରାମପ୍ରସାଦଙ୍କ ଘରେ କାମ କରିବାକୁ ରହିଥାଏ । ସେ ପ୍ରଥମରୁହିଁ ଭୋଳା ଓ ରାମପ୍ରସାଦଙ୍କ କଥାବାର୍ତ୍ତା ସବୁ ମନଦେଇ ଶୁଣୁଥାଏ କିନ୍ତୁ ସେ ବୁଝିପାରିଲା ନାହିଁ ଯେ ଛୋଟ ଘର କିପରି ବଡ ହୋଇଗଲା । ସେ ଆଶ୍ଚର୍ଯ୍ୟ ହୋଇ ରାମପ୍ରସାଦଙ୍କୁ ପଚାରିଲା, “ବାବୁ ଭୋଳାର ନୂଆ ଘର ତ ତିଆରି ହୋଇନାହିଁ । ଯେତିକି ଜାଗା ସେତିକି, ଆଉ କେବଳ କଥାବାର୍ତ୍ତାରେ ଆପଣ ତାକୁ କ’ଣ ଏମିତି ବୁଝାଇଲେ ଯେ ତା’ର ଛୋଟ ଘର ବଡ ହୋଇଗଲା ଓ ତା’ ସମସ୍ୟାର ମଧ୍ୟ ସମାଧାନ ହୋଇଗଲା?”
ରାମପ୍ରସାଦ କହିଲେ, “ଭୋଳା ଜଣେ ସାଧାରଣ ମଣିଷ, ତା’ର ବୁଦ୍ଧି ଅଛି ହେଲେ କୁଶଳ ବୁଦ୍ଧି ନାହିଁ । ସେ କହିଲା ବଡ ଘର ତିଆରି କରିପାରିବ ନାହିଁ । ଅଥଚ ସେଇ ଘରକୁ ନେଇ ସନ୍ତୁଷ୍ଟ ହେବ । ତେଣୁ ମୁଁ ତା’ର ମନୋବୃତି ବଦଳାଇବାକୁ ଚେଷ୍ଟାକଲି । ଅଧିକ ପଶୁ ଘର ଭିତରେ ରଖିବାରୁ ତାକୁ ତା’ ଘର ଖୁବ୍ ଛୋଟ ଲାଗିଲା । ସେତେବେଳେ ସମସ୍ତେ କଷ୍ଟେମଷ୍ଟେ ସେଇ ଘରେ ଚଳିଲେ । ଏଣୁ ନିଶ୍ୱାସ ବନ୍ଦ ହୋଇଗଲା ପରି ଲାଗିଲା । ପୁଣି ପଶୁମାନେ ବାହାରିଗଲାରୁ ତାକୁ ସେ ଘରଟି ଖୋଲା ଓ ବଡ ଲାଗିଲା । ସେତେବେଳେ ତା’ର ମନେହେଲା ଆଃ କି ଖୋଲା । ବାସ୍ ଏତିକିରେ ତା’ ମନୋବୃତି ବଦଳିଗଲା । କିନ୍ତୁ ବାହାରେ ଘର ଯାହା ଥିଲା ସେଇଆ ।