ବାହାର ବଡ ସୁନ୍ଦର । ଚାରିଆଡେ ନାନା ଜାତିର ଗଛ । ଗୋଟାଏ ବଡ ଗଛରେ ନାଲିଫୁଲ ଖୁନ୍ଦି ହୋଇଥାଏ । ତାରି ପରି ପିଲାମାନେ ମନ ଖୁସିରେ ବୁଲି ଜାଳ ଗୋଟାଉ ଥାଆନ୍ତି । ଦୂର ପାହାଡଗୁଡିକୁ ଦେଖି ଇବାନ୍କୁ ଭାରି ଆଶ୍ଚର୍ଯ୍ୟ ଲାଗୁଥାଏ । ସବୁ ମଣିଷ ତ ତା ପାଇଁ ନୂଆ । ବୁଲିବାକୁ ଏତେ ଖୁସି ଲାଗୁଛି, ମାତ୍ର ସବୁବେଳେ ଖାଲି ତାକୁ ଘରେ ବାନ୍ଧି ରଖିବାକୁ ବାପା ବୋଉଙ୍କ ଇଚ୍ଛା । ଏପରି ସବୁ କଥା ଭାବି ଇବାନ୍ର ମନ ହଠାତ୍ ଚିଡିଗଲା ।
ରାସ୍ତାରେ ଡେଇଁ ଡେଇଁ ଚାଲି ଇବାନ୍ ଗୋଟାଏ ଛକରେ ଆସି ପହଁଚିଗଲା । ଛକରୁ ଆଗକୁ ଦୁଇ ଦିଗରେ ଦୁଇଟି ବାଟ । ତାଙ୍କ କ୍ଷେତଟା କେଉଁବାଟେ ଗଲେ ପଡିବ ତାକୁ ତ ଜଣାନାହିଁ । ମାଆ କ୍ଷେତରେ ଥିବ । ଛିଡା ହୋଇ ଇବାନ୍ ଟିକିଏ ଭାବିଲା । ତାପରେ ଯେଉଁ ରାସ୍ତାରେ ଭଲ ଫୁଲଗଛ ସବୁ ଅଛନ୍ତି ସେଇ ରାସ୍ତାରେ ଇବାନ୍ ଚାଲିଲା ।
ଇବାନ୍ ଘରଠାରୁ କିଛି ଦୂରରେ ଗୋଟିଏ ବିରାଟ କାଠ ଢୋଲ ଥାଏ । ତାହା ଗୋଟିଏ ବଡ ଗଛର ଫମ୍ପା ଗଣ୍ଡିରୁ ତିଆରି । ରାସ୍ତା କଡରେ ଥିବା ଏହି ଢୋଲଟିକୁ ଗଛମାନେ ଢାଙ୍କି ରଖିଥାନ୍ତି । ଏହା କିଛି ସାଧାରଣ ଢୋଲ ନୁହେଁ, ବରଂ ଗୋଟାଏ ବଦମାସ୍ କୁହୁକ ଢୋଲ । ତା ପାଖଦେଇ ଯାଉଥିବା ବାଟଭୁଲା ପଥିକକୁ ସେ ଗିଳିଦିଏ । ଏହି କାରଣରୁ ଇବାନ୍ର ବାପା ମା ଇବାନ୍କୁ ପଦାକୁ ମୋଟେ ଛାଡନ୍ତି ନାହିଁ ।
ଡାହାଣପଟେ ଯାଇଥିଲେ ଇବାନ୍ ହୁଏତ ତାଙ୍କ କ୍ଷେତ ପାଖରେ ପହଁଚିଥାଆନ୍ତା; କିନ୍ତୁ ସେ ବାଆଁ ରାସ୍ତାରେ ଗଲା । ସେ ରାସ୍ତାରେ ତ କୁହୁକ ଢୋଲ ଅଛି । ଏଣେ ଏ ଇବାନ୍ ମହା ଆନନ୍ଦରେ ଚାଲିଥାଏ । ହଠାତ୍ ସେ ଦେଖିଲା, ଆଗରୁ ଗୋଟିଏ ଛୋଟ ଢୋଲ ଡେଇଁ ଡେଇଁ ଆସୁଛି । ଖଣ୍ଡେ ବଙ୍କା ବାଡିରେ ସେ ନିଜକୁ ପିଟୁଥାଏ । ଇବାନ୍ ପାଖରେ ଆସି ସେ ଢୋଲ ଛିଡା ହୋଇଗଲା ଓ ବଡ ପାଟିରେ ଗୀତ ଗାଇଲା ପରି କହିଲା –
ଘରକୁ ଫେରିଯା ଇବାନ୍!
ଘରକୁ ଚାଲିଯା,
ଡମ୍! ଡମ୍! ଡମ୍!
ଡମ୍! ଡମ୍! ଡମ୍!
ଏପରି କଥା ଶୁଣି ସେ ଇବାନ୍କୁ ଭାରି ହସ ମାଡିଲା । ତେଣୁ ସେ ଭାବିଲା ବଡ ମଜା ଢୋଲ ତ? କାହିଁକିନା କଥା କହୁଥିବା ଢୋଲ ଇବାନ୍ ତ ପୂର୍ବରୁ କେବେବି ଦେଖି ନ ଥିଲା । ମାତ୍ର ଢୋଲ କଥାରେ ଇବାନ୍ ଆଦୌ କାନ ଦେଲା ନାହିଁ । ଏକା ଖୋପକେ ତାକୁ ଡେଇଁ ଇବାନ୍ ଆଗକୁ ଚାଲିଲା ।
ଅଳ୍ପବାଟ ଯାଇଛି, ଇବାନ୍ ଦେଖିଲା ଆଉ ଗୋଟାଏ ଢୋଲ ଆସୁଛି । ଏଇଟା ମଝିଲା ଆକାରର । ତା ପାଦ ପାଖରେ ଅଟକିଯାଇ ସେ ଢୋଲ ଗାଇଲା –
ଘରକୁ ଫେରିଯା ଇବାନ୍!
ଘରକୁ ଚାଲିଯା,
ଘମ୍! ଘମ୍! ଘମ୍!
ଘମ୍! ଘମ୍! ଘମ୍!
ଏକଥା ଶୁଣି ଇବାନ୍ ପୁଣି ହସିଲା । ଏ ଢୋଲଟାକୁ ମଧ୍ୟ ସେ ଢେଇଁ ଚାଲିଗଲା । କେତେ କଷ୍ଟରେ ସେ ଘରୁ ବାହାରିଛି । ଇଏ କହୁଛି, ଫେରିଯା! ସେ ଇବାନ୍ ଏମିତି ଭାବୁଚି, ଦେଖିଲା ଗୋଟାଏ ବଡ ଢୋଲ ଆସୁଛି । ଇବାନ୍ ପାଖରେ ପହଁଚି ଢୋଲ ଡିଂ ଡିଂ ଡେଙ୍ଗୁରା ଦେଇ ଗମ୍ଭୀର ସ୍ୱରରେ କହିଲା,
ଘରକୁ ଫେରିଯା ଇବାନ୍!
ଘରକୁ ଚାଲିଯା,
ଘମ୍! ଘମ୍! ଘମ୍!
ଘମ୍! ଘମ୍! ଘମ୍!
ବାରମ୍ବାର ସେହି ଏକା କଥା ଶୁଣି ଇବାନ୍ ବେପରୁଆ ଭାବେ କହିଲା, “ମୁଁ ଯିବିନି” “ବାହାରେ କେଡେ ମଜା । ମତେ ଏସବୁ ବଡ ଖୁସି ଲାଗୁଛି । କେତେ କେତେ ସୁନ୍ଦର ଜିନିଷ ଦେଖିବାକୁ ଅଛି ଏଠି! ମୁଁ ଅବିକା ଯାଉନି ।”