ଏଣେ କ୍ଷେତରୁ ଫେରି ଇବାନ୍ର ମାଆ ଦେଖେ ତ ଇବାନ୍ର ବାପା ଝିଅକୁ ଖୋଜି ଖୋଜି ଥକିଗଲେଣି । ପିଲାଟା ଆଉ ଯିବ କୁଆଡେ? ନିଶ୍ଚୟ ଲୁଚିକରି କ୍ଷେତକୁ ବାହାରିଛି ଓ ଭୁଲ ବାଟରେ ଯାଇ ସେ କୁହୁକ ଢୋଲ ହାବୁଡେ ପଡିଛି ।
ଏହିପରି କଥା ଭାବି ବଡ ଦୁଃଖରେ ଇବାନ୍ର ବାପା କହିଲା ‘ଆମେ ବର୍ତ୍ତମାନ କ’ଣ କରିବା?’ । ମାଆ କିନ୍ତୁ ରାଗିଯାଇ ପାଟିକଲା, “ସେମିତି କ’ଣ କହୁଛ? ଯଦି ସେ ବଦମାସ୍ ଢୋଲ ମୋ ଝିଅକୁ ବନ୍ଦୀ କରିଥାଏ, ତେବେ ମୁଁ ତାକୁ ନିଶ୍ଚୟ ମୁକୁଳାଇ ଆଣିବି ।” ଏହା କହି ଇବାନ୍ର ମାଆ ତାଙ୍କ ସାଇପଡିଶାଙ୍କୁ ଡାକ ପକେଇଲା । ଘଟଣାଟା ବୁଝି ସମସ୍ତେ ଅତ୍ୟନ୍ତ ଦୁଃଖ କଲେ । କିନ୍ତୁ ଦୁଃଖ କଲେ କ’ଣ ହେବ? ଇବାନ୍ର ମାଆ ତା’ ପଡୋଶୀମାନଙ୍କୁ ଗୋଟିଏ ଭଲ କଟୁରୀ ମାଗିଲା । ଜଣେ ଗୋଟିଏ ବଡ ବଡ ଦାଢୁଆ କଟୁରୀ ଆଣିଦେଲା । ମାଆ ସେହି କଟୁରୀ ଓ ଇବାନ୍ ବାପାର ବଡ ଟାଙ୍ଗିଆ ଧରି ବାହାରି ପଡିଲା ।
ଇବାନ୍ର ବାପା ପଛରୁ ଡାକୁଥାଏ । ହେଲେ କିଛି ନ ଶୁଣି ସେ (ଇବାନ୍ର ମା) ଦଉଡିଲା । ଛୁରୀ ଓ କୁରାଢୀକୁ ସାବଧାନରେ ଲୁଗା ଭିତରେ ଲୁଚାଇଥାଏ । ସାହସ ଧରି ସେ ଢୋଲ ପର୍ଯ୍ୟନ୍ତ ଚାଲିଗଲା । ଛୁରୀ ଓ ଟାଙ୍ଗିଆକୁ ଲୁଗା ଭିତରେ ପୂରାଇ ସେ ଇବାନ୍ର ମା ଖୁବ୍ ମୋଟା ଦିଶୁଥାଏ । ଢୋଲ ତାକୁ ଦେଖି ଗର୍ଜନ କଲା ପରି କହିଲା, “ହେ ମୋଟୀ! ଏଇଟା ମୋ ରାଜ୍ୟ ବୋଲି କ’ଣ ଜାଣିନୁ? ବର୍ତ୍ତମାନ ତୁ ମୋ ବନ୍ଦୀ ।” ଏତିକି କହି ଢୋଲ ତାକୁ ଗିଳିଦେଲା ।
ଢୋଲ ଭିତରେ ଇବାନ୍ର ମାଆ ତଳକୁ ଖସି ଚାଲିଥାଏ । ତା ଚାରିପଟେ କିଟିମିଟିଆ ଅନ୍ଧାର । ଢୋଲ ଚଟାଣରେ ବାଡେଇ ହୋଇ ସେ ଅଟକିଲା । ତା ଲୁଗା ଭିତରୁ ହତିଆରସବୁ ଦୁମ୍ ଦାମ୍ କରି ଖସି ପଡିଲେ । ହଠାତ୍ ଏଭଳି ଶବ୍ଦ ଶୁଣି ଇବାନ୍ ଚାହିଁ ଦେଖେ, ତା ପାଖରେ ତା’ମାଆ । ଆନନ୍ଦରେ ସେ ଇବାନ୍ ତା’ ମାଆ ପାଖକୁ ଦୌଡିଗଲା । କାହିଁକିନା ଆଉ କେବେ ମାଆକୁ ଦେଖିବା ଆଶା ସେ ଇବାନ୍ ତ ଛାଡି ଦେଇଥାଏ ।
ଲୋକମାନେ ମଧ୍ୟ ଆନନ୍ଦରେ କୋଳାହଳ କରି ଇବାନ୍ ମାଆକୁ ବେଢିଗଲେ । କଟୁରୀ, କୁରାଢୀ ଦେଖି ସେମାନଙ୍କର ଆନନ୍ଦର ସୀମା ଆଉ ରହିଲା ନାହିଁ । ଏଥର ସେ ସମସ୍ତଙ୍କର ସେଠାରୁ ମୁକୁଳିବାର ଆଶା ଚେଇଁ ଉଠିଲା । ସ୍ଥିର ହେଲା ଆଠଜଣ ବଳୁଆ ଲୋକ ଧରାଧରି ହୋଇ ଛିଡା ହେବେ । ସେମାନଙ୍କ କାନ୍ଧ ଉପରକୁ ଚାରିଜଣ ଉଠିବେ । ସେ ଚାରିଜଣଙ୍କ ଉପରେ ଆଉ ଦି’ ଜଣ । ସବାଉପରେ ଜଣେ ମଣିଷ ଛିଡା ହୋଇ ଢୋଲର ହୃତପିଣ୍ଡକୁ ହାଣିବ ।
ଠିକ୍ ସେଇୟା ହେଲା । ହୃତପିଣ୍ଡ ଉପରେ କଟୁରୀ ଚୋଟ ବାଜୁଥିଲେ ମଧ୍ୟ ପ୍ରଥମେ କିଛି ପରିବର୍ତ୍ତନ ଜଣାପଡିଲା ନାହିଁ । କ୍ରମେ ହୃତପିଣ୍ଡ ଟିକ୍ ଟିକ୍ ଶବ୍ଦ ଧିମେଇଲା । କିଛି ସମୟ ପରେ ସେ ଢୋଲ ଅଣନିଶ୍ୱାସି ହେଲା ପରି ଗଁଅ ଗଁଅ ଶବ୍ଦ କଲା । ସମସ୍ତେ ଖୁସି ହୋଇଗଲେ । ବଦମାସ୍ ମରୁଛି । ସତକୁ ସତ ସବୁ ଶବ୍ଦ ବନ୍ଦ ହୋଇ ଆସିଲା ।
ବନ୍ଦୀମାନେ ଆନନ୍ଦରେ ତାଳିମାରି ନାଚିଲେ । ଢୋଲର କାନ୍ଥକୁ ଜଣେ ହାଣିଲା । ଆଉ ଜଣେ ଛୁରୀରେ ତାଡିଲା । ଅଳ୍ପ ସମୟ ପରେ ବାହାରର ପବନ ଓ ଆଲୁଅ ସେ ଢୋଲ ଭିତରକୁ ଆସିଲା । ଢୋଲ ଫୁଟି ଗଲା । ଫଳରେ ସେଇ କଣା ବାଟେ ଜଣ ଜଣ କରି ସମସ୍ତେ ପଦାକୁ ଓହ୍ଲାଇଲେ । ସମସ୍ତଙ୍କ ତୁଣ୍ଡରେ ଇବାନ୍ ମାଆର ଖାଲି ପ୍ରଶଂସା । ସେ ଛୁରୀ କୁରାଢୀ ଧରି ଢୋଲ ଭିତରେ ପଶିଲା ବୋଲି ସିନା ।
ଇବାନ୍ର ମାଆ ପାଗେଳି ପରି କୁହୁକ ଢୋଲ ପାଖକୁ ପଳାଇବା କଥା ଗାଁରେ ପ୍ରଚାର ହୋଇଗଲା । ପରେ ଲୋକ ରାଗି ଟାଙ୍ଗିଆ ଶାବଳ ପ୍ରଭୃତି ଧରି ବଣ ଆଡେ ଗଲେ । ସେମାନେ ପହଁଚି ଦେଖନ୍ତି କାମ ଖତମ୍ ହୋଇଛି । ଢୋଲ ଭିତରୁ ବନ୍ଦୀମାନେ ବାହାରି ସାରିଛନ୍ତି । ତାପରେ ସମସ୍ତେ ମିଶି ଟିକି ଟିକି କରି ସେ ଢୋଲକୁ କାଟି ପକାଇଲେ ।
ଏଣେ ସେ ଇବାନ୍ ସବୁ ଦେଖୁଥାଏ । ବାପା ବୋଉ କାହିଁକି ତାକୁ ଘର ଭିତରେ ଅଟକାଇ ରଖିଥିଲେ ସେ କଥା ବୁଝିବାକୁ ତା’ର ଆଉ ବାକି ନ ଥାଏ । ତେବେ ଏଣିକି ଆଉ ଭୟ କ’ଣ? ସେ ମନ ଖୁସିରେ ଖେଳିବ, ବୁଲିବ, କ୍ଷେତକୁ ଯିବ ।