ସମୁଦ୍ର ତଟରେ ଥିବା ଏକ ଗ୍ରାମରେ କେଶବ ନାମକ ଏକ ଗରିବ ଯୁବକ ଥାଏ । ସେ ତା’ ମନେ ମନେ ଭାବିଲା ଯେ ବାଣିଜ୍ୟ କରିବାକୁ ଯାଉଥିବା ଜାହାଜରେ ଦୂର ଦେଶକୁ ଯାଇ ସେ କିଛି ଧନ ଅର୍ଜନ କରିବ । ଏହିପରି ମନ ନେଇ ସୁବିଧା ଦେଖି ଗୋଟିଏ ଜାହାଜରେ ସେ ଚଢିଲା ।
କିଛିଦିନ ସମୁଦ୍ରଯାତ୍ରା କରିବା ପରେ ଭୟଙ୍କର ଏକ ତୋଫାନ ହେଲା ଓ ସେ ଜାହଜଟି ବୁଡିଗଲା । କେଶବ ଭାସି ଭାସି ଆସି ଗୋଟିଏ ଦ୍ୱୀପରେ ଲାଗିଲା । ଚାରିଆଡେ ବୁଲି ସେ ଦେଖିଲା ତାହା ଗୋଟିଏ ଜନମାନଶୂନ୍ୟ ଦ୍ୱୀପ । ମାତ୍ର ସେ ସ୍ଥାନଟି ନଡିଆଗଛରେ ଭରପୁର । ସେ ନଡିଆ ତୋଳି ଖାଇ, ନଡିଆ ପିଇ ବଂଚି ରହିଥାଏ ।
ଦିନେ ନଡିଆ ଗଛରେ ଚଢି ସେ ଦୂରକୁ ଚାହିଁଥାଏ; ମନରେ ତା’ର ଆଶା ଥାଏ ଯଦି କୌଣସି ଜାହାଜ ଆସେ ତେବେ ସେ ହୁଏତ ତା’ର ପରିବାର ପାଖକୁ ପୁଣି ଥରେ ଫେରି ଯାଇ ପାରିବ । ଠିକ୍ ସେହି ସମୟରେ ସେ ଏକ ବିଚିତ୍ର ଦୃଶ୍ୟ ଦେଖିଲା । ଗୋଟିଏ ବଣୁଆ ଘୁଷୁରୀ ଆକାଶ ମାର୍ଗରେ ଉଡି ଉଡି ସେହି ଦ୍ୱୀପକୁ ଆସିଲା ଓ ଶୁଖିଲା ପତ୍ରଗଦା ଉପରେ ଆରାମରେ ସେ ଶୋଇଗଲା । କେଶବ ଯାଇ ଦେଖିଲା ଯେ ସେ ତ ଗୋଟିଏ ସାଧାରଣ ଘୁଷୁରୀ ପରି ଦିଶୁଛି । କେବଳ ତା’ର ଦାନ୍ତ ଦି’ଟା ଖୁବ୍ ଟାଣ । ତା’ର ଆଗ ଗୋଡ ପାଖରେ ବଡ ଖଣ୍ଡେ ହୀରା ରଖା ହୋଇଛି ।
କେଶବ ତାକୁ ଉଠାଇ ଆଣିଲା । ମନେ ମନେ ଭାବିଲା – “ଏଇଟିକୁ ଯଦି ମୁଁ ନେଇଯିବି ତେବେ ମୁଁ ବଡ ଧନୀ ହୋଇଯିବି ।” ଏତିକି ସମୟ ମଧ୍ୟରେ ସେ ଘୁଷୁରୀ ତା’କଡ ଲେଉଟାଇଲା । ଏସବୁ ଦେଖି କେଶବ ଭାବିଲା, “ଏବେ ତ ତା’ ପ୍ରାଣଟି ନିଶ୍ଚୟ ଯିବ । ଗଛ ଉପରେ ଥିଲେ କେତେ ଭଲ ହୋଇଥାନ୍ତା ।” ଏମିତି କେତେ କଥା ଭାବି କେଶବ ଭୟରେ ଥରିଲା । ଏତିକି ଭାବୁ ଭାବୁ ସେ ଶୂନ୍ୟରେ ଉଠି ସିଧା ଗଛ ଉପରେ ଯାଇ ବସିପଡିଲା ।
ସେ ଭାବିଲା, “ଏହି ହୀରାର ମହିମାରୁ ବୋଧେ ଏପରି ହେଲା । ତା’ପରେ ସେ ଜାଣିପାରିଲା ଯେ ଏଇଟି କୁହୁକ ହୀରା । ଇଚ୍ଛା ହେବା ମାତ୍ରେ ତାହା ଅବଶ୍ୟ ପୂର୍ଣ୍ଣ ହେବ । କୌଣସି ସିଦ୍ଧ ତାନ୍ତ୍ରିକ ଏହା ମଧ୍ୟରେ କୁହୁକ ଶକ୍ତି ରଖିଛି । ତେଣୁ ଏହି ହୀରା ପାଖରେ ଥିଲେ ମନରେ ଥିବା ସମସ୍ତ ଇଚ୍ଛା ଅବିଳମ୍ବେ ପୂର୍ଣ୍ଣ ହେବ ।” ଇତିମଧ୍ୟରେ ସେ ଘୁଷୁରୀଟି ଉଠିପଡିଲା । ଚାରିପଟକୁ ବୁଲିବୁଲି ସେ ତା’ ହୀରା ଖୋଜିବାକୁ ଲାଗିଲା । ହୀରା ନପାଇ ରାଗରେ ଗରଗର ହୋଇ ସେ ଗଛ ଉପରକୁ ଚାହିଁ ଦେବା ମାତ୍ରେ କେଶବକୁ ଦେଖିଲା । ସେ ଏଥର ଠିକ୍ ଜାଣିପାରିଲା । ପ୍ରକୃତରେ ହୀରାଚୋର କିଏ । ତେଣୁ ସେ ଗଛ ମୂଳକୁ ଆସି ଗର୍ଜନ ତର୍ଜନ କରି ଖୁବ୍ ଡିଆଁ କୁଦା କଲା । ଗଛ ପାଖର ମାଟି ସବୁ ସେ ତାଡି ପକାଇଲା ।
ଏଣେ କେଶବ ଏକ ବୁଦ୍ଧି ପାଂଚିଲା । ବଡ ନଡିଆଟିଏ ବାଛି ବାଛି ସେ ତୋଳିଲା ଓ ଘୁଷୁରୀ ଉପରେ ତାକୁ ଜୋର୍ରେ ସେ ଫିଙ୍ଗିଲା । ଏହାର ଫଳସ୍ୱରୂପ ସେ ଘୁଷୁରୀଟି ଆହତ ହୋଇ ବେହୋସ ହୋଇଗଲା । ଏହାପରେ କେଶବ ଗଛରୁ ଓହ୍ଲାଇ ଏକ ବଡ ପଥର ଧରି ଘୁଷୁରୀ ଉପରେ ତାକୁ ଛେଚି ଦେଲା । ଯାହାଦ୍ୱାରାକି ସେ ଘୁଷୁରୀ ମରିଗଲା । ମରିବା ସମୟରେ ସେ ଏକ ମଣିଷ ରୂପ ଧାରଣ କଲା । ପ୍ରକୃତରେ ସେ ଜଣେ ତାନ୍ତ୍ରିକ, ସେ ଘୁଷୁରୀ ରୂପ ଧରି ଏପରି ଆକାଶରେ ଉଡିବାକୁ ଭାରି ଭଲ ପାଉଥିଲା ।
ତାନ୍ତ୍ରିକ ମରିବା ପରେ ସେ ହୀରାଟି ପୁରାପୁରି କେଶବର ହୋଇଗଲା । କେଶବ ମଧ୍ୟ ନିର୍ଭୟ ହୋଇଗଲା । ସେ ଭାବିଲା “ହୀରାଟି ଧରି ଆକାଶ ମାର୍ଗରେ ଉଡି ଉଡି ମୁଁ ସାରା ଦ୍ୱୀପଟିକୁ ଦେଖିବି ।” ସେ ବୁଲି ବୁଲି ଦେଖୁଥାଏ; କିଛି ଦୂରରେ ଧୂଆଁ ଦେଖାଗଲା । ସେଠାରେ କେହି ମଣିଷ ଥିବେ ଭାବି କେଶବ ସେହି ଆଡକୁ ଗଲା ।
ସେଠାରେ ପହଁଚି ସେ ଦେଖିଲା, ଗୋଟିଏ କୁଡିଆର ଦୁଆର ପାଖରେ ଛୋଟା ଲୋକଟାଏ ବସି ଗୋଟାଏ ଛୋଟ ଛେଳିକୁ ନିଆଁରେ ପୋଡୁଛି ।
କେଶବ ତା’ ପାଖକୁ ଯାଇ କହିଲା, “ମହାଶୟ, ମୋତେ ରହିବାକୁ ଟିକିଏ ଜାଗା ଓ କିଛି ଖାଦ୍ୟ ଦେଇ ପାରିବେ କି?”