ବାରାଣସୀର ରାଜା ବ୍ରହ୍ମଦତଙ୍କର ପୁଅ ପିଲାବେଳରୁହିଁ ଅତ୍ୟନ୍ତ ଦୁଷ୍ଟ ହେବାର ଦେଖାଗଲା । ଯେତେବେଳେ ତା’ ବୟସ କୋଡିଏ, ସେତେବେଳେ ତାକୁ ନେଇ ରାଜା ବଡ ଚିନ୍ତାରେ ପଡିଲେ ।
ଦଳେ କୁସଙ୍ଗ ମେଳରେ ପଡି ରାଜପୁତ୍ର ସର୍ବଦା ନିରୀହ ଲୋକଙ୍କୁ ହଇରାଣ କରୁଥାନ୍ତି । ଦୂର ଦେଶର ତୀର୍ଥଯାତ୍ରୀମାନଙ୍କ ଉପରେ ଚଢଉ କରି ସେମାନଙ୍କ ସର୍ବସ୍ୱ ସେ ଲୁଣ୍ଠନ କରୁଥାନ୍ତି । ଯେତେବେଳେ ଯାହା ମନ ହେଉଥାଏ, ତାହା ସେ କରୁଥାନ୍ତି ।
ଦିନେ ଆକାଶରେ ମେଘ ଘୋଟି ଆସିଥାଏ । ରାଜପୁତ୍ର ଯାଇ ନଦୀରେ ସନ୍ତରଣ କରିବାକୁ ମନ ବଳାଇଲେ । ତାଙ୍କୁ ଖୋସାମଦି କରି ଲାଭ ଉଠାଉଥିବା ଯୁବକମାନେ କହିଲେ, “ହଁ ଆଜ୍ଞା, ଏହାହିଁ ସନ୍ତରଣ ଓ ସ୍ନାନ ସକାଶେ ସବୁଠାରୁ ଉତ୍କୃଷ୍ଟ ସମୟ ।”
ମିତ୍ରମାନଙ୍କୁ ଧରି ସାଙ୍ଗରେ କେତେଜଣ ଚାକରଙ୍କୁ ନେଇ ରାଜପୁତ୍ର ନଦୀରେ ପଶିଲେ । କ୍ରମେ ସାରା ଆକାଶ ଘୋଟି ମେଘ ଆସିଲା ଓ ବର୍ଷା ହେଲା ।
ରାଜପୁତ୍ର ଚାକରମାନଙ୍କୁ କହିଲେ “ମୁଁ ମଝି ନଈକୁ ଯିବି । ଚାଲ ମୋ ସାଙ୍ଗରେ!” ସେ ନିଜେ ଭଲ ସନ୍ତରଣ କରିପାରୁ ନଥାନ୍ତି ବୋଲି ସେ ନଈରେ ପଶିଲେ ଚାକରଦଳ ସବୁବେଳେ ପାଖରେ ରହୁଥାନ୍ତି । ମଝି ନଈରେ ବେଶି ଜଳ ନଥିଲା । ରାଜପୁତ୍ର ଖୁସିରେ ସନ୍ତରଣ କରୁଥାନ୍ତି । ହଠାତ୍ ବର୍ଷା ତୋଫାନ୍ରେ ପରିଣତ ହେଲା । ନଈର ଉତ୍ପତି ସ୍ଥଳରେ ଦୁଇଦିନ ଧରି ଭୀଷଣ ବର୍ଷା ହୋଇଥାଏ । ସେତିକିବେଳେ ବନ୍ୟା ଆସି ନଈର ଜଳରାଶିକୁ ପ୍ରବଳ କରିଦେଲା ।
ଅନ୍ଧାର ଘୋଟି ଆସିବାରୁ ରାଜପୁତ୍ର ନିଜ ମିତ୍ର ଓ ଚାକରମାନଙ୍କଠାରୁ ବିଚ୍ଛିନ୍ନ ହୋଇ ପଡିଲେ । ସେ ବନ୍ୟା ସ୍ରୋତରେ ଭାସିଗଲେ । ଚାକରମାନେ ପ୍ରାଣପାତ କରି ଉଦ୍ୟମ କରିଥିଲେ ହୁଏତ ତାଙ୍କୁ ରକ୍ଷା କରି ପାରିଥାନ୍ତେ । କିନ୍ତୁ ତାଙ୍କୁ ସେମାନେ ଘୃଣା କରୁଥିଲେ । ନିଜ ଜୀବନ ବିପନ୍ନ କରି ତାଙ୍କୁ ରକ୍ଷା କରିବାକୁ କେହି ବି ହେଲେ ଚେଷ୍ଟା କଲେ ନାହିଁ ।
ଚାକରମାନେ କୂଳକୁ ଉଠି ଆସିବାରୁ ମିତ୍ରମାନେ ପଚାରିଲେ, “ରାଜପୁତ୍ର କୁଆଡେ ଗଲେ?”
ଚାକରମାନେ ଉତ୍ତର ଦେଲେ “ସିଏ ଆମ କଥା ନମାନି ଦୂରକୁ ଦୂର ଚାଲିଗଲେ ।”
ରାଜନଅରରେ ଏତେବଡ ଦୁଃସମ୍ବାଦ ଦେବାକୁ ସେମାନେ ସମସ୍ତେ ଭୟ କଲେ । ସମସ୍ତଙ୍କର ଧାରଣାଥିଲା ଏ ମହା ପ୍ରଳୟରୂପୀ ବୃଷ୍ଟିଧାରା ଓ ଭୟଙ୍କର ପବନ ମଧ୍ୟରେ ରାଜପୁତ୍ର ଆଉ ବଞ୍ଚି ନଥିବେ । ପ୍ରାଣ ବିକଳରେ ଯିଏ ଯୁଆଡେ ଦୌଡି ପଳାଇଲେ । ମାତ୍ର କେତେକ ସୈନ୍ୟ ବହୁତ ସାହସର ସହିତ ଆସି ରାଜାଙ୍କୁ ଏସବୁ ଖବର ଦେଲେ ।
ରାଜନଅରରେ ଏ ଖବର ପହଁଚିବା ମାତ୍ରେ ରାଜା ତାଙ୍କ ପୁତ୍ରର ମୃତ୍ୟୁ ଅନୁମାନ କରି ଭୀଷଣ ଦୁଃଖରେ ଭାଙ୍ଗି ପଡିଲେ । କିନ୍ତୁ ତାଙ୍କ ରାଜପୁତ୍ରଙ୍କୁ ଅନ୍ୱେଷଣ କରିବା ନିମନ୍ତେ ସୈନ୍ୟମାନଙ୍କୁ ସେ ପଠାଇଲେ । ସେମାନେ ନଈ କୂଳେ କୂଳେ ଦୌଡିଲେ । କିନ୍ତୁ କେଉଁଠାରେ ହେଲେ ମଧ୍ୟ ରାଜପୁତ୍ରଙ୍କୁ ଠାବ କରି ପାରିଲେ ନାହିଁ ।
ତେଣେ ପ୍ରବଳ ବନ୍ୟାରେ ଭାସି ଯାଉ ଯାଉ ରାଜପୁତ୍ର ଗୋଟିଏ କାଠଗଡ ଧରି ପକାଇଲେ । “ରକ୍ଷା କର!” “ରକ୍ଷା କର!” ବୋଲି ସେ ଖାଲି ଚିତ୍କାର କରୁଥାନ୍ତି । କିନ୍ତୁ ତୋଫାନ୍ ଭିତରେ ତାଙ୍କର ସେ କରୁଣ ଚିତ୍କାର କାହାରିକୁ ମଧ୍ୟ ଶୁଭୁ ନଥାଏ ।