ଶିଷ୍ୟଟି ମହାଦେବଙ୍କ ଅଭିଶାପ କ୍ରମେ ଜନ୍ମ ପରେ ଜନ୍ମ ଗ୍ରହଣ କରି ସେହି ଅଯୋଧ୍ୟାରେ ବସବାସ କରି ଚାଲିଲା । ମାତ୍ର ଗୁରୁ କୃପାରୁ ସେ ଜଣେ ଋଷି କୁମାର ରୂପେ ଥାଇ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ରଙ୍କ ନିକଟରେ ନିଜକୁ ସମର୍ପି ଦେଲା । ଏହି ସମୟ ଆସିଲା ବେଳକୁ ସେ ଶହେ ଥର ଜନ୍ମ ମୃତ୍ୟୁର ଯନ୍ତ୍ରଣା ଅତିକ୍ରମ କରି ସାରିଥିଲେ ଏବଂ ଋଷିକୁମାର ଭୂଷଣ୍ଡ ନାମରେ ପରିଚିତ ହେଲେ । ଏମିତି ଅବସ୍ଥାରେ ସେ ଥରେ ମହର୍ଷି ଲୋମଶ ମୁନିଙ୍କର ଗୁଣାବଳୀ ସବୁ ଶୁଣିବାକୁ ପାଇ ତାଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା କଲେ । ତାହା ପରେ ସେ ଗଙ୍ଗାନଦୀ ତୀରରେ ଥିବା ଲୋମଶ ମୁନିଙ୍କ ଆଶ୍ରମକୁ ଯାଇ ତାଙ୍କର ଶରଣାପନ୍ନ ହେଲେ । ଲୋମଶ ମୁନି ସେ ଋଷିକୁମାର ଭୂଷଣ୍ଡର ଭକ୍ତି ଆଉ ସେବାରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ଦିନେ ତାକୁ ପଚାରିଲେ, ‘ବତ୍ସ ! ତୁମେ ଦୀର୍ଘ ଦିନ ଧରି ଆସି ମୋର ସେବା ଶୁଶ୍ରୁଷା କରି ଚାଲିଛ । କିନ୍ତୁ, ତୁମେ ଏଠାକୁ କେଉଁ କାରଣ ପାଇଁ ଆସିଛ, ତାହା ଏବେ ବି ମୋର ଅଜ୍ଞାତ ହୋଇ ରହିଛି ।’
ତହୁଁ ସେ ଋଷିକୁମାର ଅତ୍ୟନ୍ତ ଭକ୍ତିର ସହିତ କହିଲେ, ‘ମହାଭାଗ! ମୁଁ ଦୀର୍ଘପଥ ଅତିକ୍ରମ କରି ଅଯୋଧ୍ୟାରୁ ଆପଣଙ୍କ ପାଖକୁ ଆସିଛି କେବଳ ନିରାକର ବ୍ରହ୍ମଙ୍କୁ ସାକାର ରୂପେ ଦର୍ଶନ କରିବା ପାଇଁ । ମୁଁ ବୁଝିପାରିଛି କି, ଆପଣ ଚାହିଁଲେ ହିଁ ମୋତେ ତାଙ୍କର ସାକ୍ଷାତ କରାଇ ପାରିବେ ।’
ଏହା ଶୁଣିବା ପରେ ମହର୍ଷି ଲୋମଶ ମୁନି କହିଲେ, ‘ବତ୍ସ ! ନିରାକାର ବ୍ରହ୍ମଙ୍କୁ ସାକାର କରିବା ଆଦୌ ସମ୍ଭବ ନୁହେଁ । ଏଥି ପାଇଁ ଯଦି ତୁମେ ଆସିଥାଅ, ତେବେ ତୁମେ ତୁମ ଘରକୁ ଫେରିଯାଅ’ । ଏଥିରେ କିନ୍ତୁ ସେ ଋଷି କୁମାର ମୋଟେ ସନ୍ତୁଷ୍ଟ ହୋଇ ପାରିଲେ ନାହିଁ । ସେ ଏହି ବିଷୟରେ ବାରମ୍ବାର ମହର୍ଷିଙ୍କ ପାଖରେ ଅଳି କରିବାକୁ ଲାଗିଲେ । ଏମିତି ସମୟରେ ସେ ମୁନି ଦିନେ ଏ ଋଷି କୁମାରଙ୍କୁ ଡାକି କହିଲେ, ‘ତୁମେ ଯେଉଁ ବିଷୟରେ ମୋ ପାଖରେ କହି ଚାଲିଛ, ତାହା ତ କେବେ ବି ସମ୍ଭବ ହେବ ନାହିଁ । ତେଣୁ ସଦାବେଳେ ସେଇ ଗୋଟିଏ କଥା ଯମା କୁହ ନାହିଁ ।’ କିନ୍ତୁ ସେ ଋଷି କୁମାର ତ କିଛି ବି ଶୁଣିବାର ନୁହଁନ୍ତି । ତେଣୁ ସେ ପୁନର୍ବାର ସେହି କଥାକୁ ହିଁ ଦେହରାଇଲେ । ତହୁଁ ସେ ମହର୍ଷି ବିରକ୍ତ ହୋଇ କହିଲେ, ‘ମୁଁ ତୁମକୁ ଏଥିପାଇଁ ବାରମ୍ବାର ମନାକରିବା ସତ୍ତ୍ୱେ ବି ତୁମେ ସଦାବେଳେ ମୋ ପାଖରେ କୁଆ ପରି କା କା କାହିଁକି ହେଉଛ କହିଲ?’ ଏହାପରେ ମଧ୍ୟ ଋଷି କୁମାର ସେହି କଥାକୁ ପୁଣି କହିଲେ । ଶେଷରେ ସେ ମହର୍ଷି ବିରକ୍ତ ହୋଇ କହିଲେ, ‘ହେ ଋଷି କୁମାର ! ତୁମେ ଏହି ମୁହୂର୍ତ୍ତରୁ ହିଁ ସେହି କା କା କରୁଥିବା କାକଟି ପରି କାକ ହୋଇଯାଅ ।’