ଏଣେ ଶ୍ରୀକୃଷ୍ଣ ଚିନ୍ତା କରୁଥା’ନ୍ତି କିପରି ସୁଯୋଗ ଦେଖି ରୁକ୍ମିଣୀଙ୍କୁ ସେଠାରୁ ସେ ନେଇଯିବେ । ମନ ମଧ୍ୟରେ ସେ ନାନା କଳ୍ପନା ଜଳ୍ପନା କରୁଥା’ନ୍ତି । ସେହି କଳ୍ପନା ଭିତରେହିଁ ତାଙ୍କ ରାତି ପାହିଲା । କୁଣ୍ଡୀନ ନଗରୀ ନାନା ପ୍ରକାରର ଫୁଲ ତୋରଣରେ ସଜ୍ଜିତ । ସାରା ରାଜ୍ୟରେ ଆନନ୍ଦ ଉତ୍ସବ ଲାଗି ରହିଛି । କୃଷ୍ଣ ମଧ୍ୟ ଖୁବ୍ ସୁନ୍ଦର ବେଶଭୂଷା ପିନ୍ଧି ରଥରେ ଆରୋହଣ କରି ସେ ନଗରୀରେ ବୁଲୁଥାନ୍ତି । ନଗରୀର ପ୍ରଜାଗଣ ତାଙ୍କୁ ଦେଖି ଭାବୁଥାନ୍ତି, “ଆହା, ଏହି ସୁକୁମାର ରାଜକୁମାର ଯଦି ଆମ ରାଜକନ୍ୟା ରୁକ୍ମିଣୀଙ୍କୁ ବିବାହ କରିଥା’ନ୍ତେ, ତେବେ କି ସୁନ୍ଦର ନ ହୋଇଥା’ନ୍ତା!”
ସେଦିନ ପ୍ରାତଃକାଳରୁ ରୁକ୍ମିଣୀ ଉଠି ନିଜର ପ୍ରାତଃକୃତ୍ୟ ଶେଷ କରି ଗୌରୀ ପୂଜା ପାଇଁ ପ୍ରସ୍ତୁତ ହେଲେ । ସଖୀମାନେ ନାନା ପ୍ରକାର ସୁନ୍ଦର ଅଳଙ୍କାର ସବୁରେ କନ୍ୟାଙ୍କୁ ସଜ୍ଜିତ କରି ରାଜବଂଶର ପ୍ରଥା ଅନୁଯାୟୀ ନଗରୀ ବାହାରେ ଥିବା ଗୌରୀଦେବୀଙ୍କ ମନ୍ଦିରକୁ ନେଇଗଲେ ।
ରାଜମହଲର ଅଯଥା ଆଡମ୍ବର ଓ ସାଜସଜ୍ଜା ଭିତରୁ ବାହାରି ଆସି ରୁକ୍ମିଣୀ ବାହାରେ ଟିକିଏ ନିଶ୍ୱାସ ମାରିଲେ । ଶ୍ରୀକୃଷ୍ଣଙ୍କ କଥା ଭାବି ଭାବି ସାରା ରାତି ବିତି ଯାଇଛି । ରାତି ଅନିଦ୍ରା ହେତୁ ତାଙ୍କ ଦେହ ଦୁର୍ବଳ ଲାଗୁଥାଏ । ମନ ଭିତରେ ସେହି ଗୋଟିଏ ଚିନ୍ତା, କିପରି ଥରେ କୃଷ୍ଣଙ୍କୁ ସେ ଦେଖିବେ । ପୁଣି ପର ମୁହୂର୍ତ୍ତରେ ଭାବନ୍ତି ଯଦି ତାଙ୍କ ପାଇଁ ଶ୍ରୀକୃଷ୍ଣଙ୍କୁ କଷ୍ଟ ସହିବାକୁ ପଡିବ ତେବେ ତାଙ୍କ ଜୀବନ ବୃଥା । କାରଣ ତାଙ୍କ ବିବାହ ପାଇଁ ଯେଉଁ ମହାବୀରଗଣ ଆସିଛନ୍ତି ସେମାନେ କ’ଣ କୃଷ୍ଣଙ୍କୁ ଏତେ ସହଜରେ ଛାଡିଦେବେ? ଏହିପରି ନାନା ଚିନ୍ତା ମଧ୍ୟରେ ବ୍ୟସ୍ତ ବିବ୍ରତ ହୋଇ ସେ ଦେବୀ ଗୌରୀଙ୍କ ମନ୍ଦିରରେ ଯାଇ ପହଁଚିଲେ ।
ମନ୍ଦିର ଭିତରେ ପ୍ରବେଶ କରି ସେ ପୂଜା ଆରମ୍ଭ କଲେ । ଆଜି ଯେପରି ଦେବୀ ଗୌରୀଙ୍କର ମୂର୍ତ୍ତି ତାଙ୍କ ଆଖିରେ ଭିନ୍ନ ଲାଗିଲା । ଦିବ୍ୟମାତା ଗୌରୀଙ୍କର ମହାନ୍ କୃପା ବଳରେ ସେ ନିଶ୍ଚୟ ଏ କଷ୍ଟରୁ ଉଦ୍ଧାର ହେବେ । ସେ ସର୍ବାନ୍ତଃକରଣରେ ଦେବୀ ଗୌରୀଙ୍କୁ ପ୍ରାର୍ଥନା କଲେ, “ମା, ମୁଁ ତୋତେ ପିଲାଟିଦିନରୁହିଁ ପୂଜା କରି ଆସିଛି । ତୁ ତୋର କୃପା କଣା ବିତରଣ କରିବାକୁ କେବେ ମଧ୍ୟ ପଶ୍ଚାତ୍ପଦ ହୋଇନାହୁଁ । ଆଜି ମୋ ଜୀବରେ ଏ ସଙ୍କଟ ସମୟରେ ମୋତେ ରକ୍ଷା କର । ଭଗବାନ୍ ଶ୍ରୀକୃଷ୍ଣଙ୍କ ବ୍ୟତୀତ ମୋର ଆଉ କେହି ମଧ୍ୟ ଯେପରି ସ୍ୱାମୀ ନ ହେଉ । ମୁଁ ମୋର ମନ ପ୍ରାଣ ଶରୀର ସବୁ ତାଙ୍କୁହିଁ ମନେ ମନେ ସମର୍ପଣ କରିଛି । ତୋର କୃପା ଥିଲେ ମା’ ମୁଁ ଶ୍ରୀକୃଷ୍ଣଙ୍କୁହିଁ ପତି ରୂପରେ ପାଇବି ।”
ଏହିପରି ବହୁ ସମୟ ଧରି ରୁକ୍ମିଣୀ ଗୌରୀ ପୂଜା କଲେ । ତାଙ୍କର ମନେହେଲା ମା’ ଗୌରୀଙ୍କୁ ପ୍ରାର୍ଥନା କଲା ପରେ ସେ ଯେପରି କିଛି ଶକ୍ତି ପାଇଛନ୍ତି । ମନ ଭିତରୁ ଭୟ ଓ ଦୁଶ୍ଚିନ୍ତା ଦୂର ହେଲା । ସେ ଅନ୍ତର ଭିତରେ ଦୃଢ ହୋଇ ରହିଲେ । କିନ୍ତୁ ଶ୍ରୀକୃଷ୍ଣଙ୍କୁ ଦେଖିବା ପାଇଁ ମନ ତାଙ୍କର ବ୍ୟାକୁଳ ହୋଇ ଉଠିଲା ।
ଗୌରୀ ପୂଜା ସାରି ଦେବୀ ରୁକ୍ମିଣୀ ମନ୍ଦିରରୁ ବାହାରୁଥା’ନ୍ତି । ଶ୍ରୀକୃଷ୍ଣ ସେଇଠି ତାଙ୍କୁ ପ୍ରଥମ ଥର ଦେଖିଲେ । ମନେ ହେଲା ଯେପରି ଦେବୀ ଲକ୍ଷ୍ମୀ ସାଗର ମଧ୍ୟରୁ ସଦ୍ୟ ଉତ୍ଥିତା । କିମ୍ବା ଏପରି ମନେହେଲା ଯେ ହୁଏତ ବ୍ରହ୍ମା ତାଙ୍କ ସୃଷ୍ଟି ମଧ୍ୟରୁ ସମସ୍ତ ସୌନ୍ଦର୍ଯ୍ୟର ସୀମାରେଖା ରୁକ୍ମିଣୀଙ୍କଠାରେହିଁ ରଖିଛନ୍ତି ।
ରୁକ୍ମିଣୀଙ୍କୁ ତାଙ୍କ ସଖୀମାନେ କହିଦେଲେ ଯେ ସେ ହିଁ ଶ୍ରୀକୃଷ୍ଣ । ଶ୍ରୀକୃଷ୍ଣଙ୍କୁ ଚାହିଁ ସେ ଏତେ ତନ୍ମୟ ହୋଇଗଲେ ଯେ କ’ଣ କରିବେ କିଛିବି ବୁଝିପାରିଲେ ନାହିଁ । ଆଜିପର୍ଯ୍ୟନ୍ତ ଯାହାକୁ ସେ ତାଙ୍କ ମନରେ ରଖିଛନ୍ତି, ଧ୍ୟାନ ଓ ଚିନ୍ତନ କରିଛନ୍ତି, ସେ ତାଙ୍କ ମନର କଳ୍ପନା ଅପେକ୍ଷା ଶତଗୁଣ ସୁନ୍ଦର । ସମାଧିସ୍ଥ ଯୋଗୀପରି ତାଙ୍କର ବାହ୍ୟଜ୍ଞାନ ଲୋପ ପାଇଲା । ତାଙ୍କର ଏପରି ଅବସ୍ଥା ଦେଖି ସଖୀମାନେ ବଡ ବ୍ୟସ୍ତ ହୋଇ ପଡିଲେ ।
ଶ୍ରୀକୃଷ୍ଣ ଓ ବଳରାମ ତ ପୂର୍ବରୁ ପ୍ରସ୍ତୁତ ଥିଲେ । ଶ୍ରୀକୃଷ୍ଣ ରୁକ୍ମିଣୀକୁ ଉଠାଇ ଆଣି ନିଜ ରଥରେ ବସାଇ ଦେଲେ । ଜଗିଥିବା ସୈନିକମାନେ ସେମାନଙ୍କ ଆପତ୍ତି କରନ୍ତେ ବଳରାମ ଗଛ ସବୁ ଉପାଡି ପକାଇ ସେ ସୈନ୍ୟମାନଙ୍କୁ ପିଟି ଅସ୍ତବ୍ୟସ୍ତ କଲେ । ଏହାପରେ ସେମାନେ ଛତ୍ରଭଙ୍ଗ ଦେଇ ସେଠାରୁ ପଳାଇଲେ ।
ଏମାନଙ୍କ ପାଟିଗୋଳ ଶୁଣି ନଗରୀ ବାହାରେ ଥିବା ଯାଦବ ସୈନ୍ୟମାନେ ଓ ଯାଦବ ବୀରମାନେ ସେହି ସ୍ଥାନକୁ ଆସିଲେ । ସେମାନେ ଶ୍ରୀକୃଷ୍ଣଙ୍କୁ କହିଲେ, “ଆପଣ ରୁକ୍ମିଣୀଙ୍କୁ ନେଇ ଦ୍ୱାରକା ଯା’ନ୍ତୁ ଆମେ ଏଠାରେ ଯୁଦ୍ଧ କରି ଶତ୍ରୁପକ୍ଷର ପଥରୋଧ କରିବୁ ।”
ସୈନ୍ୟମାନେ ଯାଇ ରାଜାଙ୍କୁ ଖବର ଦେଲେ, ସେଠାରୁ ରୁକ୍ମ, ଶିଶୁପାଳ ଓ ଜରାସନ୍ଧ ଇତ୍ୟାଦି ବୀରମାନେ ଯାଇ ଯାଦବବୀରମାନଙ୍କ ସହିତ ଯୁଦ୍ଧ କଲେ । ସେମାନେ କୁହାକୁହି ହେଲେ, “ଆମମାନଙ୍କ ପରି ବୀର ଯୋଦ୍ଧାମାନେ ଥାଉ ଥାଉ ସେ ଗୋପାଳ ଟୋକା କିମିତି ଏ ସାହସ କଲା?”
ଜରାସନ୍ଧ ରାଗିଯାଇ କହିଲା, “ଆମର ଏତେ ବଡ ଯୋଜନାକୁ ମୁହୂର୍ତ୍ତକ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଲା ଟୋକା ଖଣ୍ଡେ? ମୁଁ ଏବେ ତା’ର ପଛେ ପଛେ ଯାଇ ଦ୍ୱାରକା ଆକ୍ରମଣ କରି ତାକୁ ମାରିବି । ଯିଏ ମୋ ସହିତ ଆସିବାକୁ ଚାହଁ ଆସ । ସେ ତା’ର ଦୁର୍ଗ ସମୁଦ୍ର ମଧ୍ୟରେ କରିଛି । କିନ୍ତୁ ମୁଁ ତା’ର ସେ ଦୁର୍ଗକୁ ଧ୍ୱସ୍ତ ବିଧ୍ୱସ୍ତ କରି ରୁକ୍ମିଣୀକୁ ପୁଣି ଫେରାଇ ନେଇ ଆସିବି ।”