ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୃଷ୍ଟାବତାର

ଜରାସନ୍ଧର ଏହି କଥା ଶୁଣି ଶିଶୁପାଳ କହିଲା, “ଆପଣମାନେ ରହନ୍ତୁ, ମୁଁ ଯାଏ । ମୁଁ ତ ଅପମାନିତ ହୋଇଛି । ମହା ଉତ୍ସାହରେ ବିବାହ କରିବାକୁ ଆସି ଏପରି ଏକ ଦୁର୍ଦ୍ଦଶା ଘଟିଲା । ଶ୍ରୀକୃଷ୍ଣ ଯେତେ ଯାହା ଅତ୍ୟାଚାର ଓ ଅନାଚାର କରୁଛି । ସେସବୁକୁ ଆଉ ସହ୍ୟ କରାଯିବ ନାହିଁ । ଏବେ ମୋତେ ଛାଡିଦିଅ ମୁଁ ଯାଇ ସେହି ଧୂର୍ତ୍ତ କୃଷ୍ଣ ସହିତ ଯୁଦ୍ଧ କରିବି ଓ ତାକୁ ଉଚିତ୍ ଶାସ୍ତି ଦେବି ।”

ଏହିପରି ନାନା ପ୍ରକାର ଉତ୍ତେଜକ ବାଣୀ ସବୁ କହି କହି ସେମାନେ ଯାଦବବୀରଙ୍କ ସହ ଯୁଦ୍ଧ କଲେ । ଘମାଘୋଟ ଯୁଦ୍ଧ ଲାଗିଗଲା । ଯାଦବବୀରମାନେ ସାତ୍ୟକି ଓ ବଳରାମଙ୍କୁ ନେଇ ସତ୍ରୁପକ୍ଷ ସହିତ ଲଢିଲେ । କେହି କାହାକୁ କମ୍ ନୁହଁନ୍ତି ବିଶେଷତଃ ପୃଥିବୀର ଯେତେବଡ ବୀର ହେଉନା କାହିଁକି ବଳରାମଙ୍କ ହଳକୁ ସାମ୍ନା କରିବା ତା’ ପକ୍ଷରେ ଦୁଃସାଧ୍ୟ । କେଉଁଠି ଗଦା ଯୁଦ୍ଧ ତ, କେଉଁଠି ତରବାରୀରେ ଯୁଦ୍ଧ, କେଉଁଠି ବା ହାତାହାତି ଯୁଦ୍ଧ । ଅନେକ ସମୟ ଧରି ଭୀଷଣ ଯୁଦ୍ଧ ହେଲା । ଏଣେ ଏପରି ଭୟଙ୍କର ଯୁଦ୍ଧ ଚାଲିଥିବା ବେଳେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ତାଙ୍କ ରଥରେ ବସାଇ ଦୂରକୁ ଦୂରକୁ ଚାଲି ଯାଉଥିଲେ । ସେଥିରେ ତାଙ୍କୁ ବାଧା ଦେବାକୁ କେହିବି ନଥିଲେ ।

ଇତିମଧ୍ୟରେ ଜଣେ ଗୁପ୍ତଚର ଯାଇ ରୁକ୍ମକୁ କହିଲା, “ଯୁବରାଜ, ଆମ ରାଜକୁମାରୀଙ୍କୁ ଯେଉଁ ରାଜପୁତ୍ର ନେଇ ଚାଲିଗଲେ ତାଙ୍କୁ ତ ଆଉ ଯୁଦ୍ଧରେ ପାଇବା ନାହିଁ! ଯୁଦ୍ଧ ତ ତାଙ୍କ ସୈନ୍ୟମାନଙ୍କ ସହିତ ହେଉଛି । ରାଜକୁମାରୀ ଏହି ସମୟ ମଧ୍ୟରେ ବହୁ ଦୂରକୁ ଚାଲିଗଲେଣି । ଏଣେ ବୃଥାରେ ଯୁଦ୍ଧ କରି କରି ଦୁଇପକ୍ଷର ସୈନ୍ୟମାନେ ଅନ୍ୟଥା ପ୍ରାଣ ଦେଉଛନ୍ତି ।”

ଏଣେ ରୁକ୍ମ ଏ ଖବର ପାଇ ତା’ର ସୈନ୍ୟ ଧରି ଯୁଦ୍ଧକ୍ଷେତ୍ରକୁ ଗଲା । ସେ ଘୋଷଣା କରି କହିଲା, “ସେ କୃଷ୍ଣ ଆମକୁ ଏତେ ବଡ ଅପମାନ ଦେଲା, ମୁଁ ତାକୁ ନ ମାରିଲେ ଆଉ ରାଜଧାନୀକୁ ଫେରିବି ନାହିଁ ।” ଏସବୁ ଗୋଳମାଳ ମଧ୍ୟରେ ରାଜା ଭୀଷ୍ମକ କିନ୍ତୁ ମନେ ମନେ ଖୁବ୍ ଖୁସି ଯଦିଓ ବାହାରେ ତାହା ସେ କାହାରିକୁ ମଧ୍ୟ ଦେଖାଉ ନଥାନ୍ତି ଏ ପରିସ୍ଥିତିରେ ସମସ୍ତେ ଯୁଦ୍ଧକୁ ଚାଲିଯିବା ପରେ ରାଜା ଭୀଷ୍ମକ ଭଗବାନ୍ଙ୍କୁ ମନେ ମନେ ପ୍ରାର୍ଥନା କରି କହିଲେ, “ପ୍ରଭୁ, ମୁଁ ଜାଣିଥିଲି ଯେ ମୋ ଝିଅ କୃଷ୍ଣଙ୍କୁ ପାଇନଥିଲେ ମୁଁ ଆଉ ତାକୁ ଜୀବିତ ପାଇ ନଥା’ନ୍ତି । ମୋ ଝିଅ ରୁକ୍ମିଣୀ ପାଇଁ ମୋ ମନ ଭିତରେ ମୁଁ ଶ୍ରୀକୃଷ୍ଣଙ୍କ ବ୍ୟତୀତ ଆଉ କାହାକୁ ମୋଟେ ଆଣିନାହିଁ । ପ୍ରଭୁ ତମରି କଳା ନେଇ ତମରି କୃପାରୁ ମୋ ଝିଅର ଜନ୍ମ । ତା’ର ସେ ଜନ୍ମ ସାର୍ଥକ ହେଉ । ସେମାନଙ୍କ ଯାତ୍ରା ଶୁଭ ହେଉ । ତଥା ସେମାନଙ୍କ ବୈବାହିକ ଜୀବନ ସଫଳ ହେଉ ।”

ରୁକ୍ମ ଖୁବ୍ ଜୋର୍ରେ ରଥ ଚଳାଇ ଶ୍ରୀକୃଷ୍ଣଙ୍କ ରଥ ନିକଟରେ ଯାଇ ପହଁଚିଲା ଓ ତାଙ୍କୁ କହିଲା, “ରେ ପାପୀ, ଅନ୍ୟର ବାଗ୍ଦତା ପତ୍ନୀକୁ ଅପହରଣ କରିନେଉଛୁ? ଏହା କ’ଣ ଜଣେ ବୀରପୁରୁଷ ପକ୍ଷରେ ଶୋଭା ଦିଶୁଛି । ନିଜ ପ୍ରାଣ ପ୍ରତି ତୋର ଯଦି ଟିକେବି ମମତା ଥାଏ ତେବେ ରୁକ୍ମିଣୀକୁ ଛାଡିଦେ । ନହେଲେ ଯୁଦ୍ଧ କରିବାକୁ ବାହାରି ଆସ ।”

ଶ୍ରୀକୃଷ୍ଣ ରଥରେ ବସି ରହି ଧନୁଧରି ରୁକ୍ମ ଉପରେ ବାଣ ଛାଡିଲେ । ତଦ୍ୱାରା ରୁକ୍ମ ଅଚେତ୍ ହୋଇ ପଡିଲା । ଅନ୍ୟ କେତେକ ମିତ୍ର ରାଜା ଆସି ତାକୁ ସଚେତ୍ କରାଇଲେ ଓ ସମସ୍ତେ ମିଶି ଶ୍ରୀକୃଷ୍ଣଙ୍କ ସହିତ ଯୁଦ୍ଧ କଲେ । ଶ୍ରୀକୃଷ୍ଣଙ୍କ ବାଣରେ ରୁକ୍ମର ରଥ ଭାଙ୍ଗିଗଲା ଓ ସାରଥି ବି ମରିଗଲା । ତା’ପରେ ସେ ନିଜେ ପୁଣି ବାଣ ମାଡରେ ବେହୋସ ହୋଇଗଲା । ସେତେବେଳେ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ତାଙ୍କ ଭାଇଙ୍କର ଜୀବନଦାନ ଦେବାକୁ ଅନୁରୋଧ କଲେ । ଶ୍ରୀକୃଷ୍ଣ ସେହିଠାରେ ଯୁଦ୍ଧ ବନ୍ଦ କଲେ । ସେତେବେଳକୁ ଅଚେତ୍ ରୁକ୍ମକୁ ନେଇ ଅନ୍ୟମାନେ ଛତ୍ରଭଙ୍ଗ ଦେଲେଣି । ଶ୍ରୀକୃଷ୍ଣ ଓ ରୁକ୍ମିଣୀ ଦ୍ୱାରକା ଆଡକୁ ତୀବ୍ର ଗତିରେ ଆଗେଇଲେ ।

ଏସବୁ ବିବାହ ବିଭ୍ରାଟ ନଗରୀର ଲୋକେ ତଟସ୍ଥ ହୋଇ ଦେଖୁଥା’ନ୍ତି । ଯେପରି ଭାବରେ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ସହ ରଥାଋଢା ହୋଇ ସମସ୍ତ କଟକଣା ଲଙ୍ଘନ କରି ପଳାଇଗଲେ, ଯେପରି ଭାବରେ ଯାଦବ ବୀରମାନେ ତୁମୁଳ ଯୁଦ୍ଧ କରି ଶିଶୁପାଳ ଓ ରୁକ୍ମଙ୍କ ପକ୍ଷର ସୈନ୍ୟମାନଙ୍କର ପ୍ରତିରୋଧ କଲେ ଓ ସେମାନଙ୍କୁ ଶ୍ରୀକୃଷ୍ଣଙ୍କ ରଥର ଅନୁଧାବନ କରିବାକୁ ଦେଲେ ନାହିଁ, ସେସବୁ ସେମାନଙ୍କୁ ନାଟକୀୟ ଲାଗୁଥାଏ । ସେମାନେ ମନେ ମନେ ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କ ଜୟଗାନ କରୁଥାନ୍ତି ।

କ୍ରମେ କୋଳାହଳ ଶାନ୍ତ ହୋଇ ଆସିଲା । ନଗରୀବାସୀମାନେ ବୁଝିଲେ, ରୁକ୍ମିଣୀ ନିରାପଦରେ ଦ୍ୱାରକାରେ ଯାଇ ପହଁଚିଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ