ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୃଷ୍ଣାବତାର

କଂସ ବଧ ସମ୍ବାଦ ପାଇ ତା’ର ରାଣୀମାନେ କାନ୍ଦି କାନ୍ଦି ସେଠାରେ ଆସି ପହଁଚିଲେ । କଂସର ଶବ ଉପରେ ମୁଣ୍ଡ କୋଡି କୋଡି ସେମାନେ କାନ୍ଦିଲେ, ସେମାନେ ତ ଏହା କେବେବି କଳ୍ପନା ସୁଦ୍ଧା କରି ନଥିଲେ ଯେ ମହା ପରାକ୍ରମୀ କଂସକୁ ବି ପୁଣି କେହି ମାରିପାରେ । ମୃତ୍ୟୁ ହେଲା, ପୁଣି ଏତେ ସହଜରେ, ସାମାନ୍ୟ ଜଣେ ବାଳକ ହାତରେ!

କଂସର ମା’ ମଧ୍ୟ ତାଙ୍କ ବୋହୁମାନଙ୍କର ସଦ୍ୟବୈଧବ୍ୟ ରୂପ ଦେଖି ବହୁତ କାନ୍ଦିଲେ । ସେ ନିଜ ସ୍ୱାମୀ ଉଗ୍ରସେନଙ୍କୁ କହିଲେ, “ତମେ କ’ଣ ମୃତ ପୁତ୍ରକୁ ଦେଖିନାହଁ? ଏଡେବଡ ପରାକ୍ରମଶାଳୀ ପ୍ରବଳ ପ୍ରତାପୀ କଂସ ଧୂଳିଧୂସରିତ ହୋଇ କିପରି ଏକ ଦୟନୀୟ ଅବସ୍ଥାରେ ପଡିଛି । ତମେ କ’ଣ ଦେଖିପାରୁ ନାହଁକି? ଏବେ ତ କୃଷ୍ଣହିଁ ଏ ଦେଶର ରାଜା । ତା’ର ଅନୁମତି ନେଇ ତମେ କଂସର ମୃତ ଦେହକୁ ଉତ୍ତମ ରୂପେ ସଂସ୍କାର କର, ଅର୍ଥାତ୍ ଭଲଭାବରେ ତା’ର ଅନ୍ତ୍ୟେଷ୍ଟିକ୍ରିୟାର ବନ୍ଦୋବସ୍ତ କର ।”

ମଥୁରାର ଯେଉଁସବୁ ସମ୍ଭ୍ରାନ୍ତ ଲୋକେ ସେଦିନ କଂସର ପ୍ରାସାଦରେ ଉପସ୍ଥିତ ରହି ଏସବୁ କଥା ନିଜ ଆଖିରେ ଦେଖିଲେ ଅବଶ୍ୟ ସେମାନଙ୍କ ମନରେ କୃଷ୍ଣଙ୍କ ଅସାଧାରଣ ଶକ୍ତି ବିଷୟରେ ତଥା କଂସର ମୃତ୍ୟୁ ବିଷୟରେ ଆଉ କୌଣସି ସନ୍ଦେହ ନଥିଲା । କିନ୍ତୁ ମଥୁରାର ଜନସାଧାରଣ ଏତେ ସହଜରେ ଏକଥାକୁ ଆଦୌ ବିଶ୍ୱାସ କରିପାରିଲେ ନାହିଁ । ଯେଉଁ କଂସ ଭୟରେ ସେମାନେ ବାଟରେ ମୁଣ୍ଡ ତୋଳି ଚାଲିପାରୁ ନଥିଲେ; ଯାହା ବିରୁଦ୍ଧରେ ପଦେ କହିବା ଅର୍ଥ ନିଜ ପ୍ରାଣ ଦେବା, ଯାହାକୁ ଆଖପାଖର ସବୁ ରାଜା ଓ ସାମନ୍ତମାନେ ଭୟ କରୁଥିଲେ, ଅଥଚ ସେହି କଂସ ଶେଷକୁ ଜଣେ ସାମାନ୍ୟ ବାଳକ ହାତରେ ପ୍ରାଣ ଦେଇଛି ଏହା କ’ଣ ବିଶ୍ୱାସ କରିବା ଏତେ ସହଜ? ଯାହାହେଉ କ୍ରମେ ଏକଥା ପ୍ରଚାର ହୋଇଗଲା ଓ ସମସ୍ତେ ପ୍ରଥମେ ସ୍ତବ୍ଧ ରହି ତା’ପରେ ଏହାକୁ ବିଶ୍ୱାସ କଲେ । କ୍ରମେ ବାତାବରଣରେ ଗୋଟିଏ ଆନନ୍ଦର ଲହରୀ ଖେଳିଗଲା ।

ସେଦିନ ସଂଧ୍ୟା ହେବା ପରେ ମନେହେଲା ଯେପରି ସୂର୍ଯ୍ୟ କଂସ ବଧର ବାର୍ତ୍ତା ନେଇହିଁ ପଶ୍ଚିମ ଅସ୍ତାଚଳରେ ଡୁବି ଯିବାର ସଂକଳ୍ପରେ ଥିଲେ । ସେଦିନର ସୂର୍ଯ୍ୟାସ୍ତ ସହିତ କଂସର ସମସ୍ତ ଗର୍ବ, ଗୌରବ ମଧ୍ୟ ଅସ୍ତମିତ ହେଲା । ସାରା ମଥୁରା ବିଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ଭିନ୍ନ ଭିନ୍ନ ଆଲୋଚନାରେ ମୁଖରିତ । ଶ୍ରୀକୃଷ୍ଣ ସମସ୍ତିଙ୍କୁ ଡାକି କହିଲେ, “ମୁଁ ଅତ୍ୟନ୍ତ ବାଲ୍ୟସୁଲଭ ଭାବନାରେ ବଶୀଭୂତ ହୋଇ ଯାହା କଲି, ତଦ୍ୱାରା କେତେ ସ୍ତ୍ରୀଲୋକ ବିଧବା ହେଲେ, ସେଥିପାଇଁ ମୁଁ ବହୁତ ଦୁଃଖିତ । କିନ୍ତୁ କଂସକୁ ବଧ କରିବା ଛଡା ମୋପାଖେ ଆଉ କୌଣସି ଉପାୟ ନଥିଲା । କେତେ ସାଧୁସନ୍ଥଙ୍କ ଉପରେ ସେ ଘୋର୍ ଅତ୍ୟାଚାର କରିଛି । ନିଜ ପିତାଙ୍କୁ କାରାଗାରରେ ରଖି ନିଜେ ରାଜା ହେବା କେତେବଡ ଅନ୍ୟାୟ । ତା’ର ନିଷ୍ଠୁରତାର ଆଉ କିଛିବି ସୀମା ନଥିଲା । ମୋର ନିଷ୍ପାପ ପିତାମାତାଙ୍କୁ ସେ କାରାଗାରରେ ରଖି କେତେ କଷ୍ଟ ବା ନ ଦେଇଛି, ଏପରି ପାପୀକୁ ଦୟା ଦେଖାଇବାହିଁ ପାପ । ତେଣୁ ଜଗତର କଲ୍ୟାଣ ପାଇଁ ମୁଁ ଆଜି ଏ ଦୁରାଚାରୀ କଂସକୁ ନିଧନ କରିଛି ।”

ସେହି ସମୟରେ ବୃଦ୍ଧ ଯାଦବ ଉଗ୍ରସେନ ଅନ୍ୟ କେତେକ ଯାଦବଙ୍କ ସହ ସେଠାରେ ପହଁଚି କହିଲେ, “ବତ୍ସ କୃଷ୍ଣ, ତମେ ଆଜି କଂସ ଭଳି ଭୟଙ୍କର ପାପୀକୁ ବିନାଶ କରି ଅକ୍ଷୟ ଯଶର ଅଧିକାରୀ ହୋଇଛ । ଏବେ ତା’ର ଅତ୍ୟାଚାରରୁ ପ୍ରଜାଗଣ ମୁକ୍ତ । ତମେ ଏ ରାଜ୍ୟର ରାଜା ହୋଇ ରାଜ୍ୟ ଶାସନ କର । କଂସ ଅପରାଜେୟ ଥିଲା । ତୁମର ଦୈବୀଶକ୍ତି ଦ୍ୱାରା ସେ ପରାଜିତ ହୋଇଛି । ଏବେ ଅନୁମତି ଦେଲେ ମୁଁ ମୋର ସ୍ତ୍ରୀ, ବଧୁଗଣ ଓ ଅନ୍ୟାନ୍ୟ ଯାଦବମାନେ ମିଶି କଂସର ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରିବୁ ।”

“ଏସବୁ କାର୍ଯ୍ୟ ପାଇଁ ମୁଁ କ’ଣ ଅନୁମତି ଦେବି?” କୃଷ୍ଣ ହସି ହସି କହିଲେ, “କଂସ ବଧ କରିବା ପରେ ଆପଣମାନେ ଯେ କହୁଛନ୍ତି ମୁଁ ରାଜା ହେବି, ସେକଥା ଆଦୌ ସମ୍ଭବ ନୁହେଁ । ମୁଁ ପ୍ରଜାମାନଙ୍କର ହିତ ପାଇଁ, ପୃଥିବୀର ହିତ ପାଇଁ ପାପୀ କଂସକୁ ସଂହାର କରିଛି । ମୁଁ ତ ଏବେ ପୁଣି ଯାଇ ଗୋପାଳମାନଙ୍କ ସହିତ ମିଶି ନାଚ କରିବି, ଗୀତ ଗାଇବି, ଖେଳିବି । ହେ ଆର୍ଯ୍ୟଶ୍ରେଷ୍ଠ ଉଗ୍ରସେନ, ମୋର ପ୍ରିୟ ପିତାମହ, ମୁଁ ଆପଣଙ୍କୁହିଁ ଏହି ରାଜ୍ୟ ପ୍ରଦାନ କରୁଛି । ସେ ରାଜ୍ୟ ଆପଣଙ୍କର ଥିଲା, ଏବେବି ଆପଣଙ୍କର ହୋଇ ରହିବ । ମୁଁ ମୋର କୌଣସି ଅଧିକାର ସେଥିରେ ସାବ୍ୟସ୍ତ କରୁନାହିଁ । ଆପଣ ଅତି ଆନନ୍ଦରେ ପ୍ରଜାମାନଙ୍କୁ ପାଳନ କରନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ