ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୃଷ୍ଣାବତାର

ଏହିପରି ଭାବରେ ସେଦିନ କୃଷ୍ଣଙ୍କ କୃପାରୁ ଜଣେ ବାଳକ ମୃତ୍ୟୁ ଉପରେ ବିଜୟ ଲାଭ କଲା ।

ମୃତ ପୁତ୍ର ଜୀବିତ ହୋଇ ଫେରି ଆସିଛି । ଏଣୁ ଗୁରୁଙ୍କର ଆନନ୍ଦର କୌଣସି ସୀମା ନାହିଁ । ସ୍ନେହ ଓ କୃତଜ୍ଞତାରେ ଗଦ୍ ଗଦ୍ ହୋଇ ସେ ଶ୍ରୀକୃଷ୍ଣଙ୍କୁ ଆଶୀର୍ବାଦ ଦେଲେ । ଏପରି ଅସମ୍ଭବକୁ କେହି ମଧ୍ୟ ସମ୍ଭବ କରି ନଥିଲେ । ତା’ପରେ କୃଷ୍ଣ ଓ ବଳରାମ ଗୁରୁଙ୍କଠାରୁ ବିଦାୟ ନେଇ ନିଜ ରାଜ୍ୟକୁ ଫେରି ଆସିଲେ ।

ମଥୁରାରେ ବହୁ ଆଡମ୍ବର ସହକାରେ ଉଗ୍ରସେନ ସେ ଦୁଇ ଭାଇଙ୍କର ସ୍ୱାଗତ କଲେ । ରାଜ୍ୟରେ ନାନା ଆନନ୍ଦ ଉତ୍ସବ ଲାଗି ରହିଲା । ଏମିତି କିଛିଦିନ ବିତିଗଲା ।

କଂସର ମୃତ୍ୟୁ ପରେ ତା’ର ଶ୍ୱଶୁର ଜରାସନ୍ଧ ମଥୁରା ଉପରେ ଆକ୍ରମଣ କରିବାକୁ ମନସ୍ଥ କଲା ।

ଜରାସନ୍ଧର ଦୁଇ ଝିଅ କଂସର ଦୁଇ ପାଟରାଣୀ ଥିଲେ । ସେମାନଙ୍କର ଅକାଳ ବୈଧବ୍ୟରେ ଖୁବ୍ ବ୍ୟଥିତ ହୋଇ ଜରାସନ୍ଧ ପ୍ରତିଶୋଧ ନେବାକୁ ଚାହିଁଲା । ସୈନ୍ୟସାମନ୍ତ ନେଇ ସେ ମଥୁରା ଦିଗରେ ଅଗ୍ରସର ହେଲା ଓ ଯୁଦ୍ଧ ପୂର୍ବରୁ ଦୂତ ପଠାଇ କୃଷ୍ଣଙ୍କ ପାଖକୁ ବାର୍ତ୍ତା ପ୍ରେରଣ କଲା । ସେଥିରେ ଲେଖାଥିଲା, “କୃଷ୍ଣ ବଳରାମ, ତୁମେ ଦୁଇଜଣ କଂସକୁ ବିନା ଦୋଷରେ ବଧ କରିଛ । ସେ ମୋର ଜାମାତା ଥିଲା । ତା’ର ମୃତ୍ୟୁର ପ୍ରତିଶୋଧ ନେବାକୁ ମୁଁ ବହୁତଶୀଘ୍ର ଆସୁଛି । ମୁଁ ମନେ ମନେ ନିଶ୍ଚୟ କରିଛି ଶେଷ ପର୍ଯ୍ୟନ୍ତ ମୁଁ ଲଢିବି । ଯୁଦ୍ଧରେ ତୁମର ଅବା ମୋର କାହାରି ହେଲେ ମୃତ୍ୟୁ ଘଟିବ । ମାତ୍ର ସେ ପର୍ଯ୍ୟନ୍ତ ଯୁଦ୍ଧ ଚାଲୁ ରହିବ । ସେଥିଲାଗି ପ୍ରସ୍ତୁତ ହୋଇ ରୁହ । ମୋର ପରାକ୍ରମ ବିଷୟରେ ଅକ୍ରୁର ଓ ସାତ୍ୟକିଠାରୁ ବୁଝିନେବ ।”

କୃଷ୍ଣ ପତ୍ରଟି ପଢି ମନ୍ଦହାସ କଲେ । ତା’ପରେ ସେ କହିଲେ, “ମୁଁ ତ ମୋ ତରଫରୁ ତା’ର ରାଜ୍ୟ ଆକ୍ରମଣ କରିଥା’ନ୍ତି । ଭଲ ହେଲା ସେହି ଦୁଷ୍ଟ, ଦୁରାଚାରୀ ଏଠାକୁ ଆସୁଛି । ମୁଁ ତାକୁ ବଧ କରି ସେହି ସିଂହାସନରେ ତା’ର ପୁତ୍ରକୁ ବସାଇବି ।”

ଦୂତରୂପୀ ଜରାସନ୍ଧର ଦୁଇ ପୁତ୍ରଙ୍କୁ ଆଦରର ସହ ସତ୍କାର କରି କୃଷ୍ଣ ବିଦାୟ ଦେଲେ ।

ସେମାନେ ସେଠୁ ଯିବା ପରେ ମଥୁରାର ମନ୍ତ୍ରୀ ଓ ସେନାପତିମାନେ ଏ ଖବର ଶୁଣି ଭୟରେ ଖାଲି ଥରିଲେ । ତତ୍ସହିତ ଉଗ୍ରସେନ ମଧ୍ୟ ବହୁତ ଭୟ କଲେ । ଶେଷରେ ଜଣେ ବୃଦ୍ଧ ମନ୍ତ୍ରୀ ଶ୍ରୀକୃଷ୍ଣଙ୍କୁ କହିଲେ, “ବତ୍ସ, ଜରାସନ୍ଧ ବହୁତ କ୍ରୁର ସ୍ୱଭାବର । ସେ ମଥୁରା ଆକ୍ରମଣ କଲେ ଅସଂଖ୍ୟ ନିରୀହ ପ୍ରଜା ଅଯଥାରେ ଯାହା ମୃତ୍ୟୁ ମୁଖରେ ପିଡିତ ହେବେ । କଂସର ନିଜ ବଳ ଉପରେ ବହୁତ ବିଶ୍ୱାସ ଥିବାରୁ ସେ ମଥୁରାର ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ବିଷୟରେ ଆଦୌ ଧ୍ୟାନ ଦେଉ ନଥିଲା । ତେଣୁ ସେସବୁ ଦୃଷ୍ଟିରୁ ତାହା ମଧ୍ୟ ସୁଶୃଙ୍ଖଳିତ ହୋଇ ନାହିଁ । ଏବେ ଏପରି ପରିସ୍ଥିତିରେ ଜରାସନ୍ଧ ସହିତ ଯୁଦ୍ଧ କରିବା ମାନେ ମଥୁରା ରାଜ୍ୟର ଧ୍ୱଂସ ଅନିବାର୍ଯ୍ୟ । ଏସବୁ ଭାବିଚିନ୍ତି କରାଯିବା ଉଚିତ୍ । ଆପଣମାନଙ୍କ ଶକ୍ତି ପରାକ୍ରମ ଉପରେ ଆମର ସମସ୍ତ ଆସ୍ଥା ଅଛି । ତଥାପି ଭାବିଚିନ୍ତି କାର୍ଯ୍ୟ ନ କରିଲେ ପ୍ରଜାବର୍ଗଙ୍କର ଅଯଥା ଜୀବନ କ୍ଷୟ ହେବ । ଏ ବିଷୟରେ ଯାହା ଉଚିତ୍ ମନେ କରିବେ ତାହା ବିଚାର କରି କରାଯାଉ, ଏତିକି ମୋର ପ୍ରାର୍ଥନା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ