ଏବେ ଚିତ୍ରରେଖା ଅଦୃଶ୍ୟ ରୂପରେ ଅନିରୁଦ୍ଧଙ୍କ କକ୍ଷରେ ଯାଇ ପହଁଚିଲା । ସେଠାରେ ସେ ଦେଖିଲା ଅନିରୁଦ୍ଧ ଅନେକ ସୁନ୍ଦରୀ ସ୍ତ୍ରୀମାନଙ୍କ ମଧ୍ୟରେ ବସିଛନ୍ତି । ସେମାନେ ସବୁ ନୃତ୍ୟଗୀତ କରି ଓ ସୁବର୍ଣ୍ଣ ପାତ୍ରରେ ସୁରା ପରିବେଷଣ କରି ତାଙ୍କର ମନୋରଞ୍ଜନ କରୁଥିଲେ । କିନ୍ତୁ ଅନିରୁଦ୍ଧ ସେସବୁଥିରେ ଯମାରୁ ଆପ୍ୟାୟିତ ହେଉ ନଥିଲେ । ତାଙ୍କର ମନ ଅତ୍ୟନ୍ତ ଉଦାସ ଥିଲା ଓ ସେ ଗମ୍ଭୀର ହୋଇ ବସିଥିଲେ । ଚିତ୍ରରେଖା ତାମସୀ ବିଦ୍ୟାବଳରେ ନିଜେ ଅଦୃଶ୍ୟ ଥିଲା ଓ ଅନ୍ୟ ସ୍ତ୍ରୀମାନଙ୍କୁ କିଛି ସମୟ ମଧ୍ୟରେ ସେ ନିଦ୍ରାରେ ଅଚେତନ ମଧ୍ୟ କରାଇଲା । ତା’ପରେ ଅନିରୁଦ୍ଧଙ୍କ ସମ୍ମୁଖରେ ପ୍ରକଟ ହୋଇ ସେ କହିଲା, “କୁମାର ଅନିରୁଦ୍ଧଙ୍କର ଜୟ ହେଉ ।” ଅନିରୁଦ୍ଧ ହଠାତ୍ ଏକ ଅଜଣା ନାରୀକୁ ଦେଖି ଟିକିଏ ଆଶ୍ଚର୍ଯ୍ୟ ହେଲେ । ମାତ୍ର ଚିତ୍ରରେଖା ତାଙ୍କୁ ପ୍ରଣାମ କରି କହିଲା, “ଏଥିରେ ଏତେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ମୁଁ ଚିତ୍ରରେଖା, ମୋର ସଖୀ ଉଷାଙ୍କର କିଛି ଖବର ନେଇ ମୁଁ ଆପଣଙ୍କ ପାଖକୁ ଆସିଛି । ଆପଣ ବିଷ୍ଣୁଭକ୍ତ ଚକ୍ରବର୍ତ୍ତୀ ରାଜା ବଳୀଙ୍କର ନାମ ତ ନିଶ୍ଚୟ ଶୁଣିଥିବେ । ତାଙ୍କ ପୁତ୍ର ହେଲେ ମହାରାଜା ବାଣ । ପାର୍ବତୀଦେବୀଙ୍କ କୃପାରୁ ତାଙ୍କର ଏକ ଅନିନ୍ଦ୍ୟ ସୁନ୍ଦରୀ କନ୍ୟା ଜାତ ହେଲା । ତାଙ୍କ ନାମ ଉଷା । ପ୍ରାପ୍ତବୟସ୍କା ହୁଅନ୍ତେ ଦେବୀ ପାର୍ବତୀଙ୍କୁ ସେ ପୂଜା କଲେ । ଦେବୀ ପାର୍ବତୀ କହିଲେ କି ଏକ ନିର୍ଦ୍ଧାରିତ ଦିନରେ ସେ ଯେଉଁ କୁମାରଙ୍କୁ ସ୍ୱପ୍ନରେ ଦେଖିବେ ଓ ମିଳିତ ହେବେ ସେହିଁ ତାଙ୍କର ବିଧିନିର୍ଦ୍ଦିଷ୍ଟ ସ୍ୱାମୀ । ଏବେ ଉଷାଙ୍କର ସ୍ୱପ୍ନକୁମାର ହେଲେ ଆପଣ । ସେ ସ୍ୱପ୍ନ ଦେଖିବା ପରେ ଅନେକ ରାଜକୁମାରଙ୍କର ଚିତ୍ରପଟ ମଧ୍ୟରୁ କେବଳ ଆପଣଙ୍କୁହିଁ ଚିହ୍ନିଲେ । ଏବେ ସେ ଆପଣଙ୍କୁ ପାଇବାକୁ ଅତ୍ୟନ୍ତ ବ୍ୟାକୁଳ । ନଚେତ୍ ହୁଏତ ତାଙ୍କର ପ୍ରାଣରକ୍ଷା ଅସମ୍ଭବ ହୋଇଉଠିବ । କୃପାକରି ଆପଣ ଏବେ ମୋ ସହିତ ଚାଲନ୍ତୁ ଓ ମୋ ସଖୀଙ୍କର ଜୀବନ ରକ୍ଷା କରନ୍ତୁ ।”
ଚିତ୍ରରେଖାଙ୍କର କଥା ଶେଷ ହେବା ପରେ ଅନିରୁଦ୍ଧ କହିଲେ, “ଭଉଣୀ, ମୋ କଥା ଶୁଣ । ମୁଁ ମଧ୍ୟ ଦିନେ ରାତ୍ରିରେ ସେହିପରି ଏକ ସ୍ୱପ୍ନ ଦେଖିଲି । ସେହିଦିନଠାରୁ ମୋର ଖିଆପିଆ, ଦିନରାତି କିଛି ମନରେ ଠିକ୍ ରହୁନାହିଁ । ମୁଁ ଅତ୍ୟନ୍ତ ବିବଶ ଓ ଅସହାୟ ହୋଇ ପଡିଛି । ସେଥିପାଇଁ ନୃତ୍ୟଗୀତ ଆଦି ଦ୍ୱାରା ମୋର ମନୋରଞ୍ଜନ କରିବାକୁ ସମସ୍ତେ ଯଥେଷ୍ଟ ଚେଷ୍ଟା କରୁଛନ୍ତି । ମୋ ଅବସ୍ଥା ଦେଖିଲେ ତୁମ ବାକ୍ୟଗୁଡିକ ତ ମୋ ପାଇଁ ମନ୍ତ୍ର ଆଉ ତୁମେହିଁ ମୋ ପାଇଁ ଭାଗ୍ୟଦେବୀ । ଏବେ ତୁମେ ମୋତେ ଉଷା ପାଖକୁ ନେଇ ଚାଲ । ବିଳମ୍ବରେ ପ୍ରୟୋଜନ କ’ଣ?”
ଏକଥା ଶୁଣି ଚିତ୍ରରେଖା ଅତ୍ୟନ୍ତ ଆନନ୍ଦିତ ହୋଇ କହିଲା, “ଆହା ଆପଣଙ୍କ କଥା ଶୁଣି ମୋର ଭୟ ଓ ସନ୍ଦେହ ଅର୍ଦ୍ଧେକ ମାତ୍ରାରେ ଦୂରୀଭୂତ ହୋଇଛି ମୁଁ ଏବେ ଏଠାରୁ ଆପଣଙ୍କୁ ଯଥାଶୀଘ୍ର ନେଇଯିବି, କିନ୍ତୁ ଆପଣଙ୍କୁ ନ ଦେଖି ଆପଣଙ୍କ ପିତାମାତା ଓ ସର୍ବୋପରି ଶ୍ରୀକୃଷ୍ଣ ଯେପରି ମୋତେ ଅଭିଶାପ ନ ଦିଅନ୍ତି । ଆପଣଙ୍କର ସେ ଦାଇତ୍ତ୍ଵ । ଏତିକି କହି ସେ ଅନିରୁଦ୍ଧଙ୍କୁ ଧରି ଆକାଶମାର୍ଗରେ ଉଡିଯାଇ କିଛି ସମୟ ମଧ୍ୟରେ ବାଣାସୁରର ଅନ୍ତଃପୁରରେ ପହଁଚିଲା । ସେ ଦୁହେଁ ତ ଅଦୃଶ୍ୟ ଥିଲେ । ତା’ପରେ ସେମାନେ ଉଷାର କକ୍ଷକୁ ଯାଇ ସେଠାରେ ଦୃଶ୍ୟ ହେଲେ । ଚିତ୍ରରେଖା କହିଲା, “ସଖୀ ଏବେ ତୁମର ପ୍ରିୟତମଙ୍କୁ ନିଅ । ବର୍ତ୍ତମାନ ମୁଁ ମୋର ବଚନ ରକ୍ଷା କଲି । ରାଜପରିବାରରେ ତ ଗାନ୍ଧର୍ବ ବିବାହର ବ୍ୟବସ୍ଥା ଅଛି । ତୁମ ଉପରେ ଦେବୀ ପାର୍ବତୀଙ୍କର କୃପା ଅଛି । ପାର୍ବତୀଙ୍କୁ ସ୍ମରଣ କରି, ତାଙ୍କୁ ଆରାଧନା କରି ତୁମେ ଦୁହେଁ ପରସ୍ପରକୁ ଗ୍ରହଣ କର । ଏଇ ମୁହୂର୍ତ୍ତରୁହିଁ ତୁମେ ଦୁହେଁ ପତିପତ୍ନୀ ହୋଇ ରହିବ ।” ତା’ପରେ ଚିତ୍ରରେଖା ନବବସ୍ତ୍ର ଓ ଫୁଲମାଳା ଇତ୍ୟାଦି ନେଇ ଆସିଲା । ଦୁହେଁ ନବବସ୍ତ୍ର ପରିଧାନ କରି ଫୁଲମାଳା ବଦଳ କରି ଦେବୀ ପାର୍ବତୀଙ୍କୁ ସ୍ମରଣ କଲେ । ଗାନ୍ଧର୍ବ ମତରେ ଅନିରୁଦ୍ଧ ଉଷାଙ୍କର ପାଣିଗ୍ରହଣ କଲେ ।
ସେମାନେ ତ ଅତି ଆନନ୍ଦରେ ରହିଲେ ତେବେ ଏକଥା ବା ଆଉ କେତେଦିନ ଲୁଚି ରହିବ । କ୍ରମେ ଏହି ଖବର ଯାଇ ବାଣାସୁରର କାନରେ ପଡିଲା । ସେ ଏକଥା ଶୁଣି ରାଗରେ ଲାଲ୍ ହୋଇ ଉଠିଲା । ଏସବୁ ତାକୁ ଅତ୍ୟନ୍ତ ଅପମାନଜନକ ମନେ ହେଲା । ଏତେ ପହରା ମଧ୍ୟରେ ଏହା କିପରି ସମ୍ଭବ ହେଲା । ସେ ବହୁତ କ୍ରୋଧ ପ୍ରକାଶ କରି ତା’ର ସୈନ୍ୟମାନଙ୍କୁ ଆଦେଶ ଦେଲା । “ଶୀଘ୍ର ଯାଇ ତାକୁ ବନ୍ଦୀ କର ।”
ଆଦେଶ ପାଇବା ମାତ୍ରେ ଏକ ହଜାର ରାକ୍ଷସ ଅସ୍ତ୍ର ଶସ୍ତ୍ର ସବୁ ଧରି ଅନ୍ତଃପୁରରେ ଆସି ଜମା ହୋଇଗଲେ ଓ କୋଳାହଳ କଲେ, ଅନିରୁଦ୍ଧ ରାଜମହଲ ଉପରେ ଥାଇ ଏସବୁ ଦୃଶ୍ୟ ଦେଖୁଥିଲେ । ତା’ପରେ ସେ ମଧ୍ୟ ସେମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ ।
ଉଷା, ରାକ୍ଷସମାନଙ୍କର ଏତାଦୃଶ କୋଳାହଳ ଦେଖି ଭୟରେ କାନ୍ଦି ଉଠିଲା । ସେ ଅନିରୁଦ୍ଧଙ୍କୁ କହିଲା, “ମୁଁ ଏପରି ଏକ କାର୍ଯ୍ୟ କରିଛି ଯାହା ମୋ ଭଳି କନ୍ୟା କରିବା କଥା ନୁହେଁ । ଏକ ଦିଗରେ ମୁଁ ତ ଏ କୁଳର କଳଙ୍କ । ଆଉ ଅନ୍ୟ ଦିଗରେ ତୁମପରି ଏକ ରାଜକୁମାରଙ୍କୁ ଏପରି ଏକ ମହାବିପଦର ସମ୍ମୁଖୀନ ହେବା ପଛରେ କେବଳ ମୁଁ ହିଁ ଦାୟୀ । ପାର୍ବତୀଙ୍କ କୃପାରୁ ମୁଁ ଯେଉଁ ସ୍ୱର୍ଗୀୟ ଆନନ୍ଦ ଲାଭ କରିଥିଲି ଦେଖୁଛି ତାହା କ୍ଷଣସ୍ଥାୟୀ । ହେ ଭଗବାନ୍, ଏବେ ମୁଁ କ’ଣ କରିବି?” ଏତିକି କହି ସେ ଖାଲି ବିଳାପ କରିବାକୁ ଲାଗିଲା ।
ଅନିରୁଦ୍ଧ ହସି ହସି ଉଷାକୁ ସାନ୍ତ୍ୱନା ଦେଇ କହିଲେ, “କ’ଣ ଏମିତି ହୋଇଛି ଯେ ତୁମେ ଏପରି କାନ୍ଦୁଛ? ବୋଧହୁଏ ତୁମେ ମୋର ପରାକ୍ରମ ବିଷୟରେ କିଛିବି ଜାଣନାହିଁ । ତୁମ ପିତାଙ୍କ ସୈନ୍ୟଦଳ କି ଛାର । ଦେବତାମାନଙ୍କ ସହିତ ସ୍ୱୟଂ ଇନ୍ଦ୍ର ମଧ୍ୟ ଆସିଲେ ଯୁଦ୍ଧରେ ମୁଁ ବିଜୟଲାଭ କରି ପାରିବି । କେଉଁ ବଂଶରେ ମୁଁ ଜନ୍ମ, କାହାର ରକ୍ତ ମୋର ଧମନୀରେ ପ୍ରବାହିତ ତମେ କ’ଣ ତାହା ଜାଣନା? ଅଳ୍ପ ସମୟ ମଧ୍ୟରେ ଏହି ସମଗ୍ର ସୈନ୍ୟବଳଙ୍କୁ ପରାସ୍ତ କରି ମୁଁ ଏହି ନଅରରେ ଶୋଣିତର ସ୍ରୋତ ବୁହାଇ ଏହି ନଗରର ନାମ ସାର୍ଥକ କରିବି । ତୁମେ ଏଇଠି ବସି ମୋର ପରାକ୍ରମ ଦେଖ । ମନ ସ୍ଥିର କର ।”
ଅନ୍ତଃପୁରରୁ ଏକ ଗଦା ହାତରେ ଧରି ଅନିରୁଦ୍ଧ ଏକେଲା ସେ ସୈନ୍ୟମାନଙ୍କ ସହ ଯୁଦ୍ଧ କରିବାକୁ ଲାଗିଲେ । ଶୂନ୍ୟ ମାର୍ଗରେ ଥାଇ ନାରଦ ଏସବୁ ଦେଖୁଥା’ନ୍ତି । ସମସ୍ତ ରାକ୍ଷସ ବୀର ଅନିରୁଦ୍ଧଙ୍କ ଉପରେ ନାନା ପ୍ରକାର ଆୟୁଧରେ ପ୍ରହାର କରୁଥା’ନ୍ତି । କିନ୍ତୁ ଅନିରୁଦ୍ଧଙ୍କର ଭୟଙ୍କର ଗଦା ପ୍ରହାରରେ ଅନେକ ମଲେ, ଅନେକ କ୍ଷତବିକ୍ଷତ ହୋଇ ସେଠାରୁ ପଳାଇ ଯାଇ ବାଣକୁ ଏହି ଖବର ଦେଲେ । ଅନେକେ ପ୍ରାଣଭୟରେ ଯାଇ ଲୁଚିଲେ । ବାଣ ଏସବୁ ଖବର ପାଇ ଭୀଷଣ ଭାବେ କ୍ରୋଧିତ ହୋଇ ସେମାନଙ୍କୁ କହିଲା, “ଲଜ୍ଜା ନାହିଁ, ଜଣେ ସାମାନ୍ୟ ବ୍ୟକ୍ତି ତୁମ ସମସ୍ତିଙ୍କୁ ହରାଇ ଦେଲା । ଯୁଦ୍ଧରେ ହାରି ପଳାଇ ଆସିବାରେହିଁ ବୋଧହୁଏ ତୁମର ଶୌର୍ଯ୍ୟ ସୀମିତ । ଯାଅ ଏବେ ଅଧିକ ସୈନ୍ୟ ସାମନ୍ତ ନେଇ ଶତ୍ରୁକୁ ବିନାଶ କରି ଫେରିଆସ । ସେମାନଙ୍କ ସହିତ କାଳକେୟ ନାମକ ଏକ ବିରାଟକାୟ ରାକ୍ଷସକୁ ମଧ୍ୟ ବାଣ ଅନିରୁଦ୍ଧଙ୍କ ସହିତ ଲଢିବାକୁ ପଠାଇଲା ।
ସେମାନଙ୍କୁ ଦୂରରୁ ଦେଖି ଅନିରୁଦ୍ଧ ତରବାରୀ, ଖଡ୍ଗ ଓ ଗଦା ଇତ୍ୟାଦି ଆୟୁଧ ସହ ପ୍ରସ୍ତୁତ ହୋଇ ରହିଲେ । ତା’ପରେ ଯାଇ ଯୁଦ୍ଧ ଆରମ୍ଭ ହେଲା । ସେ ବିଜୁଳି ଗତିରେ ଅସ୍ତ୍ରଶସ୍ତ୍ର ସବୁ ଚଳାଇ ହଜାର ହଜାର ରାକ୍ଷସ ବଧ କଲେ । ଏସବୁ ନାରଦ ଦେଖି ବଡ ଚମତ୍କୃତ ହେଉଥା’ନ୍ତି । ଅନିରୁଦ୍ଧଙ୍କ ଅଦ୍ଭୁତ ଅସ୍ତ୍ରଚାଳନା ବୋଧେ ଏ ସାରା ସଂସାରରେ ଅଦ୍ୱିତୀୟ । ଅନେକ ଅସୁର ମଲେ । ଅନେକ ପ୍ରାଣ ଭୟରେ ବାଣ ପାଖକୁ ଲେଉଟି ଯାଇ ସମ୍ବାଦ ଦେଲେ । ଏଥର କିନ୍ତୁ ବାଣ ମନରେ ଟିକେ ଆଶଙ୍କା ଦେଖାଦେଲା । ସେ ଭାବିଲା, “ଜଣେ ମାତ୍ର ଯୁବକ ମୋର ଏତେ ବଡ ସୈନ୍ୟବଳକୁ ଛିନ୍ନଛତ୍ର କରିଦେଲା । ଏହା ତ ବଡ ଆଶ୍ଚର୍ଯ୍ୟର କଥା । ମନେହୁଏ ଶତ୍ରୁ ଆଦୌ ସାମାନ୍ୟ ନୁହେଁ । ଯେଉଁଠି ଇନ୍ଦ୍ର ସୁଦ୍ଧା ବାଣାସୁରର ନାମ ଶୁଣି ଭୟରେ କମ୍ପି ଉଠନ୍ତି, ସେଠାରେ ମାତ୍ର ଜଣେ ଯୁବକ ଏପରି ସାହସିକତାର ସହିତ ଲଢି ସମସ୍ତିଙ୍କୁ କିପରି ହରାଇ ଦେଉଛି? କିଏ ଏହି ବୀର? ତାକୁ ଯେ କୌଣସି ମତେ ହରାଇବାକୁ ପଡିବ ।” ଏକଥା ଭାବି ସେ ପୁଣି ତା’ର ସୈନ୍ୟ ସଂଗଠନ କରି ନିଜେ ଯୁଦ୍ଧକୁ ଯିବାପାଇଁ ପ୍ରସ୍ତୁତ ହେଲା ।