ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୃଷ୍ଣାବତାର

ଏ ସମ୍ବାଦ ପାଇବା ପରେ କଂସର ଉତ୍କଣ୍ଠାର ଆଉ କୌଣସି ସୀମା ରହିଲା ନାହିଁ । ସେ ତା’ର ବିଶ୍ୱାସୀ ଅମାତ୍ୟ ଓ ମନ୍ତ୍ରୀମାନଙ୍କର ଏକ ବୈଠକ ଡକାଇ ସେମାନଙ୍କୁ ସେ କହିଲା, “ଶୁଣ, କେତେ କେତେ ରାଜା ମହାରାଜା ମୋ ଆଗରେ ବରଡା ପତ୍ର ଭଳି ଥରନ୍ତି । ଦେବଗଣ ମୋ ଆଗରେ ଛତ୍ରଭଙ୍ଗ ଦିଅନ୍ତି । ଅଥଚ, ଏ ତ ବଡ ଅଜବ କଥା ହେଲା, ଗୋଟାଏ ସାମାନ୍ୟ ବାଳକ କ୍ରମେ ଭୀଷଣ ବଳୁଆ ହୋଇ ଉଠୁଛି – ସତେ ଅବା ଦିନେ ସେ ମୋର ମୁକାବିଲା କରିବ! ନାରଦ ମୋତେ ଦିନେ ଇଙ୍ଗିତରେ କହିଥିଲେ, ମୋତେ ଯିଏ ବଧ କରିବା କଥା, ସିଏ ନିରାପଦରେ ଅନ୍ୟତ୍ର ବଢୁଛି । ଏ ବାଳକ ମୋର ଆଉ ସେହି ଶତୃ ନୁହେଁ ତ? ସେକଥା କିଏ କହିବ? ମୁଁ ଭାବୁଛି, ଯେଉଁ କନ୍ୟା ଦେବକୀ ଗର୍ଭରୁ ଜନ୍ମ ହେବାର ଖବର ମୋତେ ଦିଆଯାଇଥିଲା, ସେ କନ୍ୟା ଆଉ କେହି, ଦେବକୀ ଗର୍ଭଜାତ ସେ ନୁହେଁ । ଦେବକୀ ଗର୍ଭରୁ ନିଶ୍ଚୟ ପୁଅଟିଏ ଜନ୍ମିଥିଲା ଓ ତାକୁ ବସୁଦେବ ଯାଇ ଗୋକୂଳରେ ରଖିଦେଇ ଆସିଛି!”

ଜଣେ ଅମାତ୍ୟ କଂସକୁ ପ୍ରଶ୍ନ କଲେ “ଆଜ୍ଞା, ବସୁଦେବ ତ ଆପଣଙ୍କ ପ୍ରାସାଦ ଭିତରେ ଥିବା କାରାଗାରରେ ବନ୍ଦୀ, ସେ ଯାଇ ତାଙ୍କ ନବଜାତ ସନ୍ତାନକୁ ଆଉ କେଉଁଠି କିପରି ଛାଡି ଆସିଥାନ୍ତେ?”

କଂସ କହିଲା, “ତୁମର ପ୍ରଶ୍ନ ଯଥାର୍ଥ । କିନ୍ତୁ ସେପରି କିଛି ଘଟି ନଥିଲେ ଏ ଅଜବ ପିଲାଟା ସମ୍ଭବ କିପରି ହେଲା? ବର୍ତ୍ତମାନ ବସୁଦେବକୁ ଆଣି ଧମକ ଚମକ ଦେଲେ ସେ ହୁଏତ ସବୁ ସତ ସତ ମାନି ଯିବେ ।”

କଂସର ନିର୍ଦ୍ଧେଶ କ୍ରମେ ତା’ ଅନୁଚରମାନେ କାରାକକ୍ଷରୁ ବସୁଦେବଙ୍କୁ ନେଇ ଆସିଲେ । ତାଙ୍କୁ ଆସନ ଦେଇ କଂସ ହଠାତ୍ ଗର୍ଜନ କରି କହିଲା, “ବସୁଦେବ! ତମେ ମୋର ଭଗ୍ନୀପତି ଭାବରେହିଁ ଯେତିକି ମର୍ଯ୍ୟାଦା ପାଉଛ । ଠିକ୍ କଥା ନା ନୁହେଁ?”

ବସୁଦେବ ଆଉ କ’ଣ କହିବେ? କଂସର ଭଗ୍ନୀପତି ହୋଇ ସେ କାରାଯନ୍ତ୍ରଣା ଭୋଗୁଛନ୍ତି; ଏକ ପରେ ଏକ ନିଜ ସନ୍ତାନମାନଙ୍କର ବିନାଶ ଦେଖୁଛନ୍ତି । କଂସ ଯଦି ଏଡେ ମୁଢ ଯେ ଏହାକୁ ମର୍ଯ୍ୟାଦା ବୋଲି କହିବ, ସେ ତା’ର ଉତ୍ତର କ’ଣ ଦେବେ? ସେ ନୀରବରେ ତଳକୁ ଅନାଇ ବସି ରହିଲେ ।

କଂସ ଗର୍ଜନ ତର୍ଜନ କରି କହିଲା, “ତମେ ଭାବୁଛ, କିଛି ନ କହିଲେ ତମେ କ’ଣ ନିର୍ଦୋଷ ବୋଲି ପ୍ରମାଣ ହୋଇଯିବ? ନନ୍ଦ ପରିବାରରେ ରହି ନାନା ପ୍ରକାର ଅସମ୍ଭବ କାମ କରୁଥିବା ସେ ଟୋକାଟା କିଏ? ଜବାବ୍ ଦିଅ ।”

ବସୁଦେବ କିଛି କହିଲେ ନାହିଁ ।

କଂସ ପୁଣି କହିଲା, “ମୁଁ ଜାଣେ, ମୋତେ ମାରି ମୋ ରାଜ୍ୟ ମାଡି ବସିବା ହେଉଛି ତମର ସ୍ୱପ୍ନ । ହେଲେ ମନେରଖ, ତମର ସେ ସ୍ୱପ୍ନ ସ୍ୱପ୍ନରେହିଁ ରହିଯିବ । ମୋ ଆଗରୁ ଇନ୍ଦ୍ର ବି ପଳାଇବାକୁ ବାଟ ପାଇବ ନାହିଁ । ତମେ କେତେକର ମଣିଷ? ସେ ଗାଈଜଗା ଟୋକା ବା ମୋର କ’ଣ କରିପାରିବ?”

ବସୁଦେବ ଏଥର କହିଲେ, “କଂସ! ତମେ କାହିଁକି ଭାବୁଛ ଯେ ତମର ଅନିଷ୍ଟ କରିବାକୁ ସମସ୍ତେ ତତ୍ପର ବୋଲି? ତମ ନିଜ ପାପ ତମକୁ ଦଂଶନ କରୁଛି । ତମେ ଛଟପଟ ହେଉଛ । ସେଥିପାଇଁ ଅନ୍ୟ କାହାକୁ ଦାୟୀ କଲେ କ’ଣ ହେବ?”

“ଚୁପ୍ କର!” କଂସ ପାଟି କରି ବସୁଦେବଙ୍କୁ କାରାଗାରକୁ ପଠାଇଦେଲା । ତା’ପରେ ସେ ଅମାତ୍ୟମାନଙ୍କୁ କହିଲା, “ଧନୁ ଉତ୍ସବର ସମୟ ହୋଇ ଆସିଲାଣି । ଏବର୍ଷ ବିଶେଷ ଜାକଜମକରେ ଉତ୍ସବ କରିବା । ଆମର ବଡ ବଡ କୁସ୍ତି ବିଦ୍ମାନେ ସେମାନଙ୍କ ବିଦ୍ୟା ଦେଖାଇବେ । କୃଷ୍ଣ ତା’ ଭାଇ ବଳରାମ ପରା ଆଜି ଷଣ୍ଢ, କାଲି ବିରାଟ ସାପ – ଏମିତି କେତେ କ’ଣ ମାରି ପକାଇଛନ୍ତି? ବେଶ୍ । ସେମାନେ ବି ଆସି ଏଠି ଆମ ଲୋକଙ୍କ ସହ ଲଢନ୍ତୁ । ମଜା ଦେଖିବା । ସେମାନଙ୍କୁ ବି ଆମେ ଖୁବ୍ ମଜା ଦେଖାଇବା । କ’ଣ କହୁଛ ସଭାସଦ୍ଗଣ?”

ଅମାତ୍ୟମାନେ କହିଲେ “ଖୁବ୍ ଭଲ ହେବ । ଏଥର ଉତ୍ସବ ବିଶେଷ ଆଡମ୍ବରରେ ହେବାର ଆଦେଶ ଦିଅନ୍ତୁ ।”

କଂସ ସେହି ଅନୁସାରେ ଆଦେଶ ଘୋଷଣା କରିଦେଲା । ତା’ପରେ ଜଣେ ବିଶିଷ୍ଟ ବ୍ୟକ୍ତି ଅକ୍ରୁରଙ୍କୁ ଡାକି କହିଲା, “ତମେ ଗୋକୂଳ ଯାଅ । ନନ୍ଦକୁ କହିବ ଏଥର ଧନୁଯାତ୍ରା ପାଇଁ ଯେତେ ପାରିବ ଦୁଧ ଦହି ପଠାଇବ । ତତ୍ସଙ୍ଗେ ସଙ୍ଗେ ସେ ନିଜେ ବି ସପରିବାରେ ଆସିବାକୁ ମୋର ନିର୍ଦ୍ଧେଶ ଜଣାଇଦେବ । ବିଶେଷ କରି କୃଷ୍ଣ ବଳରାମ ନିଶ୍ଚେ ଆସିବେ – ଏହାହିଁ ମୋର ଇଚ୍ଛା । ତମର ନନ୍ଦ ପ୍ରତି ବିଶେଷ ବନ୍ଧୁଭାବ ଅଛି ବୋଲି ମୁଁ ଜାଣେ । ତେଣୁ ତମେ ଯାଅ ।”

ଏହାପରେ କଂସ ପୁଣି ବସୁଦେବଙ୍କୁ ଗାଳି ଗୁଲଜ କରିବାକୁ ଆରମ୍ଭ କରନ୍ତେ ଅନ୍ଧକ ନାମକ ଜଣେ ବୟୋବୃଦ୍ଧ ଅମାତ୍ୟ ତାକୁ କହିଲେ, “କଂସ! ତମେ ଏ ନିରପରାଧ ବ୍ୟକ୍ତିଙ୍କୁ କାହିଁକି ଭଲା ଏତେ କୁକଥା କହୁଛ? ତମେ ଏଥିରୁ କ’ଣ ଲାଭ ପାଉଛ? ସେ ଯେପରି ଅବସ୍ଥାରେ ଅଛନ୍ତି, ତାହା କ’ଣ ଯଥେଷ୍ଟ ଯନ୍ତ୍ରଣା ଦାୟକ ନୁହେଁ? ତମେ ପୁଣି ବୋଝ ଉପରେ ଲଳିତାବିଡା ଥୋଇବା ଭଳି ଗୁଡାଏ ବକି ତାଙ୍କୁ କଷ୍ଟ ଦେବ?”

କଂସ ବୃଦ୍ଧଙ୍କଠୁଁ ଏକଥା ଶୁଣି କିଛି ଶିଖିବା ତ ଦୂରର କଥା, ଓଲଟି ତାଙ୍କୁ ସେଠାରୁ ସେ ତଡିଦେଲା ଓ ନିଜେ ରାଗ ତମତମ ହୋଇ ଉଆସ ଭିତରକୁ ପ୍ରସ୍ଥାନ କଲା ।

କିନ୍ତୁ ଅକ୍ରୁରଙ୍କୁ ପଠାଇ କୃଷ୍ଣ ବଳରାମଙ୍କୁ ମଥୁରାକୁ ଅଣାଇ ସେମାନଙ୍କ ନିଧନ ଚେଷ୍ଟା କରିବା ଯାଏଁ ତା’ର ଧୈର୍ଯ୍ୟ ରହୁଛି କାହିଁ? ସେ କେଶୀ ନାମକ ରାକ୍ଷସକୁ ଅନେକ ପ୍ରକାର ନିର୍ଦ୍ଧେଶ ଦେଇ ତାକୁ ଗୋକୂଳକୁ ପଠାଇଦେଲା । କେଶୀ ଗୋଟାଏ ଉନ୍ନତ ଅଶ୍ୱ ବେଶରେ ଯାଇ ସେ ମୁଲକରେ ପହଁଚି ନାହିଁ ନଥିବା ଉତ୍ପାତ ଆରମ୍ଭ କଲା । ଗୋରୁଗାଈମାନଙ୍କ ଉପରକୁ ଲଂପ ଦେଇ ସେମାନଙ୍କୁ ଭୂତଳଶାୟୀ କରି ସେମାନଙ୍କୁ ଚିରି ପକାଇ ସେମାନଙ୍କ ରକ୍ତ ସେ ପିଇଯିବାକୁ ଲାଗିଲା । ଗୋଟାଏ ଘୋଡା ପୁଣି ଏମିତି କାଣ୍ଡ କରିବ, ଏକଥା ତ କେହିବି କଳ୍ପନା କରି ନଥିଲେ । ଲୋକେ ବିବ୍ରତ ହେଲେ ।

ଶ୍ରୀକୃଷ୍ଣ ବୁଝିଲେ ଏ ଘୋଡାଟିର ଅସଲ ରୂପ କ’ଣ? ଦିନେ ଘୋଡା ଉନ୍ନତ ଭାବରେ ଦୌଡି ଆସୁଥିବା ବେଳେ ସେ ତା’ ଆଗକୁ ଯାଇ ତାଳି ବଜାଇଲେ । ଘୋଡା ତାଙ୍କରି ଆଡେ ମାଡି ଆସିଲା । ଶ୍ରୀକୃଷ୍ଣ ତା’ ବସ୍ଫାରିତ ମୁହଁ ଭିତରେ ହାତ ଭର୍ତ୍ତି କରି ତା’ ଜିଭଟିକୁ ଧରି ପକାଇଲେ । ଏଡେ ପ୍ରଚଣ୍ଡ ଘୋଡା ସେମିତି ଠିଆ ହୋଇ ରହିଲା । ବିଶେଷ କିଛି ନକରି ଶ୍ରୀକୃଷ୍ଣ ଅନ୍ୟ ହାତରେ ତାକୁ ଗୋଟାଏ ଚାପୁଡା ମାରିଲେ ।

ସେ କଂସ ଦିନେ ଗୋପନରେ ତା’ର ସବୁଠାରୁ ବିଶ୍ୱାସୀ ମନ୍ତ୍ରୀମାନଙ୍କୁ ଡକାଇ କହିଲା, “ଆଜି ତମମାନଙ୍କ ଆଗରେ ମୋର ପ୍ରକୃତ ଭୟ ପ୍ରକାଶ କରିବାକୁ ମୁଁ କୁଣ୍ଠିତ ନୁହେଁ । ଗୋକୂଳରେ ବଢୁଥିବା ସେ ଟୋକା କଥା ଯେତେ ଭାବୁଛି, ମୁଁ ସେତେ ବିଚଳିତ ଅନୁଭବ କରୁଛି । କିଏ ସେ? ଦୈବବାଣୀ କ’ଣ ତା’ହେଲେ ସତ ହେବ? ମୁଁ ଦେବକୀ ବସୁଦେବଙ୍କୁ କାରାରୁଦ୍ଧ କରି, ସେମାନଙ୍କ ନବଜାତ ଶିଶୁମାନଙ୍କୁ ହତ୍ୟା କରି ତେବେ କି ଲାଭ ପାଇଲି?”

ମନ୍ତ୍ରୀମାନେ କହିଲେ, “ଆଜ୍ଞା, ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ । ସେ ପିଲାଟି ଯିଏ ହେଉ ନା କାହିଁକି ଧନୁ ଉତ୍ସବ ବେଳେ ତାକୁ ଶେଷ କରିଦେବା । ସେ ପିଲା ହୁଏତ କିଛି ଯାଦୁ ଜାଣେ? ତାହାରି ବଳରେ ଅନ୍ୟମାନଙ୍କୁ ସେ ହଇରାଣ କରି ଦେଉଛି । କିନ୍ତୁ ଆପଣଙ୍କ ଆଗରେ କ’ଣ ତା’ର କୌଣସି ଯାଦୁ କାମ କରିବ?”

କଂସ ସଗର୍ବ ହସି ହସି କହିଲା “ଅବଶ୍ୟ ମୋ ଆଗରେ କୌଣସି ଯାଦୁ କାମ କରିବ ନାହିଁ ।”

ମନ୍ତ୍ରୀମାନେ କହିଲେ “ତା’ ହେଲେ ଆଉ ଚିନ୍ତା କ’ଣ? ଆପଣ ଏଥର ନିଶ୍ଚିନ୍ତ ରହନ୍ତୁ । ଯଥା ସମୟରେ ଆପଣଙ୍କ ଚିନ୍ତାର ହେତୁ ଦୂର ହୋଇଯିବ ।”

କଂସ ସେମାନଙ୍କ କଥାରେ ଏକମତ ହୋଇ କହିଲା “ଅବଶ୍ୟ!”

ଘୋଡା ପ୍ରାଣ ହରାଇ ପଡିଗଲା ବେଳକୁ କେଶୀ ରାକ୍ଷସରେ ସେ ପରିଣତ ହେଲା ।

“ଆରେ, ଆରେ, ଇଏତ ରାକ୍ଷସ କେଶୀ । ଇଏ ପୁଣି ଏଠାକୁ କି ଉଦ୍ଧେଶ୍ୟରେ ଆସି ଏପରି ଉତ୍ପାତ କରୁଥିଲା?” ବଡମାନେ ଏ ପ୍ରଶ୍ନ ପଚାରି ପରସ୍ପର ଆଡେ ଅନାଇଲେ । କେଶୀର ଉପଦ୍ରବରୁ ସେମାନଙ୍କୁ ରକ୍ଷା କରିଥିବା ଯୋଗୁଁ ଶ୍ରୀକୃଷ୍ଣଙ୍କୁ ସେମାନେ ଫୁଲମାଳ ପିନ୍ଧାଇ ଅଭିନନ୍ଦିତ କଲେ ।

ଏହା ପରେ ପରେ ସେଠାରେ ଅକ୍ରୁର ଆସି ପହଁଚିଲେ ।

ଅକ୍ରୁରଙ୍କୁ ଦେଖି ଖାଲି ନନ୍ଦ ଯେ ଅତ୍ୟନ୍ତ ପ୍ରୀତ ହେଲେ, ତାହା ନୁହେଁ, ତାଙ୍କ ପରିବାରର ସମସ୍ତେ ଅତି ଆନନ୍ଦରେ ତାଙ୍କୁ ସ୍ୱାଗତ ବି କଲେ । କାହିଁକିନା ଅକ୍ରୁରଙ୍କ ପ୍ରତି ସମସ୍ତଙ୍କର ପ୍ରଗାଢ ଶ୍ରଦ୍ଧା ଓ ସମ୍ମାନ ଥାଏ । ତାଛଡା ସେ ପୁଣି ବହୁଦିନ ଧରି ଗୋକୂଳକୁ ଆସିବାର କୌଣସି ସୁଯୋଗ ପାଇ ନଥିଲେ ।

ଅକ୍ରୁର କାହିଁକି ଆସି ଗୋକୂଳରେ ପହଁଚିଥାନ୍ତି ସେକଥା ଅବଶ୍ୟ କେହି ମଧ୍ୟ ଜାଣି ନଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ