ଧନୁ ଭାଙ୍ଗିବା ପରେ କୃଷ୍ଣ ବଳରାମ ସେଠାରୁ ଅନ୍ୟତ୍ର ଗଲେ । ମହା କୋଳାହଳ ହେଲା । ଜନତା ଏକଜୁଟ ହୋଇ ପାଶ୍ୱର୍ସ୍ଥ ଶସ୍ତ୍ରାଗାର ମଧ୍ୟରେ ପଶିଲେ । କିନ୍ତୁ ରାଜକର୍ମଚାରୀମାନେ ସେମାନଙ୍କ ସେଠାରୁ ବାହାର କରି ଦେଇ କବାଟ ବନ୍ଦ କଲେ ଓ ରାଜାଙ୍କୁ ଖବର ଦେବାକୁ ଅଗ୍ରସର ହେଲେ ।
ଖବର ପାଇ କଂସ ଗଭୀର ଚିନ୍ତାରେ ମଗ୍ନ ହେଲା । ତା’ପରେ ସେ ଧନୁଉତ୍ସବ ପାଇଁ ସଜା ହୋଇଥିବା ମଣ୍ଡପ ଓ ମହଲ ଦେଖିବାକୁ ଗଲା । ନାନା ଶିଳ୍ପ ଓ ମୂଲ୍ୟବାନ୍ ରଙ୍ଗବେରଙ୍ଗର ବସ୍ତ୍ର ଦ୍ୱାରା ଓ ଫୁଲ ଦ୍ୱାରା ତୋରଣ ଓ ମଣ୍ଡପ ସବୁ ସଜା ହୋଇଥାଏ । ଏସବୁ ଦେଖିସାରି କଂସ ନିଜ ମହଲକୁ ଫେରିଗଲା । ସେଠାକୁ ସେ ତା’ର ଦୁଇ ଶ୍ରେଷ୍ଠ ମଲ୍ଲଯୋଦ୍ଧାଙ୍କୁ ଡକାଇ କହିଲା, “ଶୁଣ, ତୁମେ ଦୁହେଁ ମଲ୍ଲଯୁଦ୍ଧରେ ସାରା ପୃଥିବୀରେ ଶ୍ରେଷ୍ଠ । ବଳରାମ ଓ କୃଷ୍ଣ ଏ ଦୁଇଭାଇଙ୍କ କଥା ତ ଶୁଣିଛ । ବଣରେ ବୁଲୁଥିବା ଏହି ଦୁଇଜଣଙ୍କର କିଛିବି ଶକ୍ତି ନାହିଁ । କିନ୍ତୁ ତୁମ ନିକଟକୁ ସେମାନେ ଆସିବାବେଳେ ତମେମାନେ ବିନା ଦ୍ୱିଧାରେ ଓ ଡେରି ନ କରି ତାଙ୍କୁ ମାରିଦେବ ।”
ଦୁଇ ମଲ୍ଲଯୋଦ୍ଧା କହିଲେ “ମହାରାଜ! ସାମାନ୍ୟ ଦୁଇଟା ବାଳକଙ୍କୁ ମାରିବା ନିମନ୍ତେ ଆମ୍ଭମାନଙ୍କୁ ପ୍ରୟୋଗ କରିବାର କ’ଣ ବା ଆବଶ୍ୟକ? ଆମ୍ଭେମାନେ ସିନା ବଡ ବଡ ବୀରମାନଙ୍କୁ ପରାସ୍ତ କରି ଆପଣଙ୍କ ଟେକ ରଖିବା କଥା! ଯେଉଁ କାମ କରିବାକୁ ଆପଣ କହୁଛନ୍ତି, ତାହା ତ ଆମର ଯେ କୌଣସି ଜଣେ ଶିଷ୍ୟବି କରିପାରିବ!”
ଏହା ଶୁଣି କଂସ ଟିକିଏ ଅପ୍ରତିଭ ହେଲା । ତା’ପରେ ସେ କହିଲା, “କଥା କ’ଣ କି, ବଣରେ ବୁଲାବୁଲି କରି ସେ ଦୁଇଟା ଟୋକା କିଛି ଅଜଣା ଫଳମୂଳ ଖାଇ ସେମାନଙ୍କ ବୟସ ତୁଳନାରେ ଅଧିକ ବଳବାନ ହୋଇ ଯାଇଛନ୍ତି ବୋଲି ମୋର ଧାରଣା । ତମର ଶିଷ୍ୟମାନେ କାଳେ ସେମାନଙ୍କୁ କାବୁ କରିପାରିବେ ନାହିଁ, ଏ ଆଶଙ୍କା ରହିଛି ।”
ରାଜାଙ୍କ କଥା ଶୁଣି ସେ ଦୁଇଜଣ ମହା ଖୁସି ହୋଇ କହିଲେ, “ମହାରାଜ, ଛାର ଦୁଇଟା ଟୋକା ପୁଣି ଆମ ହାତରୁ ଖସିଯିବେ? ପାଖକୁ ଆସିବା ମାତ୍ରେ ଆମେ ତାଙ୍କୁ ମାରି ଫୋପାଡି ଦେବୁ । ଆମ ପାଇଁ ଏଇଟା କେଉଁ ଏକ ବଡ କାମ ଯେ? ଆପଣ ଖାଲି ଦେଖିଯାନ୍ତୁ ଆଗକୁ କ’ଣ ସବୁ ହେଉଛି ।” ଏତିକି କହି ସେମାନେ ନିଜ ନିଜ ଘରକୁ ଫେରିଗଲେ ।
ସେମାନେ ସେଠୁ ଯିବା ପରେ ମଧ୍ୟ କଂସ ଆଉ ଶାନ୍ତିରେ ରହିପାରିଲା ନାହିଁ । କାରଣ ତା’ର ମନେ ପଡିଲା କୃଷ୍ଣଙ୍କୁ ମାରିବା ପାଇଁ ଅତୀତରେ ସେ ଯେତେ ସବୁ ବଡ ବଡ ରାକ୍ଷସମାନଙ୍କୁ ପଠାଇଥିଲା ସେ ସମସ୍ତେ ମରିଛନ୍ତି । ସେହି କଥାକୁ ନେଇ ତା’ର ମନ ପୁଣି ଅସ୍ଥିର ହେଲା । ତା’ର ହଠାତ୍ କୁବଳୟା ହାତୀ କଥା ମନେ ପଡିଲା । ପୁଣି ମହାମାତ୍ରୁ ନାମକ ଏକ ରାକ୍ଷସକୁ ସେ ଡକାଇ କହିଲା, “ତୁ ତ ମୋର ଘନିଷ୍ଠ ମିତ୍ର ପରି । ସେ ବସୁଦେବ ପୁତ୍ରଦ୍ୱୟ ଖୁବ୍ ଦୁଷ୍ଟ ଓ ବଳବାନ୍ ମଧ୍ୟ । କାଲି ସେମାନେ ରାଜମହଲରେ ପ୍ରବେଶ କରିବା ପୂର୍ବରୁ ତୁ କୁବଳୟା ହାତୀକୁ ନେଇ ରାଜଦ୍ୱାରରେ ଥିବୁ । ସେମାନେ ପ୍ରବେଶ କରିବାକୁ ଚେଷ୍ଟା କରିବା ମାତ୍ରେ ତାଙ୍କ ଉପରେ ହାତୀ ଚଳାଇ ନେବୁ ।”
ମହାମାତ୍ରୁ କହିଲା “ହାଃ ହାଃ ମହାରାଜ! ଏହା ବେଶ ମଜାର କଥା ହେବ । କିଛିଦିନ ହେଲା ହାତୀଙ୍କୁ ଏଭଳି କୌଣସି କାମରେ ଆମେ ଲଗାଇ ନାହୁଁ ।”
କଂସ ସତର୍କ କରାଇ କହିଲା “କିନ୍ତୁ ଏ କାମଟି ଅତି ସାବଧାନରେ କରିବାକୁ ହେବ । ମୁଁ କ’ଣ ଶୁଣିଛି ସେ ପିଲା ଦୁଇଟି କୁଆଡେ ଆତ୍ମରକ୍ଷାର ଅନେକ କୌଶଳ ଶିଖିଛନ୍ତି ବୋଲି । ତୁ ଏହାକୁ ଅତି ସାଧାରଣ ବା ସହଜ କାମ ବୋଲି ଭାବିବା ମୋଟେ ଠିକ୍ ହେବ ନାହିଁ ।”
ମହାମାତ୍ରୁ କହିଲା “ଯେ ଆଜ୍ଞା ମହାରାଜ!”
ମହାମାତ୍ରୁ ସେଠାରୁ ଘରକୁ ଯାଇ ଆଗାମୀ କାଲିର ଯୁଦ୍ଧ ପାଇଁ ନିଜର ଭୟଙ୍କର ହାତୀ କୁବଳୟାକୁ ନାନା ଭାବରେ ଶିକ୍ଷା ଦେଲା ଓ ତାକୁ ବହୁତ ମଦ୍ୟ ମଧ୍ୟ ପାନ କରିବାକୁ ସେ ଦେଲା । କାରଣ ତଦ୍ୱାରା ହାତୀର ଉନ୍ମାଦ ଅବସ୍ଥା ଆସିଲେ ସେ ଅଧିକ ଜୋର୍ରେ ଯୁଦ୍ଧ କରିପାରିବ ।