ପରଦିନ ଧନୁ ଉତ୍ସବ ପାଇଁ ସଜ୍ଜିତ ସ୍ଥାନକୁ ସମସ୍ତେ ଆସି ନିଜ ନିଜ ଆସନ ଗ୍ରହଣ କଲେ ଓ କୃଷ୍ଣ ବଳରାମଙ୍କୁ ପ୍ରତୀକ୍ଷା କରି ରହିଲେ । କଂସ ଏକ ଉଚ୍ଚ ମଣ୍ଡପ ଉପରେ ଥିବା ସୁବର୍ଣ୍ଣ ଆସନ ଉପରେ ସଜ୍ଜିତ ହୋଇ ବସିଥାଏ । ଚାଣୁର ଓ ମୁଷ୍ଟିକ ଦୁହେଁ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରଙ୍ଗ ସ୍ଥଳୀରେ ଯାଇ ପ୍ରବେଶ କଲେ । ମହାମାତ୍ରୁ କୁବଳୟା ଉପରେ ବସି ମୁଖ୍ୟ ଦ୍ୱାର ପାଖରେ କୃଷ୍ଣ ବଳରାମଙ୍କୁ ଅପେକ୍ଷା କରିଥାଏ ।
କିଛି ସମୟ ପରେ କୃଷ୍ଣ ବଳରାମ ମୁଖ୍ୟ ପ୍ରବେଶ ଦ୍ୱାରର ସମୀପରେ ଆସି ପହଁଚିଲେ । ସଭାରେ ଉପସ୍ଥିତ ବ୍ୟକ୍ତିଗଣ ଅତ୍ୟନ୍ତ ଆଶ୍ଚର୍ଯ୍ୟ, କୌତୁହଳ ଓ ଆଉ କେତେକ ମଧ୍ୟ ସ୍ନେହ ସହ ସେ ଦୁଇଭାଇଙ୍କୁ ଖାଲି ନିରୀକ୍ଷଣ କରିବାକୁ ଲାଗିଲେ । ସମସ୍ତେ ନାନା ପ୍ରକାରର ଧ୍ୱନୀ କଲେ ଓ ବାଦ୍ୟବୃନ୍ଦ ମଧ୍ୟ ଅଧିକ ଜୋର୍ରେ ବାଜି ଉଠିଲା । ସେହି କୋଳାହଳ ମଧ୍ୟରେ ମହାମାତ୍ରୁ କୁବଳୟା ହାତୀକୁ କୃଷ୍ଣଙ୍କ ଉପରକୁ ମାଡିଯିବାକୁ ସଙ୍କେତ ଦେଲା ।
ଦୂରରୁ ଏସବୁ ଦେଖି କୃଷ୍ଣ ବଳରାମଙ୍କୁ କହିଲେ, “ଭାଇ, ଦେଖ ଆମକୁ ମାରିବା ପାଇଁ କଂସ କିପରି ମତହସ୍ତୀକୁ ପ୍ରବେଶ ପଥରେ ହିଁ ରଖିଛି । ବିଚରା ଜାଣେନାହିଁ ଆଜିହିଁ ତାହାର ଶେଷଦିନ । ଏବେ ତମେ ମୋର ଗତିବିଧି ସାବଧାନତା ସହ ନିରୀକ୍ଷଣ କର ।” ଏତିକି କହି ସେ ଆଗକୁ ଗଲେ ।
ପ୍ରଥମେ ତ ଲୋକଙ୍କର କୌତୁହଳ ବଢାଇବାକୁ ସେ ହାତୀ ସହିତ ନାନା ପ୍ରକାର ଖେଳ ଖେଳିଲେ । ହାତୀ ପ୍ରଥମେ ଦୌଡି ଆସି କୃଷ୍ଣଙ୍କ ଉପରେ ଶୁଣ୍ଢ ପ୍ରହାର କଲା । କୃଷ୍ଣ ଅଳ୍ପ ହସି ସେଇ ଶୁଣ୍ଢକୁ ଧରି ହାତୀ ଉପରକୁ ଚଢିଯାଇ ତା’ର ଦାନ୍ତ ଉପରେ ଛିଡା ହୋଇ ଅଳ୍ପ ଅଳ୍ପ ହସିଲେ । ତା’ପରେ ପୁଣି ହାତୀ ଶୁଣ୍ଢରେ ତଳକୁ ଆସି ସେ ହାତୀ ପେଟତଳେ ପଶି ଏପଟରୁ ସେପଟକୁ ଯାଉ ଥାଆ’ନ୍ତି । ବିଚରା ହାତୀ ଘୁରି ଘୁରି ତାଙ୍କୁ ଖାଲି ଦେଖିବାକୁ ଚେଷ୍ଟା କରୁଥାଏ । ସେ ଘୁରି ଘୁରି ଶେଷକୁ ହାତୀର ଲାଞ୍ଜ ଧରି ତାକୁ ପଛକୁ ଘୋଷାଡି ନେଲେ । ହାତୀ ରାଗି ଗଲା । କ୍ରମେ କୃଷ୍ଣ ଓ ହାତୀ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା । ଶେଷକୁ ହାତୀର ଦାନ୍ତ ଉପାଡି ସେଇଥିରେ ସେ ତା’କୁ ବାଡେଇ ମାରିଲେ ଓ ତା’ର ମାହୁନ୍ତକୁ ମଧ୍ୟ ସେ ମାରିଲେ ।
ରକ୍ତାକ୍ତ ଦାନ୍ତକୁ ଧରି କୃଷ୍ଣ ସଭାସ୍ଥଳୀରେ ଆସି ପ୍ରବେଶ କଲେ । ସେଠାରେ ଚାଣୁର କୃଷ୍ଣଙ୍କ ସହିତ ମଲ୍ଲଯୁଦ୍ଧ କରିବାକୁ ପ୍ରସ୍ତୁତ ଥିଲା । ମୁଷ୍ଟିକ ମଧ୍ୟ ବଳରାମଙ୍କ ଆଡେ ମାଡି ଆସିଲା ।
କୃଷ୍ଣ ବଳରାମ ସତେ ଅବା କିଛି ହୋଇନାହିଁ, ସାମାନ୍ୟ କିଛି ବାଧା ଅତିକ୍ରମ କରି ସେ ଦୁହେଁ ଭିତରକୁ ଆସୁଛନ୍ତି, ଏହିପରି ମନୋଭାବ ଦେଖାଇ ସଭା ଭିତରକୁ ସେମାନେ ପ୍ରବେଶ କରୁଥାନ୍ତି । ଚାଣୁର ଓ ମୁଷ୍ଟିକ କିନ୍ତୁ ନିଜ ନିଜ ମାଂଶପେଶି ଦେଖାଇ, ବିକଟ ହସ ହସି ସେମାନଙ୍କୁ ସାମ୍ନା କଲେ ।
ଚାଣୁର କୃଷ୍ଣଙ୍କୁ ଯୁଦ୍ଧକୁ ଆହ୍ୱାନ କରୁ କରୁ କହିଲା, “ଦୁଇଜଣ ଗାଈରଖା ଟୋକା ବହୁତ ଖ୍ୟାତି ଅର୍ଜିଛ ଶୁଣିଲି । ଆଜି ତୁମର ଅନ୍ତିମ ଯୁଦ୍ଧ । ତା’ପରେ ମୁଁ ତୁମକୁ କାଳ ହାତରେ ସମର୍ପଣ କରିବି ।”
କୃଷ୍ଣ ଅଳ୍ପ ହସି ନିଜ କଣ୍ଠସ୍ୱର ନିମ୍ନ କରି ସେ ମଲ୍ଲଯୋଦ୍ଧାକୁ କହିଲେ, “ବିଚରା ମୁଢ କଂସ ତୁମମାନଙ୍କ ଉପରେ କି ବିଶ୍ୱାସ ଆସ୍ଥା ରଖି ବସିଛି । ସେଥିପାଇଁ ସାରା ଶକ୍ତି ଓ କୌଶଳ ଖଟାଇ ମୋ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇ ଆସିଛ?”
ତା’ପରେ ସେ ଦୁହିଁଙ୍କର ଘୋର୍ ଯୁଦ୍ଧ ହେଲା । ଏକ ପକ୍ଷରେ ପର୍ବତ ପରି ବିଶାଳକାୟ ଚାଣୁର । ଅନ୍ୟ ପକ୍ଷରେ କୋମଳମତି ବାଳକ କୃଷ୍ଣ । ଏସବୁ ଘଟଣା ଦେଖି ଯାଦବମାନେ ଖୁବ୍ ବ୍ୟସ୍ତ ହୋଇ ପଡିଲେ, କହିଲେ, “ଏ ତ ଘୋର୍ ଅନ୍ୟାୟ । ପାଖରେ ମଧ୍ୟ ସାହାଯ୍ୟ କରିବାକୁ କେହି ନାହାଁନ୍ତି । ଏଠାରେ ତ ମନୋରଞ୍ଜନ କାର୍ଯ୍ୟକ୍ରମ ହେଉଛି । କିନ୍ତୁ ଅସହାୟ ଭାବରେ ଅତିଥି ରୂପେ ଆସିଥିବା ଏତେ ଛୋଟ ବାଳକ ସହିତ ଭୟଙ୍କର ମଲ୍ଲକୁ ଯୁଦ୍ଧ କରିବାକୁ କିପରି ଦିଆଯାଇଛି? ଏବେ ଯେତିକି ହେଲାଣି ଯଥେଷ୍ଟ । ରାଜାଙ୍କୁ କହି ଏ ମଲ୍ଲଯୁଦ୍ଧ ବନ୍ଦ କରି ଦିଆଯାଉ ଓ ସେମାନଙ୍କର ଉପଯୁକ୍ତ ସତ୍କାର କରାଯାଉ ।”
ଯାଦବମାନଙ୍କ ଭିତରେ କ୍ରମେ ଉଦ୍ବେଗ ଓ କୋଳାହଳ ବଢିବାକୁ ଲାଗିଲା । ସେମାନେ ବୁଝିଲେ ଯେ କଂସ ଜାଣିଶୁଣି କୃଷ୍ଣ ବଳରାମଙ୍କୁ ନିଧନ କରିବା ନିମନ୍ତେ ଏଭଳି ବଳବାନ୍ ମଲ୍ଲଯୋଦ୍ଧାମାନଙ୍କୁ ନିଯୁକ୍ତ କରିଛି । ସେମାନେ କିପରି ନୀରବରେ ବସି ରହି ଏ ଭୟଙ୍କର ଅନ୍ୟାୟ ସହନ କରିବେ? କିନ୍ତୁ ସେମାନେ ଆଉ କ’ଣ ବା କରିପାରିବେ?
କୃଷ୍ଣଙ୍କ କାନରେ ସେମାନଙ୍କ କୋଳାହଳ ପଡିଲା ।
କୃଷ୍ଣ ଅଳ୍ପ ହସି ଯାଦବଙ୍କୁ କହିଲେ, “ଆପଣମାନେ ଚୁପ୍ଚାପ୍ ବସି ଯୁଦ୍ଧ ଦେଖନ୍ତୁ । ମନୋବଳ, ପରାକ୍ରମ, ସହନଶୀଳତା, ଉତ୍ସାହ ଓ ବିଜୟର ପ୍ରଦର୍ଶନ କରିବାରେ ବୟସର କମ୍ ବେଶିର କୌଣସି ପ୍ରଶ୍ନ ନାହିଁ । ଚାଣୁର ତା’ ଜୀବନରେ ଅନେକ ଯୋଦ୍ଧା ହରାଇ ବହୁ ଖ୍ୟାତି ଅର୍ଜନ କରିଛି । ଏବେ ମୁଁ ତାକୁ ମାରି ସେହି ଖ୍ୟାତି ଅର୍ଜ୍ଜନ କରିବି ।”