ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୃଷ୍ଣାବତାର

ଦିନେ ପ୍ରଭାତ ସମୟରେ ଶ୍ରୀକୃଷ୍ଣ, ସାତ୍ୟକି ଓ ଉଦ୍ଧବଙ୍କ ସହ ଆଲୋଚନା କରୁଥିବା ବେଳେ ଜଣେ ଅତିଥି ଆସି ସେଠାରେ ଉପସ୍ଥିତ ହେଲେ । ଶ୍ରୀକୃଷ୍ଣଙ୍କୁ ନିବେଦନ କରି ସେ କହିଲେ, “ମହାତ୍ମନ୍, ଦୁଷ୍ଟ ଜରାସନ୍ଧ ପ୍ରାୟ କୋଡିଏ ହଜାର ରାଜାଙ୍କୁ ବନ୍ଦୀ କରି ରଖିଛି । ସେମାନଙ୍କୁ ସେ କିଛି ହେଲେବି ଖାଇବାକୁ ଦେଉ ନାହିଁ । ଭାରି ହଇରାଣ କରି କଷ୍ଟ ଦେଇ ଅତ୍ୟାଚାର କରି ସେମାନଙ୍କୁ ସେଠି ସେ ରଖିଛି । ଜରାସନ୍ଧ ହାତରେ ସେମାନଙ୍କ ଦୁର୍ଦ୍ଦଶା କଥା କହିଲେ ନ ସରେ । ସେମାନେ ସମସ୍ତେ ମୋତେ ଆପଣଙ୍କ ନିକଟକୁ ପଠାଇଛନ୍ତି । ଆପଣ କୃପାକରି ସେମାନଙ୍କୁ ଜରାସନ୍ଧର ଅତ୍ୟାଚାରରୁ ଉଦ୍ଧାର କରନ୍ତୁ । ମୁଁ ସେମାନଙ୍କ ଦୂତ ହୋଇ ଏଠାକୁ ଆସିଛି । ସେମାନେ ସମସ୍ତେ ଆପଣଙ୍କ ଶରଣ ନେଇଛନ୍ତି । କାହିଁକିନା ସେମାନେ ଭଲଭାବେ ଜାଣନ୍ତି ଯେ ଆପଣଙ୍କ ବ୍ୟତୀତ ସେମାନଙ୍କୁ ଏ ଭୟଙ୍କର କଷ୍ଟରୁ ଆଉ କେହି ମଧ୍ୟ ଉଦ୍ଧାର କରିପାରିବେ ନାହିଁ ।”

ଠିକ୍ ସେହି ସମୟରେ ନାରଦ ଆସି ସେଠାରେ ପହଁଚିଲେ । ଶ୍ରୀକୃଷ୍ଣ ନାରଦଙ୍କର ଯଥୋଚିତ ସତ୍କାର କରିବା ପରେ ନାରଦ କହିଲେ, “ଯୁଧିଷ୍ଠିର ଏବେ ରାଜସୂୟ ଯଜ୍ଞ କରୁଛନ୍ତି । ତାଙ୍କର ଇଚ୍ଛା ଆପଣହିଁ ସେହି ଯଜ୍ଞର ଅଧ୍ୟକ୍ଷ ହୋଇ ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ । ସମସ୍ତ ମିତ୍ର ରାଜାମାନେ ଆପଣଙ୍କ ପ୍ରତୀକ୍ଷାରେ ଅଛନ୍ତି । ସେଠାକୁ ଶୀଘ୍ର ଗମନ କରନ୍ତୁ ।”

ଦୁଇଟି ମହତ୍ତ୍ୱପୂର୍ଣ୍ଣ କାମ ପାଇଁ ଡାକରା ଆସିଥିବାରୁ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଲେ, “ଏ ଦୁଇଟି କାର୍ଯ୍ୟ ମହତ୍ତ୍ୱପୂର୍ଣ୍ଣ । କେଉଁଟି ପ୍ରଥମେ କରିବି?”

ଏକଥା ଶୁଣି ଉଦ୍ଧବ କହିଲେ, “ଜରାସନ୍ଧକୁ ସଂହାର କରିବା ପାଇଁ କୌଣସି ଏକ ବିଶେଷ ସମୟ ଖୋଜିବାର ଆବଶ୍ୟକତା ନାହିଁ । କାରଣ ରାଜସୂୟ ଯଜ୍ଞ କରିବା ବେଳେ ଯୁଧିଷ୍ଠିରଙ୍କୁ ଅନେକ ରାଜ୍ୟ ଜିତିବାକୁ ହେବ । ସେହି ଅବସରରେ ଏହି ପ୍ରଥମ କାର୍ଯ୍ୟଟି ମଧ୍ୟ କରାଯାଇ ପାରେ । ତେଣୁ ଆପଣ ପ୍ରଥମରେ ଯୁଧିଷ୍ଠିରଙ୍କ ପାଖକୁ ଯାଆନ୍ତୁ । ସେଠାରେ ସୁବିଧା ଦେଖି ଜରାସନ୍ଧକୁ ପରାଜିତ କରିବେ । ନଚେତ୍ ରାଜସୂୟ ଯଜ୍ଞ ସୁରୁଖୁରୁରେ ହୋଇ ପାରିବ ନାହିଁ । ପୁନଶ୍ଚ ଜରାସନ୍ଧକୁ ସୈନ୍ୟବଳ ଦ୍ୱାରା ମାରିବା ଆଦୌ ସମ୍ଭବ ନୁହେଁ । ଯଦି କୌଣସି ମତେ ଭୀମସେନ ସେଠାକୁ ଯାଇ ତା’ ସହିତ ଦ୍ୱନ୍ଦଯୁଦ୍ଧ କରନ୍ତେ ତେବେ ତାକୁ ସେ ହରାଇ ପାରନ୍ତେ । ଏବେ ଆପଣଙ୍କର ଯାହା ଇଛା ।”

ଉଦ୍ଧବଙ୍କ କଥା ଶ୍ରୀକୃଷ୍ଣଙ୍କର ବହୁତ ପସନ୍ଦ ହେଲା । ସେ ବଳରାମ ଓ ଅନ୍ୟାନ୍ୟ ଗୁରୁଜନଙ୍କ ପାଖରୁ ବିଦାୟ ନେଇ ଯୁଧିଷ୍ଠିରଙ୍କ ନିକଟକୁ ପ୍ରସ୍ଥାନ କରିବାକୁ ରଥ ସଜ୍ଜା ପାଇଁ ଆଦେଶ ଦେଲେ । ଜରାସନ୍ଧ ବନ୍ଦୀ କରିଥିବା ରାଜାମାନଙ୍କ ପାଖରୁ ଆସିଥିବା ପ୍ରତିନିଧିକୁ ଶ୍ରୀକୃଷ୍ଣ କହିଲେ, “ପରିସ୍ଥିତି ତ ଦେଖୁଛ । ସେମାନଙ୍କୁ ଯାଇ କୁହ ଆଉ ବେଶି ଡେରି ନାହିଁ । ମୁଁ ଅବଶ୍ୟ ଶୀଘ୍ର ଯାଇ ଜରାସନ୍ଧକୁ ମାରି ସେମାନଙ୍କୁ ଉଦ୍ଧାର କରିବି । ଏବେ ସେମାନେ ଧୈର୍ଯ୍ୟ ଧରି ରହିଥା’ନ୍ତୁ ଏବଂ ଜରାସନ୍ଧ ବଧ ବିଷୟରେ ନିଶ୍ଚିନ୍ତ ଥା’ନ୍ତୁ ।”

ତା’ପରେ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କ ପାଖକୁ ଗଲେ । ଶ୍ରୀକୃଷ୍ଣ ଆସୁଥିବାର ସମ୍ବାଦ ଶୁଣି ସମସ୍ତେ ଆନନ୍ଦ ମନରେ ଶ୍ରୀକୃଷ୍ଣଙ୍କୁ ସ୍ୱାଗତ କରିବାକୁ ଏକତ୍ରିତ ହେଲେ ।

ଶ୍ରୀକୃଷ୍ଣ ପହଁଚିବା ମାତ୍ରେ ନିଜେ ଯୁଧିଷ୍ଠିର ତାଙ୍କୁ ଆଲିଙ୍ଗନ କରି ପାଛୋଟି ଆଣିଲେ । ନାନା ସାଜସଜ୍ଜା ତୋରଣ ଆଦି ଦ୍ୱାରା ଶୋଭିତ ଇନ୍ଦ୍ରପ୍ରସ୍ଥର ପ୍ରଧାନ ମାର୍ଗ ଦେଇ ରଥ ଆସୁଥାଏ । ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ବିପୁଳ ସଂଖ୍ୟାରେ ନରନାରୀ ଆସି ଭିଡ କରିଥା’ନ୍ତି ।

ଶ୍ରୀକୃଷ୍ଣଙ୍କ ରଥ ଧୀରେ ଧୀରେ ଚାଲୁଥାଏ ଯଦ୍ୱାରା ସମସ୍ତେ ତାଙ୍କର ଦର୍ଶନ ଅତି ସୁବିଧାରେ କରିପାରିବେ; ତା’ପରେ ରଥ ପ୍ରାସାଦ ଭିତରେ ପ୍ରବେଶ କଲା । ଶ୍ରୀକୃଷ୍ଣ ପ୍ରଥମେ ତାଙ୍କ ପିଉସୀ କୁନ୍ତୀଙ୍କୁ ଯାଇ ଦେଖାକଲେ ଓ ପରେ ସେ କୁନ୍ତୀଙ୍କ ବୋହୁମାନଙ୍କ ସହ ଦେଖାକଲେ ।

ଶ୍ରୀକୃଷ୍ଣ ତ ପାଣ୍ଡବମାନଙ୍କର ପ୍ରିୟାଦପି ପ୍ରିୟ ଥିଲେ । ପୁଣି ଅର୍ଜୁନ, ଶ୍ରୀକୃଷ୍ଣଙ୍କର ସମ୍ବନ୍ଧ ଯୁଗଯୁଗର, ଲୋକୋତର । ପାଣ୍ଡବମାନଙ୍କ ସହିତ ଶ୍ରୀକୃଷ୍ଣ ଏକାଠି ଆହାର ବିହାର କରୁଥା’ନ୍ତି । ଅନେକ କଥାବାର୍ତ୍ତା ଓ ଆଳାପ ଆଲୋଚନା ମଧ୍ୟରେ ଯୁଧିଷ୍ଠିର ରାଜସୂୟ ଯଜ୍ଞ କଥା ଶ୍ରୀକୃଷ୍ଣଙ୍କୁ କହିଲେ ।

ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଲେ, “ଆପଣ ରାଜସୂୟ ଯଜ୍ଞ କରିବା ପାଇଁ ସଂକଳ୍ପ କରିଛନ୍ତି ଏହା ଶୁଣି ମୁଁ ବଡ ଖୁସି ହେଲି । ସେଥିପାଇଁ ମୋର ହାର୍ଦ୍ଦିକ ଅଭିନନ୍ଦନ ଗ୍ରହଣ କରନ୍ତୁ । ଦିଗ୍ବିଜୟ କରିବା ପାଇଁ ଆପଣଙ୍କର ଦିକ୍ପାଳକ ପରି ବୀରଶ୍ରେଷ୍ଠ ଚାରି ଭାଇ ଅଛନ୍ତି; ସେମାନେ ଚାରିଦିଗକୁ ଯାଇ ସମସ୍ତ ରାଜ୍ୟ ଜୟ କରି ଆପଣଙ୍କ ପାଦ ତଳେ ସେସବୁ ସମର୍ପଣ କରିପାରିବେ । ମୋର ଶୁଭେଚ୍ଛା, ସ୍ନେହ, ପ୍ରେମ ସବୁ ଆପଣମାନଙ୍କ ପାଇଁ ରହିଛି । ଆପଣଙ୍କ ସଂକଳ୍ପିତ ଯଜ୍ଞ ନିଶ୍ଚୟ ସଫଳତାର ସହିତ ସମ୍ପନ୍ନ ହେବ ।”

ଶ୍ରୀକୃଷ୍ଣଙ୍କ କଥା ଶୁଣି ସେ ବହୁତ ଆନନ୍ଦିତ ହେଲେ । ଏହାପରେ ସେ ତାଙ୍କ ଚାରିଜଣ ଭାଇଙ୍କୁ ଚାରି ଦିଗକୁ ଦିଗ୍ବିଜୟ କରିବା ପାଇଁ ପଠାଇଦେଲେ । ସହଦେବ ଦକ୍ଷିଣ ଦିଗକୁ ଗଲେ, ନକୁଳ ପଶ୍ଚିମକୁ, ଅର୍ଜୁନ ଉତ୍ତରକୁ, ଆଉ ଭୀମସେନ ପୂର୍ବଦିଗକୁ ଗଲେ । ରାଜସୂୟ ଯଜ୍ଞ ସମ୍ପନ୍ନ କରିବା ପାଇଁ ବିପୁଳ ଧନ ଧରି ସେ ଚାରିଭାଇ ଲେଉଟି ଆସିଲେ ଓ ସେସବୁକୁ ସେମାନେ ଯୁଧିଷ୍ଠିରଙ୍କୁ ସମର୍ପଣ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ