ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୃଷ୍ଣାବତାର

ଯୁଦ୍ଧରେ ଅନେକ ରାଜା ପରାଜିତ ହେଲେ, କିନ୍ତୁ ଜରାସନ୍ଧ ପରାଜିତ ହୋଇ ନଥାଏ । ଯୁଧିଷ୍ଠିର ସେଥିପାଇଁ ବଡ ଚିନ୍ତିତ ଥିଲେ । ଶ୍ରୀକୃଷ୍ଣ କହିଲେ, “ଜରାସନ୍ଧ ପାଇଁ ଆପଣ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । ସେ ଦାଇତ୍ତ୍ଵ ମୋର । ଏଠାକୁ ଆସିବା ପୂର୍ବରୁ ସେ ବିଷୟରେ ମୁଁ ଓ ଉଦ୍ଧବ ବହୁତ ଆଲୋଚନା କରିଛୁ । ସେ କାର୍ଯ୍ୟ ତ କେବଳ ମୁହିଁ ସମ୍ପନ୍ନ କରିବି ।”

ତା’ପରେ ଶ୍ରୀକୃଷ୍ଣ, ଭୀମ ଓ ଅର୍ଜୁନଙ୍କୁ ନେଇ ଗିରିବ୍ରଜପୁରରେ ପହଁଚିଲେ । ସେଠାରେ ବ୍ରାହ୍ମଣ ବେଶରେ ସେମାନେ ତିନିଜଣ ଜରାସନ୍ଧକୁ ଯାଇ ଦେଖା କଲେ । ଜରାସନ୍ଧ ତ ପ୍ରତିଦିନ ବହୁ ବ୍ରାହ୍ମଣଙ୍କୁ ଦାନ ଦେଉଥାଏ । ଏମାନେ ଯାଇ ସେଠାରେ ପହଁଚି କହିଲେ, “ଆମେ ବହୁ ଦୂରଦେଶରୁ ଆସିଛୁ । ଆପଣ କିଛି ଦାନ ଦେଲେ ଆମେ ଏଠୁ ଚାଲିଯିବୁ ।”

ଜରାସନ୍ଧ ଏମାନଙ୍କୁ ଭଲକରି ନିରୀକ୍ଷଣ କରି ଦେଖିଲା ବ୍ରାହ୍ମଣ ବେଶଧାରୀ ଏହି ତିନି ତେଜସ୍ୱୀ ବ୍ୟକ୍ତି କିଏ । ଦେହର ଲକ୍ଷଣମାନ ସୁଚାଉଛି ଯେ ଏମାନେ ସବୁ କ୍ଷତ୍ରିୟ । ଯାହାହେଉ ସେ ଅତିଥିମାନଙ୍କର ସତ୍କାର କରିବାର ସଂକଳ୍ପ ନେଇଥାଏ । ତେଣୁ ସେ ପଚାରିଲା, “ଆପଣମାନେ କ’ଣ ମାଗୁଛନ୍ତି ମାଗନ୍ତୁ ।”

ଶ୍ରୀକୃଷ୍ଣ ଅଳ୍ପ ହସି କହିଲେ “ଆମେ ତୁମ ସହିତ ଦ୍ୱନ୍ଦଯୁଦ୍ଧ କରିବାକୁ ଇଚ୍ଛୁକ । ସମ୍ମୁଖରେ ଯିଏ ଦଣ୍ଡାୟମାନ ସେ ଭୀମସେନ, ତାଙ୍କ ପାଖରେ ଥିବା ବ୍ୟକ୍ତି ଅର୍ଜ୍ଜୁନ ଓ ମୁଁ ନିଜେ ତୁମର ଚିର ଶତ୍ରୁ କୃଷ୍ଣ ।”

ଏକଥା ଶୁଣି ଜରାସନ୍ଧ ହସି ହସି କହିଲା, “ଓହୋ ତେବେ ଏପରି କଥା? ଆଚ୍ଛା ମୁଁ ଦ୍ୱନ୍ଦ-ଯୁଦ୍ଧ ପାଇଁ ପ୍ରସ୍ତୁତ । କିନ୍ତୁ ମୁଁ ତୁମ ସହିତ କେବେବି ଦ୍ୱନ୍ଦଯୁଦ୍ଧ କରିବି ନାହିଁ । ମୋତେ ଡରି ଯିଏ ମଥୁରା ଛାଡି ଦ୍ୱାରକାର ସମୁଦ୍ର ଭିତରେ ଯାଇ ଲୁଚିଛି ସେପରି ଭୀରୁ କାପୁରୁଷ ମୋ ସହିତ ଦ୍ୱନ୍ଦଯୁଦ୍ଧ କରିବା ପାଇଁ କେବେବି ଯୋଗ୍ୟ ନୁହେଁ । ଆଉ ଅର୍ଜ୍ଜୁନ, ସେ ତ ମୋଠାରୁ ଅନେକ ସାନ ତା’ ସହିତ ଦ୍ୱନ୍ଦଯୁଦ୍ଧ କରିବା ମୋ ପାଇଁ ଅଶୋଭନୀୟ ହେବ । ତେଣୁ ଏବେ ରହିଗଲେ କେବଳ ମାତ୍ର ଭୀମସେନ, ଯିଏ କି ମୋ ସହିତ ଦ୍ୱନ୍ଦଯୁଦ୍ଧ କରିବା ପାଇଁ ଯୋଗ୍ୟପାତ୍ର, ମୁଁ ଅବଶ୍ୟ ତାଙ୍କ ସହିତ ଦ୍ୱନ୍ଦଯୁଦ୍ଧ କରିବି ।”

ତା’ପରେ ଜରାସନ୍ଧ ଦୁଇଟି ବଡ ବଡ ଗଦା ନେଇ ଆସିଲା । ଭୀମସେନଙ୍କ ହାତରେ ସେ ଗୋଟିଏ ଗଦା ଦେଲା ଓ ନିଜେ ଗୋଟିଏ ଗଦା ହାତରେ ନେଲା । ସେମାନେ ସମସ୍ତେ ନଅର ବାହାରେ ଥିବା ରଙ୍ଗଭୂମିକୁ ଦ୍ୱନ୍ଦଯୁଦ୍ଧ କରିବାକୁ ଗଲେ । ସାରା ରାଜ୍ୟର ଲୋକ ସେଠାରେ ଜମା ହୋଇଥିଲେ ଯୁଦ୍ଧ ଚାଲିଲା; ବହୁତ ସମୟ ଧରି ଯୁଦ୍ଧ ଚାଲିଲା କେହିବି କାହାକୁ ହରାଇ ପାରୁ ନଥା’ନ୍ତି । ଅବଶେଷରେ ଶ୍ରୀକୃଷ୍ଣ ଭୀମଙ୍କୁ ଏକ ସଙ୍କେତ ଦେଲେ ।

ଜରାସନ୍ଧ ଯେତେବେଳେ ଜନ୍ମ ହେଲା ସେ ଦୁଇଖଣ୍ଡ ହୋଇହିଁ ଜନ୍ମ ହେଲା । ତେଣୁ ତାକୁ ମୃତ ବୋଲି ଭାବି ଶ୍ମଶାନରେ ପକାଇ ଦେଲେ । ଜରା ନାମକ ପିଶାଚୀ ନିଜର ଶକ୍ତିବଳରେ ଦୁଇଖଣ୍ଡ ଦେହକୁ ଯୋଡି ଦେବାରୁ ସେ ବଂଚିଲା । ସେଥିପାଇଁ ତା’ର ନାମ ଜରାସନ୍ଧ ହୋଇଛି । ଶ୍ରୀକୃଷ୍ଣ ତାଙ୍କ ହାତରେ ଗୋଟିଏ କୁଟା ଧରି ତାକୁ ଚିରି ଦୂରରୁ ଭୀମକୁ ଦେଖାଇ ଦେଲେ । ଭୀମ ସେହି ସଙ୍କେତ ବୁଝିପାରି ଜରାସନ୍ଧର ଦେହକୁ ଦୁଇଖଣ୍ଡ ଚିରି ପକାଇ ଦେଲେ । ଏହିପରି ଭାବେ ସେ ଜରାସନ୍ଧର ମୃତ୍ୟୁ ହେଲା । ଏଥିଲାଗି ଶ୍ରୀକୃଷ୍ଣ ଭୀମଙ୍କୁ ଅଭିନନ୍ଦନ ଜଣାଇଲେ ।

ଜରାସନ୍ଧର ମୃତ୍ୟୁ ପରେ ଶ୍ରୀକୃଷ୍ଣ ଜରାସନ୍ଧର ପୁତ୍ର ସହଦେବଙ୍କୁ ସେଠାରେ ଅଭିଷେକ କରାଇ ବନ୍ଦୀ ରାଜାମାନଙ୍କୁ ମୁକ୍ତ କଲେ । ମୁକ୍ତ ହେବା ପରେ ସେ ରାଜାମାନେ ଯୁଧିଷ୍ଠିରଙ୍କୁ ତାଙ୍କର ସମ୍ରାଟ ଭାବେ ସ୍ୱୀକାର କଲେ । ଏସବୁ ଶ୍ରୀକୃଷ୍ଣଙ୍କ ଲୀଳା । ପରେ ଶ୍ରୀକୃଷ୍ଣ, ଅର୍ଜୁନ ଓ ଭୀମଙ୍କ ସହ ଇନ୍ଦ୍ରପ୍ରସ୍ଥ ଲେଉଟି ଆସିଲେ । ଏହି ବିଜୟରେ ସମସ୍ତେ ଆନନ୍ଦିତ ହେଲେ ।

ତା’ପରେ ଯୁଧିଷ୍ଠିର ନିଜର ସଂକଳ୍ପିତ ରାଜସୂୟ ଯଜ୍ଞ ପାଇଁ ସବୁ ପ୍ରକାର ଆୟୋଜନ କଲେ । କୃଷ୍ଣଦ୍ୱୈପାୟନ, ଭରଦ୍ୱାଜ, ବଶିଷ୍ଠ, ବିଶ୍ୱାମିତ୍ର ଓ ଗୌତମ ଆଦି ଋଷିମାନେ ନିମନ୍ତ୍ରିତ ହୋଇ ଆସିଲେ । ଚତୁର୍ବର୍ଣ୍ଣ ମଧ୍ୟରେ ଶ୍ରେଷ୍ଠ ବ୍ୟକ୍ତିମାନେ ନିମନ୍ତ୍ରିତ ହୋଇ ସେଠାକୁ ଆସିଲେ । ହସ୍ତିନାପୁରରୁ ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ଭୀଷ୍ମ, ଧୃତରାଷ୍ଟ୍ର, ବିଦୂର ଓ ଦୁର୍ଯ୍ୟୋଧନ ଆଦି ଶହେ ଭାଇ, ଇତ୍ୟାଦି ସମସ୍ତେ ନିମନ୍ତ୍ରିତ ହୋଇ ସେଠାକୁ ଆସିଲେ ।

ସୁବର୍ଣ୍ଣ ହଳ ଦ୍ୱାରା ଯଜ୍ଞଭୂମି ଖୋଳାଗଲା, ତା’ପରେ ବହୁମୂଲ୍ୟ ଜିନିଷ ଦ୍ୱାରା ଯଜ୍ଞଭୂମି ଅଳଙ୍କୃତ କରାଗଲା । ସାରା ରାଜ୍ୟରେ ସାଜସଜ୍ଜା ଖୁବ୍ ହେଲା । ଯଜ୍ଞର ପ୍ରାରମ୍ଭ ହେଲା । ତା’ପରେ ସମସ୍ତ ଅତିଥିଙ୍କୁ ସତ୍କାର କରିବା ବେଳେ ପ୍ରଶ୍ନ ଉଠିଲା କାହାକୁ ପ୍ରଥମେ ପାଦ୍ୟଅର୍ଘ୍ୟ ଦିଆଯିବ । ଯୁଧିଷ୍ଠିର କହିଲେ, “ଏହି ସଭାରେ ତ ଏକରୁ ବଳି ଏକ ପ୍ରଭାବଶାଳୀ ବ୍ୟକ୍ତି ଥିବା ସମୟରେ ମୁଁ କାହାକୁ ପ୍ରଥମ ଅର୍ଘ୍ୟ ଦେବି, ଆପଣମାନେ କୃପା କରି ତାହା କୁହନ୍ତୁ ।” ଏକଥା ଶୁଣି ସମସ୍ତେ ନୀରବ ରହିଲେ । ତେବେ ପିତାମହ ଭୀଷ୍ମ ଏ ସମସ୍ୟାର ସମାଧାନ କରି କହିଲେ, “ଏଥିରେ ଚିନ୍ତା କରିବାର କ’ଣ ଅଛି? ହେ କୁନ୍ତୀପୁତ୍ର ଯୁଧିଷ୍ଠିର ଆମର କେତେ ଜନ୍ମର ତପସ୍ୟାର ଫଳ ହେତୁ ଆମମାନଙ୍କ ମଧ୍ୟରେ ଆଜି ସ୍ୱୟଂ ପୁରୁଷୋତ୍ତମ ଶ୍ରୀକୃଷ୍ଣ ଉପସ୍ଥିତ; ତାଙ୍କୁହିଁ ପ୍ରଥମ ଅର୍ଘ୍ୟ ଦିଅ । ସେଥିରେ ତୁମେ, ତୁମର ରାଜ୍ୟ ଓ ଆମେ ସମସ୍ତେ ଧନ୍ୟ ହୋଇଯିବୁ ।”

ପିତାମହ ଭୀଷ୍ମଙ୍କ ଏଭଳି କଥା ଶୁଣି ସହଦେବ ପୂଜା ଅର୍ଘ୍ୟ ଆଣି ଦେଲେ ଓ ଶ୍ରୀକୃଷ୍ଣଙ୍କୁ ଏହା ସମର୍ପଣ କରାଗଲା । ଏଥିରେ ସମସ୍ତେ ଆନନ୍ଦିତ ହେଲେ । କିନ୍ତୁ ଦମଘୋଷ ପୁତ୍ର ଶିଶୁପାଳକୁ ଏସବୁ ଆଦୌ ପସନ୍ଦ ହେଲା ନାହିଁ । ପୂର୍ବରୁ ତ ଶ୍ରୀକୃଷ୍ଣଙ୍କୁ ସେ ନିଜ ଶତ୍ରୁ ଭାବରେ ଦେଖୁଥାଏ । ତେଣୁ ଏହି ସୁଯୋଗରେ ସେ ତାଙ୍କୁ ଅପମାନ ଦେବାକୁ ଚେଷ୍ଟା କରି ଗର୍ଜ୍ଜନ କରି କହିଲା, “ଏ କି ପ୍ରକାର କଥା ହେଲା? ସଭାରେ ବହୁ ଉଚ୍ଚକୋଟୀର ତପସ୍ୱୀ ଓ ଋଷି ମୁନି ବିଦ୍ୟମାନ, ଆଉ ଏହି ଅଜ୍ଞାତ କୁଳଶୀଳ ଗୋପାଳର ପାଦପୂଜା ହେଲା?”

ତା’ପରେ ଶିଶୁପାଳ ଶ୍ରୀକୃଷ୍ଣଙ୍କ ପ୍ରତି ଅନେକ କୁବାକ୍ୟ ପ୍ରୟୋଗ କଲା । ଅନେକ ରାଜା ତା’ ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲେ । ସେତେବେଳେ ଶ୍ରୀକୃଷ୍ଣ ସମସ୍ତିଙ୍କୁ କହିଲେ, “ସଭାଜନ, ଏହି ଶିଶୁପାଳ ମୋର ନିଜ ପିଉସୀଙ୍କ ପୁଅ ହୋଇ ମଧ୍ୟ ସେ ମୋର ଭଲ କେବେବି ସହ୍ୟ କରିପାରେ ନାହିଁ । ଏହି ମୂର୍ଖ, ଇର୍ଷୁକ ରାଜାକୁ ଦଣ୍ଡ ଦେବାକୁ ହେଲେ ତାହା ମୁଁ ଦେବି । ଆପଣମାନେ ଶାନ୍ତ ଭାବରେ ବସି ରହି ଦେଖନ୍ତୁ ଆଗକୁ କ’ଣ ସବୁ ହେଉଛି । ମୁଁ ଖାଲି ତା’ର ମାତାଙ୍କୁ ଏହା କଥା ଦେଇଥିଲି କି ତା’ର ଶହେଟି ଦୋଷକୁ ମୁଁ କ୍ଷମା କରିଦେବି । ଏବେ ଦେଖନ୍ତୁ ଯେଉଁ ମୁହୂର୍ତ୍ତରେ ସେ ଶହେରୁ ଅଧିକ ଦୋଷ କରିବ ତା’ପରେ ସେ ଏହି ପାର୍ଥିବ ଜଗତରେ ଆଉ ନଥିବ, ହେ ଶିଶୁପାଳ, ଏବେ ତୁମର ଯେତେ ଯାହା କୁବାକ୍ୟ ଓ ମିଥ୍ୟାବାକ୍ୟ କହିବାର ଅଛି ସେସବୁ କହିଯାଅ । କେବଳ ତୁମ ଜନ୍ମ ଓ ତୁମ ମାତାଙ୍କ କଥା ମନେ ରଖିଥିବ । ତା’ପରେ ମୋର ଆଉ କିଛିବି ଦୋଷ ନାହିଁ ।

ତା’ପରେ ଶିଶୁପାଳ ଗର୍ଜ୍ଜନ କରି ଶ୍ରୀକୃଷ୍ଣଙ୍କ ପ୍ରତି ସମସ୍ତ ପ୍ରକାର କୁବାକ୍ୟ ପ୍ରୟୋଗ କରି ଚାଲିଲା । ଠିକ୍ ସମୟ ଆସିବାରୁ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ରରେ ତାହାର ଶିରଚ୍ଛେଦନ କଲେ । ଏସବୁ ଘଟଣା ଦେଖି ସେ ସଭାଗୃହରେ ଥିବା ରାଜାମାନେ ଅତ୍ୟନ୍ତ ଭୀତତ୍ରସ୍ତ ହେଲେ । ଶିଶୁପାଳର ସପକ୍ଷରେ ଥିବା ବ୍ୟକ୍ତିମାନେ ସେ ସଭାଗୃହ ଛାଡି ପଳାଇଲେ ।

ତା’ପରେ ଯୁଧିଷ୍ଠିର ଉପସ୍ଥିତ ରାଜାମାନଙ୍କୁ ଯଥୋଚିତ ଉପହାରମାନ ପ୍ରଦାନ କଲେ । ତା’ପରେ ସମସ୍ତେ ଆନନ୍ଦିତ ହୋଇ ନିଜ ନିଜ ସ୍ଥାନକୁ ପ୍ରସ୍ଥାନ କଲେ । ରାଜସୂୟ ଯଜ୍ଞ ସଫଳତା ପୂର୍ବକ ସମାପ୍ତ ହେଲା । ଯୁଧିଷ୍ଠିରଙ୍କ ଅନୁରୋଧରେ ଶ୍ରୀକୃଷ୍ଣ ସେଠାରେ କିଛିଦିନ ପାଇଁ ରହିଲେ ।

ଯୁଧିଷ୍ଠିରଙ୍କ ବୈଭବ ଦେଖି ଦୁର୍ଯ୍ୟୋଧନ ଓ ତାଙ୍କର ଭାଇମାନେ ବହୁତ ଇର୍ଷ୍ୟାନ୍ୱିତ ହେଲେ । ବିଶେଷତଃ ମୟ ଯୁଧିଷ୍ଠିରଙ୍କ ପାଇଁ ଯେଉଁ ଗୃହ ନିର୍ମାଣ କରିଥିଲା ତାହା ବଡ ଅପୂର୍ବ । ସେଥିରେ ଏପରି ଭାବରେ ସାଜସଜା ହୋଇଥିଲା ଯେ ପାଣି ନଥାଇ ମଣିଷର ପାଣିଭ୍ରମ ହେବ ଓ ପାଣି ଥାଇ ମଧ୍ୟ ପାଣି ନଥିବାର ଭ୍ରମ ହେବ । ସେପରି ଏକ ପରିସ୍ଥିତିରେ ଦୁର୍ଯ୍ୟୋଧନ ପାଣି ନଥିବା ସ୍ଥାନରେ ଲୁଗାଟେକି ଚାଲିଲେ ଓ ପାଣିଥିବା ସ୍ଥାନରେ ପାଣିନାହିଁ ବୋଲି ଭାବି ତହିଁରେ ପଡିଯାଇ ସେ ଓଦା ହେଲେ । ତାଙ୍କର ସେହି ମୁର୍ଖାମୀ ଦେଖି ଦ୍ରୌପଦୀ ଓ ଶ୍ରୀକୃଷ୍ଣଙ୍କ ପତ୍ନୀମାନେ ହସି ଉଠିଲେ । ଏଥିରେ ସେ ବଡ ଲଜ୍ଜିତ ହୋଇ ସେଠାରୁ ପଳାଇ ଆସିଲେ ଓ ଏହାର ପ୍ରତିଶୋଧ ନେବାପାଇଁ ମନେ ମନେ ସଂକଳ୍ପ କଲେ । ମନଦୁଃଖରେ ସେ ହସ୍ତିନାପୁର ଲେଉଟି ଆସିଲେ ସତ କିନ୍ତୁ ଇନ୍ଦ୍ରପ୍ରସ୍ଥ ଅଧିକାର କରିବାର ପ୍ରବଳ ବାସନା ତାଙ୍କ ମନରେ ଅଧିକ ଶକ୍ତିଶାଳୀ ହୋଇ ଉଠିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ