ପୌଣ୍ଡ୍ର ବାସୁଦେବ ବୋଲି ଜଣେ ରାଜା ଥା’ନ୍ତି । ସେ ନିଜକୁ ଭଗବାନ୍ ବାସୁଦେବ ବୋଲି କହୁଥାନ୍ତି ଓ ଶ୍ରୀକୃଷ୍ଣଙ୍କୁ ଠକ ବୋଲି କହୁଥା’ନ୍ତି । ଏସବୁ ମଜା ଦେଖିବା ତ ନାରଦଙ୍କ କାମ । ଦିନେ ଋଷିବର ନାରଦ କୌତୁକ ଦେଖିବା ପାଇଁ ପୌଣ୍ଡ୍ର ବାସୁଦେବଙ୍କ ପାଖରେ ଯାଇ ପହଁଚିଲେ । ନାରଦଙ୍କୁ ଦେଖି ବହୁତ ଭକ୍ତି ଦେଖାଇ ତଥା ତାଙ୍କ ପାଦ ଧୋଇ ତାଙ୍କୁ ଆସନରେ ବସାଇ ସେ କହିଲେ, “ମହାଶୟ ଆପଣ ତ ସାରା ସଂସାର, ଚଉଦ ବ୍ରହ୍ମାଣ୍ଡ ଘୁରି ବୁଲୁଛନ୍ତି । ଏବେ ମୋର ଏକ ଅନୁରୋଧ ରଖନ୍ତୁ । ମୋ ତରଫରୁ ଯାଇ ଦ୍ୱାରକାର କୃଷ୍ଣଙ୍କୁ କହନ୍ତୁ କି ସେହି ଅର୍ବାଚୀନ ଗୋପାଳ ଟୋକା ମୋ ନାମରେ ଚାରିଆଡେ ପ୍ରସିଦ୍ଧି ପାଉଛି । ଯାହା କି ମୁଁ ଆଉ ବରଦାସ୍ତ କରିପାରିବି ନାହିଁ । ଏବେ ମୁଁ ଦ୍ୱାରକା ଆକ୍ରମଣ କରି ତାକୁ ସମୂଳେ ବିନାଶ କରିବି ।”
ତାଙ୍କ କଥାରେ ନାରଦ ଅଳ୍ପ ହସି କହିଲେ, “ତୁମ କଥା ଶୁଣି ମୋତେ ଭାରି ହସ ମାଡୁଛି । ଅବଶ୍ୟ ମୁଁ ସାରା ବିଶ୍ୱବ୍ରହ୍ମାଣ୍ଡ ଘୁରି ବୁଲୁଛି ଓ ମୁଁ ଯାହା କହିବି ସମସ୍ତେ ତାହା ବିଶ୍ୱାସ କରିବେ । କିନ୍ତୁ କାହିଁ ଶ୍ରୀକୃଷ୍ଣ ଓ ଆଉ କାହିଁ ତମେ? ବଳ ପରାକ୍ରମରେ ସେ ପର୍ବତ ହେଲେ ତ ତମେ ନାମକୁ ମାତ୍ର ଗୋଡିଟିଏ । ତୁମ ନାମ ବାସୁଦେବ ସତ, ତୁମର ବଳ ପରାକ୍ରମ ଯଥେଷ୍ଟ ସତ । କିନ୍ତୁ ଶ୍ରୀକୃଷ୍ଣଙ୍କ ସହିତ ଲଢିବାକୁ ତୁମେ ସ୍ୱପ୍ନରେ ସୁଦ୍ଧା କଦାପି ଭାବିବ ନାହିଁ । ସେ ସ୍ୱୟଂ ଭଗବାନ୍ । ତୁମର ଆସ୍ୱର୍ଦ୍ଧା ସକାଶେ ଶେଷରେ ତାଙ୍କରି ହାତରେ ହିଁ ତୁମର ସର୍ବନାଶ ହେବ । ଅବଶ୍ୟ ସେ ତୁମ ଉପରେ ନିଜ ପଟରୁ କେବେବି ଆକ୍ରମଣ କରିବେ ନାହିଁ ।”
ମାତ୍ର ନାରଦଙ୍କ ଏଭଳି କଥା ଶୁଣି ପୌଣ୍ଡ୍ର ଅଟ୍ଟହାସ୍ୟ କରି କହିଲେ, “ଏବେ ମୁଁ କୃଷ୍ଣ ବିରୁଦ୍ଧରେ କିଛି କହିବି ତ ଆପଣ ରାଗିବେ ଓ ମୋତେ ଅଭିଶାପ ଦେବେ । କିନ୍ତୁ ଆପଣ ଯେଉଁ କଥା କହିଲେ ଆଉ କିଏ ହୋଇଥିଲେ ତାକୁ ଜୀବନ୍ତ ଏଠାରୁ ଫେରିଯିବାକୁ ହୋଇ ନଥା’ନ୍ତା । ମୋର ବଳ ପରାକ୍ରମ ସମ୍ବନ୍ଧରେ ତୁମର କୌଣସି ବି ଧାରଣା ନାହିଁ । ସେ କୃଷ୍ଣଙ୍କୁ ଯୁଦ୍ଧରେ ହରାଇବା ତ ମୋର ବାମହାତର ଖେଳ । ମୁଁ ଯୁଦ୍ଧରେ ଜିତିବା ପରେ ଆପଣହିଁ ମୋତେ ଅଭିନନ୍ଦନ ଦେବାକୁ ଆସିବେ ।”
ନାରଦ କିଛି ନ କହି ଅଳ୍ପ ହସି ସେଠାରୁ ଚାଲି ଆସିଲେ । ବଦରିକାଶ୍ରମରେ ଶ୍ରୀକୃଷ୍ଣଙ୍କୁ ଆସି ସେ ଖବର ଦେଲେ କି ପୌଣ୍ଡ୍ର ବାସୁଦେବ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ଏଣେ ଯାଦବମାନେ ତ ପୂର୍ବରୁ ପ୍ରସ୍ତୁତ ଥିଲେ । ଦିନେ ହଠାତ୍ ପୌଣ୍ଡ୍ର ନିଜର ସୈନ୍ୟଗଣ ନେଇ ରାତ୍ରିରେ ଦ୍ୱାରକା ଆକ୍ରମଣ କଲେ । ଦ୍ୱାରକାର ପୂର୍ବ ଦ୍ୱାରରେ ସେ ପ୍ରଥମେ ଆକ୍ରମଣ କଲେ । ହାତରେ ଅନେକ ମଶାଲ୍ । ଯାଦବ ସୈନ୍ୟମାନେ ମଧ୍ୟ ବଳରାମ, ସାତ୍ୟକି, ଉଗ୍ରସେନ ଓ କୃତବର୍ମାଙ୍କ ନେତୃତ୍ୱରେ ଆଗେଇଲେ । ଫଳରେ ଦୁଇଦଳ ମଧ୍ୟରେ ଘମାଘୋଟ ଯୁଦ୍ଧ ହେଲା । ଦୁଇ ପକ୍ଷରୁ ଅନେକ ସୈନ୍ୟ ମଲେ । ପୌଣ୍ଡ୍ର ରାଜାଙ୍କ ସୈନ୍ୟଦଳରେ ଏକଲବ୍ୟ ନାମକ ଏକ ବୀର ଥିଲା । ସେ ବଳରାମ ଓ ସାତ୍ୟକୀଙ୍କ ନାମ ଧରି ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଆହ୍ୱାନ କରିଥିଲା । ତା’ପରେ ଦୁଇଦଳ ମଧ୍ୟରେ ବହୁତ ଯୁଦ୍ଧ ହେଲା । ମଶାଲଧାରୀମାନେ ଦୂରେଇ ଠିଆ ହେଲେ । କେହି କାହାର ହାରଜିତ୍ ଜାଣି ପାରିଲେ ନାହିଁ । ପୌଣ୍ଡ୍ର ମନେ ମନେ ଭାବିଲେ ତାଙ୍କ ସୈନ୍ୟମାନେ ଜିତିଗଲେ । ତେଣୁ ସେ ଅନ୍ଧାରରେ କହିଲେ, “ଆମର ଜୟ ହୋଇଛି, ତମେମାନେ ଦୁର୍ଗର କାନ୍ଥ ଉପରେ ଚଢିଯାଇ ଏଥର ତାଙ୍କ ଦୁର୍ଗ ଦଖଲ କର ।”