ଏକଥା ଶୁଣି ସାତ୍ୟକୀ ଆଦି ବୀରମାନେ ରାଗରେ ଜଳିଗଲେ । ସାତ୍ୟକୀ ଭାବିଲେ ଶ୍ରୀକୃଷ୍ଣ ତ ତାଙ୍କ ଉପରେ ଦ୍ୱାରକା ଗଡର ଭାର ଦେଇ ଯାଇଥିଲେ; ଆଉ ତାକୁ ରକ୍ଷା ନ କରି ପାରିଲେ ତ ତାଙ୍କର ବହୁତ ଅପଯଶ ହେବ । ତେଣୁ ସେ ଦ୍ୱିଗୁଣ ଶକ୍ତି ନେଇ ଯୁଦ୍ଧ କଲେ । ସେ ଦୁର୍ଗ ଚାରିପଟରେ ତୀର ମାରି ଅଗ୍ନିବଳୟ ସୃଷ୍ଟି କଲେ । ସୁତରାଂ ପୌଣ୍ଡ୍ର ବାସୁଦେବଙ୍କ ସୈନ୍ୟମାନେ ସବୁ ଦୁର୍ଗ ପ୍ରାଚୀରରୁ ପୁଣି ତଳକୁ ଖସି ପଡିଲେ । ତା’ପରେ ସେ ଦୁର୍ଗ ଉପରେ ଥାଇ ଚିତ୍କାର କରି କହିଲେ, “କୁଆଡେ ଗଲା ସେହି କ୍ଷତ୍ରିୟ କୁଳ କଳଙ୍କ; ଯିଏ କି ରାଜବଂଶରେ ଜନ୍ମ ନେଇ, ରାଜମର୍ଯ୍ୟାଦାକୁ ଉଲ୍ଲଙ୍ଘନ କରି ରାତି ଅଧରେ ଆସି, ଚୋର ପରି ଆକ୍ରମଣ କରେ ସେଭଳି ନୀଚ୍ଚ, ଅଧମ କାହିଁ? ମୁଁ ତା’ ସହିତ ଯୁଦ୍ଧ କରିବାକୁ ଚାହେଁ ।”
ଏପରି ବୀରତ୍ୱପୂର୍ଣ୍ଣ ଆହ୍ୱାନ ଶୁଣି ପୌଣ୍ଡ୍ର ଉତ୍ତର ଦେଲେ, “ହେ ସାତ୍ୟକୀ, ତୁମେ ଯେବେ କହୁଛ, ମୁଁ ତୁମ ସହିତ ଲଢିବି । କିନ୍ତୁ ମୋର ଲକ୍ଷ୍ୟ ହେଲା କୃଷ୍ଣ । ସେ କେଉଁଠି ଲୁଚି ବସିଛି? ଗାଈ ଚରାଇବା ଯାହାର କାମ ସେ ଯୋଦ୍ଧା ବୋଲି ନିଜକୁ ଗଣୁଛି, କାହିଁ ସିଏ? ସେ କ’ଣ ମୋର ପରାକ୍ରମ ଜାଣେ ନାହିଁ? ନାରୀଙ୍କୁ ବା ପଶୁଙ୍କୁ ବଦ୍ଧ କରି ନିଜ ନାମ ସହିତ ସେ ମୋ ନାମ ଯୋଡି ଦେଉଛି; ସେ ହିଁ ମୋର ମିତ୍ର ନରକାସୁରକୁ ସଂହାର କଲା । ସେଥିପାଇଁ ଏ ସଂଗ୍ରାମରେ ମୁଁ ତାକୁ ଶେଷ କରିଦେବାକୁ ଚାହେଁ । ଏପର୍ଯ୍ୟନ୍ତ ସେ ଅନେକଙ୍କୁ ହରାଇଲାଣି । ମୋ ପରାକ୍ରମ ସେ ଜାଣିବ ବା କୁଆଡୁ । ଦେଖି ତ ନାହିଁ । ଏଥର ଯୁଦ୍ଧ କରୁ, ଦେଖିବ ।”
“ତୁମ ସହିତ ଯୁଦ୍ଧ କରିବାକୁ ମୋର ସଙ୍କୋଚ ହେଉଛି, ଯେହେତୁ ତୁମେ ମୋର ସମାସ୍କନ୍ଧ ନୁହଁ । ତେଣୁ ମୋ ସମ୍ମୁଖରୁ ହଟିଯାଅ; ନହେଲେ ମୋ ବାଣର ଶୀକାର ହୋଇ ଅଚିରେ ତମେ ଯମଲୋକକୁ ଗମନ କରିବ । ମୁଁ ଜାଣେ ଯେ ଦ୍ୱାରକା ନଗରୀକୁ ରକ୍ଷା କରିବାର ଭାର ସେ ତୁମ ଉପରେ ଛାଡି ଯାଇଛି । ସେ ଫେରିଲେ ମୁଁ ତା’ କଥା ବୁଝିବି । ଏବେ ତା’କୁ ଖୁସି କରିବାକୁ ଯାଇ ମୃତ୍ୟୁକୁ ସ୍ୱୀକାର କରିବା ଛଡା ତୁମ ନିକଟରେ ଆଉ କିଛି ବି ଗତି ନାହିଁ ।”
କିଛି ସମୟ ପର୍ଯ୍ୟନ୍ତ ସେ ଦୁହେଁ ଏହିପରି ବାକ୍ ଯୁଦ୍ଧ କରୁ କରୁ ପରେ ପରେ ସେମାନେ ପ୍ରକୃତ ଯୁଦ୍ଧ ଆରମ୍ଭ କରିଦେଲେ । ଦୁହେଁ ଦୁହିଁଙ୍କୁ ବହୁତ ହଇରାଣ ହରକତ କଲେ । ବାଣ ଚଳାଇବାରେ ଦୁହେଁ ଧୁରନ୍ଧର । ଇତିମଧ୍ୟରେ ଏକଲବ୍ୟ ଓ ବଳରାମଙ୍କ ମଧ୍ୟରେ ଯୁଦ୍ଧ ଲାଗି ଯାଇଥାଏ । ବଳରାମଙ୍କ ହଳାୟୁଧ ଆଘାତରେ ସେ ମୂର୍ଚ୍ଛା ଗଲା ଓ ଅନ୍ୟ ସୈନ୍ୟମାନେ ଥରି ଉଠିଲେ । ତା’ପରେ ଏକଲବ୍ୟର ମୂର୍ଚ୍ଛା ଭାଙ୍ଗିବା ମାତ୍ରେ ପୁଣି ଯାଦବମାନଙ୍କ ସହିତ ତା’ର ସଂଗ୍ରାମ ଚାଲିଲା । ଏହିପରି ଯୁଦ୍ଧ କରୁ କରୁ ରାତି ପାହିଲା । ତେଣୁ ପୌଣ୍ଡ୍ର ତାଙ୍କ ସେନାମାନଙ୍କୁ ଆଦେଶ ଦେଲେ କି ଯୁଦ୍ଧ ଏବେ ସ୍ଥଗିତ ରଖାଯାଉ । ସେ କହିଲେ, “ଆମେ ଅଯଥାରେ କାହିଁକି ଅନ୍ୟ ଲୋକମାନଙ୍କୁ ସଂହାର କରିବା? ଆମର ଶତ୍ରୁ ତ ଏବେ ଏଠାରେ ନାହିଁ । ତେଣୁ ଏ ଯୁଦ୍ଧ ନିରର୍ଥକ । କୃଷ୍ଣ ଆସିବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବା । ତାକୁହିଁ ମୁଁ ମୋର ପରାକ୍ରମ ଦେଖାଇବାକୁ ଚାହେଁ । ଏହି ସବୁ କ୍ଷୁଦ୍ରଲୋକମାନଙ୍କ ଉପରେ ନିଜର ପ୍ରତାପ ଦେଖାଇବାର କୌଣସି ମାନେ ହୁଏ ନାହିଁ । ତେଣୁ ଏବେ ଏ ଯୁଦ୍ଧ ବନ୍ଦ କର । କୃଷ୍ଣ ଫେରିଲେ ଯାଇ ପ୍ରକୃତ ଯୁଦ୍ଧ ଆରମ୍ଭ ହବ ।”
ରାଜାଙ୍କ କଥା ଶୁଣି ସୈନ୍ୟମାନେ ଯୁଦ୍ଧ ବନ୍ଦ କରି ପଛକୁ ହଟିଗଲେ । ପୌଣ୍ଡ୍ର ନିଜ ସୈନ୍ୟମାନଙ୍କୁ ନେଇ ତାଙ୍କର ବନ୍ଧୁ କାଶୀ ନରେଶଙ୍କ ପାଖକୁ ଗଲେ ଓ ଶ୍ରୀକୃଷ୍ଣ ଆସିବା ପର୍ଯ୍ୟନ୍ତ ସେମାନେ ସେହିଠାରେହିଁ ଛାଉଣୀ ପକାଇ ରହିଲେ ।
ଏଣେ ଯାଦବମାନେ ମଧ୍ୟ ଖୁସିରେ ବିଜୟ ଦୁନ୍ଦୁଭି ବଜାଇଲେ ଓ ଶ୍ରୀକୃଷ୍ଣଙ୍କ ଆଗମନକୁ ଅପେକ୍ଷା କରି ରହିଲେ । ଶ୍ରୀକୃଷ୍ଣଙ୍କର ଆସିବାର ସମୟ ହୋଇଗଲାଣି । ଏହି ସବୁକଥା ଆଲୋଚନା କରୁଥିବା ବେଳେ ଆକାଶମାର୍ଗରେ ଶ୍ରୀକୃଷ୍ଣଙ୍କୁ ଧରି ଗରୁଡ ଆସୁଥିବାର ଦେଖାଗଲା । ସମସ୍ତେ ଅତ୍ୟନ୍ତ ଆନନ୍ଦିତ ହେଲେ । ଶ୍ରୀକୃଷ୍ଣ ତାଙ୍କର ସମସ୍ତ ଅଭିଜ୍ଞତା କହିଲେ । ଅନେକ ଦିନ ପରେ ଶ୍ରୀକୃଷ୍ଣଙ୍କୁ ଦେଖି ଦ୍ୱାରକାବାସୀ ଆନନ୍ଦରେ ଉତ୍ସବ ସବୁ କଲେ । ଶ୍ରୀକୃଷ୍ଣ ପୌଣ୍ଡ୍ର ବାସୁଦେବଙ୍କ ଯୁଦ୍ଧ କଥା ମଧ୍ୟ ଶୁଣିଲେ ।
ଏଣେ ଶ୍ରୀକୃଷ୍ଣ ଫେରି ଆସିଥିବା କଥା ଶୁଣି ପୌଣ୍ଡ୍ର ଏକ ଚିଠି ଶ୍ରୀକୃଷ୍ଣଙ୍କ ପାଖକୁ ପଠାଇଲେ; ସେଥିରେ ଲେଖାଥିଲା, “ଗାଈମାନଙ୍କ ଗୁହାଳରେ ହୁଏତ ତୁମର ଜନ୍ମ ହୋଇଥିବ । ତୁମେ ବା କିପରି ଜାଣିବ କ୍ଷତ୍ରିୟ ଧର୍ମ କ’ଣ । ସ୍ତ୍ରୀ ମାନଙ୍କୁ, ପଶୁ ମାନଙ୍କୁ ଓ ନିଜ ବନ୍ଧୁବାନ୍ଧବଙ୍କୁ ମାରି ମଧ୍ୟ ତମେ ଚୁପ୍ ହୋଇ ରହି ପାରୁନାହଁ । ମୋର ନାମ ଓ ଚିହ୍ନ ସବୁ ଧାରଣ କରି ବୁଲୁଛ । ଏପରି ସ୍ଥଳେ ମୁଁ ମନସ୍ଥ କରିଛି ପୃଥିବୀ ଉପରେ ଦୁଇଜଣ ନୁହେଁ ଜଣେ ବାସୁଦେବ ରହିବା ଉଚିତ୍ । ତଥାପି ତୁମର ଯଦି ତୁମ ଜୀବନ ପ୍ରତି ମାୟା ଥାଏ ତେବେ ମୋ ନାମ ତୁମ ନାମରୁ ବାଦ୍ ଦିଅ, ମୋର ଚିହ୍ନ ସବୁ ଧାରଣ କରିବା ଛାଡିଦିଅ ଓ ଶେଷରେ ମୋର ଶରଣ ନିଅ । ମୁଁ ତୁମର ବିଚାର କରିବି ।”
ଶ୍ରୀକୃଷ୍ଣ ସେ ଚିଠି ପଢି ହସିଲେ ଓ ଦୂତକୁ କହିଲେ, “ଯାଅ ତୁମ ରାଜାଙ୍କୁ କହିଦିଅ ଯେ ତାଙ୍କ କଥା ମୁଁ ଅବଶ୍ୟ ମାନିବି । ଚକ୍ର ଆଦି ଆୟୁଧ ଛାଡି ଦେବାକୁ କହିଛନ୍ତି; ମୁଁ ତାଙ୍କରି ଉପରେହିଁ ଛାଡିବି । ଆହୁରି ମଧ୍ୟ ଦେଖିବି ସେ ଯେପରି ମୋର ସମୀପକୁ ଆସନ୍ତି ଯେପରିକି ମୋର ଶରଣ ନିଅନ୍ତି । ବଡମାନଙ୍କ କଥାକୁ ଅନାଦର କରିବା ଉଚିତ୍ ନୁହେଁ ।”
ଦୂତଠାରୁ ଏପରି କଥା ଶୁଣି ପୌଣ୍ଡ୍ର ରାଗି କରି ଲାଲ୍ ହୋଇଗଲେ । ତା’ପରେ ତାଙ୍କ ସୈନ୍ୟସଜ୍ଜା ପାଇଁ ସେ ଆଦେଶ ଦେଲେ । ସମସ୍ତ ସୈନ୍ୟ ସେନାପତି ପରିବେଷ୍ଟିତ ହୋଇ ସେ ପୁଣି ଯୁଦ୍ଧ ଯାତ୍ରା କଲେ । ସେମାନେ ଦ୍ୱାରକାରେ ପହଁଚି ଶ୍ରୀକୃଷ୍ଣଙ୍କ ଆଗମନ ପାଇ ପ୍ରତୀକ୍ଷା କରି ରହିଲେ ।
ଏଣେ ଶ୍ରୀକୃଷ୍ଣ ଏକେଲା ତାଙ୍କୁ ଦେଖା କରିବାକୁ ଗଲେ । ଅନ୍ୟମାନେ ଯିବାକୁ ଚାହୁଁଥିଲେ ମଧ୍ୟ ସେ ବାରଣ କରି କହିଲେ, “ପ୍ରଥମ ଯୁଦ୍ଧରେ ତମେମାନେ ତ ଜିତିଛ । ଏଣିକି ମୁଁ ଯାଏ । ତା’ର ଲକ୍ଷ୍ୟ ତ ମୁଁ ।”
ତା’ପରେ ଶ୍ରୀକୃଷ୍ଣ ଗରୁଡ ଉପରେ ବସି ଯୁଦ୍ଧ କ୍ଷେତ୍ରକୁ ଗଲେ । ଦୁହିଁକି ଦୁହେଁ ସାମନାରେ ଠିଆ ହୋଇଥା’ନ୍ତି । ଶେଷରେ ଶ୍ରୀକୃଷ୍ଣ କହିଲେ, “ପୌଣ୍ଡ୍ର ଯଦି ତୁମେ ମୋର ଚିହ୍ନ ସବୁ ଧାରଣ କରୁଛ, ତେବେ ମୋତେ ସେ ସଂପର୍କରେ ଆଗରୁ କହିଥାନ୍ତ, ମୁଁ ସ୍ୱୀକାର କରିଥା’ନ୍ତି । ତା’ ନକରି ତୁମେ ଏ ମୂର୍ଖତା କାହିଁକି କଲ । ଏବେ ମଧ୍ୟ ସମୟ ଅଛି ମୋର ଶରଣ ନିଅ, ସବୁ ଠିକ୍ ହୋଇଯିବ, ମୁଁ ତୁମକୁ କ୍ଷମା କରିଦେବି । ମୁଁ ଶରଣାଗତ ବ୍ୟକ୍ତିର ଅଧିକ ଯତ୍ନ ନିଏ ଓ ତା’ର ଯଥାସମ୍ଭବ ସୁରକ୍ଷା ବି କରେ । ମୋର ଚକ୍ର ପ୍ରହାରରେ ନରକାସୁର ଆଦି ଅନେକ ଅସୁରଙ୍କର ପ୍ରାଣ ନାଶ ହୋଇଛି । ଏଠାରେ ଯେତେ ଲୋକ ରୁଣ୍ଡ ହୋଇଛନ୍ତି କେହିବି ତୁମର ପ୍ରାଣରକ୍ଷା କରିପାରିବେ ନାହିଁ । ମୁଁ ତୁମର ହିତୈଷୀ, ତେଣୁ ମୋ କଥା ମାନିଯାଅ ।”
ଏକଥା ଶୁଣି ପୌଣ୍ଡ୍ର କହିଲେ, “ବାଃ, ବେଶ୍ କଥା କହୁଛ । ତୁମେହିଁ ମୋର ପବିତ୍ର ଆୟୁଧ ଧାରଣ କରିଛ । ସେଥିପାଇଁ ମୁଁ ଏତେଦୂର ତୁମକୁ ଦଣ୍ଡ ଦେବାକୁ ଆସିଛି । ମୁଁ ଏଠାକୁ ଆସିଛି ଶୁଣି ତମେ କିଛିଦିନ ବଦ୍ରିକାଶ୍ରମରେ ଲୁଚି ରହିଲ । ତୁମ ଅନୁପସ୍ଥିତିରେ ତୁମ ନଗରକୁ ଧ୍ୱସ୍ତବିଧ୍ୱସ୍ତ କରିବାକୁ ମୁଁ ଉଚିତ୍ ମନେ କଲିନାହିଁ । ଭଲ ହେଲା ତୁମେ ଆସିଲ ଏବେ ହୁଏତ ଯମରାଜ ତୁମର ପ୍ରତୀକ୍ଷା କରୁଥିବେ ।”
ଏବେ ସେ ଦୁଇଜଣ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲେ । ଶ୍ରୀକୃଷ୍ଣ ବାର ବାର ପୌଣ୍ଡ୍ରର ଆୟୁଧ ସବୁ ଭାଙ୍ଗିବା ପରେ ସୁଦର୍ଶନ ଚକ୍ରରେ ତାକୁ ସେ ବଧ କଲେ ।
ପ୍ରିୟ ବନ୍ଧୁଙ୍କର ମୃତ୍ୟୁ ସମ୍ବାଦ ପାଇ କାଶୀରାଜ ମଧ୍ୟ ଶ୍ରୀକୃଷ୍ଣଙ୍କ ସହିତ ଯୁଦ୍ଧ କଲେ । ସେତେବେଳେ ଶ୍ରୀକୃଷ୍ଣ ଚକ୍ର ଦ୍ୱାରା ତାଙ୍କର ବି ଶିରଚ୍ଛେଦ କଲେ, ସେହି କଟାମୁଣ୍ଡ ଯାଇ କାଶୀରାଜାଙ୍କ ନଅରରେ ପଡିଲା । ଏହା ଦେଖି ତାଙ୍କ ପୁତ୍ର ଅତ୍ୟନ୍ତ ଦୁଃଖିତ ହୋଇ ପଡିଲେ । ଏହାର ପ୍ରତିଶୋଧ ନେବାପାଇଁ ସେ ନିଜର ପୁରୋହିତଙ୍କୁ ଡାକି ଏକ ଯଜ୍ଞ କଲେ । ସେହି ଯଜ୍ଞରୁ କୃତ୍ୟା ନାମକ ଏକ ରାକ୍ଷସୀ ଉତ୍ପନ୍ନ ହୋଇ ପଚାରିଲା, “ମୋତେ କ’ଣ ଆଦେଶ ଦେଉଛନ୍ତି?”
କାଶୀ ରାଜପୁତ୍ର କହିଲେ, “ତୁମେ ଏବେ ଦ୍ୱାରକାପୁରୀ ଯାଇ କୃଷ୍ଣ ଓ ତାଙ୍କର ଯେତେ ବନ୍ଧୁବାନ୍ଧବ ଅଛନ୍ତି ତାଙ୍କୁ ମାରି ଫେରି ଆସ । ଆଜିକାଲି କୃଷ୍ଣର ଦୌରାତ୍ମ୍ୟ ଅଧିକରୁ ଅଧିକ ବଢୁଛି । ଚାହୁଁ ଚାହୁଁ ସେ ମୋର ପିତାଙ୍କୁ ବଧ କଲା । ତେଣୁ କୃଷ୍ଣକୁ ଓ ସମସ୍ତ ଦ୍ୱାରକାବାସୀଙ୍କୁ ଏହାର ଉପଯୁକ୍ତ ଦଣ୍ଡ ମିଳିବା ଉଚିତ୍ ।”
ଏହାପରେ କୃତ୍ୟା ରାକ୍ଷସୀ ଦ୍ୱାରକାରେ ପହଁଚି ସେ ତା’ର ଉତ୍ପାତ ଆରମ୍ଭ କଲା । ତା’ପାଇଁ ମଧ୍ୟ ଶ୍ରୀକୃଷ୍ଣ ପୁଣି ଥରେ ଚକ୍ର ପଠାଇଲେ । ସେହି ଚକ୍ର ତାକୁ ଗୋଡାଇଲା । ସେ କାଶୀ ଫେରିଲା ଓ ଚକ୍ର ବି ତା’ ପଛେ ପଛେ ଚାଲିଲା । କାଶୀରେ ପହଁଚି ଚକ୍ର ତାକୁ ବଧ କରିବା ସଙ୍ଗେ ସଙ୍ଗେ ଅନେକ ଦୁଷ୍ଟ ଦଳନ କରି ପୁଣି ଥରେ ତାହା ଶ୍ରୀକୃଷ୍ଣଙ୍କ ହାତକୁ ଫେରି ଆସିଲା ।