ଶ୍ରୀକୃଷ୍ଣ ଦୂରରୁ ଥାଇ ବାଣାସୁରର ନଗରୀକୁ ଅବଲୋକନ କରିବାକୁ ଲାଗିଲେ । ଠିକ୍ ସେତିକିବେଳେ ନାରଦ ଆସି ସେଠାରେ ପହଁଚିଲେ ଓ କହିଲେ, “ପ୍ରଭୁ, ଆପଣ ଏକଥା ଲକ୍ଷ୍ୟ କରିଛନ୍ତି କି ପାର୍ବତୀଙ୍କ ସହିତ ସ୍ୱୟଂ ପରମେଶ୍ୱର ମଧ୍ୟ ଏହି ନଗରୀକୁ ରକ୍ଷା କରୁଛନ୍ତି? ତେଣୁ ଆପଣଙ୍କ କାର୍ଯ୍ୟ ସଫଳ ହେବାକୁ ବହୁତ କଷ୍ଟ ହେବ । ସ୍ୱୟଂ ଶିବଙ୍କ ସହ ଯୁଦ୍ଧ କରିବା ତ କିଛି ସହଜ କଥା ନୁହେଁ । ଏବେଠାରୁ ଭାବି ରଖନ୍ତୁ ଶିବ ଯେତେବେଳେ ବିରୋଧ କରିବେ ଆପଣ ସେତେବେଳେ କ’ଣ କରିବେ? ଯେମିତି ଆପଣଙ୍କୁ ପଛରେ ପଶ୍ଚାତାପ କରିବାକୁ ନ ହୁଏ ।”
ଶ୍ରୀକୃଷ୍ଣ ନାରଦଙ୍କ କଥା ଶୁଣି ମନ୍ଦ ହସି କହିଲେ, “ମୋ କାର୍ଯ୍ୟରେ ବାଧା ଦେବାକୁ ବା ଅସଫଳ କରିବାକୁ ଯେ କେହି ବି ଚେଷ୍ଟା କଲେ ମଧ୍ୟ ମୋର କିନ୍ତୁ ବିଜୟ ହେବହିଁ ହେବ । କାହିଁକିନା ମୋର କାର୍ଯ୍ୟ ଆରମ୍ଭ ହେବା ବେଳେହିଁ ତାହା କେବଳ ବିଜୟକୁ ନେଇ ହିଁ ଆରମ୍ଭ ହୋଇଥାଏ ।”
ଏହା ଶୁଣି ନାରଦ ନିରବ ରହିଲେ । ସେ ତ ବିଷ୍ଣୁଙ୍କ ପରମ ଭକ୍ତ । ସେ କ’ଣ ମୁହୂର୍ତ୍ତକ ସକାଶେ ଭୁଲିଯାଇଥିଲେ ଯେ ଶ୍ରୀକୃଷ୍ଣ ସ୍ୱୟଂ ବିଷ୍ଣୁଙ୍କର ହିଁ ଅବତାର? ସେ ଶ୍ରୀକୃଷ୍ଣଙ୍କୁ ଚେତାବନୀ ଦେଇ ବର୍ତ୍ତମାନ ନିଜେ ଲଜ୍ଜା ଅନୁଭବ କଲେ । ସେ “ନାରାୟଣ, ନାରାୟଣ” କହି ଅବସ୍ଥା କ’ଣ ହେବ, ତାହା ଲକ୍ଷ୍ୟ କରିବାକୁ ଲାଗିଲେ । ଶ୍ରୀକୃଷ୍ଣ ଥରେ ନାରଦଙ୍କ ଆଡେ ଦୃଷ୍ଟିପାତ କରି ମୃଦୁ ଭାବରେ ହସିଦେଲେ ।
ତା’ପରେ ନଗରୀର ଦ୍ୱାର ନିକଟକୁ ଯାଇ ଭଗବାନ୍ ଶ୍ରୀକୃଷ୍ଣ ନିଜର ଶଙ୍ଖ ପାଂଚଜନ୍ୟ ଫୁଙ୍କିବାକୁ ଆରମ୍ଭ କଲେ । ସେହି ମହାଧ୍ୱନୀ ଶୁଣିବା ମାତ୍ରେ ବାଣାସୁରର ଅସଂଖ୍ୟ ସୈନ୍ୟ ସାଗର ପରି ମାଡି ଆସିଲେ । ତତ୍କ୍ଷଣାତ୍ ଶ୍ରୀକୃଷ୍ଣ, ବଳରାମ, ପ୍ରଦ୍ୟୁମ୍ନ, ଓ ଗରୁଡ ସେନାସଂହାର କରିବାକୁ ଲାଗିଲେ । ଫଳରେ ଅଧିକାଂଶ ସୈନ୍ୟ ମରିଗଲେ; ଆଉ ବଳକା ସୈନ୍ୟ ଗଡରେ ପ୍ରବେଶ କରି ବାଣାସୁରକୁ ଖବର ଦେଲେ ।
ଏ ଦୁଃସମ୍ବାଦ ପାଇ ବାଣାସୁର ପ୍ରଥମେ ତ ନିଜ କାନକୁ ଆଦୌ ବିଶ୍ୱାସ କରିପାରିଲା ନାହିଁ । ତା’ପରେ ଭଲ ଭାବରେ ସବୁ ବୁଝି ସେ ବିସ୍ମିତ ଓ କ୍ରୁଦ୍ଧ ହେଲା ।
ବାଣାସୁର ନିଜର ପରାଜିତ ସୈନ୍ୟମାନଙ୍କୁ ଉଦ୍ବୋଧନ ଦେଇ କହିଲା, “ତୁମେମାନେ ରାକ୍ଷସ କୂଳରେ ଜନ୍ମ ନେଇ ନାନା ଅସ୍ତ୍ରଶସ୍ତ୍ରରେ ପାରଙ୍ଗମ ହୋଇଛ । ତୁମେମାନେ ଶେଷକୁ ଯୁଦ୍ଧରେ ହାରି ପଳାଇ ଆସିଛ? ଯୁଦ୍ଧଭୂମିରୁ ପଳାଇ ଆସିବା ତ ଭୀରୁତାର ଲକ୍ଷଣ । ତୁମମାନଙ୍କର ଏତାଦୃଶ କାର୍ଯ୍ୟ ଦ୍ୱାରା ସାରା ରାକ୍ଷସକୂଳ ଅପମାନିତ ହୋଇଛି । ଯୁଦ୍ଧଭୂମି ଛାଡିବା ବେଳେ ଟିକିଏ ବି ତୁମକୁ ଲଜ୍ଜା ଲାଗିଲା ନାହିଁ? ଏବେ ଆସ ସମସ୍ତେ । ମୁଁ ଅଛି, ମନ୍ତ୍ରୀ କୁମ୍ଭାଣ୍ଡ ମଧ୍ୟ ଅଛନ୍ତି ଓ ଅନ୍ୟ ସୈନ୍ୟମାନେ ବି ଅଛନ୍ତି । ଶତ୍ରୁପକ୍ଷ କେଉଁ ଯୋଦ୍ଧାରେ ଗଣ୍ୟ ଯେ ତୁମେମାନେ ଏତେ ଭୀତତ୍ରସ୍ତ ହୋଇ ପଡୁଛ?”
ମନ୍ତ୍ରୀ କୁମ୍ଭାଣ୍ଡ ମଧ୍ୟ ବହୁତ ବୁଝାଇଲେ । କିନ୍ତୁ ଯୁଦ୍ଧଭୂମିରୁ ଫେରିଥିବା ସୈନ୍ୟମାନେ ପୁନଶ୍ଚ ଯୁଦ୍ଧଭୂମିକୁ ଯିବାକୁ କୌଣସି ମତେ ବି ଆଉ ରାଜି ହେଲେ ନାହିଁ ।