ଭକ୍ତ ବାଣାସୁରର ଅପମାନ ଶିବ ସହ୍ୟ କରି ନ ପାରି ବାଣାସୁର ଯିବା ପୂର୍ବରୁ ସ୍ୱୟଂ ସେ ନିଜେ ଯୁଦ୍ଧ ଅଭିଯାନରେ ବାହାରିଲେ । ସିଂହମାନେ ଟାଣୁଥିବା ଗୋଟିଏ ରଥରେ ସେ ବସି ବାହାରିଲେ । ତାଙ୍କ ସାରଥି ନନ୍ଦୀ ହେଲେ । ଏବେ ଶିବ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହେଲା । ଦୁହେଁ ବଡ ବଡ ଯୋଦ୍ଧା, କେହି ବି କାହା ସ୍ଥାନରୁ ମୋଟେ ପଛଘୁଂଚା ଦେଉ ନଥାନ୍ତି । ଶିବଙ୍କର ଆଗ୍ନେୟାସ୍ତ୍ରରେ ଚାରିଦିଗ ପ୍ରଜ୍ଜ୍ୱଳିତ ହୋଇ ଉଠିଲା । ପୁଣି ଶ୍ରୀକୃଷ୍ଣଙ୍କର ବରୁଣାସ୍ତ୍ରରେ ସେହି ଅଗ୍ନି ନିର୍ବାପିତ ହେଲା । ଶିବ ପୁଣି ଭୟଙ୍କର ପାଶୁପତାସ୍ତ୍ର କ୍ଷେପଣ କରନ୍ତେ ଶ୍ରୀକୃଷ୍ଣ ମହାବୈଷ୍ଣବାସ୍ତ୍ରରେ ତାହା ନିବାରଣ କଲେ । ତା’ପରେ ଶ୍ରୀକୃଷ୍ଣ ଜୃମ୍ବକ ଅସ୍ତ୍ର ପ୍ରୟୋଗ କଲେ । ଫଳରେ ଶିବ ଓ ଅନ୍ୟମାନେ ହାଇ ମାରିଲେ, କେହି କେହି ବି ଶୋଇଗଲେ, କେହି କେହି ମୂର୍ଚ୍ଛା ଗଲେ, ତ ଆଉ ପୁଣି କେହି କେହି ନିର୍ବଳ ହୋଇ ପଡିଲେ । ଶିବ ଯୁଦ୍ଧଭୂମିରେ ହିଁ ହାଇ ମାରି ଶୋଇ ପଡିଲେ । ଫଳରେ ତାଙ୍କ ହାତରୁ ଧନୁଶର ଖସି ପଡିଲା । ଏସବୁ ଦେଖି ସମସ୍ତେ ସ୍ତମ୍ଭୀଭୂତ । ସେତେବେଳକୁ ବାଣାସୁର ଯୁଦ୍ଧଭୂମିରେ ପ୍ରବେଶ କରି ସାରିଥିଲା । କିନ୍ତୁ ଏସବୁ ଆଶ୍ଚର୍ଯ୍ୟଜନକ କାରବାର ଦେଖି ସେ ଏବେ କ’ଣ କରିବ ବୋଲି କିଛି ବି ବୁଝିପାରିଲା ନାହିଁ । ଠିକ୍ ଏହି ସମୟରେ ଶ୍ରୀକୃଷ୍ଣ ପୁଣି ପାଂଚଜନ୍ୟ ଫୁଙ୍କିଲେ ।
ବାଣାସୁରର ସୈନ୍ୟମାନେ ସେମାନଙ୍କୁ ଘେରିଗଲେ ଓ ପ୍ରଦ୍ୟୁମ୍ନଙ୍କୁ ଏକାବେଳକେ ବହୁ ସଂଖ୍ୟାରେ ଆକ୍ରମଣ କଲେ । ପ୍ରଦ୍ୟୁମ୍ନ ଏତେଗୁଡିଏ ଯୋଦ୍ଧାଙ୍କୁ ଏକଲା ସାମନା କରିବା କଠିନ ହେଲେ ମଧ୍ୟ ସେ ଯୁଦ୍ଧ କରି ଚାଲିଥା’ନ୍ତି । ଯୁଦ୍ଧରେ ବିବଶ ହୋଇ ପଡି ସେ ସମ୍ମୋହନ ଅସ୍ତ୍ରକୁ ସ୍ମରଣ କଲେ । ସେହି ଅସ୍ତ୍ର ପ୍ରୟୋଗ କରିବା ଦ୍ୱାରା ଯୁଦ୍ଧ କ୍ଷେତ୍ରରେ ଥିବା ଅନେକ ଯୋଦ୍ଧା ମୋହିତ ହୋଇ ପିତୁଳା ପରି ଠିଆ ହୋଇ ରହିଲେ, କେହି ଟିକିଏ ହଲଚଲ ମଧ୍ୟ ହେଲେ ନାହିଁ ।
ଏସବୁ ଦେଖି କାର୍ତ୍ତିକେୟ ରାଗିଯାଇ ଯୁଦ୍ଧ କରିବାକୁ ଆସିଲେ । ସେ ବାଣାସୁରର ସୈନ୍ୟମାନଙ୍କୁ ଧରି ଆକ୍ରମଣ କଲେ । ଏହାପରେ ମହାସଂଗ୍ରାମ ଆରମ୍ଭ ହେଲା । ଦୁଇପକ୍ଷର ଯୋଦ୍ଧାହିଁ ଅଯଥା କଷ୍ଟ ସହିଲେ । କାର୍ତ୍ତିକେୟ ଶେଷରେ ବ୍ରହ୍ମଶିରା ନାମକ ଭୟଙ୍କର ଅସ୍ତ୍ର ଶ୍ରୀକୃଷ୍ଣଙ୍କ ପ୍ରତି କ୍ଷେପଣ କଲେ । ଶ୍ରୀକୃଷ୍ଣ ସେଇଟିକୁ ଚକ୍ର ଦ୍ୱାରା କାଟିଲେ । ତା’ପରେ ଚକ୍ରକୁ ସାମନା କରିବା ପୂର୍ବରୁ ପାର୍ବତୀଙ୍କର ସହଚରୀ ଜଣେ ଦେବୀ କାର୍ତ୍ତିକେୟଙ୍କୁ ସେଠାରୁ ଉଠାଇ ନେଇ ଦୂରକୁ ଚାଲିଗଲେ ।
ଏବେ ବାଣାସୁରର ପାଳି । ସେ ନିଜର ସୈନ୍ୟସାମନ୍ତ ଧରି ନାନା ଆୟୁଧରେ ସୁସଜ୍ଜିତ ହୋଇ ରଣଭୂମିକୁ ଆସିଲା । ତା’ପରେ ଲାଗିଲା ଘମାଘୋଟ ଯୁଦ୍ଧ । ଶ୍ରୀକୃଷ୍ଣଙ୍କ ବାଣରେ ତା’ର ରଥ ଧ୍ୱଜ ସବୁ ଉଡିଗଲା ଓ ରଥ ମଧ୍ୟ ଭଗ୍ନ ହେଲା । ଏସବୁ ଦେଖି ତା’ପଟର ଯୋଦ୍ଧାମାନେ ରଣଭୂମି ଛାଡି ଅଧେ ପଳେଇଲେ ।
ବାଣାସୁରର ଏ ଅବସ୍ଥା ଦେଖି ସ୍ୱୟଂ ଦେବୀ ପାର୍ବତୀ ଅନ୍ୟ ଏକ ଦେବୀଙ୍କୁ ଧରି ଯୁଦ୍ଧ କ୍ଷେତ୍ରକୁ ଆସିଲେ ଓ ବାଣାସୁର ଓ ଶ୍ରୀକୃଷ୍ଣଙ୍କ ମଝିରେ ଛିଡା ହେଲେ । ଦେବୀ ପାର୍ବତୀ ଶ୍ରୀକୃଷ୍ଣଙ୍କୁ କହିଲେ, “ଭଗବାନ୍, ଆପଣଙ୍କୁ ଯୁଦ୍ଧଭୂମିରେ ପରାଜିତ କରିବାକୁ ଏ ଭୂମଣ୍ଡଳରେ ଏମିତି କେହି ବି ଆଜିଯାଏଁ ଜନ୍ମ ନେଇନାହିଁ । ଏ ବାଣାସୁର ଆମର ଭକ୍ତ ଓ ପୁତ୍ର ସଦୃଶ ମଧ୍ୟ । ଆପଣ ତାକୁ ମାରି ମୋତେ ଆଉ ପୁତ୍ରଶୋକରେ ପକାନ୍ତୁ ନାହିଁ । ତା’ର ପ୍ରାଣଭିକ୍ଷା ମୁଁ କରୁଛି ।”
ଏହା ଶୁଣି ଶ୍ରୀକୃଷ୍ଣ ଅଳ୍ପ ହସି କହିଲେ, “ଦେବୀ, ଆପଣମାନଙ୍କ ସ୍ନେହ ଓ ଶକ୍ତି ପାଇ ସେ ଅତ୍ୟନ୍ତ ଗର୍ବିତ ହୋଇଛି । ସେ ପ୍ରାଣୀମାନଙ୍କ ଉପରେ ଅତ୍ୟାଚାର କରୁଛି । ତା’ର ଗର୍ବ ଚୂର୍ଣ୍ଣ କରିବା ପାଇଁହିଁ ମୁଁ ତା’ର ଦୁଇହାତ ଛାଡି ଅନ୍ୟ ସମସ୍ତ ହାତଗୁଡିକ କାଟି ଦେବି । ଯାହାଦ୍ୱାରାକି ସେ ଆଉ ଗର୍ବରେ ଉନ୍ମତ ନ ହୋଇ ଶାନ୍ତ ହୋଇ ଆପଣଙ୍କର ଆଶ୍ରୟରେ ରହିବ । ତେଣୁ ଆପଣ ମୋ ସମ୍ମୁଖରୁ ଦୂରେଇ ଯା’ନ୍ତୁ ।”
ଦେବୀ ପାର୍ବତୀ ଦୂରେଇ ଯିବାରୁ ଶ୍ରୀକୃଷ୍ଣ ନିଜର କଥା ଅନୁସାରେ କାର୍ଯ୍ୟ କଲେ । ସେ ସୁଦର୍ଶନ ଚକ୍ର ପଠାଇ ବାଣାସୁରର ଦୁଇହାତ ବ୍ୟତୀତ ଆଉ ଅନ୍ୟ ସବୁ ହାତ କାଟି ଦେଲେ । ତଥାପି ବି ସେ ବାଣାସୁରର ଗର୍ବ ଖର୍ବ ହେଲାନାହିଁ । ସେ ତା’ର ଅବଶିଷ୍ଟ ଦୁଇ ହାତରେ ଶ୍ରୀକୃଷ୍ଣଙ୍କ ଉପରେ ବାଣ ବର୍ଷଣ କରିବାକୁ ଲାଗିଲା । ଶ୍ରୀକୃଷ୍ଣ ବିରକ୍ତ ହୋଇ ପୁଣି ଚକ୍ରକୁ ପଠାଇବା ପାଇଁ ଉଦ୍ୟତ ହୁଅନ୍ତେ ଶିବ ନିଜର ପରିବାରଙ୍କ ସହ ସେହି ଯୁଦ୍ଧଭୂମିରେ ଆବିର୍ଭୂତ ହୋଇ କହିଲେ, “ହେ ପ୍ରଭୁ, ଏହି ବାଣାସୁର ମୋର ଆଶ୍ରୟ ନେଇଛି ଓ ମୁଁ ତାକୁ ରକ୍ଷା କରୁଛି । ଏହାକୁ ବଧ କରି ମୁଁ ତାକୁ ଦେଇଥିବା ଅଭୟଦାନକୁ ବ୍ୟର୍ଥ କରନ୍ତୁ ନାହିଁ । ତଥା ଆପଣ ଏବେ ଆପଣଙ୍କ ଚକ୍ରକୁ ଆଉ ପ୍ରୟୋଗ କରନ୍ତୁ ନାହିଁ ।”
ଶିବଙ୍କ ଅନୁରୋଧ କ୍ରମେ ଶ୍ରୀକୃଷ୍ଣ ଯୁଦ୍ଧ ବନ୍ଦ କଲେ । ସେ ବାଣାସୁରକୁ ବଧ ନ କରି ଗରୁଡ ଉପରେ ବସି ଅନିରୁଦ୍ଧଙ୍କୁ ଦେଖିବାକୁ ଗଲେ । ନନ୍ଦୀ ବାଣାସୁରକୁ ଆଣି ଶିବଙ୍କ ପାଖରେ ପହଁଚାଇ ଦେଲା । ବାଣାସୁରର ହାତ ସବୁ କଟିଯିବା ଦ୍ୱାରା ତାକୁ ଯେଉଁ ପୀଡା ହେଉଥିଲା ତାହା ଶିବଙ୍କ କୃପାରୁ ଭଲ ହୋଇଗଲା । ତା’ପରେ ସ୍ୱୟଂ ଶିବ ତାକୁ ତାଙ୍କର ଶିବଗଣଙ୍କ ମଧ୍ୟରେ ବୀରମାନଙ୍କ ସହିତ ଗଣ୍ୟ କଲେ । ଏହାପରେ ତା’ର ନୂତନ ନାମ ମହାକାଳ ହେଲା ।
ଏଣେ ଏମାନେ ସବୁ ଯାଇ ଅନିରୁଦ୍ଧଙ୍କ ପାଖରେ ପହଁଚିଲେ । ଗରୁଡକୁ ଦେଖି ସର୍ପମାନେ ଅନିରୁଦ୍ଧଙ୍କୁ ମୁକ୍ତ କରି ଯିଏ ଯୁଆଡେ ପ୍ରାଣବିକଳରେ ପଳାଇଲେ । ନାରଦ ଓ ଚିତ୍ରରେଖା ମଧ୍ୟ ସେଠାରେ ଆସି ପହଁଚିଲେ । ଶ୍ରୀକୃଷ୍ଣ, ବଳରାମ ଓ ପ୍ରଦ୍ୟୁମ୍ନ ଅନିରୁଦ୍ଧଙ୍କୁ ଆଲିଙ୍ଗନ କଲେ । ଅନିରୁଦ୍ଧ ମଧ୍ୟ ସେଠାରେ ସମସ୍ତିଙ୍କୁ ପ୍ରଣାମ କଲେ ।