ତହୁଁ ଶ୍ରୀକୃଷ୍ଣ ଅତି ନମ୍ର ହୋଇ ଉତ୍ତର ଦେଲେ, “ପ୍ରାଚୀନ କାଳରେ ଛଅଜଣ ଦେବତା ବ୍ରହ୍ମାଙ୍କର କୌଣସି ବ୍ୟବହାରରେ ହସିବାରୁ ବ୍ରହ୍ମା ଅପମାନିତ ବୋଧ କରି ସେମାନଙ୍କୁ ରାକ୍ଷସ ହୋଇ ଜନ୍ମ ହେବାକୁ ଅଭିଶାପ ଦେଇଥିଲେ । ସେମାନେ ପ୍ରଥମେ ହିରଣ୍ୟକଶିପୁର ପୁତ୍ର ରୂପେ ଜନ୍ମ ନେଇଥିଲେ ଓ ତା’ପରେ ମୋର ମାତା ଦେବକୀଙ୍କ ଗର୍ଭରେ ଜନ୍ମ ନେଲେ । କଂସ ସେମାନଙ୍କୁ ଗୋଟି ଗୋଟି କରି କଚାଡି ମାରିଲା । ମାତ୍ର ଦେବକୀ ସେମାନଙ୍କୁ ସ୍ମରଣ କରି ଅତ୍ୟନ୍ତ ଶୋକବିହ୍ୱଳ ହୋଇଛନ୍ତି । ତେଣୁ ମୁଁ ସେମାନଙ୍କୁ ନେବାକୁ ଆସିଛି । ଆଜିପର୍ଯ୍ୟନ୍ତ ତ କୌଣସି ଇଚ୍ଛା ସେ କେବେ ମଧ୍ୟ ପ୍ରକାଶ କରି ନଥିଲେ । ତେଣୁ ଏବେ ମୋର ପ୍ରଥମ କର୍ତ୍ତବ୍ୟ ହେଉଛି ମା’ଙ୍କର ଇଚ୍ଛା ପୁରଣ କରିବା ।”
ବଳୀ ଶ୍ରୀକୃଷ୍ଣଙ୍କ ଆଜ୍ଞାନୁସାରେ ତାଙ୍କର ମୃତ ଛ ଭାଇଙ୍କୁ ଆଣି ଦେଲେ । କୃଷ୍ଣ ଓ ବଳରାମ ସେମାନଙ୍କୁ ନେଇ ଦ୍ୱାରକାରେ ପହଁଚିଲେ । ପୁତ୍ରମାନଙ୍କୁ ଦେଖି ଦେବକୀ ଅତି ଆନନ୍ଦିତ ହେଲେ । ସେମାନଙ୍କୁ ଯତ୍ନର ସହିତ ଖୁଆଇଲେ ଓ ତା’ପରେ ବସି ବହୁତ ଗଳ୍ପ କଲେ । ସେମାନେ ମଧ୍ୟ ମାତାଙ୍କୁ ଦେଖି ବଡ ଆନନ୍ଦିତ ହେଲେ । କିଛିଦିନ ସେଠାରେ ରହିବା ପରେ ଶ୍ରୀକୃଷ୍ଣ ସେମାନଙ୍କୁ ଉଦ୍ଧ୍ୱର୍ ଲୋକକୁ ପଠାଇ ଦେଲେ ।”
କାଳଚକ୍ର ଘୁରି ଚାଲିଛି । ଇତିମଧ୍ୟରେ ମହାଭାରତ ଯୁଦ୍ଧରେ କୌରବ ତଥା ପାଣ୍ଡବଙ୍କ ପକ୍ଷରୁ ଅନେକ ଯୋଦ୍ଧା ବୀରଗତିକୁ ପ୍ରାପ୍ତ କଲେ । କେତେ ନାରୀ ବିଧବା ହେଲେ, କେତେ ବାଳକ-ବାଳିକା ପିତୃହୀନ ହେଲେ । ଯୁଦ୍ଧରେ ବିଜୟୀ ହୋଇ ଯୁଧିଷ୍ଠିର ସିଂହାସନ ଆରୋହଣ କଲେ । ଶ୍ରୀକୃଷ୍ଣ ସମସ୍ତ ଉତ୍ସବ ଶେଷ କରି ଦ୍ୱାରକା ଲେଉଟି ଆସିଲେ ।
ଥରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ବିଶ୍ୱାମିତ୍ର, କଣ୍ୱ, ଅସିତ, ଦୁର୍ବାସା, ଭୃଗୁ, ଅଙ୍ଗୀରସ, କଶ୍ୟପ, ଅତ୍ରି, ବଶିଷ୍ଠ ଓ ନାରଦ ଆଦି ମୁନିଗଣ ଦ୍ୱାରକାରେ ଆସି ପହଁଚିଲେ । ସେତେବେଳେ ତ ଯାଦବ କୁମାରମାନେ ହସ ଥଟ୍ଟାରେ ବୁଡି ରହିଥିଲେ । କିଏ ବା ଜାଣିଥିଲା ଯେ ସେହି ଅଦୂରଦର୍ଶୀ ଯାଦବ ରାଜକୁମାରଙ୍କ ହସଥଟ୍ଟା ଭିତରେ ସମଗ୍ର ବଂଶର ସର୍ବନାଶ କରିବାର ବୀଜ ନିହିତ ଥିଲା । ଯାଦବ କୁମାରଗଣ ଶାମ୍ବକୁ ଏକ ଗର୍ଭବତୀ ସ୍ତ୍ରୀ ରୂପରେ ସଜାଇ ମୁନିମାନଙ୍କ ପାଖକୁ ଯାଇ କହିଲେ, “ମହାଶୟ, ଦୟାକରି କୁହନ୍ତୁ ଏହି ଗର୍ଭବତୀ ମହିଳାର ଗର୍ଭରୁ ପୁତ୍ର ହେବ ନା କନ୍ୟା?”
ଏକଥା ଶୁଣି ମୁନିଗଣ ସେମାନଙ୍କ ଉଦ୍ଧେଶ୍ୟ ଜାଣିପାରିଲେ ଓ କ୍ରୋଧିତ ହୋଇ ଅଭିଶାପ ଦେଲେ, “ଆରେ ମୂର୍ଖ, ଏହାର ଗର୍ଭରୁ ବଂଶନାଶକ ମୂଷଳହିଁ ଜନ୍ମ ହେବ ।” ମୁନିଙ୍କ ଅଭିଶାପ ତ କେବେବି ମଧ୍ୟ ବ୍ୟର୍ଥ ହୋଇ ପାରେନାହିଁ । ଖେଳୁ ଖେଳୁ ଏପରି ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଲା ।
ଏହାପରେ ସେମାନେ ଅତ୍ୟନ୍ତ ଭୟଭୀତ ହୋଇ ସେ ସ୍ଥାନ ଛାଡି ପଳାଇଲେ । ଶାମ୍ବ ତାଙ୍କ ବସ୍ତ୍ର ବଦଳାଇବାବେଳେ ଦେଖିଲେ ସତରେ ଏକ ଲୌହ ମୂଷଳ ତାଙ୍କ ଲୁଗା ଭିତରୁ ବାହାରିଲା । ସେମାନେ ତାକୁ ଦେଖି ପଶ୍ଚାତାପ କରି ପରସ୍ପରକୁ କହିଲେ, “ଓଃ ଆମେ କି ଜଘନ୍ୟ ପାପ କଲେ । ଏହି କଥା ଜାଣିଲେ ବୟୋଜ୍ୟେଷ୍ଠ ଯାଦବମାନେ ଯେ ଆମକୁ କ’ଣ କହିବେ? ଆଉ ଯଦି ଶ୍ରୀକୃଷ୍ଣ ରାଗନ୍ତି ତ ଅବସ୍ଥା ଆହୁରି ଶୋଚନୀୟ ହେବ । ତାଙ୍କର ସ୍ନେହ, ପ୍ରେମ ତ ବହୁତ ଦେଖା ହୋଇଛି । ଏବେ ତାଙ୍କର କ୍ରୋଧକୁ ମଧ୍ୟ ଦେଖିବାକୁ ହେବ ।” ଡରି ଡରି ଯାଇ ସମସ୍ତେ ଉଗ୍ରସେନଙ୍କ ପାଖରେ ପହଁଚିଲେ ଓ ସବୁକଥା କହିଲେ ।