ଦେବୀଙ୍କ ଠାରୁ ଏହା ଶୁଣି ଉଷାର ମନ ଆନନ୍ଦରେ ପୁରି ଉଠିଲା । ସେ ଦେବୀ ପାର୍ବତୀଙ୍କୁ ପ୍ରଣାମ କରି ଘରକୁ ଫେରିଗଲା ।
କିଛିଦିନ ପରେ ବୈଶାଖ ଦ୍ୱାଦଶୀର ଦିନ ଆସିଲା, ଇତିମଧ୍ୟରେ ଉଷା ସେକଥା ପ୍ରାୟ ଭୁଲିଯାଇଥାଏ । ରାତ୍ରିରେ ସଖୀମାନଙ୍କ ଗହଣରେ ଉଷା ନିଦ୍ରା ଯାଇଥାଏ । ସ୍ୱପ୍ନରେ ସେ ଦେଖିଲା କାମଦେବଙ୍କ ପରି ସୁନ୍ଦର ଏକ ଯୁବକ ତାକୁ କଥା କହୁଛନ୍ତି ଓ ଆଗେଇ ଆସି ତା’ର ହାତ ଧରୁଛନ୍ତି । ସେ ସ୍ୱପ୍ନରେ ନୂଆ ଜଣେ ଯୁବକର ସ୍ପର୍ଶ ପାଇ ଚମକି ପଡିବାରୁ ହଠାତ୍ ତା’ର ନିଦ ଭାଙ୍ଗିଗଲା । ଉଷାର ମନେ ହେଲା ଯେପରି ସେ ଘଟଣାଟି ସତରେ ଘଟିଛି, ତେଣୁ ସେ ଲଜ୍ଜା ଓ ଭୟରେ ଥରି ଥରି କାନ୍ଦିଲା ।
ଉଷାର କାନ୍ଦ ଶବ୍ଦରେ ସମସ୍ତେ ଉଠି ବସିଲେ ହେଲେ କେହି କିଛି ବି ବୁଝିପାରିଲେ ନାହିଁ । ଚିତ୍ରରେଖା ଉଷାକୁ ଆଶ୍ୱାସନା ଦେଇ କହିଲା, “ସଖୀ! କାନ୍ଦନାହିଁ, ଭୟ କରନାହିଁ ତୁମ ପିତା ପୃଥିବୀରେ ଅଜେୟ । ତୁମକୁ ଦୁଃଖ ଦେବାଭଳି ଦୁଃସାହସ କରିବ ବା କିଏ? ମୋତେ ସବୁ ଖୋଲି କୁହ! କିଛି ସମସ୍ୟା ଥିଲେ ତାହାର ସମାଧାନ କରିବା ପାଇଁ ନିଶ୍ଚୟ ଚେଷ୍ଟା କରାଯିବ ।”
ତା’ପରେ ଉଷା ନିଜର ପ୍ରିୟସଖୀ ଚିତ୍ରରେଖାକୁ ସବୁ କହିଲା । ଉଷା ପୁଣି ତା’ର ସଖୀକୁ କହିଲା, “ଏହା ତ ସ୍ୱପ୍ନ ନୁହେଁ, ଅତ୍ୟନ୍ତ ବାସ୍ତବ ପରି ମନେ ହେଲା । ସେକଥା ଭାବିଲେ ମୁଁ ଲଜ୍ଜାରେ ମରିଯାଉଛି । ଏହା ତ ଏକ ପ୍ରକାର କଳଙ୍କ । ଏ ରାଣୀହଂସ ପୁରରେ ପୁଣି କେଉଁ ଯୁବକ ଆସି ମୋ ମନକୁ ଏପରି ବ୍ୟାକୁଳ କଲା?”
ଏସବୁ ଶୁଣିବା ପରେ ଚିତ୍ରରେଖା ଉଷାକୁ ଦେବୀ ପାର୍ବତୀଙ୍କ କଥା ମନେ ପକାଇ ଦେଇ କହିଲା, “ସଖୀ, ତମେ କ’ଣ ବୈଶାଖ ଶୁକ୍ଳ ଦ୍ୱାଦଶୀ କଥା ଭୁଲିଗଲ । ଆଜି ପରା ସେହି ଶୁଭଦିନ । ଆଉ ଦେବୀ ପାର୍ବତୀ କହିଥିଲେ ଆଜି ଯେଉଁ ଯୁବକଙ୍କୁ ତମେ ସ୍ୱପ୍ନରେ ଦେଖିବ କେବଳ ସେହିଁ ତୁମର ଭାବିସ୍ୱାମୀ ହେବେ । ଏଥିରେ ତ ତମେ ଆନନ୍ଦିତ ହେବା କଥା ମାତ୍ର ଆଶ୍ଚର୍ଯ୍ୟର କଥା ଯେ ତମେ ଚିନ୍ତିତ ହେଉଛ ।” ଏକଥା ଶୁଣି ଉଷାର ମୂଖମଣ୍ଡଳ ଆନନ୍ଦରେ ଉଲ୍ଲସିତ ହୋଇ ଉଠିଲା । ମନେହେଲା ସତେ ଯେମିତି ଦୁଶ୍ଚିନ୍ତାର ବାଦଲ କଟିଯାଇ ମୁଖଚନ୍ଦ୍ର ପୁନଶ୍ଚ ଶୋଭାୟମାନ ହେଲା । ତା’ପରେ ସେ ଆନନ୍ଦରେ କହିଲା, “ସଖୀ, ତୁହିଁ ମୋର ସାରା ଚିନ୍ତା ଦୂର କରି ଦେଲୁ । ଏବେ ମୋର ପ୍ରାରବ୍ଧକୁ ସଫଳ କରାଇବା ଦାୟିତ୍ୱ ମଧ୍ୟ ତୋର । ମୁଁ ତ ଆଉ ସେହି ରାଜପୁତ୍ରଙ୍କର ରୂପ ବର୍ଣ୍ଣନା କରିପାରିବି ନାହିଁ । ତଥାପି ଯେତିକି ବି କରୁଛି ସେକଥା ମନେରଖି ତୁ ଚାରିଆଡେ ଦୂତ ପଠାଇ ଖବର ସଂଗ୍ରହ କରି ମୋତେ କହ କିଏ ସେହି ରାଜପୁତ୍ର । ମୋର ସୌଭାଗ୍ୟ ଏବେ କେବଳ ତୋରି ହାତରେହିଁ ରହିଛି ।”
ଚିତ୍ରରେଖା କହିଲା, “ସଖୀ, ଆଉ ମୋଟେ ଚିନ୍ତା କରନାହିଁ, ତୁମର ସୁଖରେ ମୋର ସୁଖ । ମୁଁ ସବୁ ପ୍ରକାରେ ତୁମକୁ ସାହାଯ୍ୟ କରିବି । କେବଳ ଏତିକି କଥା, ପ୍ରଥମେ ଜାଣିବାକୁ ହେବ ସେ କିଏ? ତୁମେ ତ କହୁଛ ବର୍ଣ୍ଣନା କରିପାରିବ ନାହିଁ । ଏବେ କ’ଣ କରାଯାଏ?”
ଆଖିରେ ଲୁହ ଭରି ଉଷା କହିଲା, “ସଖୀ, ତୁହିଁ ମୋର ପ୍ରିୟ ସଖୀ ଓ ମୋର ପ୍ରାଣଠାରୁ ମଧ୍ୟ ଅଧିକ ପ୍ରିୟ । ଏବେ ଏ କାର୍ଯ୍ୟରେ ତୁ ମୋତେ ଦୟା ନକଲେ ଆଉ କିଏ ବା କରିବ? ତୁ ଏହାର କିଛି ନା କିଛି ଉପାୟ କର । କିଏ ସେହି ରାଜପୁତ୍ର ଯାହାଙ୍କ ଭାଗ୍ୟ ସହିତ ଦେବୀ ପାର୍ବତୀ ମୋ ଭାଗ୍ୟକୁ ସଂଶ୍ଲିଷ୍ଟ କରିଛନ୍ତି । ସ୍ୱପ୍ନଟି ଏକବାରେ ବାସ୍ତବ ଭଳି ମନେହେଲା । ତେଣୁ ମୋର ମନ ସର୍ବଦାହିଁ ବ୍ୟାକୁଳ ରହୁଛି । ମନରେ ସନ୍ଦେହ ହେଉଛି ସ୍ୱପ୍ନରେ ତାଙ୍କ ସହିତ ମିଳିତ ହେଲେ ମଧ୍ୟ ହୁଏତ ବାସ୍ତବରେ ତାହା ସମ୍ଭବ ହେବ ନାହିଁ ।”
ଚିତ୍ରରେଖା ଉଷାଙ୍କୁ ସାନ୍ତ୍ୱନା ଦେଇ କହିଲା, “ସଖୀ, ତୁମେ ଆଦୌ ଚିନ୍ତା କରନାହିଁ । ମୁଁ ଯେପରି ଭାବରେ ହେଉ ପଛେ ତୁମକୁ ଏ ବିଷୟରେ ଅବଶ୍ୟ ସାହାଯ୍ୟ କରିବି । ଯେତେବେଳେ ମାତା ପାର୍ବତୀଙ୍କର କୃପା ତୁମ ଉପରେ ଅଛି, ସେତେବେଳେ ଯେପରି ହେଉ ନା କାହିଁକି କାର୍ଯ୍ୟ ଅବଶ୍ୟ ସିଦ୍ଧି ହେବ!”
ତା’ପରେ ଚିତ୍ରରେଖା ଉଷାର ଅନ୍ୟ ସଖୀମାନଙ୍କୁ ବୁଝାଇଲା, “ସଖୀମାନେ, ଦେଖ, ବର୍ତ୍ତମାନ ଉଷା ବଡ ଚିନ୍ତିତା । ତମେମାନେ ତା’ର ସେବା, ଶୁଶ୍ରୁଷା ଓ ମନୋରଞ୍ଜନ କରୁଥାଅ ମୁଁ ଯାଏଁ, ଏ ସମସ୍ୟାର କୌଣସି ସମାଧାନ ଯଦି ହୋଇ ପାରିବ । ମୁଁ ବି ମୋ ମନ ଭିତରେ ଅନେକ କଳ୍ପନା କରିଛି ଦେଖାଯାଉ ସେସବୁ କେତେଦୂର କାର୍ଯ୍ୟକାରୀ ହେଉଛି ।”
ତା’ପରେ ଚିତ୍ରରେଖା ଯାଇ ଏକାନ୍ତରେ ବସି ଭାବିଲା, “ମୁଁ ତ ଜଣେ ଚିତ୍ରକର । ଏବେ ଭାରତର ସମସ୍ତ ଜଣାଶୁଣା ରାଜପୁତ୍ର, ଦେବ, ଦାନବଙ୍କ ପୁତ୍ରମାନଙ୍କ ଚିତ୍ର ସବୁ ଆଙ୍କିଦେବି ଓ ସେସବୁ ନେଇ ସଖୀଙ୍କୁ ଦେଖାଇବି । ସେଥିରୁ ଜଣା ପଡିବ ଯେ କିଏ ସେହି ଭାଗ୍ୟବାନ ଯୁବକ । ଯିଏ କି ମୋର ସଖୀଙ୍କର ଭାବିସ୍ୱାମୀ ।
ବହୁତ ସମୟ ଧରି ଚିତ୍ରରେଖା ଚିତ୍ରସଂଗ୍ରହ କଲେ । କେତେଗୁଡିଏ ଆଗରୁ ଥିଲା ଓ ଆଉ କେତେଗୁଡିଏ ସେ ନିଜେ ବି ଆଙ୍କିଲେ ଓ ସେ ସବୁଗୁଡିକ ଧରି ଉଷା ପାଖକୁ ଆସି ସେ କହିଲେ, “ଦେଖ ଏଥିରେ ସମସ୍ତ ମୁଖ୍ୟ ରାଜପୁତ୍ରମାନଙ୍କ ଚିତ୍ରପଟ ଅଛି । ଏଥିରୁ ତୁମର ସ୍ୱପ୍ନକୁମାରଙ୍କୁ ବାଛି ନିଅ ।”
ଉଷା ବଡ ଆଗ୍ରହ ସହକାରେ ଏକପରେ ଏକ ଚିତ୍ର ଦେଖିବାକୁ ଲାଗିଲା । ଶ୍ରୀକୃଷ୍ଣଙ୍କ ଚିତ୍ର ଦେଖି ଗୋଟିଏ ଆଶ୍ଚର୍ଯ୍ୟ ହେଲା । ପ୍ରଦ୍ୟୁମ୍ନଙ୍କ ଚିତ୍ର ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହେଲା । ତା’ପରେ ପ୍ରଦ୍ୟୁମ୍ନଙ୍କ ପୁତ୍ର ଅନିରୁଦ୍ଧଙ୍କ ଚିତ୍ରପଟ ହାତରେ ପଡିବା ମାତ୍ରେ ଉଷାର ଆଖି ସେଇଥିରେ ହିଁ ଲାଖି ରହିଲା; ତା’ପରେ ସେ ନିଜକୁ ଭୁଲିଗଲା । ବହୁତ ସମୟ ଧରି ଚିତ୍ରକୁ ସେ ଦେଖୁଥାଏ । ତା’ପରେ କିଛି ନକହି ପୁଣି ସେ ଚିତ୍ରପଟକୁ ଅନ୍ୟାନ୍ୟ ଚିତ୍ରମାନଙ୍କ ସହିତ ମିଶାଇଦେଲା । ଏପରି ହାବ ଭାବରୁ ଚିତ୍ରରେଖା ବୁଝିଦେଲା କି ଉଷା ସହିତ ଯେଉଁ ଯୁବକ ସ୍ୱପ୍ନରେ ମିଳିତ ହୋଇଥିଲେ ସେ ଆଉ ଅନ୍ୟ କେହି ନୁହେଁ ସେ ହେଉଛନ୍ତି ଶ୍ରୀକୃଷ୍ଣଙ୍କ ନାତି ତଥା ପ୍ରଦ୍ୟୁମ୍ନଙ୍କ ପୁତ୍ର ଯାଦବ ରାଜକୁମାର ଅନିରୁଦ୍ଧ ।