ମିଥିଳାରେ ବାସ କରୁଥିବା ଯଶୋଦାଙ୍କ ଭାଇ କୁମ୍ଭକଙ୍କ ଗୋଶାଳାରେ ରାକ୍ଷସ କାଳନେମୀର ସାତ ସନ୍ତାନ ଷଣ୍ଢ ରୂପେ ଜନ୍ମ ଗ୍ରହଣ କରି ତାଙ୍କ ରାଜ୍ୟରେ ଭୀଷଣ ଉପଦ୍ରବ କରୁଥାନ୍ତି । କୁମ୍ଭକ ଯେତେ ଚେଷ୍ଟା କଲେ ମଧ୍ୟ ସେମାନଙ୍କୁ ଆଦୌ ସମ୍ଭାଳିପାରୁ ନଥାନ୍ତି । ପ୍ରଜାମାନଙ୍କର ପନିପରିବା ନଷ୍ଟ କରିବା ସଙ୍ଗେ ସଙ୍ଗେ ସେ ଷଣ୍ଢମାନେ ଯାହାକୁ ସେମାନଙ୍କ ଆଗରେ ଦେଖୁଥାନ୍ତି, ତାକୁ ଆକ୍ରମଣ କରି ତଡିନେଇ ଯାଉଥାନ୍ତି । ସେମାନଙ୍କ ହାବୁଡରେ ପଡି କ୍ରମେ ସବୁଦିନେ କିଛି କିଛି ଲୋକ ଖଣ୍ଡିଆ ଖାବରା ହେଉଥାନ୍ତି । ଲୋକମାନେ କୁମ୍ଭକଙ୍କୁ ଶ୍ରଦ୍ଧା କରୁଥାନ୍ତି । ତେଣୁ ସେମାନେ ତାକୁ କିଛି ବି କହୁ ନଥାନ୍ତି କିମ୍ବା ରାଜାଙ୍କ ପାଖରେ ବି ଏ ବିଷୟରେ କିଛି ଅଭିଯୋଗ କରୁ ନଥାନ୍ତି । କିନ୍ତୁ କେତେଦିନ ବା ରାଜ୍ୟର ଗୋଟିଏ ଅଂଚଳରେ ହେଉଥିବା ଏଭଳି ଉତ୍ପାତ ରାଜାଙ୍କଠୁଁ ଲୁଚି ରହିବ? ରାଜାଙ୍କ ଚରମାନେ ଏହା ଦେଖିଲେ ଓ ସେମାନେ ସେମାନଙ୍କ ଉପରିସ୍ଥ କର୍ମଚାରୀମାନଙ୍କୁ ଏକଥା କହିଲେ ।
ଶେଷକୁ ଏସବୁ କଥା ମିଥିଳାର ରାଜାଙ୍କ କାନରେ ଯାଇ ପଡିଲା । ପ୍ରଥମେ ତ ସେ ଏହା ଉପରେ କୌଣସି ଗୁରୁତ୍ୱ ଦେଲେ ନାହିଁ । ବରଂ ସେ ଏଭଳି ଆତଙ୍କକୁ ହସି ଉଡାଇଦେଲେ । ଏ ପ୍ରସଙ୍ଗ ଯିଏ ତାଙ୍କୁ ଶୁଣାଇଥିଲା, ତାକୁ ସେ କହିଲେ, “ଆମ ରାଜ୍ୟରେ କ’ଣ ଏଭଳି ବୀରମାନେ ବସବାସ କରୁଛନ୍ତି ଯେ ସେମାନଙ୍କୁ ଷଣ୍ଢମାନେ ଛାନିଆ କରି ରଖିବେ? ଏ ବିଷୟରେ ବିଶେଷ ପ୍ରଚାର ନ ହେବା ଭଲ । ପ୍ରଚାର ହେଲେ ଅନ୍ୟ ରାଜ୍ୟର ଲୋକେ ଆମ ଉପରେ ହସିବେ । ଆମକୁ ଭୀରୁ ବୋଲି କହିବେ ।”
ମିଥିଳା ରାଜା ଜାଣି ନଥିଲେ ଯେ ସେ ଷଣ୍ଢମାନେ ସାଧାରଣ ଷଣ୍ଢ ନୁହଁନ୍ତି, ବରଂ ସେମାନେ ହେଲେ ଷଣ୍ଢ ରୂପୀ ରାକ୍ଷସଗଣ!
ସେ ଯାହାହେଉ, ସେ ଷଣ୍ଢ ଆତଙ୍କକୁ ଯେ ତୁଚ୍ଛ ମଣିବା କଥା ନୁହେଁ, ଏକଥା ଖୁବ୍ ଅଳ୍ପଦିନ ଭିତରେ ତାଙ୍କ ଆଗରେ ସ୍ପଷ୍ଟ ହୋଇଗଲା । କାହିଁକିନା ଦଳ ଦଳ ଲୋକ ଆସି ସେ ବିଷୟରେ ଅଭିଯୋଗ କଲେ । ତେଣିକି ରାଜା ଦେଖିଲେ ସେ ବିଷୟରେ କିଛି ନକଲେ ନଚଳେ । ରାଜା ଦିନେ ଛଦ୍ମବେଶରେ ଯାଇ କୁମ୍ଭକ ଯେଉଁ ଅଂଚଳରେ ବାସ କରୁଥିଲା, ସେ ଅଂଚଳରେ ଯାଇ ପହଁଚିଲେ । କିଛି ସମୟ ଇତସ୍ତତଃ ବୁଲିବା ପରେ ସେ ଦେଖିଲେ, ହଠାତ୍ ଗୋଟାଏ ଅଂଚଳରେ ଲୋକେ ଚିତ୍କାର କରୁଛନ୍ତି । ଧୁଳି ଉଡି ଆକାଶ ମଳିନ ଦିଶୁଛି । ରାଜା ଆଶ୍ଚର୍ଯ୍ୟ ହୋଇ ସେ ଦିଗକୁ ଅଗ୍ରସର ହେଲେ । ସେ ଯାଇ ପହଁଚିବା ବେଳକୁ ଷଣ୍ଢମାନେ ଅବଶ୍ୟ ସେଠାରୁ ପଳାଇଲେଣି, କିନ୍ତୁ ସେମାନେ ଜଣେ ଗରିବ ଲୋକର କୁଡିଆ ଭାଙ୍ଗି ପକାଇଛନ୍ତି । ସେ ଲୋକଟି କାନ୍ଦୁଛି । ଅନ୍ୟମାନେ ତାକୁ ସାନ୍ୱନା ଦେବା ସଙ୍ଗେ ସଙ୍ଗେ ସେ ଷଣ୍ଢମାନଙ୍କ ଉତ୍ପାତ ବିଷୟରେ ଅନେକ ଘଟଣା ଆଲୋଚନା କରୁଛନ୍ତି ।
ରାଜା ମନ ଦେଇ ସେମାନଙ୍କ କଥା ଶୁଣିଲେ । ତା’ପରେ ରାଜା ସେ ଗରିବ ଲୋକକୁ କିଛି ଅର୍ଥ ସାହାଯ୍ୟ ଦେଇ ନୀରବରେ ସେଠାରୁ ବାହୁଡିଗଲେ ।
ସେ କୁମ୍ଭକଙ୍କୁ ଡକାଇ କହିଲେ, “ଆରେ ଭାଇ, ତମେ ତ ଜଣେ ସମ୍ବ୍ରାନ୍ତ ଧନୀକ । ତମ ପାଖରେ କ’ଣ କେତୁଟା ଷଣ୍ଢଙ୍କୁ ଜବତ କଲାଭଳି ଜନବଳ ନାହିଁ? ଛିଃ, ତମେ ଏ ବିଷୟରେ ଯାହା କରିବାର ତାହା କିପରି ନ କରୁଛ? ମୋ ଯାଏଁ କାହିଁକି କଥା ଆସିବ?”
ଏହି କଥା ଶୁଣି ସେ କୁମ୍ଭକ ବଡ ଲଜ୍ଜିତ ହେଲେ । ସେ ରାଜାଙ୍କୁ ବୁଝାଇ ପାରିଲେ ନାହିଁ ଯେ ବାସ୍ତବିକ ସେ ମଧ୍ୟ ସେହି ଦୁର୍ଦ୍ଧଷ ଷଣ୍ଢମାନଙ୍କ ଆଗରେ ଅସହାୟ । ତେବେ ସେ ଦିଗରେ ଯାହା କରିବା ସମ୍ଭବ ସେ ତାହା ନିଶ୍ଚୟ କରିବେ ବୋଲି ପ୍ରତିଶୃତି ଦେଇ ରାଜାଙ୍କଠାରୁ ବିଦାୟ ନେଲେ ।