ରାଜାଙ୍କଠାରୁ ବିଦାୟ ନେଇ କୁମ୍ଭକ ତା’ ଘରେ ପହଁଚି ଗଭୀର ଚିନ୍ତାମଗ୍ନ ହେଲେ । ସେ କ’ଣ କରିବେ? ଷଣ୍ଢମାନଙ୍କୁ ଦମନ କରିବା ନିମନ୍ତେ କ’ଣ ରାଜାଙ୍କୁ ସୈନ୍ୟବାହିନୀ ଯୋଗାଇଦେବା ନିମନ୍ତେ ଅନୁରୋଧ କରିବେ? ରାଜା ତାଙ୍କର ସେ ଅନୁରୋଧକୁ କିପରି ଭାବରେ ଗ୍ରହଣ କରିବେ? ତାଙ୍କ ଅନୁରୋଧ ଶୁଣିସାରି ସେ ଆଉ ତାଙ୍କୁ ଅଟ୍ଟହାସ୍ୟ କରିବେ ନାହିଁ ତ? ଏହି ଚିନ୍ତାରେ ସେ କୁମ୍ଭକ ରାତିରେ ଆଦୌ ଶୋଇପାରିଲେ ନାହିଁ ।
ସକାଳେ ଉଠି ସେ ଘୋଷକମାନଙ୍କୁ ଡକାଇ କହିଲେ କି, “ଯାଅ, ରାଜ୍ୟଯାକ ଏହି ଘୋଷଣା କରିଦିଅ ଯେ, ଯିଏ ଏ ଷଣ୍ଢମାନଙ୍କୁ ଦମନ କରିପାରିବ, କେବଳ ସିଏହିଁ ମୋ ପାଳିତା କନ୍ୟା ନୀଳାକୁ ବିଭା ହେବ ।” ଏହାପରେ ସେ ଘୋଷକମାନେ ଚାରିଦିଗକୁ ବିଛେଇ ହୋଇଗଲେ ।
ପରଦିନହିଁ ନନ୍ଦ ଯଶୋଦାଙ୍କ ସହ କୃଷ୍ଣ ବଳରାମ ଏବଂ କେତେକ ଗୋପବାଳକ କୁମ୍ଭକଙ୍କ ଘରେ ଆସି ପହଁଚିଗଲେ । ସେମାନଙ୍କୁ ଦେଖି କୁମ୍ଭକଙ୍କ ପୁତ୍ର ଶ୍ରୀଧାମର ଆନନ୍ଦ କହିଲେ ନସରେ । ସେ ଖୁସିରେ ଆସି କୃଷ୍ଣଙ୍କୁ କୁଣ୍ଢାଇ ପକାଇଲା । ସମସ୍ତେ ଆନନ୍ଦରେ କୁମ୍ଭକଙ୍କ ଘରକୁ ଗଲେ ।
ନନ୍ଦ କୁମ୍ଭକଙ୍କୁ ପଚାରିଲେ, “ଭାଇ, ଆମେ ଏଠାକୁ ଆସିବା ବେଳେ ବାଟରେ ଗୋଟାଏ ଘୋଷଣା ଶୁଣିଲୁ । ଆଛା ଭାଇ କହିଲ ଦେଖି ସେ ଘୋଷଣାରେ ଯାହା କୁହାଗଲା, ସେସବୁ କ’ଣ ସତ୍ୟ?”
ନନ୍ଦଙ୍କ ଏଭଳି କଥାରେ କୁମ୍ଭକ ମୁହଁ ଶୁଖାଇ କହିଲେ, “ହଁ, ଭାଇ, ଏହା ସତ । ସେହି ସାତ ଷଣ୍ଢଙ୍କ ଅତ୍ୟାଚାରରେ ଲୋକେ ଯେପରି ଅତିଷ୍ଠ, ମୁଁ ମଧ୍ୟ ଠିକ୍ ସେହିପରି ମ୍ରିୟମାଣ । ଏଭଳି ଷଣ୍ଢମାନଙ୍କୁ ଯିଏବି କାବୁ କରିବ ଜାଣ ସେ ମୋ ସମ୍ମାନ ବଂଚାଇବ । ମୋ ପୋଷ୍ୟା କନ୍ୟା ନୀଳାକୁ ତ ତୁମେ ଜାଣିଛ । ସେ ରୂପରେ ଯେପରି ସୁନ୍ଦରୀ, ଠିକ୍ ସେହିପରି ସତ୍ ସ୍ୱଭାବ-ସମ୍ପନ୍ନା । ତେଣୁ ମୁଁ ଘୋଷଣା କରିଛି ଯିଏ ଏ ଷଣ୍ଢମାନଙ୍କୁ ଦମନ କରିପାରିବ, କେବଳ ସେହିଁ ମୋ ନୀଳାକୁ ବିଭା ହେବ ।”
ଅତିଥିମାନେ କୁମ୍ଭକଙ୍କ ଠାରୁ ଏସବୁ କଥା ଶୁଣିଲେ । ଏଣେ ନୀଳା ଅନ୍ତରାଳରେ ଥାଇ ଏହା ଶୁଣୁଥାନ୍ତି । ସେ ଥରେ କୃଷ୍ଣଙ୍କ ଆଡକୁ ଅନାଇଲେ ।
ସେହିଦିନ ରାତିରେ ସାତ ଷଣ୍ଢ ଆସି କୁମ୍ଭକଙ୍କ ଉଦ୍ୟାନରେ ପଶି ଉତ୍ପାତ କଲେ । ସେମାନେ କେତେ ଫଳ ଫୁଲ ଗଛ ଉପାଡି ପକାଇଲେ, କେତେ ଯେ ଦଳିଚକଟି ଦେଲେ, ସେସବୁର କିଛି ହିସାବ ନାହିଁ ।
କୁମ୍ଭକଙ୍କ ପରିଚାରକାମାନେ ଉଦ୍ୟାନ ଭିତରେ ଉତ୍ପାତର ଶବ୍ଦ ଶୁଣି ସେଠାକୁ ଦୌଡିଗଲେ । କିନ୍ତୁ ଅନ୍ଧକାର ଭିତରେ ସେ ଷଣ୍ଢମାନଙ୍କୁ ସାମ୍ନା କଲା ଭଳି ବଳ ସେମାନଙ୍କର ନଥିଲା । ଷଣ୍ଢମାନେ ଉଦ୍ୟାନ ବ୍ୟାପି ଦୌଡା ଦୌଡି କରୁଥାନ୍ତି । ଉଦ୍ୟାନ-ରକ୍ଷୀ ଜଣେ ଦୁଇଜଣ ସେମାନଙ୍କ ଆଗରେ ପଡି ଆହତ ହେଲେ । ପରିଚାରକାମାନେ ମଶାଲ୍ ଜାଳି, ଆଖପାଖର ଲୋକଙ୍କୁ ଡକାଡକି କରି ସଂଘବଦ୍ଧ ଭାବରେ ଅଗ୍ରସର ହେବା ବେଳକୁ ଷଣ୍ଢମାନେ ଉଦ୍ୟାନ ଭିତରୁ ଚାଲିଗଲେଣି ।
ସକାଳେ ତାଙ୍କ ଉଦ୍ୟାନର ଏପ୍ରକାର ଦୃଶ୍ୟ ଦେଖି କୁମ୍ଭକ ଓ ନନ୍ଦ ଅତ୍ୟନ୍ତ ଦୁଃଖିତ ହେଲେ । ସେତେବେଳେ ଉଦ୍ୟାନ ବାହାରେ ସେ ସାତ ଷଣ୍ଢ ଠିଆ ହୋଇ କ୍ରୁର ଆଖିରେ ସେମାନଙ୍କ ଆଡେ ଅନାଇଥାନ୍ତି । ସତେ ଅବା ସେମାନେ କହୁଥାନ୍ତି ଯେ, ଯଦି କାହାର ସତ୍ସାହସ ଅଛି, ତେବେ ସେ ଆସି ଆମକୁ ଆୟତ କରିବାକୁ ଚେଷ୍ଟା କରୁ!
ନନ୍ଦଙ୍କ ସହ ଯେଉଁମାନେ ଆସିଥିଲେ, ତାଙ୍କ ଭିତରେ ଘୋଷବନ୍ତ ନାମକ ଜଣେ ଯୁବକ ଥିଲେ । ସେ ଖୁବ୍ ବଳବାନ୍ ଓ ସାହସୀ । ସେ ଉତ୍ୟକ୍ତ ହୋଇ କହିଲେ, “ଆଉ କିଛି ନ ହେଲେ ବି ଏ ଷଣ୍ଢମାନଙ୍କୁ ମୁଁ ଅବଶ୍ୟ ଏଠାରୁ ଘଉଡାଇ ଦେବି ।” ଏହା କହି ସେ ଖଣ୍ଡିଏ ଶକ୍ତ ଲାଠି ସଂଗ୍ରହ କରି ଖୁବ୍ ଉଚ୍ଚ କଣ୍ଠରେ ପାଟିକରି ସେ ଷଣ୍ଢମାନଙ୍କ ଆଡେ ଖେପିଗଲେ । କିନ୍ତୁ ମୁହୂର୍ତ୍ତକ ଭିତରେ ଗୋଟିଏ ଷଣ୍ଢ ଆସି ତାଙ୍କୁ ଭୁଷି ଦେଇ ତଳେ ପକାଇଦେଲା । ଫଳରେ ସେ ତାଙ୍କ ଚେତା ହରାଇଲେ ।
ସମସ୍ତଙ୍କଠାରୁ ଟିକିଏ ଦୂରରେ ଠିଆ ହୋଇ ଶ୍ରୀକୃଷ୍ଣ ସେ ଷଣ୍ଢମାନଙ୍କୁ ଲକ୍ଷ୍ୟ କରୁଥାନ୍ତି । ତାଙ୍କ ମୁହଁରେ ମୃଦୁ ହସ ଖେଳିଗଲା । ସେ ନିଶ୍ଚୟ ବୁଝିପାରିଲେ, ସେ ଷଣ୍ଢମାନେ ବାସ୍ତବରେ କେତେକ ଦୁଷ୍ଟ ଶକ୍ତି । ଷଣ୍ଢ ରୂପ ଧରି ଯେତେ ପ୍ରକାର ଅଶାନ୍ତି ବୃଦ୍ଧି କରିବା ସମ୍ଭବ ତାହା ସେମାନେ କରି ଚାଲିଛନ୍ତି ।
ଘୋଷବନ୍ତ ତଳେ ପଡିଯିବାର ଦେଖି ତାଙ୍କ ବନ୍ଧୁମାନେ ତାଙ୍କ ପାଖକୁ ଯିବାକୁ ଉତ୍କଣ୍ଠିତ ହେଲେ । କିନ୍ତୁ କିପରି ବା ଯିବେ । ସେମାନେ ଯେମିତି ସେ ଆଡେ ଅଗ୍ରସର ହେବାକୁ ଉଦ୍ୟତ ହେବେ, ସେହିକ୍ଷଣି ସେ ଷଣ୍ଢମାନେ ସେମାନଙ୍କ ଆଗକୁ ଖେପି ଆସିବେ । ଷଣ୍ଢମାନଙ୍କର ସେ ପ୍ରତିହିଂସା ପରାୟଣତା ଦେଖି ସମସ୍ତେ ଖୁବ୍ ଆଶ୍ଚର୍ଯ୍ୟ ହେଉଥାନ୍ତି ।
ସମସ୍ତେ ହାୟ ହାୟ କରୁଥାନ୍ତି । କିନ୍ତୁ କେହି ମଧ୍ୟ ସେ ଷଣ୍ଢମାନଙ୍କ ଭିତରକୁ ଯିବାକୁ ଯମାରୁ ସାହସ କରୁ ନଥାନ୍ତି । ମାତ୍ର ଏଭଳି ପରିସ୍ଥିତିରେ ଶ୍ରୀକୃଷ୍ଣ ହଠାତ୍ ଦୌଡିଗଲେ । ଏସବୁ ଘଟଣା ଦେଖି ନନ୍ଦ ଓ ଯଶୋଦା ପାଟି କରି କହିଲେ, “ଆରେ, ତୁ ଇଏ କ’ଣ କରୁଛୁ?” କିନ୍ତୁ ସେତେବେଳକୁ ସେ କୃଷ୍ଣ ଯାଇ ଷଣ୍ଢଙ୍କ ମଝିରେ ।
କେଇ ମୁହୂର୍ତ୍ତ ଭିତରେ ସବୁ କିଛି ଯେମିତି ଓଲଟପାଲଟ ହୋଇଗଲା । ଶ୍ରୀକୃଷ୍ଣ କାହାକୁ ଠେଲି ଦେଲେ ତ କାହାକୁ ବିଧାଏ ମାରିଲେ । ପୁଣି ଆଉ କେହି ଶିଙ୍ଗ ବାଗେଇ ତାଙ୍କ ଆଡେ ଝପଟି ଆସିବା ମାତ୍ରେ ସେ ତା’ ଶିଙ୍ଗକୁ ଥରେ ହଲାଇ ଦେଲେ । ବାସ୍! ତା’ପରେ ସେ ସାତଟି ଯାକ ଷଣ୍ଢ ଚେତା ହରାଇ ତଳେ ପଡିଗଲେ । ତା’ପରେ ସେମାନେ ଉଠିପଡି ଦୌଡିବାକୁ ଲାଗିଲେ । ଗୋପପୁରରୁ ଆସିଥିବା ବାଳକମାନେ ଆନନ୍ଦରେ ଷଣ୍ଢଙ୍କ ପଛରେ ଦୌଡିଲେ । ସେମାନଙ୍କୁ ସେଠିକା ସ୍ଥାନୀୟ ଲୋକେ ଅନୁସରଣ କଲେ । ପ୍ରଥମ ଥର ପାଇଁ ମଣିଷମାନେ ଷଣ୍ଢଙ୍କ ଆଗରେ ଛତ୍ରଭଙ୍ଗ ନଦେଇ ବରଂ ସେ ଷଣ୍ଢମାନେ ମଣିଷମାନଙ୍କ ଆଗରେ ଛତ୍ରଭଙ୍ଗ ଦେବାର ଦେଖାଗଲା । ଯେଉଁମାନେ ସେ ଦୃଶ୍ୟ ଦେଖିଲେ, ସେମାନଙ୍କ ଆନନ୍ଦର ଆଉ କୌଣସି ସୀମା ରହିଲା ନାହିଁ । ତା’ପରେ ସେମାନେ ସବୁ କୁଆଡେ ଯେ ଗଲେ ସେକଥା କେହି ବି ଜାଣି ପାରିଲେ ନାହିଁ । କିନ୍ତୁ ସେହିଦିନଠାରୁ ସେମାନଙ୍କୁ ଆଉ ସେ ରାଜ୍ୟ ଭିତରେ କେଉଁଠି ହେଲେବି ଦେଖିବାକୁ ମିଳିଲା ନାହିଁ ।