ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୃଷ୍ଣାବତାର

                କୁମ୍ଭକ ନନ୍ଦଙ୍କୁ କହିଲେ “ବର୍ତ୍ତମାନ ମୋତେ ମୋ ଘୋଷଣା ଅନୁସାରେ କାମ କରିବାକୁ ହେବ । ନୀଳା ସହିତ କୃଷ୍ଣଙ୍କର ବିବାହ ହେବା ନିଶ୍ଚିତ ।” ଶେଷରେ ତାହାହିଁ ହେଲା । ଆନନ୍ଦ ଉତ୍ସବ ଭିତରେ ବିବାହ ସମ୍ପନ୍ନ ହୋଇଗଲା । ମିଥିଳା ରାଜ୍ୟରେ କିଛିଦିନ ଅତିବାହିତ କରି ନନ୍ଦ ଯଶୋଦା କୃଷ୍ଣ, ନୀଳା ଓ ଅନ୍ୟମାନଙ୍କୁ ଧରି ଗୋପପୁର ଲେଉଟି ଆସିଲେ । ପୁଣି ପୂର୍ବଭଳି ଶାନ୍ତିମୟ ଜୀବନଯାତ୍ରା ଆରମ୍ଭ ହେଲା । କୃଷ୍ଣ ବଳରାମ ଗୋଧନ ଧରି ନଦୀକୂଳକୁ ଯାଉଥାନ୍ତି । ଗୋପବାଳକମାନେ କୃଷ୍ଣଙ୍କୁ ନିଜର ସଖା ଭାବରେ ଦେଖୁଥାନ୍ତି । କୃଷ୍ଣ କୌଣସି ଅସମ୍ଭବ କାର୍ଯ୍ୟ କଲେ ସେମାନେ ମୁଗ୍ଧ ହେଉଥାନ୍ତି, କିନ୍ତୁ ସେମାନଙ୍କ ଭିତରେ ସଖ୍ୟଭାବ ଏଡେ ପ୍ରବଳ ଥାଏ ଯେ, ସେମାନେ କୃଷ୍ଣଙ୍କୁ ସଖା ଛଡା ଅନ୍ୟ କୌଣସି ଭାବରେ କଳ୍ପନା କରିବାକୁ ସୁଖ ପାଉ ନଥାନ୍ତି ।

                ତେବେ ମୁନିଋଷିଙ୍କ ଭିତରେ ଜଣେ ଜଣେ କୃଷ୍ଣ କିଏ ସେକଥା ଠିକ୍ ବୁଝିପାରୁଥାନ୍ତି । ଥରେ ବାମଦେବ ଓ ଭରଦ୍ୱାଜ ନାମକ ଦୁଇ ଋଷି ଗୋପପୁର ନିକଟବର୍ତ୍ତି ପ୍ରାନ୍ତର ଦେଇ ଯାଉ ଯାଉ ଗୋଟିଏ ବୃକ୍ଷ ମୂଳରେ କୃଷ୍ଣ ବଳରାମ ବସିଥିବାର ଦେଖିଲେ । ଦୁଇ ଭାଇ ଦୁଇ ଋଷିଙ୍କୁ ସ୍ୱାଗତ କରିବା ମାତ୍ରେ ଋଷି ଦୁହେଁ ମୁଗ୍ଧ ହୋଇ ସେମାନଙ୍କୁ ଦେଖିଲେ ଓ ପଚାରିଲେ, “ତୁମ୍ଭେମାନେ କିଏ?”

                କୃଷ୍ଣ ଉତ୍ତର ଦେଲେ “ଆମ୍ଭେମାନେ ନନ୍ଦ ଯଶୋଦାଙ୍କ ପୁତ୍ର ।”

                ଦୁଇ ଋଷି ପଚାରିଲେ “ସେତିକି ପରିଚୟ କ’ଣ ଯଥେଷ୍ଟ?”

                ଏ ପ୍ରଶ୍ନର କୌଣସି ଉତ୍ତର ନଦେଇ କୃଷ୍ଣ ହସିଦେଲେ । ସେ ହସ ଦେଖିଦେବା ମାତ୍ରେ ଦୁଇ ଋଷି ଧ୍ୟାନସ୍ଥ ହେଲେ । ଧ୍ୟାନରେ ସେମାନେ ସବୁକିଛି ଠିକ୍ ବୁଝିଗଲେ କୃଷ୍ଣ ବଳରାମ କିଏ । ସେମାନଙ୍କ ଆନନ୍ଦ କଥା କହିଲେ ନସରେ । କିନ୍ତୁ ସେମାନେ ବୁଝିଲେ, ଲୀଳା ପାଇଁ ଭଗବାନଙ୍କୁ ଏହିପରି ଗୋପନ ରୂପରେ ରହିବାକୁ ପଡେ । ସେମାନେ ନିଜ ନିଜ ଉପଲବ୍ଧି ପ୍ରକାଶ ନ କରି ଖାଲି କୃଷ୍ଣ ବଳରାମଙ୍କୁ ଦୀର୍ଘ ସମୟ ଅନାଇ ରହି ନିଜ ରାସ୍ତାରେ ଚାଲିଗଲେ ।

                ଅନେକ ସମୟରେ କୃଷ୍ଣ ବଳରାମ ଓ ତାଙ୍କ ସାଙ୍ଗମାନେ ନଦୀ କୂଳରେ ରହିଥିବା ବିସ୍ତୀର୍ଣ୍ଣ ପ୍ରାନ୍ତର ଓ ଅରଣ୍ୟ ମଧ୍ୟରେ ପ୍ରବେଶ କରି ନୂଆ ନୂଆ ସ୍ଥାନ ଆବିଷ୍କାର କରୁଥାନ୍ତି । ସ୍ଥାନେ ସ୍ଥାନେ ଛୋଟ ଛୋଟ ସରୋବର ରହିଥାଏ । ସେସବୁର ଜଳ ଅତ୍ୟନ୍ତ ସୁଶୀତଳ । ସରୋବର କୂଳେ କୂଳେ କେତେ ଧରଣର ଫଳଫୁଲ ଭରା ବୃକ୍ଷଲତା । ପ୍ରକୃତି ତା’ର ସମ୍ଭାର ଅଜାଡି ଦେଉଥାଏ । ଶ୍ରୀକୃଷ୍ଣଙ୍କ ଦଳ ସେସବୁ ସ୍ଥାନ ଦେଖି ମୁଗ୍ଧ ହେଉଥାନ୍ତି । ଆଶ୍ଚର୍ଯ୍ୟର କଥା, ବଣର ପଶୁପକ୍ଷୀମାନେ ସେମାନଙ୍କୁ ଦେଖି ଭୟଭୀତ ନ ହୋଇ ବରଂ ଆନନ୍ଦିତ ହେବା ଭଳି ମନେ ହେଉଥାଏ ।

                ଥରେ ଥରେ ବଣ ଭିତରେ ବର୍ଷା ହେଲେ ସେ ତରୁଣମାନଙ୍କର ଉତ୍ସାହ ଆହୁରି ବଢି ଯାଉଥାଏ । ସେମାନେ ବର୍ଷାରେ ଦୌଡୁଥାନ୍ତି । ବର୍ଷାବେଳେ ଯମୁନା ନଦୀରେ ସ୍ନାନ ଓ ସନ୍ତରଣ କରିବାରେ ପୁଣି ନୂଆ ପ୍ରକାର ଶିହରଣ ମଧ୍ୟ ସେମାନଙ୍କର ଥାଏ । ବର୍ଷାବେଳେ ପଶୁପକ୍ଷୀମାନେ ଯେପରି ଭାବରେ ଆଶ୍ରୟ ଲୋଡୁଥାନ୍ତି, ମଧ୍ୟେ ମଧ୍ୟେ ସେ ତରୁଣମାନେ ବି ସେମିତି ଆଶ୍ରୟ ଲୋଡୁଥାନ୍ତି । ପଶୁମାନେ ସେମାନଙ୍କ ପ୍ରତି ଏପରି ବ୍ୟବହାର କରୁଥାନ୍ତି, ସତେ ଅବା ସେମାନେ ସେହି ବଣର ବାସିନ୍ଦା!

ଦିନେ ପ୍ରାନ୍ତର ପାଖରେ ଥିବା ଗୋଟିଏ ବଣ ଭିତରେ ପଶି କୃଷ୍ଣ ଏକ ସରୋବର ଦେଖିଲେ । ସେ ସରୋବରର ଜଳର ରଙ୍ଗ ବିଚିତ୍ର ଦିଶୁଥାଏ । ପୁଣି ସରୋବରରେ ଏପରି ତରଙ୍ଗ ଖେଳୁଥାଏ, ସତେ ଅବା ତାହା ସରୋବର ନୁହେଁ, ସମୁଦ୍ର ।

ପାଖରେ ଗୋଟିଏ କଦମ୍ବ ବୃକ୍ଷ ଥିଲା । କିନ୍ତୁ ସେ ବୃକ୍ଷରେ ଗୋଟିଏ ମଧ୍ୟ ପତ୍ର ନଥିଲା । ସେଠାକାର ବାତାବରଣ କିପରି ବିଷାକ୍ତ ଲାଗୁଥିଲା ।

“ଏ ସରୋବରରେ କ’ଣ ରହିଛି ଦେଖିବା ଦରକାର ।” ଏହା କହି କୃଷ୍ଣ ଗଛ ଉପରକୁ ଉଠିଗଲେ ଓ ହଠାତ୍ ସେ ସରୋବର ଭିତରକୁ ଲମ୍ଫ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ